ପର ପ୍ରୀତି

ପରକୀୟା ପ୍ରୀତିଜନିତ ହତ୍ୟାକାଣ୍ଡ ଦିନକୁ ଦିନ ବଢ଼ି ଚାଲିବା ଦେଖିବାକୁ ମିଳୁଛି। ନିଜ ସ୍ବାମୀ କିମ୍ବା ସ୍ତ୍ରୀଙ୍କ ବ୍ୟତୀତ ଅନ୍ୟ ସହ ପ୍ରେମ ସମ୍ବନ୍ଧ ନିବିଡ଼ ହେବା ବା ଶାରୀରିକ ସମ୍ପର୍କ ଗଭୀର ହେବା ପରେ ବିବାହ ବନ୍ଧନରେ ଆବଦ୍ଧ କୌଣସି ପକ୍ଷ ଭୟଙ୍କର ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି। ପାଟିତୁଣ୍ଡରେ ତାହା ସୀମିତ ନ ରହି ହତ୍ୟାକାଣ୍ଡଯାଏ କଥା ଯାଉଛି। ପୁଣି ହତ୍ୟାରେ ଏକାଧିକ ଲୋକଙ୍କୁ ସାମିଲ କରି ଦିଆଯାଉଛି। ଘରେ ପିଲାଛୁଆଙ୍କୁ ମତେଇ ତତେଇ ମା’ ସେମାନଙ୍କ ପିତାଙ୍କୁ କିମ୍ବା ପିତା ସେମାନଙ୍କ ମାତାଙ୍କୁ ହତ୍ୟା କରୁଛନ୍ତି। ୩୧ ମେ’ରେ ନୟାଗଡ଼ ବନଖଣ୍ଡ ପଞ୍ଚରିଡ଼ା ରେଞ୍ଜ୍‌ର ଫରେଷ୍ଟରଙ୍କୁ ତାଙ୍କ ସ୍ତ୍ରୀ ଓ ପୁଅ ପେଟ୍ରୋଲ ଢାଳି ଜିଅନ୍ତା ଜାଳିଦେବା ଘଟଣା ରାଜ୍ୟବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଛି। ସେହିପରି ସେହି ସମାନ ଦିନରେ ବିବାହ ବାହାର ସମ୍ପର୍କ ଯୋଗୁ ଅନୁଗୋଳ ଜିଲା କଣିହଁା ଥାନା ମସୁରିହିତା ଗ୍ରାମରେ ଜଣେ ବ୍ୟକ୍ତିଙ୍କ ଗଳାକାଟି ହତ୍ୟା କରାଯାଇଛି। ପ୍ରାଣ ହରାଇଥିବା ବ୍ୟକ୍ତି ଅନ୍ୟ ଜଣଙ୍କ ସ୍ତ୍ରୀଙ୍କୁ ନେଇଆସି ୭ ମାସ ତଳେ ବିବାହ କରିଥିଲେ। ୨ ଜୁନ୍‌ରେ ଆଉ ଏକ ଘଟଣାରେ ଗଞ୍ଜାମ ଜିଲା ଗୋବିନ୍ଦପୁର ଗାଁରେ ଜଣେ ବ୍ୟକ୍ତିଙ୍କୁ ତାଙ୍କ ସ୍ତ୍ରୀ ଓ ଶ୍ୱଶୁର ପରକୀୟା ପ୍ରୀତି ଯୋଗୁ ହତ୍ୟା କରିଛନ୍ତି।
ଏଭଳି ଘଟଣାର ତାଲିକା ପ୍ରସ୍ତୁତ କଲେ ତାହା ଲମ୍ବିଲା ଭଳି ଲାଗୁଛି।
୨୦୨୦ରେ ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନ୍‌ସିଆର୍‌ବି) ପକ୍ଷରୁ ପ୍ରକାଶିତ ରିପୋର୍ଟରୁ ଜଣାପଡ଼ିଥିଲା ଯେ, ସେହି ବର୍ଷ ଘଟିଥିବା ମୋଟ ହତ୍ୟାରୁ ୧୦ ପ୍ରତିଶତରୁ ଅଧିକ ପ୍ରେମ ଓ ପରକୀୟା ପ୍ରୀତିଜନିତ କାରଣରୁ ହୋଇଥିଲା। ଏହି ଧରଣର କାର୍ଯ୍ୟକଳାପ ବଢ଼ିଚାଲୁଥିବାରୁ ହିଂସାକାଣ୍ଡ ବୃଦ୍ଧି ପାଉଥିବା ପାରିପାର୍ଶ୍ୱିକ ସ୍ଥିତି ଦେଖିଲେ ବୁଝାପଡ଼ିଯାଉଛି। ସାଧାରଣତଃ କ୍ରୋଧର ବଶବର୍ତ୍ତୀ ହୋଇ ତତ୍‌କ୍ଷଣାତ୍‌ ଜଣଙ୍କୁ ମାରିଦେବାର ନିଷ୍ପତ୍ତି ନେଉଥିବା ବ୍ୟକ୍ତିଙ୍କୁ ସାହିପଡ଼ିଶା କିମ୍ବା ପରିବାର ସହ ପରିଚିତ ବ୍ୟକ୍ତି ‘ସେ ଠିକ୍‌ କରିଛି’ ବୋଲି କହିବାକୁ ପଛାଇ ନ ଥାଆନ୍ତି। କାରଣ ସେମାନେ ଏଭଳି ସମ୍ପର୍କକୁ ଖରାପ ଦୃଷ୍ଟିରେ ଦେଖିଥାଆନ୍ତି। ଏମିତି ମଧ୍ୟ ହୋଇଥାଏ ଯେ ପରକୀୟା ପ୍ରୀତିରେ ଜଡ଼ିତ ବ୍ୟକ୍ତିଙ୍କୁ ମାରିଦେବା ଲାଗି ଅନେକେ ଉସ୍‌କାଇଥାଆନ୍ତି। ଏଭଳି କରାଗଲେ ସମସ୍ୟାର ସମାଧାନ ହୋଇଗଲା ବୋଲି ସାଧାରଣରେ ଧରିନିଆଯାଇଥାଏ। ହେଲେ ସେତେବେଳେ ସେମାନେ ପରିସ୍ଥିତିର ଭୟାବହତାକୁ ଦେଖି ବୁଝିପାରନ୍ତି ନାହିଁ। ଗରମ ମସ୍ତିଷ୍କରେ ନିଷ୍ପତ୍ତି ନେଇଥାଆନ୍ତି। ଜଣଙ୍କୁ ମାରିଦେଲେ ମୃତକଙ୍କ ଜୀବନରେ ପରିସମାପ୍ତି ଘଟିଗଲା। କିନ୍ତୁ କ୍ରୋଧରେ ଯିଏ ହିଂସାତ୍ମକ କାଣ୍ଡ ଭିଆଇଥାଆନ୍ତି, ତାଙ୍କୁ ଆଜୀବନ ଜେଲ ଜୀବନ ବିତାଇବାକୁ ପଡ଼ିଥାଏ। ଏହି ଯନ୍ତ୍ରଣା ସେହି ବ୍ୟକ୍ତିଙ୍କ ବାକିତକ ଆୟୁଷକୁ କୋରି ଖାଇଦେଇଥାଏ। ଏଥିସହିତ ସ୍ତ୍ରୀ ହୁଅନ୍ତୁ ବା ସ୍ବାମୀ ତାଙ୍କ ପରିବାରକୁ ଜାଣତରେ ନଷ୍ଟ କରିଦେଇଥାଆନ୍ତି।
ପରକୀୟା ପ୍ରୀତି ଯୋଗୁ ଉପୁଜୁଥିବା ଏଭଳି ସାମାଜିକ ତଥା ପାରିବାରିକ ବିଶୃଙ୍ଖଳାର ଅନ୍ୟତମ ସମାଧାନ ବାଟ କହିଲେ ସମ୍ଭବତଃ ବିବାହ ବିଚ୍ଛେଦ ହୋଇପାରେ। ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ମନ ନ ମିଶିଲେ କିମ୍ବା ଉଭୟଙ୍କ ସମ୍ପର୍କରେ ଫାଟ ଦେଖାଦେଲେ ତାହା ସହଜରେ ବୁଜି ହୋଇ ନ ଥାଏ। ତେଣୁ ହିଂସାବାଟ ଅନୁସରଣ କରିବା ଅପେକ୍ଷା ପରସ୍ପରଠାରୁ ଦୂରେଇଯିବା ବିଜ୍ଞତାର ପରିଚୟ ହେବା କଥା। କେତେକ ଦମ୍ପତି ସ୍ଥଳବିଶେଷରେ ବିବାହ ବିଚ୍ଛେଦକୁ ଗ୍ରହଣ କରି ନେଇଥାଆନ୍ତି। ଅନ୍ୟପକ୍ଷରେ ଅପେକ୍ଷାକୃତ ଅନେକେ ଜିଦ୍‌ଖୋର ମନୋଭାବ ରଖି ହିଂସା ଘଟାଉଛନ୍ତି, ଯାହାର ପରିଣାମ ପର ପିଢ଼ିକୁ ଭୋଗିବାକୁ ପଡ଼ୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?