ନୂଆଦିଲ୍ଲୀ/ଲକ୍ଷ୍ନୌ,୨୯ା୧୦:ଉତ୍ତରପ୍ରଦେଶ, କର୍ନାଟକ, ବିହାର ଓ ମହାରାଷ୍ଟ୍ର ବିଧାନ ପରିଷଦ (ଏମ୍ଏଲ୍ସି)ର ମୋଟ ୨୮ ଆସନ ପାଇଁ ହୋଇଥିବା ନିର୍ୱାଚନ ଫଳାଫଳ ବୁଧବାର ଘୋଷଣା କରାଯାଇଛି। ଭାଜପା ନେତୃତ୍ୱାଧୀନ ଏନ୍ଡିଏ ୧୬ ଆସନରେ ବିଜୟୀ ହୋଇଥିବାବେଳେ କଂଗ୍ରେସ ଗୋଟିଏ ବି ଆସନ ଜିତିପାରି ନାହିଁ। ଉତ୍ତରପ୍ରଦେଶର ମୋଟ ୧୧ ଆସନ ମଧ୍ୟରୁ ଶାସକ ଭାଜପା ୬ ଆସନ ଜିତିଥିବାବେଳେ ବିରୋଧୀ ସମାଜବାଦୀ ପାର୍ଟି (ଏସ୍ପି)କୁ ୫ ଆସନ ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଂସଦୀୟ କ୍ଷେତ୍ର ବାରାଣସୀର ୨ଟି ଯାକ ଆସନ ଏସ୍ପିକୁ ଯାଇଛି।
ମହାରାଷ୍ଟ୍ରରେ ୫ ଆସନ ମଧ୍ୟରୁ ନାଗପୁର ସ୍ନାତକ ଆସନକୁ ବାଦ୍ଦେଲେ ଅନ୍ୟ ୪ଟିର ଫଳାଫଳ ଘୋଷଣା ହୋଇଛି। ୨ଟିରେ ଭାଜପା ନେତୃତ୍ୱାଧୀନ ମହାମେଣ୍ଟ ଓ ଅନ୍ୟ ୨ଟିରେ ବିରୋଧୀ ଏନ୍ସିପି(ଏସ୍ପି) ବିଜୟୀ ହୋଇଛି। ପୁଣେ, ନାଗପୁର ଓ ଛତ୍ରପତି ସାମ୍ଭାଜୀନଗର ସ୍ନାତକ ଆସନ ଏବଂ ପୁଣେ ଓ ଅମରାବତୀ ଶିକ୍ଷକ ଆସନ ପାଇଁ ମୋଟ ୧୮୨ ପ୍ରାର୍ଥୀ ନିର୍ୱାଚନ ଲଢ଼ୁଥିଲେ।
ବିହାର ଏମ୍ଏଲ୍ସି ନିର୍ୱାଚନରେ ୨ ସ୍ୱାଧୀନ ପ୍ରାର୍ଥୀ ଜିତିଥିବାବେଳେ ଜନସୁରାଜ ପାର୍ଟି ଖାତା ଖୋଲିଛି। ବର୍ତ୍ତମାନର ୫ ଜଣ ବିଧାନ ପରିଷଦ ସଦସ୍ୟ ହାରିଯାଇଛନ୍ତି। ସେହିପରି କର୍ନାଟକରେ ଶାସକ କଂଗ୍ରେସକୁ ଶକ୍ତ ଧକ୍କା ଲାଗିଛି। ସେଠାରେ ଭାଜପା ୩ ଏବଂ ଜେଡିୟୁ ଗୋଟିଏ ଆସନରେ ବିଜୟୀ ହୋଇଛି। ଏମ୍ଏଲ୍ସି ନିର୍ୱାଚନରେ ବାଲଟ ପେପର ବ୍ୟବହୃତ ହୋଇଥିଲେ ମଧ୍ୟ କଂଗ୍ରେସ ଗୋଟିଏ ଆସନ ଜିତିପାରି ନ ଥିବାରୁ ପ୍ରଧାନମନ୍ତ୍ରୀ ମୋଦି ବିରୋଧୀ ଦଳକୁ ପରିହାସ କରିଛନ୍ତି। ନିର୍ୱାଚନରେ ଇଭିଏମ୍ ବଦଳରେ ବାଲଟ ବ୍ୟବହାର ପାଇଁ ବିରୋଧୀ ଦଳଗୁଡ଼ିକ ଦାବି କରିଆସୁଥିଲେ।
ଉତ୍ତରପ୍ରଦେଶର ୬ ଶିକ୍ଷକ ଓ ୫ ସ୍ନାତକ ନିର୍ୱାଚନମଣ୍ଡଳୀ, ବିହାରର ୪ ଶିକ୍ଷକ ଓ ୪ ସ୍ନାତକ ଆସନ, କର୍ନାଟକର ୨ ଶିକ୍ଷକ ଓ ୨ ସ୍ନାତକ ନିର୍ୱାଚନମଣ୍ଡଳୀ ଏବଂ ମହାରାଷ୍ଟ୍ରର ୩ ସ୍ନାତକ ଓ ୨ ଶିକ୍ଷକ ନିର୍ୱାଚନମଣ୍ଡଳୀରେ ଗତ ୨୩ ତାରିଖରେ ନିର୍ୱାଚନ ହୋଇଥିଲା। ଏହି ନିର୍ୱାଚନରେ କେବଳ ସ୍ନାତକ ଓ ଶିକ୍ଷକ ଭୋଟରମାନେ ମତଦାନ କରିଥିଲେ। ନିର୍ୱାଚନ ଇଭିଏମ୍ରେ ହେଉ କି ବାଲଟ ପେପରରେ ମୁଖ୍ୟ ବିରୋଧୀ ଦଳ ଲୋକଙ୍କ ସମର୍ଥନ ହାସଲ କରିବାରେ ବିଫଳ ହୋଇଥିବା ସ୍ପଷ୍ଟ ହୋଇଯାଇଛି ବୋଲି ଭାଜପା କହିଛି। ଅନ୍ୟପକ୍ଷରେ ମୋଦିଙ୍କୁ ସମାଲୋଚନା କରି କଂଗ୍ରେସ କହିଛି, ନିର୍ୱାଚନ ଫଳାଫଳରେ ଇଭିଏମ୍ର କୌଣସି ପ୍ରଭାବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ଯଦି ଏତେ ନିଶ୍ଚିତ ତେବେ ତାଙ୍କୁ କେବଳ କଥାରେ ନୁହେଁ, କାର୍ଯ୍ୟ ଜରିଆରେ ଭାଜପାର ନିର୍ୱାଚନୀ ଦକ୍ଷତା ଉପରେ ନିଜ ଆତ୍ମବିଶ୍ୱାସର ପ୍ରମାଣ ଦେବା ଉଚିତ। ସେ ସମସ୍ତ ଲୋକ ସଭା ଓ ଆଗାମୀ ବିଧାନସଭା ନିର୍ୱାଚନ ବାଲଟ ପେପରରେ କରାନ୍ତୁ ବୋଲି କଂଗ୍ରେସ କହିଛି।

