ଭଞ୍ଜନଗର,୧୫ା୧୧(ବାବୁଲା ପ୍ରଧାନ): ଆସନ୍ତା ୧୮ ଓ ୧୯ ତାରିଖରେ ଗଞ୍ଜାମ ଜିଲାରେ ପୁଣି ସମ୍ଭାବ୍ୟ ବାତ୍ୟା ଆଶଙ୍କା ଦେଖାଦେଇଛି । ଗତ ୨୯ ତାରିଖରେ ବାତ୍ୟା ଓ ପରବର୍ତ୍ତୀ ବନ୍ୟା ଯୋଗୁଁ ଜିଲାରେ ଘଟିଥିବା ବ୍ୟାପକ କ୍ଷୟକ୍ଷତିର ପୁନରାବୃତ୍ତି ଯେପରି ନହୁଏ, ସେଥିପାଇଁ ଜିଲା ପ୍ରଶାସନ ସତର୍କ ହୋଇପଡ଼ିଛି । ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଛି । ଧନଜୀବନ ସୁରକ୍ଷାକୁ ପ୍ରାଥମିକତା ଦେଇ ସମସ୍ତ ବିଭାଗକୁ ସଜାଗ ରହିବାକୁ କୁହାଯାଇଛି ।
ଏହି ପରିପ୍ରେକ୍ଷୀରେ ଉପଜିଲାପାଳ ଉମାଶଙ୍କର ବେହେରାଙ୍କ ଅଧ୍ୟକ୍ଷତାରେ ରବିବାର ସନ୍ଧ୍ୟାରେ ଭଞ୍ଜନଗର ବ୍ଲକ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ହୋଇଥିଲା। ବୈଠକରେ ବିଡିଓ ଭାରତୀ ଦେବୀ, ତହସିଲଦାର ଅଭିପ୍ସା ପଟ୍ଟନାୟକ, ଏବିଡିଓ ପୂର୍ଣ୍ଣଚନ୍ଦ୍ର ପାଢ଼ୀ, ପୌରପାଳିକା ନିର୍ବାହୀ ଅଧିକାରୀ ମୁରଲୀକୃଷ୍ଣ ପଣ୍ଡା, ଡହ ଜଳସେଚନ ପ୍ରକଳ୍ପର ସହକାରୀ ନିର୍ବାହୀ ଯନ୍ତ୍ରୀ ପିଣ୍ଡି ଭେଙ୍କେଟେଶ ଓ ଭଞ୍ଜନଗର ଜଳସେଚନ ସହକାରୀ ଯନ୍ତ୍ରୀ ପ୍ରହଲ୍ଲାଦ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।
ଉପଜିଲାପାଳ କହିଥିଲେ ଯେ, ସମସ୍ତ ଖାଲୁଆ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ। ସେହିପରି ସମ୍ଭାବ୍ୟ ଭୂସ୍ଖଳନ ଅଞ୍ଚଳରେ ରହୁଥିବା ଲୋକଙ୍କୁ ମଧ୍ୟ ଆଗୁଆ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯିବ। ଲୋକେ ସ୍ୱଇଚ୍ଛାରେ ସ୍ଥାନାନ୍ତର ହେବାକୁ ରାଜି ନହେଲେ ପୁଲିସ ସହାୟତାରେ ସେମାନଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳୀକୁ ନିଆଯିବ। ବାତ୍ୟା ପରବର୍ତ୍ତୀ ବିପଦର ମୁକାବିଲା ପାଇଁ ସମସ୍ତ ବିଭାଗ ଆବଶ୍ୟକୀୟ ଯନ୍ତ୍ରପାତି ଓ ମାନବ ସମ୍ବଳ ସହ ପ୍ରସ୍ତୁତ ରହିବାକୁ ସେ ନିର୍ଦ୍ଦେଶ ଦେଇଥିଲେ।
ରିଲିଫ୍ ସାମଗ୍ରୀ ମହଜୁଦ ରଖିବା ସହ ଉଦ୍ଧାରକାରୀ ଦଳ ନିୟୋଜନ ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା। ଜରୁରୀ ପରିସ୍ଥିତିରେ ଲୋକେ ୧୧୨ ନମ୍ବରକୁ ଫୋନ୍ କରି ସହାୟତା ଲୋଡ଼ିପାରିବେ। ବାତ୍ୟା ଆଶ୍ରୟସ୍ଥଳୀଗୁଡ଼ିକରେ ପାନୀୟ ଜଳ, ବିଦ୍ୟୁତ୍, ଖାଦ୍ୟ ଓ ପାଇଖାନା ସୁବିଧା ସୁନିଶ୍ଚିତ କରାଯିବ। ବ୍ଲକରେ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ କାର୍ଯ୍ୟ କରିବ। ଉପଖଣ୍ଡ ପ୍ରଶାସନର ବିନା ଅନୁମତିରେ କୌଣସି ଅଧିକାରୀ ମୁଖ୍ୟାଳୟ ଛାଡ଼ି ଯାଇପାରିବେ ନାହିଁ। ଏଥିସହ ଡାକ୍ତରଖାନାଗୁଡ଼ିକରେ ଆବଶ୍ୟକ ଔଷଧ ମହଜୁଦ ରଖିବା ସହ ଗର୍ଭବତୀ ମହିଳା ଓ ଅସୁସ୍ଥ ବ୍ୟକ୍ତିଙ୍କୁ ଆଗୁଆ ଡାକ୍ତରଖାନାକୁ ସ୍ଥାନାନ୍ତର କରିବାକୁ ଉପଜିଲ୍ଲାପାଳ ଗୁରୁତ୍ୱ ଦେଇଥିଲେ। ଅନ୍ୟପକ୍ଷରେ ବାତ୍ୟା ଆଶଙ୍କାକୁ ଦୃଷ୍ଟିରେ ରଖି ଅନେକ ଚାଷୀ ଆଗୁଆ ଧାନ ଫସଲ କାଟି ନେଉଥିବା ଦେଖିବାକୁ ମିଳିଛି। ଗତ ବନ୍ୟା ସମୟରେ ଜଳଭଣ୍ଡାରଗୁଡ଼ିକରୁ ଜଳ ନିଷ୍କାସନ ପରିଚାଳନା ଠିକ୍ ଭାବେ ହୋଇନଥିବା ଏବଂ ଏହା ଗଞ୍ଜାମବାସୀଙ୍କ ଦୁର୍ଦ୍ଦଶାର ଏକ କାରଣ ବୋଲି ବିରୋଧୀ ଅଭିଯୋଗ କରୁଛନ୍ତି। ଏଥର ପୁରୁଣା ଭୁଲର ପୁନରାବୃତ୍ତି ଯେପରି ନହୁଏ, ସେଥିପାଇଁ ଭଞ୍ଜନଗର ଜଳସେଚନ ବିଭାଜନ ପକ୍ଷରୁ ମଧ୍ୟ ଆଗୁଆ ପଦକ୍ଷେପ ନିଆଯାଉଛି।
ଗତ ବନ୍ୟା ସମୟରେ ଜଳଭଣ୍ଡାରଗୁଡ଼ିକରେ ଅଧିକ ପରିମାଣର ଜଳ ମହଜୁଦ ଥିବାବେଳେ ଏଥର ବିଭାଗ ଜଳସ୍ତର କମାଇବାକୁ ଯୋଜନା କରିଛି। ଭଞ୍ଜନଗର ଅଞ୍ଚଳର ବିଭିନ୍ନ ଜଳଭଣ୍ଡାରର ଜଳସ୍ତର ବହୁତ୍ ତଳକୁ ଆଣିବାକୁ ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି। ରବିବାର ସକାଳ ସୁଦ୍ଧା ଭଞ୍ଜନଗର ଜଳଭଣ୍ଡାରରେ ୮୫ ପ୍ରତିଶତ, ଡହରେ ୯୨ ପ୍ରତିଶତ, ସୋରଡ଼ାରେ ୯୫ ପ୍ରତିଶତ ଏବଂ ବଘୁଆ ଜଳଭଣ୍ଡାରରେ ୭୩ ପ୍ରତିଶତ ଜଳ ମହଜୁଦ ଥିଲା। ଆସନ୍ତା ୧୮ ତାରିଖରୁ ବର୍ଷା ବୃଦ୍ଧି ହେବାର ସମ୍ଭାବନା ଥିବାରୁ ତା’ ପୂର୍ବରୁ ଜଳସ୍ତର ହ୍ରାସ କରାଯିବ । ଡହ ରେ ୫୦ ପ୍ରତିଶତ ପାଣି ମହଜୁଦ୍ ରଖାଯିବ। ଭଞ୍ଜନଗର ରେ ୭୩ ପ୍ରତିଶତ, ବାଘୁଆ ରେ ୬୦ ପ୍ରତିଶତ ଏବଂ ସୋରଡାରେ ୮୦ ପ୍ରତିଶତରୁ କମ୍ ପାଣି ରଖିବା ଯୋଜନା ଅଛି। ତେଣୁ ରବିବାର ରାତି ୯ ଟାରୁ ଭଞ୍ଜନଗର, ଡହ ଜଳଭଣ୍ଡାରରୁ ପାଣି ଛଡ଼ାଯିବ ବୋଲି ଭଞ୍ଜନଗର ଜଳସେଚନ ବିଭାଜନର ଅଧୀକ୍ଷଣ ଯନ୍ତ୍ରୀ ବିଷ୍ଣୁଚରଣ ସାହୁ ଏଠାରେ କହିଛନ୍ତି । ଏଥିସହ ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ବିଭାଗ ପକ୍ଷରୁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନିଆଯାଇଛି ।

