ମଣିଷ ଗଛ

ଯଦୁମଣି ପାଣିଗ୍ରାହୀ

ଗଛ ଭଳି ପରୋପକାରୀ ଗୁଣ ବୋଧେ ଏ ସଂସାରରେ ଆଉ କାହା ନିକଟରେ ଦେଖିବାକୁ ମିଳେନି। ସମଗ୍ର ଜୀବଜଗତ ପାଇଁ ଉତ୍ସର୍ଗୀକୃତ ତା’ର ଜୀବନ। ଗଛଟିଏର ତ୍ୟାଗ ଓ ଅବଦାନର ପଟାନ୍ତର ନାହିଁ। ଖରା, ବର୍ଷା, ଶୀତ, କାକର ସହି ଅନ୍ୟକୁ ସୁଖ ଦେଉଥିବା ଗଛର ଜୀବନ କେଡ଼େ ମହାନ୍‌ ସତେ। ହାତ ଘେନି ଗଛଟିଏ ଲଗାଇଲେ କେବେବି ନିରାଶ ହେବାକୁ ପଡ଼େନି। ଗଛଟିଏ ରୋପଣ କରି ତା’ ମୂଳରେ ପାଣିଦେବା କି ଘାସ ବାଛିଦେବା ଭଳି ସାମାନ୍ୟ କର୍ତ୍ତବ୍ୟ ସମ୍ପାଦନ କରିପାରିଲେ ଏହା ଦିନେ ବଡ଼ ହୋଇ ଅଶେଷ ଉପକାରରେ ଆସିଥାଏ। ମଣିଷଠାରୁ ପଶୁପକ୍ଷୀ ଓ କୀଟପତଙ୍ଗ ଯାଏ କାହା କାମରେ ନ ଆସେ ଗଛ। ଫୁଲ, ଫଳ, କାଠ, ଛାଇ ଓ ଅମ୍ଳଜାନ ଆଦି ଯୋଗାଇ ଆମ ବଞ୍ଚତ୍ବାର ସହାୟତା କରିବା ସହ ଆମ ଜୀବନଶୈଳୀକୁ ସହଜ ଓ ସୁଗମ କରିଥାଏ ଗଛ। ଶାସ୍ତ୍ରରେ କୁହାଯାଇଛି; ”ସେବିତବ୍ୟେ ମହାବୃକ୍ଷଃ ଫଳଛାୟା ସମନ୍ବିତଃ, ଯଦି ଦୈବାତ୍‌ ଫଳ ନାସ୍ତି ଛାୟା କେନ ନିବାର୍ଯ୍ୟତେ।“ ଅର୍ଥାତ୍‌ ଫଳ ଓ ଛାୟା ଯୁକ୍ତ ଗୋଟିଏ ବିଶାଳ ବୃକ୍ଷର ସେବା କରିବା ଉଚିତ୍‌। ଯଦିବା କୌଣସି କାରଣରୁ ଉକ୍ତ ଗଛଟି ଫଳ ପ୍ରଦାନ କରିବାକୁ ଅସମର୍ଥ ହୁଏ ତେବେ ଅନ୍ତତଃ ଛାୟା ଟିକେ ତ ପ୍ରଦାନ କରିପାରିବ। ଯଥାର୍ଥରେ ସବୁକିଛି ଅଜାଡ଼ି ଦେବାର ଆଢ଼ୁଆଳରେ ଯେମିତି ଲୁଚିରହିଛି ତା’ମନରେ ଅପାର ଆନନ୍ଦ ଓ ଗଭୀର ଆତ୍ମସନ୍ତୋଷ। କେବଳ ଆମେ କାହିଁକି, ଅନେକ ପଶୁପକ୍ଷୀଙ୍କର ବି ଜୀବନ ଜୀବିକା ହେଉଛି ଗଛ। ସତରେ ବଡ଼ ଉଦାର ତା’ର ହୃଦୟ। ସେ ସମଦର୍ଶୀ ଓ ବିଚାରବନ୍ତ । ସାନ ହେଉ କି ବଡ଼ ଅଥବା ଧନୀ କିମ୍ବା ଗରିବର ଭେଦଭାବ ତା’ ନିକଟରେ ନାହିଁ। ଅନ୍ୟ ପ୍ରତି ସ୍ନେହ, ଶ୍ରଦ୍ଧା ଓ କୃତଜ୍ଞତାରେ ଭରପୂର ତା’ ଅନ୍ତର। ସମସ୍ତେ ତା’ର ପ୍ରିୟ ଓ ଆପଣାର। ଆମ ପୁରାଣ ଶାସ୍ତ୍ରରେ ଗଛକୁ ବୃକ୍ଷ ଦେବତାର ଆସନ ଦିଆଯାଇ ଏହାର ଯଶ ଗାନ କରାଯାଇଛି। ଗଛକୁ ଦେବତା ଭାବେ ଆଜିଯାଏ ବି ପୂଜା କରାଯାଉଛି। ଗଛ ଲଗାଇଲେ ଅଶେଷ ପୁଣ୍ୟ ସାଧନ ହୁଏ ବୋଲି ଲୋକମାନଙ୍କ ମଧ୍ୟରେ ରହିଥିବା ଧାରଣା ଆଜିଯାଏ ବଳବତ୍ତର ରହିଛି। ତେଣୁ ପୂର୍ବକାଳରେ ଉଦାରମନା ଲୋକେ ଗଛ ଲଗାଇବାରେ ଉଭୟ ଶାନ୍ତି ଓ ଆନନ୍ଦ ଅନୁଭବ କରୁଥିଲେ। କେବଳ ସେିତିକି ନୁହେଁ, ଆଜି ବି ଅନେକ ଓଷଧୀୟ ବୃକ୍ଷର ଚେର, ପତ୍ର, ଛେଲି ଓ ମୂଳକୁ ଲୋକେ ବିଭିନ୍ନ ରୋଗରୁ ଉପଶମ ପାଇବାକୁ ସିଧାସଳଖ ବ୍ୟବହାର କରୁଛନ୍ତି ।
ମୋଟ୍‌ ଉପରେ କେବେବି ଦାନ ପ୍ରତିଦାନର ଆଶା ନ ରଖି ନିରନ୍ତର ଓ ନୀରବଚ୍ଛିନ୍ନ ଭାବେ ଗଛ କେବଳ ଅନ୍ୟର ସେବାରେ ନିଜକୁ ସମର୍ପିତ କରୁଥିବାରୁ ଏ ସଂସାରରେ ଗଛର ଜୀବନ ଧନ୍ୟ ବୋଲି କୁହାଯାଇଛି।
ତେବେ ସୃଷ୍ଟିର ଶ୍ରେଷ୍ଠ ଜୀବ ଭାବେ ଗଛ ଓ ମଣିଷର ସମ୍ପର୍କ ବେଶ୍‌ ନିବିଡ଼। ମଣିଷର ସୁସ୍ଥ, ନୀରୋଗ ଓ ସୁଖମୟ ଜୀବନଯାପନ ସାଙ୍ଗକୁ ତା’ର ସାମଗ୍ରିକ ବିକାଶ ପଛରେ ପ୍ରତ୍ୟକ୍ଷ ବା ପରୋକ୍ଷରେ ଗଛର ପ୍ରଚ୍ଛନ୍ନ ଭୂମିକା ରହିଥିବା ବେଳେ ଗଛ ପ୍ରତି ମଣିଷ କିନ୍ତୁ ଚିରକାଳ ଅବହେଳା କରିଆସିଛି। ଦେଖିବାକୁ ଗଲେ ଛୋଟ ଗଛଟିଏ ଅବା ମଣିଷ ଶିଶୁଟିଏ ହେଉ, ସେମାନଙ୍କ ବୃଦ୍ଧି ଓ ବିକାଶରେ ସମାନ ସେବା ଓ ଯତ୍ନ କରିବାର ଆବଶ୍ୟକତା ପଡ଼ିଥାଏ। ଏହି ଦୃଷ୍ଟିରୁ ମଣିଷକୁ ଗଛ ସହ ତୁଳନା କରାଯାଇପାରେ। ମଣିଷ ରୂପକ ଗଛକୁ ସୃଷ୍ଟି କରୁଥିବା ଓ ତାକୁ ଖୁବ୍‌ ଯତ୍ନ ସହକାରେ ଲାଳନପାଳନ କରି ସାନରୁ ବଡ଼ କରୁଥିବା ମାତାପିତାଙ୍କ ତ୍ୟାଗ ଓ ଅବଦାନକୁ ଭାଷାରେ ପ୍ରକାଶ କଲେ ବି କମ୍‌ ହେବ ନିଶ୍ଚୟ। ଛୋଟ ଗଛଟି ମୂଳରେ ପାଣି ଦେଇ, ଘାସ ସଫାକରି ଓ ସାର ପିଡ଼ିଆ ଦେଇ ତାକୁ ବଡ଼ କଲାପରି ମଣିଷ ଗଛକୁ ଏକ ପରିପକ୍ୱ ତଥା ସକ୍ଷମ ମଣିଷରେ ରୂପାନ୍ତରିତ କରିବା ପଛରେ ମାତାପିତା, ଆତ୍ମୀୟସ୍ବଜନ ଓ ପରିବାରବର୍ଗଙ୍କ ଯେଉଁ ନିଃସର୍ତ୍ତ ଏବଂ ନିଃସ୍ବାର୍ଥପର ଅବଦାନ ରହିଛି, ତା’ର ପ୍ରତିଦାନ କ’ଣ କେବେ ବି ଦେଇପାରୁଛି ମଣିଷ। ବରଂ ସେମାନଙ୍କ ତ୍ୟାଗ ଓ ଅବଦାନକୁ ଭୁଲିଯାଇ ସେମାନଙ୍କ ସହ ବିଶ୍ୱାସଘାତକତା କରିବାକୁ କୁଣ୍ଠାବୋଧ କରୁନି ସେ। ଫଳରେ ପିଲାଟି ଉପରେ ମାତାପିତା ଓ ଅନ୍ୟମାନଙ୍କର ଯେଉଁ ଆଶା ଭରସା ଓ ବିଶ୍ୱାସ ଟିକକ ରହିଥାଏ ତାହା ଶେଷରେ ଭାଙ୍ଗିରୁଜି ଛାର୍‌ଖାର୍‌ ହୋଇଯାଏ। ପରିଣତ ବୟସରେ ମାତାପିତାଙ୍କୁ ସହାୟ ହେବା ତ ଦୂରର କଥା ସେମାନଙ୍କ ସହ ସବୁ ସମ୍ପର୍କ ତୁଟାଇ ଦେବାକୁ ଶ୍ରେୟସ୍କର ମଣୁଛନ୍ତି ପିଲାମାନେ। ମାତାପିତାଙ୍କ ବ୍ୟତୀତ ଘରର ଜେଜେବାପା, ଜେଜେମାଆ, ବଡ଼ ଭାଇଭଉଣୀ, ଦାଦା ଖୁଡ଼ୀଙ୍କର ତ୍ୟାଗ ଓ ଅବଦାନକୁ ବି ଶେଷରେ କୃତଘ୍ନ ଓ ସ୍ବାର୍ଥପର ମଣିଷ ବଳି ଚଢ଼ାଇ ଦେଉଛି। ପାରିବାରିକ ତ୍ୟାଗ ଅବଦାନ ବ୍ୟତୀତ ମଣିଷ ଶିଶୁକୁ ସର୍ବାଙ୍ଗ ସୁନ୍ଦର କରି ଗଢ଼ିତୋଳିବା ଦିଗରେ ସାମାଜିକ କ୍ଷେତ୍ରରେ ଅନେକଙ୍କ ଦାନ ଅବଦାନ ରହିଛି । ସେ ଅବଦାନକୁ ବି ମଣିଷ ଭୁଲିଯାଉଛି। ପଡ଼ୋଶୀ, ଗ୍ରାମବାସୀ, ଶିକ୍ଷକ ଓ ସାଙ୍ଗସାଥୀ ଆଦି ଯେଉଁମାନଙ୍କ ସହ ମଣିଷ ମିଶିଛି, ଦୁଃଖସୁଖ ବାଣ୍ଟିଛି, ଦୁନିଆ ବିଷୟରେ ଜାଣିଛି, ବଞ୍ଚିବାର କଳାକୌଶଳ ହାସଲ କରିଛି, ବିପଦଆପଦରେ ସହାୟତା ଲୋଡ଼ିଛି ଆଉ ଜ୍ଞାନ ଆହରଣ ବି କରିଛି, ସେମାନଙ୍କ ସହ ସେ ଅହରହ ବିଶ୍ୱାସଘାତକତା କରିଚାଲିଛି। ଅନେକ ପଶୁପକ୍ଷୀ ଅଛନ୍ତି ଯେଉଁମାନେ କିଛି ଖାଦ୍ୟ, ପାନୀୟ, ଆଦର ଓ ଆଶ୍ରୟ ପାଇବା ପ୍ରତି ବଦଳରେ ମଣିଷର ପୋଷା ମାନିବା ସହ କିଛି ନା କିଛି କାମରେ ସାହାଯ୍ୟ କରୁଛନ୍ତି। ଅଥଚ ପଛକୁ ନ ଚାହିଁ କେବଳ ଆଗକୁ ଦେଖୁଥିବା ମଣିଷ କୃତଘ୍ନତାର ସବୁ ସୀମା ସରହଦ ଅତିକ୍ରମ କରିଯାଇଛି ଯେମିତି। କେବଳ ବ୍ୟକ୍ତିଗତ ସୁଖ ସମୃଦ୍ଧିର ଲାଳସା ମଣିଷର ମଣିଷପଣିଆକୁ ନଷ୍ଟଭ୍ରଷ୍ଟ କରିସାରିଲାଣି। ଯାହାଙ୍କ ଦାନ ଅବଦାନରେ ସେ ନିଜକୁ ସଶକ୍ତ କରାଇବାର ସୁଯୋଗ ହାସଲ କରିଛି ସେହିମାନଙ୍କ ପ୍ରତି ସେ ବିଶ୍ୱାସଘାତକତା କରିବା କେତେଦୂର ସମୀଚୀନ। ଗଛଟିଏ ଲଗାଇଲେ ତା’ଠାରୁ କିଛି ନା କିଛି ପାଇବାର ଆଶା ରହୁଥିବା ବେଳେ ମଣିଷ ଗଛ ଲଗାଇ ଶେଷରେ ଯଦି ନିରାଶ ହେବାକୁ ପଡ଼େ, ତେବେ ଏହାଠାରୁ ବିଡ଼ମ୍ବନା ଆଉ କ’ଣ ଥାଇପାରେ। ସେଥିପାଇଁ କୁହାଯାଇଛି-”ଗଛ ଲଗାଇବୁ ଫଳ ତୁ ଖାଇବୁ କରୁନାହିଁ ତୋତେ ମନା, ମଣିଷ ଗଛ ତୁ ଲଗାନାରେ ବାବୁ ଆବୋରିବ ତୋର ଦାନା।“
ଶଂଖିଡ଼ା, ତିହିଡ଼ି, ଭଦ୍ରକ, ମୋ:୯୯୩୭୫୬୫୫୨୭


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ଗଣତନ୍ତ୍ରରେ ଅଭାବୀ ବିକଳ୍ପ

ଏକ ଚା’ ଖଟିରେ ଦୁଇ ବନ୍ଧୁ ପରସ୍ପର ରାଜନୀତି ବିଷୟରେ ଚର୍ଚ୍ଚା କରୁଥିଲେ ଏବଂ ଜଣେ ବନ୍ଧୁ ଅନ୍ୟ ଜଣେ ବନ୍ଧୁଙ୍କ ସହିତ କଥୋପକଥନ ଛଳରେ କହୁଥା’ନ୍ତି-…

ପୁରୁଷ, ନାରୀ ଓ ସଭ୍ୟତା

ଓଡ଼ିଶା ଆଜି ନିଜକୁ ଉନ୍ନତି ପଥରେ ଆଗେଇ ନେବାକୁ ଦୃଢ଼ ଚେଷ୍ଟା କରୁଛି। ନୂଆ ରାସ୍ତା, ବଡ଼ ବଡ଼ କୋଠା, ଶିଳ୍ପ ପାର୍କ, ଡିଜିଟାଲ ସେବା, ସରକାରୀ…

ଚିତାରେ ସତୀ

ୟୁରୋପରେ ସଇତାନଙ୍କୁ ପୂଜା କରୁଥିବା ସନ୍ଦେହରେ ମହିଳାଙ୍କୁ ଡାହାଣୀ ଆଖ୍ୟା ଦେଇ ଖ୍ରୀଷ୍ଟିଆନ୍‌ ଧର୍ମଯାଜକମାନେ ସେମାନଙ୍କୁ ଜିଅନ୍ତା ପୋଡ଼ିଦେଉଥିଲେ। ଆରବରେ ଇସ୍‌ଲାମ ଛାଡ଼ିବାକୁ ମନା କରୁଥିବା ଲୋକଙ୍କୁ…

ଏଇ ଭାରତରେ

ଭାରତରେ ଜଳ ସଙ୍କଟ ବିଷୟ ଆଲୋଚନା କଲାବେଳେ ମହାରାଷ୍ଟ୍ର ଲାଟୁର ଜିଲା ସ୍ଥିତି ସାମ୍ନାକୁ ଆସେ। ତେବେ ଏହି ଜିଲାର ବଂଶଓ୍ବାରଗ୍ରାମର ଗ୍ରାମବାସୀ ଜଳସଙ୍କଟ ଦୂର କରିବାରେ…

ରୋଜଗାରିଆ ଝିଅ ଓ ବେକାର ପୁଅ

ପୁରୁଷ ଓ ନାରୀ ଭଗବାନଙ୍କର ଏକ ଅନବଦ୍ୟ ସୃଷ୍ଟି। ପୁରୁଷ ଜନ୍ମ ନିଏ ନାରୀଠାରୁ ପୁଣି ବିନା ପୁରୁଷରେ ନାରୀର ଜନ୍ମ ଅସମ୍ଭବ। କି ଅଦ୍ଭୁତ ସମନ୍ବୟ।…

ପରିମାଣାତ୍ମକ ନା ଗୁଣାତ୍ମକ ଶିକ୍ଷା

ଥରେ ଜଣେ ରାଜନେତାଙ୍କ ସହିତ ସାକ୍ଷାତ ହେଲା। ପୂର୍ବତନ ଲୋକ ସଭା ସାଂସଦ। ବର୍ତ୍ତମାନର ସରକାରୀ ଦଳର ସେ ଜଣେ ପ୍ରତିଷ୍ଠିତ ନେତା। ବିଭିନ୍ନ ସଭା ସମିତିରେ…

ଯେତିକି ପାରିବ ସେତିକି

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଏବେ ମଣିଷର ପ୍ରତିଟି ପଦକ୍ଷେପକୁ ପରିଚାଳନା କଲାଣି। ପରିବେଶ ପରିସଂସ୍ଥାନକୁ ଇକୋସିଷ୍ଟମ ବୋଲି କହିଥାଉ। ଏବେ ଏଆଇ ଇକୋସିଷ୍ଟମ…

ଏଇ ଭାରତରେ

ପକ୍ଷୀ ଜୀବନ ଏବେ ସଙ୍କଟରେ। ଜଳବାୟୁ ପରିବର୍ତ୍ତନ,ସହରୀକରଣରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ବଂଶବୃଦ୍ଧି ନ ହୋଇ ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତିର ଦ୍ୱାରଦେଶରେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri