କୋକସରା,୧୫ା୧୧(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କାମ ଅନ୍ବେଷଣରେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିବା କୋକସରା ଅଞ୍ଚଳର ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତ ଯୁବକ ମୁଷାପାଲି ଗ୍ରାମର ଡମ୍ବରୁ ରାଉତ (୩୬) ବୋଲି ଜଣାପଡ଼ିଛି । ସେ ଗତ କିଛି ଦିନ ତଳେ ଦାଦନ ଖଟିବାକୁ ବେଙ୍ଗାଲୁରୁ ଯାଇଥିଲେ । ତେବେ ଶନିବାର ସକାଳେ ଘରକୁ ଫେରୁଥିବା ସମୟରେ ବେଙ୍ଗାଲୁରୁ ରେଳଷ୍ଟେସନ ପାଖରେ ଅଚାନକ ତାଙ୍କର ଦେହ ଅସୁସ୍ଥ ହୋଇଥିଲା । ଏପରିକି ତାଙ୍କର ମୃତ୍ୟୁ ମଧ୍ୟ ଘଟିଥିଲା । ଘଟଣାସ୍ଥଳରେ ପୋଲିସ ଓ ସମ୍ପର୍କୀୟମାନେ ପହଞ୍ଚି ଉଦ୍ଧାର କରିଥିଲେ । ରବିବାର ସନ୍ଧ୍ୟାରେ ତାଙ୍କ ଶବକୁ ଭିଟା ମାଟିକୁ ଅଣାଯାଇଅଛି ଏବଂ ଶବଦାହ କରାଯାଇଛି। ମୃତକଙ୍କ ପରିବାରରେ ତାଙ୍କ ସ୍ତ୍ରୀ ଓ ଜଣେ ଝିଅ ରହିଛନ୍ତି । ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ରାଜ୍ୟ ବାହାରକୁ କାମ ଅନ୍ବେଷଣରେ ଯାଇ ମୃତ୍ୟୁ ହେବା ପରେ ପରିବାର ଅସହାୟ ହୋଇ ଭାଙ୍ଗି ପଡିଛନ୍ତି ।

