ଭୁବନେଶ୍ୱର,୧୩|୧୦: ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ଏକାଧିକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ୧୧ଟି ବିଭାଗର ମୋଟ ୧୬ଟି ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ ଦେଇଥିବା ନେଇ ବୈଠକ ପରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସୂଚନା ଦେଇଛନ୍ତି। ଏହି ବୈଠକରେ ମତ୍ସ୍ୟଚାଷ, ଶିକ୍ଷା ଏବଂ ସହରାଞ୍ଚଳର ଭିତ୍ତିଭୂମି ବିକାଶ ପାଇଁ କେତେକ ବଡ଼ ପଦକ୍ଷେପ ନିଆଯାଇଛି।
ମତ୍ସ୍ୟ ସେବା କ୍ୟାଡର ପୁନର୍ଗଠନ ଓ ନୂତନ ନିଯୁକ୍ତି:
ରାଜ୍ୟରେ ମତ୍ସ୍ୟ ଉତ୍ପାଦନକୁ ବୃଦ୍ଧି କରିବା ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ପାଇଁ ମତ୍ସ୍ୟ ସେବା କ୍ୟାଡରର ପୁନର୍ଗଠନକୁ କ୍ୟାବିନେଟ୍ ଅନୁମୋଦନ ମିଳିଛି। ବର୍ତ୍ତମାନ ରାଜ୍ୟରେ ୧୨.୭ ଲକ୍ଷ ମେଟ୍ରିକ ଟନ୍ ମାଛ ଉତ୍ପାଦନ ହେଉଥିବାବେଳେ, ୨୦୪୭ ସୁଦ୍ଧା ଏହାକୁ ୫୧ ଲକ୍ଷ ମେଟ୍ରିକ ଟନ୍କୁ ବୃଦ୍ଧି କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଏହାକୁ ଦୃଷ୍ଟିରେ ରଖି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗରେ ଅତିରିକ୍ତ ପଦବୀ ବୃଦ୍ଧି କରାଯାଇଛି।
ବିଭାଗରେ ପଦବୀ ସଂଖ୍ୟା ୩୨୯ରୁ ବୃଦ୍ଧି ପାଇ ୭୭୪ ହୋଇଛି। ଏହାଛଡ଼ା ବରିଷ୍ଠ ମତ୍ସ୍ୟ ବୈଷୟିକ ସହାୟକ ପଦବୀ ୧୨୭ରୁ ବଢ଼ି ୨୨୪କୁ ଯାଇଥିବାବେଳେ ସେମାନଙ୍କ ଦରମା ଲେଭଲ୍-୪ରୁ ଲେଭଲ୍-୯କୁ ବୃଦ୍ଧି କରାଯାଇଛି। ସେହିପରି କନିଷ୍ଠ ମତ୍ସ୍ୟ ବୈଷୟିକ ସହାୟକ ପଦବୀ ୩୧୮ରୁ ବୃଦ୍ଧି କରାଯାଇ ୫୫୦ କରାଯାଇଛି।
ସହରାଞ୍ଚଳ ବର୍ଷାଜଳ ନିଷ୍କାସନ ପରିଚାଳନା ପାଇଁ ୫୦୦ କୋଟି:
ରାଜ୍ୟର ସହରଗୁଡ଼ିକରେ ଜଳବନ୍ଦୀ ଓ ଡ୍ରେନ୍ ସମସ୍ୟାକୁ ସ୍ଥାୟୀ ଭାବେ ଦୂର କରିବା ନିମନ୍ତେ ସହରାଞ୍ଚଳ ବର୍ଷାଜଳ ନିଷ୍କାସନ ପରିଚାଳନା ପାଇଁ ୫୦୦ କୋଟି ଟଙ୍କାର ଏକ ନୂଆ ଯୋଜନାକୁ କ୍ୟାବିନେଟ୍ ମଞ୍ଜୁରୀ ଦେଇଛି। ଏଥିପାଇଁ ୫୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି।
ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମାଗଣା ବହି:
ଶିକ୍ଷା କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ସ୍ୱରୂପ ରାଜ୍ୟର ନବମ ଓ ଦଶମ ଶ୍ରେଣୀର ପିଲାମାନଙ୍କୁ ମାଗଣାରେ ପାଠ୍ୟପୁସ୍ତକ ପ୍ରଦାନ କରାଯିବ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି। ଆଗାମୀ ୫ ବର୍ଷ ପାଇଁ ଏହି ଯୋଜନାରେ ୨୮୪.୦୭ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିବାବେଳେ ଏହାଦ୍ୱାରା ଆନୁମାନିକ ୨୮.୭୦ ଲକ୍ଷ ଛାତ୍ରଛାତ୍ରୀ ସିଧାସଳଖ ଉପକୃତ ହେବେ।
ଏହାସହିତ ହିନ୍ଦୀ ଓ ସଂସ୍କୃତ ଶିକ୍ଷକମାନଙ୍କୁ କ୍ୟାଡର ମାନ୍ୟତା ପ୍ରଦାନ ସହ ସେମାନଙ୍କ ପଦୋନ୍ନତି ପାଇଁ ମଧ୍ୟ କ୍ୟାବିନେଟ୍ ପକ୍ଷରୁ ମୋହର ବାଜିଛି।

