Posted inଖେଳ

ଲସ୍‌ ଏଞ୍ଜେଲ୍ସରୁ ଟୋକିଓ

‘ଆଧୁନିକ ଅଲିମ୍ପିକ୍ସରେ ଭାରତ’ର ପ୍ରଥମଭାଗ ଜାତୀୟ କ୍ରୀଡ଼ା ଦିବସ ସ୍ବତନ୍ତ୍ର ପୃଷ୍ଠାରେ ପ୍ରକାଶ ପାଇଥିଲା। ଏଥିରେ ୧୮୯୬ରେ ଏଥେନ୍ସରେ ଅନୁଷ୍ଠିତ ପ୍ରଥମ ଆଧୁନିକ ଅଲିମ୍ପିକ୍‌ କ୍ରୀଡ଼ାରୁ ୧୯୨୮ ଆମ୍‌ଷ୍ଟରଡାମ୍‌ ଅଲିମ୍ପିକ୍ସ ପର୍ଯ୍ୟନ୍ତ ସ୍ଥାନ ପାଇଥିଲା। ଦ୍ୱିତୀୟ ଭାଗରେ ୧୯୩୨ର ଲସ୍‌ ଏଞ୍ଜେଲ୍ସରୁ ୨୦୨୦ ଟୋକିଓ ଅଲିମ୍ପିକ୍ସ ପର୍ଯ୍ୟନ୍ତ ଭାରତର ପ୍ରଦର୍ଶନକୁ ନେଇ ଏହି ଆଲେଖ୍ୟ…

୧୯୨୮ରେ ଭାରତୀୟ ହକି ଦଳ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତିବା ପରେ ଏହି ଧାରା ୧୯୩୨ର ଲସ୍‌ ଏଞ୍ଜେଲସ୍‌ ଓ ୧୯୩୬ ବର୍ଲିନ୍‌ ଅଲିମ୍ପିକ୍ସରେ ମଧ୍ୟ ବଳବତ୍ତର ରହିଥିଲା। ୧୯୩୬ ଅଲିମ୍ପିକ୍‌ରେ ଭାରତ ଫାଇନାଲରେ ରେକର୍ଡ ୮-୧ ଗୋଲରେ ବିଜୟୀ ହୋଇ ସ୍ବର୍ଣ୍ଣ ପଦକ ବଜାୟ ରଖିଲା। ଧ୍ୟାନ୍‌ଚାନ୍ଦ ଖାଲି ପାଦରେ ଖେଳି ଏଥିରେ ୬ ଗୋଟି ଗୋଲ ଦେଇ ଜର୍ମାନୀର ଏକଚ୍ଛତ୍ର ଶାସକ ଆଡ୍‌ଲଫ ହିଟ୍‌ଲରଙ୍କ ଦୃଷ୍ଟି ଆକର୍ଷଣ କରିପାରିଥିଲେ।
ଲସ୍‌ ଏଞ୍ଜେଲ୍ସ ଅଲିମ୍ପିକ୍‌ରେ ୨୦ ଜଣ ଏବଂ ବର୍ଲିନ୍‌ ଅଲିମ୍ପିକ୍‌ରେ ୨୭ ଜଣ ଖେଳାଳି ଭାରତର ପ୍ରତିନିଧିତ୍ୱ କରିଥିଲେ। ପ୍ରକାଶଥାଉ କି ୧୯୨୮-୧୯୩୨ ଓ ୧୯୩୬ ଅଲିମ୍ପିକ୍‌ରେ ଭାରତ କେବଳ ହକିରେ ହିଁ ଗୋଟିଏ ଲେଖାଏ ସ୍ବର୍ଣ୍ଣ ପଦକ ହାସଲ କରି ତାଲିକାରେ ନିଜକୁ ସ୍ଥାନିତ କରିପାରିଥିଲା। ଦ୍ୱିତୀୟ ବିଶ୍ୱଯୁଦ୍ଧ ଆରମ୍ଭ ଯୋଗୁ ୧୯୪୦ରେ ଟୋକିଓ ଓ ୧୯୪୮ର ଲଣ୍ଡନ ଅଲିମ୍ପିକ୍ସ ବାତିଲ ହେଲା। ୧୯୪୭ରେ ଭାରତ ବ୍ରିଟିଶ୍‌ ଶାସନରୁ ମୁକ୍ତ ହୋଇ ସ୍ବାଧୀନତା ହାସଲ କରିଥିଲା।
ଭାରତୀୟ ଅଲିମ୍ପିକ୍‌ ସଂଘର ସୁଦୂରପ୍ରସାରୀ ଯୋଜନାର ସଫଳ କାର୍ଯ୍ୟକାରିତା ପାଇଁ ଭାରତ ୧୯୪୮ ପରଠାରୁ ବହୁ କ୍ରୀଡ଼ା ଶୃଙ୍ଖଳାରେ ୫୦ରୁ ଅଧିକ କ୍ରୀଡ଼ାବିତ୍‌ଙ୍କୁ ଅଂଶଗ୍ରହଣ ପାଇଁ ପ୍ରେରଣ କଲା। ଭାରତୀୟ ପ୍ରତିନିଧି ଦଳର ମୁଖ୍ୟ ଭାବେ ଜଣେ ଚିଫ୍‌ ଡି. ମିଶନ୍‌ଙ୍କୁ ମଧ୍ୟ ଅଲିମ୍ପିକ୍‌କୁ ପଠାଗଲା। ପ୍ରଥମଥର ପାଇଁ ୧୯୪୮ ଲଣ୍ଡନ ଅଲିମ୍ପିକ୍ସରେ ଭାରତର ୩୯ ଜଣିଆ ଦଳ ଅଂଶଗ୍ରହଣ କଲା। ଏଠାରେ ହକି ଫାଇନାଲରେ ଭାରତ ଆୟୋଜକ ବ୍ରିଟେନ୍‌କୁ ୪-୦ ଗୋଲରେ ପରାସ୍ତ କରି ସ୍ବର୍ଣ୍ଣପଦକ ଲାଭ କଲା କ୍ରମାଗତ ଚତୁର୍ଥ ଥର ପାଇଁ। ସ୍ବାଧୀନ ଭାରତର କୌଣସି କ୍ରୀଡ଼ାରେ ପ୍ରଥମ ଅଲିମ୍ପିକ୍‌ ସ୍ବର୍ଣ୍ଣପଦକ ଏହା ହିଁ ଥିଲା।
୧୯୫୨ରେ ହେଲ୍‌ସିଙ୍କିଠାରେ ଅନୁଷ୍ଠିତ ହୋଇଥିଲା ପଞ୍ଚଦଶ ଅଲିମ୍ପିକ୍ସ। ୬୦ ପୁରୁଷ ଓ ୪ ମହିଳା କ୍ରୀଡ଼ାବିତ୍‌ ଭାରତର ପ୍ରତିନିଧିତ୍ୱ କରିଥିଲେ। ଚିରାଚରିତ ଢଙ୍ଗରେ ଭାରତ ହକି ଫାଇନାଲରେ ୬-୧ ଗୋଲରେ ହଲାଣ୍ଡକୁ ହରାଇ କ୍ରମାଗତ ପଞ୍ଚମ ସ୍ବର୍ଣ୍ଣ ପଦକ ହାସଲ କଲା। ହେଲ୍‌ସିଙ୍କି ଗେମ୍ସର ଉଲ୍ଲେଖନୀୟ କଥା ହେଲା, କୁସ୍ତି ଯୋଦ୍ଧା ଖାସବା ଦାଦା ସାହେବ ଯାଦବ ପୁରୁଷ ଫ୍ରିଷ୍ଟାଇଲ ବାଣ୍ଟମଓ୍ବେଟ ବିଭାଗରେ ଭାରତ ପାଇଁ ବ୍ରୋଞ୍ଜ ପଦକ ହାସଲ କରିଥିଲେ। ଏହା ଥିଲା ସ୍ବାଧୀନ ଭାରତର ପ୍ରଥମ ବ୍ୟକ୍ତିଗତ ଅଲିମ୍ପିକ୍‌ ପଦକ।
୧୯୫୬ରେ ମେଲ୍‌ବୋର୍ନରେ ହେଲା ଷୋଡ଼ଶ ଗ୍ରୀଷ୍ମକାଳୀନ ଅଲିମ୍ପିକ୍ସ। ଭାରତର ୫୮ ପୁରୁଷ ଓ ଜଣେ ମହିଳା କ୍ରୀଡ଼ାବିତ୍‌ ଏଥିରେ ଅଂଶଗ୍ରହଣ କଲେ। ସେତେବେଳକୁ ଭାରତଠାରୁ ଅଲଗା ହୋଇ ସ୍ବାଧୀନ ରାଷ୍ଟ୍ର ହୋଇଥିବା ପାକିସ୍ତାନ ହକିରେ ନିଜର ସ୍ଥିତି ଜାହିର କରିବାକୁ ପ୍ରୟାସ ଚଳାଇଥାଏ। ଫାଇନାଲରେ ଏକ କଡ଼ା ମୁକାବିଲାରେ ଭାରତ ୧-୦ ଗୋଲରେ ପାକିସ୍ତାନକୁ ହରାଇ କ୍ରମାଗତ ଷଷ୍ଠ ସ୍ବର୍ଣ୍ଣ ପଦକ ଲାଭକଲା। ହକିରେ ଭାରତର ଏକଚ୍ଛତ୍ର ଆଧିପତ୍ୟକୁ ଏହିଠାରୁ କଡ଼ା ଟକ୍କର ମିଳିବା ଆରମ୍ଭ ହେଲା। ରୋମ୍‌ରେ ୧୯୬୦ରେ ଆୟୋଜିତ ପରବର୍ତ୍ତୀ ଅଲିମ୍ପିକ୍ସରେ ୪୫ ଜଣିଆ ପ୍ରତିନିଧି ଦଳ ଭାରତର ପ୍ରତିନିଧିତ୍ୱ କଲେ। ଏଠାରେ ହକିରେ ୧୯୨୮ ମସିହାରୁ ଜାରି ରହିଥିବା ଭାରତର ଆଧିପତ୍ୟ ହ୍ରାସ ପାଇଲା। ଫାଇନାଲରେ ପାକିସ୍ତାନଠାରୁ ୦-୧ ଗୋଲରେ ପରାଜୟ ବରଣ କରି ଭାରତ ରୌପ୍ୟ ପଦକରେ ସନ୍ତୁଷ୍ଟ ହେଲା।
ପରବର୍ତ୍ତୀ ଅଲିମ୍ପିକ୍‌ ୧୯୬୪ରେ ଟୋକିଓରେ ହେଲା। ଭାରତର ୫୨ ପୁରୁଷ ଓ ଜଣେ ମହିଳା ଖେଳାଳି ଏଥିରେ ଅଂଶଗ୍ରହଣ କଲେ। ଭାରତ ହକିରେ ତା’ର ହୃତ୍‌ଗୌରବ ଫେରାଇ ଆଣିବାକୁ ଜୋରଦାର ପ୍ରୟାସ କରି ଫାଇନାଲରେ ପାକିସ୍ତାନକୁ ଏକମାତ୍ର ଗୋଲରେ ପରାଜିତ କରି ସ୍ବର୍ଣ୍ଣ ପଦକ ଫେରିପାଇଲା। ପାକିସ୍ତାନ ଖେଳାଳି ମୁନିର ଅହମ୍ମଦ ଦାରଙ୍କର ବିପଜ୍ଜନକ ଖେଳ ପାଇଁ ରେଫରି ଦେଇଥିବା ପେନାଲ୍‌ଟି ଶଟ୍‌କୁ ଭାରତର ମହିନ୍ଦର ଲାଲ ଗୋଲରେ ପରିଣତ କରି ଏହି ଆକାଂକ୍ଷିତ ବିଜୟ ଦେଇଥିଲେ। ଏହା ଥିଲା ଭାରତର ସପ୍ତମ ହକି ସ୍ବର୍ଣ୍ଣ ପଦକ।
୧୯୬୮ ମେକ୍ସିକୋ ସିଟି ଅଲିମ୍ପିକ୍ସ ଓ ୧୯୭୨ର ମ୍ୟୁନିକ୍‌ ଅଲିମ୍ପିକ୍ସରେ ଭାରତ ତା’ର ପୂର୍ବ ସଫଳତା ଦୋହରାଇବାରେ ସକ୍ଷମ ହୋଇପାରିଲା ନାହିଁ। ୧୯୭୬ରେ ମଣ୍ଟ୍ରିଲରେ ହୋଇଥିଲା ଏକବିଂଶତିତମ ଅଲିମ୍ପିକ କ୍ରୀଡ଼ା। ଭାରତର ୨୦ ଜଣ କ୍ରୀଡ଼ାବିତ୍‌ ଯଦିଓ ଏଠାରେ ଅଂଶ ଗ୍ରହଣ କରିଥିଲେ କିନ୍ତୁ ଭାରତ ରିକ୍ତ ହସ୍ତରେ ସ୍ବଦେଶ ଫେରିଲା। ୧୯୨୪ ପରେ ପ୍ରଥମ ଥର ପାଇଁ ଭାରତ ପଦକଶୂନ୍ୟ ରହିଲା।
୧୯୮୦ରେ ମସ୍କୋରେ ଅନୁଷ୍ଠିତ ପରବର୍ତ୍ତୀ ସଂସ୍କରଣରେ ୫୮ ଜଣ ପୁରୁଷ ଓ ୧୮ ମହିଳା କ୍ରୀଡ଼ାବିତ୍‌ ଅଂଶଗ୍ରହଣ କରିଥିଲେ। ଯୁକ୍ତରାଷ୍ଟ୍ର ଆମେରିକା ଓ ତା’ର ମିତ୍ର ରାଷ୍ଟ୍ରମାନେ ଏହି ଅଲିମ୍ପିକକୁ ବର୍ଜନ କରିବା ହେତୁ ଏହା ଚମକ ହରାଇଥିଲା। ସଂଘର୍ଷପୂର୍ଣ୍ଣ ହକି ଫାଇନାଲରେ ଭାରତ ସ୍ପେନ୍‌କୁ ୪-୩ ଗୋଲରେ ହରାଇ ଦୀର୍ଘ ୧୬ ବର୍ଷ ପରେ ପୁନର୍ବାର ସ୍ବର୍ଣ୍ଣପଦକ ହାସଲ କଲା। ଏହା ହିଁ ଆଜିପର୍ଯ୍ୟନ୍ତ ଭାରତର ଶେଷ ହକି ସ୍ବର୍ଣ୍ଣ ପଦକ। ଭାରତୀୟ ମହିଳା ହକି ଦଳ ପ୍ରଥମଥର ପାଇଁ ଅଲିମ୍ପିକ ହକିରେ ଅଂଶଗ୍ରହଣ କରି ଚତୁର୍ଥ ସ୍ଥାନରେ ରହିଥିଲା।
ଭାରତୀୟ କ୍ରୀଡ଼ାରେ ଏହାପରେ ଅବନତିର ଧାରା ଚାଲୁ ରହିଲା। ୧୯୮୪ ଲସ୍‌ ଏଞ୍ଜେଲ୍ସ, ୧୯୮୮ ସିଓଲ୍‌ ଓ ୧୯୯୨ ବାର୍ସେଲିନା ଅଲିମ୍ପିକ୍ସରେ ଭାରତର କ୍ରୀଡ଼ାବିତ୍‌ମାନେ ଗୋଟିଏ ହେଲେ ପଦକ ଜିତିବାକୁ ସକ୍ଷମ ହେଲେନାହିଁ।
୧୯୯୬ର ଆଟ୍‌ଲାଣ୍ଟା ଅଲିମ୍ପିକ୍ସରେ ଭାରତର ପୁରୁଷ ଟେନିସ୍‌ ଖେଳାଳି ଲିଆଣ୍ଡର ପେସ୍‌ ଟେନିସ୍‌ରେ ଗୋଟିଏ ବ୍ରୋଞ୍ଜ ପଦକ ହାସଲ କରି ୧୬ ବର୍ଷର ପଦକଶୂନ୍ୟ ରହିବାର ଗ୍ଳାନିକୁ କିଛିମାତ୍ରାରେ ଲାଘବ କଲେ।
୨୦୦୦ ସିଡ୍‌ନୀ ଅଲିମ୍ପିକ୍ସରେ ୪୬ ପୁରୁଷ ଓ ୧୯ ମହିଳା କ୍ରୀଡ଼ାବିତ୍‌ ଅଂଶଗ୍ରହଣ କରିଥିଲେ ମଧ୍ୟ କେବଳ କର୍ଣ୍ଣମ୍‌ ମାଲେଶ୍ୱରୀ ମହିଳା ୬୯ କିଗ୍ରା ଭାରୋତ୍ତୋଳନରେ ଭାରତ ପାଇଁ ଏକମାତ୍ର ବ୍ରୋଞ୍ଜ ପଦକ ଲାଭ କରିଥିଲେ। ଏହା ହିଁ ଥିଲା ଭାରତ ଲାଗି ଜଣେ ମହିଳା କ୍ରୀଡ଼ାବିତ୍‌ ଜିତିଥିବା ପ୍ରଥମ ଅଲିମ୍ପିକ୍‌ ପଦକ। ଏଥେନ୍ସଠାରେ ଆୟୋଜିତ ୨୦୦୪ ଅଲିମ୍ପିକ୍‌ କ୍ରୀଡ଼ାରେ ଭାରତର ଶୁଟିଂ ତାରକା ରାଜ୍ୟ ବର୍ଦ୍ଧନ ସିଂ ରାଠୋର ପୁରୁଷ ଡବଲ୍‌ ଟ୍ରାପ୍‌ ଶୁଟିଂରେ ବ୍ୟକ୍ତିଗତ ରୌପ୍ୟ ପଦକ ହାସଲ କରିଥିଲେ। ବେଜିଂରେ ହେଲା ପରବର୍ତ୍ତୀ ଅଲିମ୍ପିକ୍‌। ୧୨ ଗୋଟି କ୍ରୀଡ଼ା ଶୃଙ୍ଖଳାରେ ୩୧ ପୁରୁଷ ଓ ୨୫ ଜଣ ମହିଳା କ୍ରୀଡ଼ାବିତ୍‌ ଅଂଶଗ୍ରହଣ କରିଥିଲେ। ମାତ୍ର ପ୍ରଥମଥର ପାଇଁ ଭାରତୀୟ ହକି ଦଳ ଅଲିମ୍ପିକ୍‌ କ୍ରୀଡ଼ାରେ ଅଂଶଗ୍ରହଣ କରିବା ପାଇଁ ଯୋଗ୍ୟ ବିବେଚିତ ହୋଇପାରିଲା ନାହିଁ। କିନ୍ତୁ ଆଶ୍ୱାସନାର ବିଷୟ ହେଲା ଯେ ଏଠାରେ ଆମ ଦେଶର ଅଭିନବ ବିନ୍ଦ୍ରା ପୁରୁଷ ୧୦ ମିଟର ଏୟାର ରାଇଫଲରେ ଐତିହାସିକ ସ୍ବର୍ଣ୍ଣପଦକ ଲାଭ କରିଥିଲେ। ଏହା ହିଁ ଥିଲା ବ୍ୟକ୍ତିଗତ ସ୍ପର୍ଦ୍ଧାରେ ପ୍ରଥମ ଭାରତୀୟ ଅଲିମ୍ପିକ୍‌ ସ୍ବର୍ଣ୍ଣପଦକ। ୨୦୧୨ ଲଣ୍ଡନ ଅଲିମ୍ପିକ୍ସକୁ ଭାରତ ୬୦ ପୁରୁଷ ଓ ୨୩ ଜଣ ମହିଳା ଏପରି ମୋଟ ୮୩ ଜଣିଆ ବୃହତ୍‌ ଦଳ ପ୍ରେରଣ କଲା। ଫଳସ୍ବରୂପ ଭାରତର ପ୍ରତିଯୋଗୀମାନେ ୨ ରୌପ୍ୟ ଓ ୪ ବ୍ରୋଞ୍ଜ ଏପରି ୬ଟି ପଦକ ଲାଭ କରିଥିଲେ। ଶୁଟିଂରେ ବିଜୟ କୁମାର ଓ କୁସ୍ତିରେ ସୁଶୀଲ କୁମାର ରୌପ୍ୟ ପଦକ ଜିତିଲେ। ସୁଶୀଲ କୁମାର ହେଲେ ଅଲିମ୍ପିକ୍ସରେ ଏକାଧିକ ପଦକ ହାସଲ କରିବାରେ ସ୍ବାଧୀନ ଭାରତର ପ୍ରଥମ କ୍ରୀଡ଼ାବିତ୍‌। ବ୍ୟାଡ୍‌ମିଣ୍ଟନରେ ମହିଳା ତାରକା ସାଇନା ନେହ୍ବାଲ ବ୍ରୋଞ୍ଜ ପଦକ ଜିତି ପ୍ରଥମ ଭାରତୀୟ ବ୍ୟାଡ୍‌ମିଣ୍ଟନ ପଦକ ବିଜେତାର ମାନ୍ୟତା ପାଇଲେ। ଏମ୍‌.ସି. ମେରିକମ୍‌ ମହିଳା ଫ୍ଲାଇଓ୍ବେଟ୍‌ ବକ୍ସିଂରେ ବ୍ରୋଞ୍ଜ ପଦକ ଜିତି ପ୍ରଥମ ମହିଳା ବକ୍ସର ଭାବେ ଅଲିମ୍ପିକ୍‌ ପଦକର ଅଧିକାରୀ ହେଲେ।
୨୦୧୬ରେ ରିଓ ଡି ଜେନିରୋ ଅଲିମ୍ପିକ୍ସ ପାଇଁ ଆମ ଦେଶ ରେକର୍ଡ ସଂଖ୍ୟକ ୧୧୭ ଜଣିଆ ଦଳ ପ୍ରେରଣ କରିଥିଲା। କିନ୍ତୁ ଫଳାଫଳ ସନ୍ତୋଷଜନକ ହୋଇ ପାରିଲାନି। ୨୦୨୦ରେ ଆୟୋଜିତ ଅଲିମ୍ପିକ୍‌ କ୍ରୀଡ଼ାରେ ପୁନର୍ବାର ଭାରତର ରେକର୍ଡ ସଂଖ୍ୟକ ୧୨୪ ଜଣିଆ ଦଳ ଅଂଶଗ୍ରହଣ କରିଥିଲା ଓ ଗୋଟିଏ ସ୍ବର୍ଣ୍ଣ, ଦୁଇଟି ରୌପ୍ୟ ଓ ୪ଟି କାଂସ୍ୟ ପଦକ ସମେତ ମୋଟ ୭ ଗୋଟି ପଦକ ହାସଲ କରିଥିଲା। ଏହି ଅଲିମ୍ପିକ୍ସର ସବୁଠାରୁ ବଡ଼ ଉପଲବ୍ଧି ହେଲା, ଭାରତର ନିରଜ ଚୋପ୍ରା ଜାଭେଲିନ୍‌ ଥ୍ରୋରେ ଐତିହାସିକ ସ୍ବର୍ଣ୍ଣପଦକ ହାସଲ କରି ଆଥ୍‌ଲେଟିକ୍ସ ଇଭେଣ୍ଟରେ ଅଲିମ୍ପିକ୍ସରେ ସ୍ବର୍ଣ୍ଣପଦକ ଲାଭ କରିବାରେ ପ୍ରଥମ ଭାରତୀୟ ହେଲେ। ଏହା ବ୍ୟତୀତ ଦ୍ୱିତୀୟ ଭାରତୀୟ ଭାବେ ବ୍ୟକ୍ତିଗତ ସ୍ପର୍ଦ୍ଧାରେ ସ୍ବର୍ଣ୍ଣପଦକ ବିଜେତା ହେଲେ। ଉପରଲିଖିତ ତଥ୍ୟାବଳୀକୁ ବିଶ୍ଳେଷଣ କଲେ ଜଣାଯାଏ ଯେ, ଆଧୁନିକ ଅଲିମ୍ପିକ କ୍ରୀଡ଼ାରେ ଭାରତ ଅଦ୍ୟାବଧି ୧୦ ସ୍ବର୍ଣ୍ଣ, ୯ ରୌପ୍ୟ ଓ ୧୬ ବ୍ରୋଞ୍ଜ ଏପରି ମୋଟ ୩୫ ଗୋଟି ପଦକ ହାସଲ କରିପାରିଛି। ଜନସଂଖ୍ୟା ସ୍ଥିତିକୁ ବିଚାର କରାଗଲେ ଅନ୍ୟ ରାଷ୍ଟ୍ରମାନଙ୍କ ତୁଳନାରେ ଆମର ଉପଲବ୍ଧି ନିରୁତ୍ସାହଜନକ ରହିଛି।

ଭାରତୀ ଭୂଷଣ ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଗୁଜରାଟ ଟାଇଟନ୍ସକୁ ୬ ଉଇକେଟରେ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ

ଅହମଦାବାଦ,୧୭ା୪: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ)ରେ ଗୁଜରାଟ ଟାଇଟନ୍ସକୁ ୬ ଉଇକେଟରେ ହରାଇ ତୃତୀୟ ବିଜୟ ହାସଲ କରିଛି ଦିଲ୍ଲୀ କ୍ୟାପିଟାଲ୍ସ। ପ୍ରଥମେ ବ୍ୟାଟିଂ କରି ଟାଇଟନ୍ସ...

ପଲଟୁରାମ ଗମ୍ଭୀର! ନିଜ କଥାରୁ ନିଜେ ଓହରି ଟ୍ରୋଲ ହେଉଛନ୍ତି କ୍ରିକେଟର…

ନୂଆଦିଲ୍ଲୀ,୧୭।୪: ସର୍ବଦା ନିଜର ବୟାନକୁ ନେଇ ସୋସିଆଲ ମିଡିଆରେ ଟ୍ରୋଲ୍‌ ହୋଇଥାନ୍ତି ପୂର୍ବତନ ଭାରତୀୟ କ୍ରିକେଟର ଗୌତମ ଗମ୍ଭୀର। ଏବେ ପୁଣି ସେ ଥରେ ନିଜର...

ସୁରେନ୍ଦ୍ର ଭାବେ ଓଡ଼ିଶା କ୍ରିକେଟ ଟିମ୍ ର ନୂଆ କୋଚ୍ ନିଯୁକ୍ତ

କଟକ, ୧୭।୪: ଆଗାମୀ ଘରୋଇ ସିଜିନ୍ ପାଇଁ ମହାରାଷ୍ଟ୍ରର ପୂର୍ବତନ ଅଧିନାୟକ ତଥା ପ୍ରଶିକ୍ଷକ ସୁରେନ୍ଦ୍ର ଭାବେଙ୍କୁ ଓଡ଼ିଶା କ୍ରିକେଟ ଟିମର ମୁଖ୍ୟ ପ୍ରଶିକ୍ଷକ ଭାବେ...

ଈଶାନ କିଶନ ବାଦ୍‌, ଏହି ଉଇକେଟକିପରଙ୍କ ଚମକିଲା ଭାଗ୍ୟ; ଟି୨୦ ବିଶ୍ୱକପ୍‌ ଲାଗି ଚୟନ ହେବେ ଏହି ୨୦ ଖେଳାଳି

ନୂଆଦିଲ୍ଲୀ,୧୭।୪: ଆଇପିଏଲ୍‌ ୨୦୨୪ ମଧ୍ୟରେ ଟିମ୍‌ ଇଣ୍ଡିଆର ଚୟନକୁ ନେଇ ଆଲୋଚନା ବଢ଼ିଛି। ଜୁନ୍‌ ୨ରୁ ଆରମ୍ଭ ହେବାକୁ ଯାଉଥିବା ଟି୨୦ ବିଶ୍ୱକପ୍‌ ପାଇଁ ଖୁବ୍‌ଶୀଘ୍ର...

ଆଇପିଏଲ୍ ରୁ ଅବସର ନେବେ ନାହିଁ ଧୋନୀ!, ଦୁଇ ସାଙ୍ଗ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ, ୧୭।୪: ଚଳିତ ସିଜିନରେ ମହେନ୍ଦ୍ର ସିଂ ଧୋନୀ ଜଣେ ଖେଳାଳି ଭାବେ ଆଇପିଏଲ ଖେଳୁଛନ୍ତି। ସିଜିନ୍ ଆରମ୍ଭରେ ଧୋନୀ ଚେନ୍ନାଇ ସୁପର କିଙ୍ଗସ(ସିଏସକେ) ଅଧିନାୟକ...

ସନ୍ନ୍ୟାସ ନେଇଥିବା ସତ୍ତ୍ୱେ ବିଶ୍ୱକପ୍‌ ଖେଳିପାରନ୍ତି ସୁନୀଲ ନାରିନ୍‌, ନିଷ୍ପତ୍ତି ବଦଳାନ୍ତୁ ବୋଲି…

ନୂଆଦିଲ୍ଲୀ,୧୭।୪: ଚଳିତ ବର୍ଷ ହେବାକୁ ଥିବା ଟି୨୦ ବିଶ୍ୱକପ୍‌ରେ ଖେଳିପାରନ୍ତି ସୁନୀଲ ନାରିନ୍‌। ସେ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ଘୋଷଣା କରିଥିଲେ ହେଁ ତାଙ୍କୁ ଫେରାଇ...

ବିସିସିଆଇର ବଡ଼ ନିଷ୍ପତି, ଟି୨୦ ବିଶ୍ୱକପ ଦଳରେ ସ୍ଥାନ ପାଇବାକୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଆଗରେ ରଖିଲା ଏହି ସର୍ତ୍ତ

ମୁମ୍ବାଇ,୧୭।୪: ଭାରତୀୟ ସ୍ତର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଚମକ ଚଳିତ ଆଇପିଏଲରେ ଦେଖିବାକୁ ମିଳୁ ନଥିଲା ବେଳେ ସମସ୍ୟା ଆଉ ଟିକିଏ ବଢି ଯାଇଛି। ବର୍ତ୍ତମାନ...

ଶ୍ରେୟସ ଗଣିବେ ୧୨ ଲକ୍ଷର ଜରିମାନା, ରାଜସ୍ଥାନଠାରୁ ପରାଜୟ ପରେ କୋଲକାତା ଅଧିନାୟକଙ୍କ ସହ କ’ଣ ହେଲା?

ନୂଆଦିଲ୍ଲୀ,୧୭।୪: ରାଜସ୍ଥାନ ରୟାଲ୍ସ ବିପକ୍ଷ ରୋମାଞ୍ଚକର ମୁକାବିଲାରେ ପରା ଜୟ ପରେ କୋଲକାତା ନାଇଟ ରାଇଡର୍ସ ଅଧିନାୟକଙ୍କ ଉପରେ ଜରିମାନା ଲାଗିଛି। ମ୍ୟାଚ୍‌ରେ ସ୍ଲୋ ଓଭର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri