ମାହାଙ୍ଗା ଡବଲ ମର୍ଡର ଘଟଣା: ପ୍ରମାଣ ନଷ୍ଟର ଡେମୋ ଦେଖାଇଲେ ୭ମ ଅଭିଯୁକ୍ତ

ନିଶ୍ଚିନ୍ତକୋଇଲି, ୯ା୧(ସ୍ବ.ପ୍ର.): କଟକ ଜିଲା ମାହାଙ୍ଗା ବ୍ଲକରେ ଡବଲ ମର୍ଡର ଘଟଣାକୁ ନେଇ ବିରୋଧୀ କଂଗ୍ରେସ ଓ ଭାଜପା ତୁମ୍ବିତୋଫାନ କରିଥିବାବେଳେ ଗ୍ରାମାଞ୍ଚଳ ପୋଲିସ ଅଦ୍ୟାବଧି ୭ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି। ଘଟଣାରେ ସ୍ଥାନୀୟ ବିଧାୟକ ତଥା ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କୁ ମିଶାଇ ଆହୁରି ୬ଜଣ ଅଭିଯୁକ୍ତ ଅଛନ୍ତି। ଗୁରୁବାର ଗିରଫ ହୋଇଥିବା ଯଁକୁଟି ଗ୍ରାମର ଉମେଶ ଖଟୁଆ (୨୫) ନିଜର ରକ୍ତଭିଜା ପୋଷାକକୁ କିପରି ପୋଡ଼ି ପ୍ରମାଣ ନଷ୍ଟ କରିବାକୁ ଉଦ୍ୟମ କରିଥିଲେ ସେନେଇ ଶୁକ୍ରବାର ମାହାଙ୍ଗା ଥାନା ପୋଲିସକୁ ଡେମୋ ଦେଖାଇଛନ୍ତି। ପରେ ଉମେଶଙ୍କୁ ପୋଲିସ ସାଲେପୁର ଜେଏମ୍‌ଏଫ୍‌ସି କୋର୍ଟରେ ହାଜର କରାଇଥିଲା। ସୂଚନାଥାଉ କି, ମାହାଙ୍ଗା ଥାନା ଅଧୀନ ନୃତ୍ତାଙ୍ଗସ୍ଥିତ ଯଁକୁଟି ନିକଟରେ ଗତ ୨ ତାରିଖ ରାତିରେ ସାଲେପୁର ଭାଜପା ପ୍ରଭାରୀ କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ହତ୍ୟା କରାଯାଇଥିଲା। କୁଳମଣିଙ୍କ ପୁଅ ରମାକାନ୍ତଙ୍କ ଅଭିଯୋଗକୁ ଭିତ୍ତିକରି ପୋଲିସ ୧୩ ଜଣଙ୍କ ନାମରେ ୫/୨୧ ନମ୍ବରରେ ମାମଲା ରୁଜୁ କରିଛି। ଗ୍ରାମାଞ୍ଚଳ ଏସ୍‌ପି ପ୍ରଦ୍ୟୁମ୍ନ କୁମାର ଜେନା କୁହନ୍ତି, ପୋଲିସ ଆକ୍ସନ ମୁଡ୍‌ରେ ରହି ୭ ଅଭିଯୁକ୍ତଙ୍କୁ ଗିରଫ କରିଛି। ୫ ସ୍ବତନ୍ତ୍ର ଟିମ୍‌ ମାମଲାର ପର୍ଦ୍ଦାଫାଶ ପାଇଁ ପ୍ରୟାସ ଜାରି ରଖିଛି। ଖୁବ୍‌ଶୀଘ୍ର ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ।
ମାହାଙ୍ଗାରେ ପିସିସି ସଭାପତି
ଡବଲ ମର୍ଡର ଘଟଣାରେ ଗୁରୁବାର ଭାଜପାର ଓଡ଼ିଶା ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ ମାହାଙ୍ଗା ଆସିଥିଲେ। ଶୁକ୍ରବାର ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ ମାହାଙ୍ଗା ପରିଦର୍ଶନ କରିଥିଲେ। ଏହାକୁ ନେଇ ରାଜନୈତିକ ପାଣିପାଗ ବେଶ ସରଗରମ ହୋଇଛି। ମାହାଙ୍ଗାରେ ଦୁଇ ଭାଜପା ନେତାଙ୍କୁ ହତ୍ୟା କରାଯାଇଥିଲେ ହେଁ କଂଗ୍ରେସ କୁଳମଣିଙ୍କ ପାଇଁ ଏହି ଘଟଣାକୁ ଗୁରୁତର ସହ ନେଇଛି। କାରଣ କୁଳମଣି ଦୀର୍ଘଦିନ କଂଗ୍ରେସର ଆଗଧାଡ଼ିର ନେତା ଥିବାବେଳେ ଏବେ ଭାଜପାର ନେତୃତ୍ୱ ନେଉଥିଲେ। ପିସିସି ସଭାପତି ପଟ୍ଟନାୟକ କୁଳମଣିଙ୍କ ଘରକୁ ଯାଇ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହ ମାହାଙ୍ଗାରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହେବା ଆଗାମୀ ପିଢ଼ି ପାଇଁ ଶୁଭଙ୍କର ନୁହେଁ ବୋଲି ପ୍ରକାଶ କରିଥିଲେ। ସେ ପୋଲିସର ତଦନ୍ତ ଉପରେ ପ୍ରଶ୍ନ ଉଠାଇବା ସହ ଆଗାମୀ ଦିନରେ କଂଗ୍ରେସର ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ଗଣମାଧ୍ୟମକୁ ସୂଚନା ଦେଇଥିଲେ। ତାଙ୍କ ସହ ଜଟଣୀ ବିଧାୟକ ସୁରେଶ ରାଉତରାୟ, ବରିଷ୍ଠ କଂଗ୍ରେସ ନେତା ଧରଣୀଧର ନାୟକଙ୍କ ସମେତ ବହୁ କଂଗ୍ରେସ ନେତା ମାହାଙ୍ଗା ଆସିଥିଲେ।
ଆଇନମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହକୁ ନିନ୍ଦା
ଡବଲ ମର୍ଡର ଘଟଣାରେ ବିରୋଧୀ ଦଳ ଶସ୍ତା ରାଜନୀତି କରୁଥିବା କୁହାଯାଉଛି। ଘଟଣାରେ ମୁଖ୍ୟ ଅଭିଯୁକ୍ତ ପଞ୍ଚାନନ ସେଠୀ ଓ ତାଙ୍କ ୬ ସହଯୋଗୀଙ୍କୁ ପୋଲିସ ଗିରଫ କରିସାରିଥିବାବେଳେ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ ପାଇଁ ଉଦ୍ୟମ ଜାରି ରଖିଛି। ତେବେ ବିରୋଧୀ ଦଳ ତଦନ୍ତକୁ ଦିଗଭ୍ରଷ୍ଟ କରିବା ଏବଂ ଶସ୍ତା ଲୋକପ୍ରିୟତା ପାଇଁ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଏହି ମାମଲାରେ ଛନ୍ଦିବାକୁ ପ୍ରୟାସ କରୁଛନ୍ତି। ମନ୍ତ୍ରୀଙ୍କ ବିରୋଧରେ ଚକ୍ରାନ୍ତକୁ ସାଲେପୁର ବାର ଆସୋସିଏଶନର ସଭାପତି ଦୀପକ ମହାନ୍ତି, ନିଶ୍ଚିନ୍ତକୋଇଲି ଆଇନଜୀବୀ ସଂଘର ଆଇନଜୀବୀ ଭିକାରୀ ସେଠୀ, ବିନୋଦ ଚୌଧୁରୀ, ଅଶୋକ ସାହୁଙ୍କ ସମେତ ନିଶ୍ଚିନ୍ତକୋଇଲି ବଜାର ବ୍ୟବସାୟୀ ସଂଘ ସଭାପତି ପ୍ରମୋଦ ପଣ୍ଡା, ସମ୍ପାଦକ ଜୀବନାନନ୍ଦ ଦାଶ, ବରିଷ୍ଠ ନାଗରିକ ବୈଷ୍ଣବ ପରିଡ଼ା, କ୍ଷୀରୋଦ କୁମାର ପଣ୍ଡା, ପୁରୁଷୋତ୍ତମ ସାହୁ , ଦେବେନ୍ଦ୍ର ସାହୁ, ରାୟଗୁରୁ ବିଜୟ ମିଶ୍ର ପ୍ରମୁଖ ନିନ୍ଦା କରିଛନ୍ତି।
କୁଳମଣି, ତାଙ୍କ ପୁଅଙ୍କ ନଁାରେ ୧୯ ମାମଲା
କୁଳମଣିଙ୍କ ହତ୍ୟା ମାମଲାକୁ ନେଇ ମାହାଙ୍ଗାରେ କିଛିଦିନ ହେବ ବିରୋଧୀ ଦଳ ଭାଜପା ଓ କଂଗ୍ରେସ ପ୍ରତିବାଦ କରୁଥିବାବେଳେ କୁଳମଣି ଓ ତାଙ୍କ ପୁଅଙ୍କ ନାମରେ ଥିବା ୧୯ଟି ମାମଲାକୁ ନେଇ ବିଜେଡି ମହଲରେ ବେଶ ଚର୍ଚ୍ଚା ହୋଇଛି। କୁଳମଣିଙ୍କ ନାମରେ ହତ୍ୟା, ହତ୍ୟା ଉଦ୍ୟମ, ଜାଲିଆତି ଓ ବିସ୍ଫୋରଣ କରିବା ଭଳି ସଙ୍ଗିନ ମାମଲା ରହିଛି। କୁଳମଣିଙ୍କ ପୁଅ ରଣଜିତ ଓ ରମାକାନ୍ତଙ୍କ ନାମରେ ସାଲେପୁର କୋର୍ଟ ଓ ମାହାଙ୍ଗା ଥାନାରେ ୯ଟି ସଙ୍ଗିନ ମାମଲା ଥିବା ଜଣାପଡ଼ିଛି।
ଦଳ ଛାଡ଼ିଲେ
କୁଳମଣିଙ୍କ ସହଯୋଗୀ
କୁଳମଣିଙ୍କ ଏକାନ୍ତ ସହଯୋଗୀ କୁହାଯାଉଥିବା ଭାଜପା ନେତା ତଥା ଆନ୍ଦପୁର ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ରାମଚନ୍ଦ୍ର ଦଳରୁ ଇସ୍ତଫା ଦେଇଥିଲେ। ସେ ତାଙ୍କ ଇସ୍ତଫା ପତ୍ର କଟକ ଜିଲା ଭାଜପା ସଭାପତି ପ୍ରକାଶ ବେହେରାଙ୍କୁ ପ୍ରଦାନ କରିଥିବା ପ୍ରକାଶ କରିଛନ୍ତି। ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ଦୀପ ଜଳାଇ ପ୍ରତିବାଦ କରିବା ବିରୋଧୀ ଦଳ ଭୂମିକା ନୁହେଁ। ବିଜେଡି କିମ୍ବା ଅନ୍ୟ ଦଳରେ ଯୋଗଦେବେ କି ବୋଲି ପଚରାଯିବାରୁ ରାମଚନ୍ଦ୍ର କହିଥିଲେ ଯେ, ବର୍ତ୍ତମାନ ସେ ଏ ସମ୍ପର୍କରେ କୌଣସି ନିଷ୍ପତ୍ତି ନେଇନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡିକି ଭାଙ୍ଗି ୧ ଲକ୍ଷ ୩୬ ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ଭବାନୀପାଟଣା,୨୮ା୧୨(ସ୍ବ.ପ୍ର.): କଳାହାଣ୍ଡି ଜିଲା ଧର୍ମଗଡ଼ ଚାରିଛକସ୍ଥିତ ଆଲିଶାନ ହୋଟେଲ ସମ୍ମୁଖରୁ ବୁଧବାର ସ୍ପଷ୍ଟ ଦିବାଲୋକରେ ଡିକି ଭାଙ୍ଗି ୧ ଲକ୍ଷ ୩୬ ହଜାର ଟଙ୍କା ଲୁଟି...

ଡିସେମ୍ବର ୨୦ରୁ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା

ବଲାଙ୍ଗୀର ଅଫିସ, ୨୩।୧୧: ବଲାଙ୍ଗୀର ଜିଲା କ୍ରୀଡା ସଂସଦ ଆନୁକୂଲ୍ୟରେ ଆଗାମୀ ଦିନରେ ହେବାକୁ ଥିବା ବିଭିନ୍ନ କ୍ରୀଡା ପ୍ରତିଯୋଗିତାର ସଫଳ ଆୟୋଜନ ପାଇଁ ସ୍ଥାନୀୟ ଗାନ୍ଧୀ...

ଖଣିରେ ନିଯୁକ୍ତି ଓ ପରିବହନ ବିବାଦ: ଦୁଇ ଗୋଷ୍ଠୀ ମୁହାଁମୁହିଁ 

ଯୋଡ଼ା, ୪।୧୨(ଡି.ଏନ.ଏ.): କେନ୍ଦୁଝର ଜିଲା ବାମେବାରୀ ଥାନା ଅନ୍ତର୍ଗତ ଜୁରୁଡି ଖଣିରେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଓ ପରିବହନ ସୁବିଧା ଦେବାପାଇଁ ମାରାଙ୍ଗବୁରୁ ଡେଭେଲପମେଣ୍ଟ କମିଟି...

ନକଲି ଡାକ୍ତରଙ୍କ ଘରେ ଚଢ଼ାଉ: ୧୫ ପାସ୍‌ବୁକ୍‌ ଜବତ

ଭୁବନେଶ୍ୱର,୨୩।୨(ବ୍ୟୁରୋ): ନକଲି ଡାକ୍ତର ରମେଶ ସ୍ବାଇଁଙ୍କ ଗୋଟିଏ ପରେ ଗୋଟିଏ ଗୁମର ଖୋଲିବାରେ ଲାଗିଛି । ପ୍ରତିଦିନ ନୂଆ ନୂଆ ମାମଲା ସାମ୍ନାକୁ ଆସୁଛି। ତାଙ୍କ...

ମାଛ ଧରିବା ବେଳେ ଅଗ୍ନିକାଣ୍ଡ ଘଟି ବୁଡିଗଲା ଟ୍ରଲର

ଚାନ୍ଦବାଲି, ୬।୧୦(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମରା ସମୁଦ୍ର ମଧ୍ୟରେ ହୁଇଲର ଦୀପ ନିକଟରେ ଏକ ଫିସିଙ୍ଗ ଟ୍ରଲରରେ ଗୁରୁବାର ସକାଳେ ଅଗ୍ନିକାଣ୍ଡ ଘଟିବାରୁ ଟ୍ରଲରଟି ସମୁଦ୍ର...

ବ୍ୟକ୍ତିଗତ ହାଜର ପାଇଁ ସ୍ବାସ୍ଥ୍ୟ ସଚିବଙ୍କୁ ନିର୍ଦ୍ଦେଶ

କଟକ ଅଫିସ, ୨୪।୯: ରାଜ୍ୟରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା ନେଇ ହାଇକୋର୍ଟରେ ଏକ ମାମଲା ରୁଜୁ ହୋଇଥିଲା। ଏହି ମାମଲାରେ ବ୍ୟକ୍ତିଗତ ହାଜର ପାଇଁ ହାଇକୋର୍ଟ ସୋମବାର...

ଆବଶ୍ୟକ ନ ଥାଇ ଦିଆଗଲା ୨୦ ଭାଏଲ ଆଣ୍ଟିଭେନମ୍‌

ଭୁବନେଶ୍ୱର, ୬।୫(ବ୍ୟୁରୋ): ଓଡ଼ିଶାରେ ସାପକାମୁଡ଼ା ମୃତ୍ୟୁ ବଢ଼ି ଚାଲିଥିବାରୁ ସରକାର ଚିନ୍ତାପ୍ରକଟ କରିବା ସହ ଉନ୍ନତ ଚିକିତ୍ସା ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେଉଛନ୍ତି। ନିକଟରେ ଲୋକସେବା...

ଫେବୃୟାରୀ ୧୩ରେ ଆଇଏସ୍‌ସି, ୨୭ରୁ ଆଇସିଏସ୍‌ଇ ପରୀକ୍ଷା

ଭୁବନେଶ୍ୱର,୨।୧୨(ବ୍ୟୁରୋ): କାଉନ୍‌ସିଲ ଫର୍‌ ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ ଏକଜାମିନେଶନ (ସିଆଇଏସ୍‌ସିଇ) ଦ୍ୱାରା ପରିଚାଳିତ ଆଇସିଏସ୍‌ଇ ଓ ଆଇଏସ୍‌ସି ପରୀକ୍ଷା ତାରିଖ ଘୋଷଣା କରାଯାଇଛି। ଆଇସିଏସ୍‌ଇ ଦଶମ...

Advertisement
Archives

Model This Week