ଅହମ୍ମଦାବାଦ୍,୨।୧୧: ଗୁଜରାଟର ଅହମ୍ମଦାବାଦ ଜିଲାରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ବ୍ୟକ୍ତି ନିଜର ୧୦ ବର୍ଷୀୟ ପୁଅକୁ ଘରେ ଥିବା ଦେବୀଙ୍କ ବେଦୀ ସାମ୍ନାରେ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏପରିକି ହତ୍ୟା ପରେ ସେ ପୁଅର ମୃତଦେହ ପାଖରେ ଥିବା ଖଟରେ ଶୋଇପଡ଼ିଥିଲେ। ଘଟଣାରେ ପୋଲିସ ଅଭିଯୁକ୍ତ ବାପା ନରେଶ ପଟେଲଙ୍କୁ ଗିରଫ କରିଛି।
ସୂଚନା ଅନୁସାରେ, ରବିବାର ରାତିରେ ସାଣନ୍ଦ ତାଲୁକାର ବିଞ୍ଛିଆ ଗାଁରେ ଏହି ଘଟଣା ଘଟିଛି। ସାଣନ୍ଦ ଥାନା ଇନ୍ସପେକ୍ଟର ଜୟପ୍ରକାଶ ଚୌହାନଙ୍କ କହିବା ଅନୁଯାୟୀ, ଅଭିଯୁକ୍ତ ନରେଶ ପଟେଲ ଜଣେ କୃଷି ଶ୍ରମିକ। ପତ୍ନୀ ଭାରତୀବେନଙ୍କ ସହ ଝଗଡ଼ା ହେବା ପରେ ସେ ପ୍ରାୟ ୧୦ ଦିନ ପୂର୍ବରୁ ନିଜ ବାପଘରକୁ ଚାଲିଯାଇଥିଲେ। ପୁଅର ସ୍କୁଲ ଥିବାରୁ ସେ ତାକୁ ବାପାଙ୍କ ପାଖରେ ଛାଡ଼ି ଯାଇଥିଲେ।
ମୃତ ଶିଶୁର ମା’ ଭାରତୀବେନଙ୍କ ଅଭିଯୋଗ ଅନୁସାରେ, ନରେଶ ତାଙ୍କୁ କହିଥିଲେ ଯେ ପରିବାରରେ ଆଉ କେହି ‘ଭୁଆ’ ନ ହୁଅନ୍ତୁ, ସେଥିପାଇଁ ସେ ନିଜର ଏକମାତ୍ର ପୁଅକୁ ଦେବୀଙ୍କ ବେଦୀରେ ବଳି ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ସ୍ଥାନୀୟ ପରମ୍ପରାରେ ‘ଭୁଆ’ ହେଉଛନ୍ତି ଦେବୀଦେବତା ଓ ସମୁଦାୟ ମଧ୍ୟରେ ମଧ୍ୟସ୍ଥ ଭାବେ କାର୍ଯ୍ୟ କରୁଥିବା ଜଣେ ପାରମ୍ପରିକ ଅନୁଷ୍ଠାନକର୍ତ୍ତା।
ପୋଲିସ ସୂଚନା ଅନୁଯାୟୀ, ନରେଶ ଘରେ ଥିବା ଦେବୀଙ୍କ ଛୋଟ ବେଦୀ ସାମ୍ନାରେ ପୁଅ କରଣକୁ ହତ୍ୟା କରିବା ପରେ ମୃତଦେହ ପାଖରେ ଥିବା ଖଟରେ ଶୋଇପଡ଼ିଥିଲା। ଅଭିଯୁକ୍ତଙ୍କ ମାନସିକ ସ୍ଥିତି ଠିକ ନଥିବା ପୋଲିସ କହିଛି।
ରବିବାର ରାତିରେ ଜଣେ ପଡ଼ୋଶୀ ଫୋନ କରି ଭାରତୀବେନଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ। ରାତି ପ୍ରାୟ ୯ଟା ୩୦ରେ ସେ ଗାଁରେ ପହଞ୍ଚିବା ପରେ ପୁଅକୁ ରକ୍ତାକ୍ତ ଅବସ୍ଥାରେ ଖଟ ଉପରେ ପଡ଼ିଥିବା ଦେଖିଥିଲେ। ଶିଶୁର କପାଳରେ ଆଘାତ ଚିହ୍ନ ଥିଲା। ଅଭିଯୋଗ ଅନୁଯାୟୀ, ସେହି ଖଟରେ ନରେଶ ମଧ୍ୟ ଶୋଇଥିଲେ ଏବଂ ତାଙ୍କ ପୋଷାକରେ ରକ୍ତ ଲାଗିଥିଲା।
ଏତଲାରେ ଭାରତୀବେନ ଅଭିଯୋଗ କରିଛନ୍ତି ଯେ, ନରେଶ ପୁଅର ଦୁଇ ଗୋଡ଼କୁ ଧରି ଦେବୀଙ୍କ ବେଦୀ ସାମ୍ନାରେ ଦୁଇରୁ ତିନି ଥର ଭୂଇଁରେ କଚାଡ଼ିଥିଲେ। ଏହାପରେ ଏକ କାଠ ଖଣ୍ଡରେ ତା’ ମୁଣ୍ଡକୁ ଆଘାତ କରି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏବେ ମାମଲାର ତଦନ୍ତ ଜାରି ରହିଛି।
Dharitri – Odisha’s No.1 Odia Daily

