ନୂଆଦିଲ୍ଲୀ,୧୨ା୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀଙ୍କ ମଧ୍ୟରେ ବାର୍ତ୍ତାଳପ ସମୟରେ ଏପରି ଏକ ଘଟଣା ଘଟିଛି, ଯାହା ସାଧାରଣତଃ ବହୁତ କମ୍ ଦେଖିବାକୁ ମିଳିଥାଏ। ଏନ୍ସିପି (NCP) ଏମପି ସୁପ୍ରିୟା ସୁଲେଙ୍କ ଝିଅଙ୍କ ରିସେପସନ୍ ସମୟର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଦିଲ୍ଲୀରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି, ଅମିତ ଶାହା, ମଲ୍ଲିକାର୍ଜୁନ ଖାର୍ଗେ, ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ସୋନିଆ ଗାନ୍ଧୀଙ୍କ ସମେତ ଅନେକ ବଡ଼ ବଡ଼ ନେତା ଯୋଗଦେଇଥିଲେ । ଏହି ସମୟରେ ପ୍ରିୟଙ୍କା ଗାନ୍ଧୀ ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କ ମଧ୍ୟରେ ଏକ ହସଖୁସିର ପରିବେଶ ସୃଷ୍ଟି ହୋଇଥିଲା ।
ଯେତେବେଳେ ପ୍ରିୟଙ୍କା ଗାନ୍ଧୀ ମୋଦିଙ୍କୁ ପ୍ରଶ୍ନ କରିଥିଲେ ଯେ, ଆପଣ କିପରି ଅଛନ୍ତି । ପ୍ରଶ୍ନର ଜବାବରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ହଁ ଠିକ୍ ଅଛି । କିନ୍ତୁ ସେହି ସମୟରେ ମଲ୍ଲିକାର୍ଜୁନ ଖାର୍ଗେ ମୋଦିଙ୍କୁ କହିଥିଲେ, ଆପଣ ଟିକେ ବଦଳିଗଲେଣି । ଏହା ଶୁଣି ପ୍ରଧାନମନ୍ତ୍ରୀଙ୍କ ସମେତ ସେଠାରେ ଉପସ୍ଥିତ ସମସ୍ତ ନେତା ହସିବାକୁ ଲାଗିଥିଲେ।
ସୂଚନାଯୋଗ୍ୟ ଯେ ସୋମବାର ଦିନ ଦିଲ୍ଲୀରେ ଏନ୍ସିପି ଏମପି ସୁପ୍ରିୟା ସୁଲେଙ୍କ ଝିଅଙ୍କ ରିସେପସନ୍ ଥିଲା। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଲୋକ ସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀଙ୍କ ସହ ହାତ ମିଳାଇବା ପାଇଁ ହାତ ବଢ଼ାଇଥିଲେ ଏବଂ କଂଗ୍ରେସ ନେତା ମଧ୍ୟ ହାତ ମିଳାଇଥିଲେ । ଏହାପରେ ପ୍ରଧାନମନ୍ତ୍ରୀ ହାତଯୋଡ଼ି ପ୍ରିୟଙ୍କା ଗାନ୍ଧୀଙ୍କୁ ଅଭିବାଦନ ଜଣାଇଥିଲେ। ପ୍ରଧାନମନ୍ତ୍ରୀ ପ୍ରିୟଙ୍କା ଗାନ୍ଧୀଙ୍କୁ ପଚାରିଥିଲେ, ‘ପ୍ରିୟଙ୍କା ଜୀ, ଆପଣ କେମିତି ଅଛନ୍ତି?’ ପ୍ରିୟଙ୍କା ଜବାବ ଦେଇଥିଲେ, ‘ମୁଁ ଭଲ ଅଛି, ଆପଣ କେମିତି ଅଛନ୍ତି?’ପ୍ରଧାନମନ୍ତ୍ରୀ କହିଥିଲେ, “ମୁଁ ସେମିତି ହିଁ ଅଛି।” ଏହାପରେ ଖାର୍ଗେଙ୍କ କଥା ଶୁଣି ମୋଦି ହସିବା ସହିତ ହାତକୁ ଥାପୁଡ଼ାଇ ଆଚ୍ଛା ବୋଲି କହିଥିଲେ ।
ପରସ୍ପରର କଟୁ ସମାଲୋଚନା କରୁଥିବା ଏହି ବିରୋଧୀ ନେତାମାନଙ୍କ ମଧ୍ୟରେ ଏପରି ହସ-ମଜାକ୍ ଦେଖି ସେଠାରେ ଥିବା ଅନ୍ୟ ନେତାମାନେ ମଧ୍ୟ ମୁରୁକି ହସିଥିଲେ । ଉଲ୍ଲେଖଯୋଗ୍ୟ ଯେ ଦିଲ୍ଲୀର ୬ ଜନପଥରେ ଅନୁଷ୍ଠିତ ଏହି ହାଇ-ପ୍ରୋଫାଇଲ୍ ରିସେପସନରେ ନାଗପୁରର ଶିଳ୍ପପତି ସାରଙ୍ଗ ଲଖାନୀଙ୍କ ସହ ରେବତୀ ସୁଲେଙ୍କ ବିବାହ ଉତ୍ସବ ହୋଇଥିଲା। ଏହି ଦମ୍ପତି ଜୁନ୍ ମାସରେ ମୁମ୍ବାଇରେ ବିବାହ କରିଥିଲେ ଏବଂ ଦିଲ୍ଲୀରେ ଏହି ଭବ୍ଯ ରିସେପସନ୍ ଆୟୋଜିତ ହୋଇଥିଲା। ଅମିତ ଶାହା ଏବଂ ଏସ୍. ଜୟଶଙ୍କରଙ୍କ ସମେତ ଅନେକ ନେତା ଥିଲେ ଉପସ୍ଥିତ ଥିଲେ । ଏହି ରିସେପସନ୍ରେ ଅନେକ ବଡ଼ ବଡ଼ ରାଜନେତା ଯୋଗଦେଇଥିଲେ, ସେହିସମୟର ଫଟୋ ଏବଂ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

