ମଣିଷ ଓ ପଶୁ

ଡ. ଛାୟାକାନ୍ତ ଷଡ଼ଙ୍ଗୀ

 

ବିଶିଷ୍ଟ ଲେଖକ ଚାର୍ଲସ୍‌ ଏଣ୍ଡରସନ୍‌ ଡାନି କହିଥିଲେ କୁକୁର ମଣିଷକୁ କାମୁଡ଼ିଲେ ତାହା ସମ୍ବାଦ ପଦବାଚ୍ୟ ହୁଏ ନାହିଁ, ମାତ୍ର ମଣିଷ କୁକୁରକୁ କାମୁଡ଼ିଲେ ତାହା ହୁଏ ସମ୍ବାଦ। ଲୋକଙ୍କ ସମ୍ବାଦକ୍ଷୁଧା ମେଣ୍ଟାଇବା ପାଇଁ ବେଳେବେଳେ କିଛି ସମ୍ବାଦପତ୍ର ଅଚିରାଚରିତ ଘଟଣା ପରିବେଷଣ କରି ହଟଚମଟ ସୃଷ୍ଟି କରନ୍ତି। ଅବଶ୍ୟ ତଦ୍ଦ୍ବାରା କିଛି ସକାରତ୍ମକ ପ୍ରଭାବ ମଧ୍ୟ ପଡ଼େ। କିଛି ମାସ ତଳେ ଗଞ୍ଜାମ ଜିଲାରେ ଏହିଭଳି ଘଟଣାଟିଏ ଖବରକାଗଜରେ ଶୀର୍ଷକ ପାଲଟିଥିଲା। ଶୀର୍ଷକଟି ଥିଲା ‘ଡାଲି ଖାଇ ଛେଳି ଗିରଫ’। ଛେଳିଟିଏ ବନ ବିଭାଗଦ୍ୱାରା ରୋପିତ ହୋଇଥିବା ଗଛର କିଛି କଅଁଳ ପତ୍ର ଖାଇଦେବାରୁ ବନବିଭାଗ ଅଧିକାରୀ ତାକୁ ଗିରଫ କଲେ। ଯିଏ ନିୟମ ଭଙ୍ଗ କରି ନିଷିଦ୍ଧ କର୍ମକରେ ସେ ଅପରାଧୀ ବିବେଚିତ ହୁଏ ଓ ଦଣ୍ଡପାଏ। ମାତ୍ର ଛେଳି କ୍ଷୁଧା ନିବାରଣ କରିବା ପାଇଁ ପ୍ରବୃତ୍ତିଚାଳିତ ହୋଇ ପତ୍ରଖାଏ। ନୀତି, ନୈତିକତା ଧାରଣା ତା’ର ନ ଥାଏ। ସେ ଜାଣେ ନାହିଁ କେଉଁ ଗଛର ପତ୍ର ଖାଇବା ତା’ ପାଇଁ ନିଷିଦ୍ଧ। ମଣିଷ ଜାଣେ ଛେଳିର ଏହି ବିଚାର ଶକ୍ତି ନାହିଁ। ତା’ସତ୍ତ୍ୱେ ବନ ବିଭାଗର ଅଧିକାରୀ ତାକୁ କିପରି ଅପରାଧୀ ବିବେଚନା କରି ଗିରଫ କଲେ ତାହା ଏକ ପ୍ରଶ୍ନବାଚୀ। ଅତୀତରେ ପାଶ୍ଚାତ୍ୟରେ ବିଚାରାଳୟମାନେ ପଶୁପକ୍ଷୀଙ୍କୁ ଅପରାଧୀଭାବେ ବିଚାର କରି ଜେଲଦଣ୍ଡ ବା ପ୍ରାଣଦଣ୍ଡ ଦେଉଥିଲେ। ୧୯୩୪ରେ ନର୍ମାଣ୍ଡିରେ ଘୁଷୁରିଟିଏ ଏକ ଅସହାୟ ମଣିଷ ପିଲାକୁ ଖାଇଦେବାରୁ ତାକୁ ଫାଶୀ ଦିଆଯାଇଥିଲା। ୧୯୦୬ରେ ସୁଇଜରଲାଣ୍ଡରେ ଦୁଇଜଣ ଭାଇ ଓ ସେମାନଙ୍କ ପୋଷାକୁକୁର ଜଣେ ଲୋକକୁ ହତ୍ୟା କରିବାରୁ ଦୁଇଭାଇଙ୍କୁ ଆଜୀବନ କାରାଦଣ୍ଡ ଓ କୁକୁରକୁ ପ୍ରାଣଦଣ୍ଡ ଦିଆଯାଇଥିଲା। ୧୯୭୪ରେ ଉତ୍ତର ଆଫ୍ରିକାରେ ଜଣେ ଭଦ୍ରଲୋକକୁ କୁକୁରଟିଏ କାମୁଡ଼ି ଏକ ମାସର କାରାଦଣ୍ଡ ଭୋଗିଥିଲା। ୧୯୭୬ରେ ଇଂଲଣ୍ଡର ଏକ ବିଚାରାଳୟ ଦୁଇଜଣ ଶିଶୁ ଓ ଗୋଟିଏ ଛେଳିକୁ କାମୁଡ଼ି ଦେଇ ଗୋଟିଏ କୁକୁର ପ୍ରାଣଦଣ୍ଡ ପାଇଥିଲା। ଏହିଭଳି ନିରୀହ ପଶୁମାନଙ୍କୁ ଦଣ୍ଡବିଧାନ କରି ମଣିଷ କେତେଦୂର ଠିକ୍‌ କରିଛି ତାହା ମଧ୍ୟ ପ୍ରଶ୍ନବାଚୀ।
ଷୋଡ଼ଶ ଶତାବ୍ଦୀରେ ଫ୍ରାନ୍ସରେ ବାର୍ଥେଲୋମିଓ ଚାସେନୀ ନାମକ ଜଣେ ଓକିଲ ପଶୁପକ୍ଷୀଙ୍କ ଓକିଲ ଭାବରେ ଜଣାଶୁଣା ଥିଲେ। ଥରେ ସେ ଏକ ବାର୍ଲିଖେତ ଧ୍ୱଂସ କରିଥିବା ଏକ ମୂଷାଦଳଙ୍କ ସପକ୍ଷରେ ଲଢ଼ିଥିଲେ। ମୂଷାଦଳଟିଏ କ୍ଷୁଧାତୁର ହୋଇ ବାର୍ଲିଖେତରେ ପଶିଲେ। ସେମାନେ ଜମିମାଲିକକୁ ଜାଣନ୍ତି ନାହିଁ କି ସେହି ଅଞ୍ଚଳ ନିଷିଦ୍ଧ ବୋଲି ବି ଜାଣନ୍ତି ନାହିଁ। ନିରୀହ ମୂଷାମାନେ ପ୍ରବୃତ୍ତିଚାଳିତ ହୋଇ ସେହି ଜମିରେ ପ୍ରବେଶ କରି ଶସ୍ୟ ଖାଇବାରୁ ଜମି ମାଲିକ ତାହା ଅନଧିକାର ପ୍ରବେଶ ମନେକରି ସେମାନଙ୍କ ଏହି ଅପରାଧ ବିରୋଧରେ ବିଚାରାଳୟରେ ଅପିଲ କରିଥିଲେ। ଫଳସ୍ବରୂପ ସମ୍ପୃକ୍ତ ଅଞ୍ଚଳରେ ଲିଖିତ ସମନ ଗଛରେ ଟାଙ୍ଗି ଦିଆଯାଇଥିଲା ଓ ଉଚ୍ଚସ୍ବରରେ ନିର୍ଦ୍ଦିଷ୍ଟ ତାରିଖରେ କଚେରିରେ ଉପସ୍ଥିତ ହେବାପାଇଁ ଘୋଷଣା କରାଯାଇଥିଲା। ଦେଖାଗଲା ନିର୍ଦ୍ଦିଷ୍ଟ ଦିନ ମୂଷାମାନେ ଉପସ୍ଥିତ ହେଲେ ନାହିଁ। ଓକିଲ ଚାସେନୀ ଦର୍ଶାଇଲେ ଅଭିଯୋଗକାରୀଙ୍କ ସମର୍ଥକ ଦଳେ ବିଲେଇ ବାଟରେ ମୂଷାମାନଙ୍କୁ ଜଗି ରହିଥିବାରୁ ମୂଷାମାନେ ଆସିପାରୁନାହାନ୍ତି। ଯଦି ଅଭିଯୋଗକାରୀଙ୍କ ଓକିଲ ଗ୍ୟାରେଣ୍ଟି ଦେବେ ଯେ ସେହି ବିଲେଇମାନେ ମୂଷାମାନଙ୍କ କ୍ଷତି କରିବେ ନାହିଁ, ତା’ହେଲେ ମୂଷାମାନେ ଆସିବେ। ସେହି ଗ୍ୟାରେଣ୍ଟି ଅର୍ଥ ଆକାରରେ ଜମା ରହୁ ବୋଲି ଦାବି କରାଯିବାରୁ ଅଭିଯୋଗକାରୀ ରାଜିହେଲେ ନାହିଁ ଓ ମାମଲା ଖାରଜ ହେଲା।
ଅତୀତର ଏହିସବୁ ଘଟଣା ପ୍ରତିପାଦନ କରେ ଯେ ପଶୁପକ୍ଷୀଠାରୁ ମଣିଷ ସୁଲଭ ବିବେକ ଓ ବ୍ୟବହାର ଆଶା କରୁଛି। ମାତ୍ର ବିବେକ ବା ବିଚାରଶକ୍ତିବିହୀନ ନିରୀହ ପଶୁମାନଙ୍କୁ ବିବେକବାନ ମଣିଷ ନିଜ ସହ ସମାନ ମନେକରି ସେମାନଙ୍କୁ ଦଣ୍ଡବିଧାନ କରିବା ଦ୍ୱାରା ସେ ନିଜକୁ ପଶୁଠୁ ଅଭିନ୍ନ ବୋଲି ପ୍ରମାଣିତ କରୁଛି। ସେଥିପାଇଁ ବୋଧହୁଏ ଅତୀତର ବିଶିଷ୍ଟ ଚିନ୍ତାବିତ୍‌ମାନେ ମଣିଷର ସଂଜ୍ଞା ନିର୍ଦ୍ଧାରଣ କଲାବେଳେ ‘ପଶୁ’ ଶବ୍ଦଟିକୁ ବାରମ୍ବାର ବ୍ୟବହାର କରିଛନ୍ତି। ଆରିଷ୍ଟଟଲ କହିଥିଲେ, ମଣିଷ ହେଉଛି ଏକ ରାଜନୈତିକ ପଶୁ। ଏଡ୍‌ମଣ୍ଡ୍‌ ବର୍କ କହିଥିଲେ ମଣିଷ ହେଉଛି ଧର୍ମନୈତିକ ପଶୁ ଓ ବେଞ୍ଜାମିନ୍‌ ଫ୍ରାଙ୍କଲିନ କହିଥିଲେ ମଣିଷ ହେଉଛି କଳକବ୍‌ଜା ତିଆରି କରିପାରୁଥିବା ପଶୁ। ଅତୀତରେ ସେହି ମନୀଷୀମାନଙ୍କ ଦ୍ୱାରା ବ୍ୟବହୃତ ଶବ୍ଦ ‘ପଶୁ’କୁ ମଣିଷର ସଂଜ୍ଞାରୁ ବାଦ୍‌ଦେବା ସମୟ ବୋଧହୁଏ ଏବେ ମଧ୍ୟ ଆସିନାହିଁ।
ଏହି ପ୍ରସଙ୍ଗରେ ବିଶିଷ୍ଟ ଲେଖକ ମନୋଜ ଦାସଙ୍କ ଏକ କ୍ଷୁଦ୍ର କାହାଣୀ। ଏକ ପୋଷା ମାଙ୍କଡ଼ ମାଲିକ କବଳରୁ ଖସିଆସି ପ୍ରବେଶ କଲା ଅରଣ୍ୟ ଭିତରେ। ସେହି ଅରଣ୍ୟର ଜୀବଜନ୍ତୁ ପୂର୍ବରୁ ମାଙ୍କଡ଼ ଦେଖି ନ ଥିଲେ। ମାଙ୍କଡ଼ଟି ଗୋଟିଏ ଡାଳରୁ ଆଉ ଏକ ଡାଳକୁ ଡେଇଁଥିବାର ଦେଖି ଓ ତା’ର ମଣିଷ ସହ ସାଦୃଶ୍ୟ ଦେଖି ସେ ପ୍ରକୃତରେ ପକ୍ଷୀ ନା ମଣିଷ ସେମାନେ ବୁଝିପାରିଲେ ନାହିଁ। ସେମାନେ ତାକୁ ପଚାରିଲେ ‘ତୁମେ ପ୍ରକୃତରେ କିଏ?’ ମାଙ୍କଡ଼ଟି କହିଲା, ”ମୋ ପୂର୍ବ ପୁରୁଷମାନେ ମନୁଷ୍ୟ ଥିଲେ। ମାତ୍ର ବିବର୍ତ୍ତନ ନିୟମରେ ମନୁଷ୍ୟ ଭିତରୁ ମୋ ଭଳି ନୂଆ ଜୀବଟିଏ ସମ୍ଭବ ହୋଇଛି। ମୋର ନାମ ମାଙ୍କଡ଼।“ ତାକୁ ତା’ର ମାଲିକ ପିନ୍ଧାଇଥିବା ଏକ ମାଳିକୁ ଦେଖାଇ ସେ କହିଲା, ‘ମୋତେ ମଣିଷମାନେ ପୂଜା ବି କରନ୍ତି।’ ଅରଣ୍ୟର ସମସ୍ତ ପ୍ରାଣୀ ତା’ କଥାକୁ ବିଶ୍ୱାସ କରି ତାକୁ ସମ୍ମାନ ପ୍ରଦର୍ଶନ କଲେ। ସକାଳ ହୁଅନ୍ତେ ତା’ର ମାଲିକ ତାକୁ ଖୋଜି ଖୋଜି ଆସି ସେଠାରେ ପହଞ୍ଚତ୍ଲା ଓ ତାକୁ ଧରିନେଇ କାନ୍ଧରେ ବସାଇ ଚାଲିଗଲା। ପ୍ରାଣୀମାନେ ଏହି ଦୃଶ୍ୟ ଦେଖି ଚିନ୍ତା କଲେ ଯଦି ମଣିଷ ତାକୁ ଆୟତ୍ତ କରିପାରିଲା ମାଙ୍କଡ଼ କେବେ ମଣିଷଠାରୁ ବଡ଼ ହୋଇପାରିବ ନାହିଁ। ମାତ୍ର ଜଣେ ପ୍ରାଣୀ କହିଲା, ”କିନ୍ତୁ ମଣିଷର କାନ୍ଧରେ ବସି ମାଙ୍କଡ଼ (ପଶୁ) ମଣିଷର ପ୍ରଭୁ ହୋଇଗଲା। ଏଣୁ ମାଙ୍କଡ଼ ବଡ଼।“ ସେହି ଦିନଠାରୁ ବିତର୍କ ଚାଲିଛି କିଏ ବଡ଼- ମାଙ୍କଡ଼ ନା ମଣିଷ? ଆଜି ବି ବୋଧହୁଏ ମଣିଷ ଉପେରେ ପଶୁତ୍ୱ ସବାର ହୋଇଛି। ଏଣୁ ମଣିଷ ଅପରାଧ ବିଚାରକଲା ବେଳେ ନିରୀହ ପଶୁମାନଙ୍କ ପ୍ରତି ସମାନ ମାନଦଣ୍ଡ ପ୍ରୟୋଗ କରୁଛି ଓ ନିଜକୁ ପଶୁଠାରୁ ଅଭିନ୍ନ ପ୍ରତିପାଦିତ କରୁଛି।
ବୋଧହୁଏ ଏ ପର୍ଯ୍ୟନ୍ତ ମଣିଷର ଚେତନାରେ ଉତ୍ତରଣ ପ୍ରକ୍ରିୟାର ଶେଷ ହୋଇନାହିଁ। ଅତୀତରେ ଗ୍ରୀକ୍‌ ଦାର୍ଶନିକ ଡାୟୋଜିନିସ ସ୍ପଷ୍ଟ ଦିବାଲୋକରେ ଲଣ୍ଠନ ଧରି ବୁଲୁଥିଲେ। ଲୋକେ ଏହାର କାରଣ ପଚାରିଲେ ସେ କହୁଥିଲେ, ‘ମଣିଷ ଖୋଜୁଛି’। ଏବେ ବି ସେହି ମଣିଷ ଖୋଜାର ଅନ୍ତ ହୋଇନାହିଁ। ସେ ଯାହା ହେଉ, ସୁଖର କଥା ଯେ ଗଣମାଧ୍ୟମରେ ଛେଳି ଗିରଫ ହେବା ବିଷୟ ପ୍ରସାରିତ ହେବାପରେ ବନବିଭାଗ ଛେଳିଟିକୁ ମୁକ୍ତ କରିଦେଲେ। ଆଶା କରିବା, ମଣିଷର ଚେତନାର ଆହୁରି ଉତ୍ତରଣ ହେଉ।
ମୋ:୯୪୩୭୩୨୯୨୬୩


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିଷ୍ଠା ଓ ପ୍ରତିବଦ୍ଧତା ସଫଳତା ଆଣେ, ଯାହା ପ୍ରମାଣ କରିପାରିଛନ୍ତି ଉତ୍ତରାଖଣ୍ଡର ସୁଶାନ୍ତ ୟୁନିଆଲ ଏବଂ ତାଙ୍କ ଭାଇ। ଦୁଇ ଭାଇ ସବୁଠୁ ବଡ଼ ଛତୁ ଛତ୍ପାଦନ…

ଡିଜିଟାଲ ଗଣମାଧ୍ୟମ ଓ ଶିଶୁ

ନିକଟରେ ବିଶ୍ୱର ପ୍ରଥମ ଦେଶ ରୂପେ ଅଷ୍ଟ୍ରେଲିଆ ଆଇନ କରିଛି ୧୬ ବର୍ଷରୁ କମ୍‌ ବୟସ୍କ ପିଲାଙ୍କ ପାଇଁ ୧୦ ବଡ଼ ବଡ଼ ଡିଜିଟାଲ ଗଣମାଧ୍ୟମକୁ ନିଷିଦ୍ଧ…

ଗମ୍ଭୀର ସ୍ଥିତିରେ ବାୟୁ ପ୍ରଦୂଷଣ

ସମ୍ପ୍ରତି ବାୟୁ ପ୍ରଦୂଷଣ ଏକ ଜଟିଳ, ବୈଶ୍ୱିକ ଜରୁରିକାଳୀନ ପରିସ୍ଥିତି ପାଲଟିଛି। ଭାରତ ପରିପ୍ରେକ୍ଷୀରେ ଏହା ସ୍ବାସ୍ଥ୍ୟ ନିମନ୍ତେ ପରିବେଶୀୟ ବିପଦ ଭାବରେ ଉଭା ହୋଇଛି। ନିକଟରେ…

ଆଇସ୍‌କ୍ରିମ୍‌ ଖାଇଲେ

କଟକ ଜିଲା ବାଙ୍କୀ ତହସିଲ ଅନ୍ତର୍ଗତ କୁମୁସର ଗାଁରେ ୯ ଫେବୃଆରୀରେ ଅନୁଷ୍ଠିତ ଏକ ଅଷ୍ଟପ୍ରହରୀ କାର୍ଯ୍ୟକ୍ରମରେ ଆଇସ୍‌କ୍ରିମ ଖାଇ ୧୮ ଜଣ ପିଲା ଅସୁସ୍ଥ ହୋଇଥିବା…

ଏଇ ଭାରତରେ

ଅଜିମ ପ୍ରେମଜୀ ବିଶ୍ୱବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ଏକ ଟିମର ବର୍ଜ୍ୟପରିଚାଳନା ଅତ୍ୟନ୍ତ ପ୍ରଶଂସନୀୟ। କର୍ନାଟକ ବେଙ୍ଗାଲୁରୁ ନିକଟରେ ଥିବା ବିଲାପୁରା ଗାଁକୁ ସମ୍ପୂର୍ଣ୍ଣ ବର୍ଜ୍ୟମୁକ୍ତ କରାଯାଇପାରିଛି। ଦେଖିବାକୁ ଗଲେ…

ଦୁଃଖ ଖୋଜୁଥିବା ମଣିଷ

କିଛି ଏମିତି ଅଜବ ଲୋକ ଅଛନ୍ତି, ଆପଣ ବି ଭେଟିଥିବେ କେଉଁଠି କେତେବେଳେ। ଜଞ୍ଜାଳମୁକ୍ତ ହୋଇ ପରିବାରକୁ ନେଇ ନିଜ ଭିତରେ ସୁଖୀ ଥିବା ମଣିଷଟି ସମସ୍ତଙ୍କୁ…

ଉଠିବା ଦରକାର, ଉଡ଼ିବା ପଛକଥା

ପ୍ରଥମ ବିଶ୍ୱଯୁଦ୍ଧ ସମୟର ଇଟାଲୀୟ ଆମ୍ବୁଲାନ୍ସ ଚାଳକ, ପରବର୍ତ୍ତୀ ସମୟରେ ଗୁରୁତର ଆହତ ଅର୍ନେଷ୍ଟ ହେମିଂୱେଙ୍କ କଥା ଆଜି ବି ପାସୋରି ପାରି ନାହାନ୍ତି ଅର୍ଥନୈତିକ ବିଶାରଦଗଣ।…

ଦୋଳି ଦୁର୍ଘଟଣା

ପ୍ରମୋଦ ଉଦ୍ୟାନ କିମ୍ବା ମନୋରଞ୍ଜନର ଖୋରାକ ଯୋଗାଉଥିବା କୌଣସି ମେଳାକୁ ବୁଲିଯିବା ବେଳେ ଆନନ୍ଦ ଲାଭ କରିବା ଥାଏ ମୂଳ ଲକ୍ଷ୍ୟ। କିନ୍ତୁ ତାହା ନିରାନନ୍ଦ ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri