Posted inଖେଳ

ଲସ୍‌ ଏଞ୍ଜେଲ୍ସରୁ ଟୋକିଓ

‘ଆଧୁନିକ ଅଲିମ୍ପିକ୍ସରେ ଭାରତ’ର ପ୍ରଥମଭାଗ ଜାତୀୟ କ୍ରୀଡ଼ା ଦିବସ ସ୍ବତନ୍ତ୍ର ପୃଷ୍ଠାରେ ପ୍ରକାଶ ପାଇଥିଲା। ଏଥିରେ ୧୮୯୬ରେ ଏଥେନ୍ସରେ ଅନୁଷ୍ଠିତ ପ୍ରଥମ ଆଧୁନିକ ଅଲିମ୍ପିକ୍‌ କ୍ରୀଡ଼ାରୁ ୧୯୨୮ ଆମ୍‌ଷ୍ଟରଡାମ୍‌ ଅଲିମ୍ପିକ୍ସ ପର୍ଯ୍ୟନ୍ତ ସ୍ଥାନ ପାଇଥିଲା। ଦ୍ୱିତୀୟ ଭାଗରେ ୧୯୩୨ର ଲସ୍‌ ଏଞ୍ଜେଲ୍ସରୁ ୨୦୨୦ ଟୋକିଓ ଅଲିମ୍ପିକ୍ସ ପର୍ଯ୍ୟନ୍ତ ଭାରତର ପ୍ରଦର୍ଶନକୁ ନେଇ ଏହି ଆଲେଖ୍ୟ…

୧୯୨୮ରେ ଭାରତୀୟ ହକି ଦଳ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତିବା ପରେ ଏହି ଧାରା ୧୯୩୨ର ଲସ୍‌ ଏଞ୍ଜେଲସ୍‌ ଓ ୧୯୩୬ ବର୍ଲିନ୍‌ ଅଲିମ୍ପିକ୍ସରେ ମଧ୍ୟ ବଳବତ୍ତର ରହିଥିଲା। ୧୯୩୬ ଅଲିମ୍ପିକ୍‌ରେ ଭାରତ ଫାଇନାଲରେ ରେକର୍ଡ ୮-୧ ଗୋଲରେ ବିଜୟୀ ହୋଇ ସ୍ବର୍ଣ୍ଣ ପଦକ ବଜାୟ ରଖିଲା। ଧ୍ୟାନ୍‌ଚାନ୍ଦ ଖାଲି ପାଦରେ ଖେଳି ଏଥିରେ ୬ ଗୋଟି ଗୋଲ ଦେଇ ଜର୍ମାନୀର ଏକଚ୍ଛତ୍ର ଶାସକ ଆଡ୍‌ଲଫ ହିଟ୍‌ଲରଙ୍କ ଦୃଷ୍ଟି ଆକର୍ଷଣ କରିପାରିଥିଲେ।
ଲସ୍‌ ଏଞ୍ଜେଲ୍ସ ଅଲିମ୍ପିକ୍‌ରେ ୨୦ ଜଣ ଏବଂ ବର୍ଲିନ୍‌ ଅଲିମ୍ପିକ୍‌ରେ ୨୭ ଜଣ ଖେଳାଳି ଭାରତର ପ୍ରତିନିଧିତ୍ୱ କରିଥିଲେ। ପ୍ରକାଶଥାଉ କି ୧୯୨୮-୧୯୩୨ ଓ ୧୯୩୬ ଅଲିମ୍ପିକ୍‌ରେ ଭାରତ କେବଳ ହକିରେ ହିଁ ଗୋଟିଏ ଲେଖାଏ ସ୍ବର୍ଣ୍ଣ ପଦକ ହାସଲ କରି ତାଲିକାରେ ନିଜକୁ ସ୍ଥାନିତ କରିପାରିଥିଲା। ଦ୍ୱିତୀୟ ବିଶ୍ୱଯୁଦ୍ଧ ଆରମ୍ଭ ଯୋଗୁ ୧୯୪୦ରେ ଟୋକିଓ ଓ ୧୯୪୮ର ଲଣ୍ଡନ ଅଲିମ୍ପିକ୍ସ ବାତିଲ ହେଲା। ୧୯୪୭ରେ ଭାରତ ବ୍ରିଟିଶ୍‌ ଶାସନରୁ ମୁକ୍ତ ହୋଇ ସ୍ବାଧୀନତା ହାସଲ କରିଥିଲା।
ଭାରତୀୟ ଅଲିମ୍ପିକ୍‌ ସଂଘର ସୁଦୂରପ୍ରସାରୀ ଯୋଜନାର ସଫଳ କାର୍ଯ୍ୟକାରିତା ପାଇଁ ଭାରତ ୧୯୪୮ ପରଠାରୁ ବହୁ କ୍ରୀଡ଼ା ଶୃଙ୍ଖଳାରେ ୫୦ରୁ ଅଧିକ କ୍ରୀଡ଼ାବିତ୍‌ଙ୍କୁ ଅଂଶଗ୍ରହଣ ପାଇଁ ପ୍ରେରଣ କଲା। ଭାରତୀୟ ପ୍ରତିନିଧି ଦଳର ମୁଖ୍ୟ ଭାବେ ଜଣେ ଚିଫ୍‌ ଡି. ମିଶନ୍‌ଙ୍କୁ ମଧ୍ୟ ଅଲିମ୍ପିକ୍‌କୁ ପଠାଗଲା। ପ୍ରଥମଥର ପାଇଁ ୧୯୪୮ ଲଣ୍ଡନ ଅଲିମ୍ପିକ୍ସରେ ଭାରତର ୩୯ ଜଣିଆ ଦଳ ଅଂଶଗ୍ରହଣ କଲା। ଏଠାରେ ହକି ଫାଇନାଲରେ ଭାରତ ଆୟୋଜକ ବ୍ରିଟେନ୍‌କୁ ୪-୦ ଗୋଲରେ ପରାସ୍ତ କରି ସ୍ବର୍ଣ୍ଣପଦକ ଲାଭ କଲା କ୍ରମାଗତ ଚତୁର୍ଥ ଥର ପାଇଁ। ସ୍ବାଧୀନ ଭାରତର କୌଣସି କ୍ରୀଡ଼ାରେ ପ୍ରଥମ ଅଲିମ୍ପିକ୍‌ ସ୍ବର୍ଣ୍ଣପଦକ ଏହା ହିଁ ଥିଲା।
୧୯୫୨ରେ ହେଲ୍‌ସିଙ୍କିଠାରେ ଅନୁଷ୍ଠିତ ହୋଇଥିଲା ପଞ୍ଚଦଶ ଅଲିମ୍ପିକ୍ସ। ୬୦ ପୁରୁଷ ଓ ୪ ମହିଳା କ୍ରୀଡ଼ାବିତ୍‌ ଭାରତର ପ୍ରତିନିଧିତ୍ୱ କରିଥିଲେ। ଚିରାଚରିତ ଢଙ୍ଗରେ ଭାରତ ହକି ଫାଇନାଲରେ ୬-୧ ଗୋଲରେ ହଲାଣ୍ଡକୁ ହରାଇ କ୍ରମାଗତ ପଞ୍ଚମ ସ୍ବର୍ଣ୍ଣ ପଦକ ହାସଲ କଲା। ହେଲ୍‌ସିଙ୍କି ଗେମ୍ସର ଉଲ୍ଲେଖନୀୟ କଥା ହେଲା, କୁସ୍ତି ଯୋଦ୍ଧା ଖାସବା ଦାଦା ସାହେବ ଯାଦବ ପୁରୁଷ ଫ୍ରିଷ୍ଟାଇଲ ବାଣ୍ଟମଓ୍ବେଟ ବିଭାଗରେ ଭାରତ ପାଇଁ ବ୍ରୋଞ୍ଜ ପଦକ ହାସଲ କରିଥିଲେ। ଏହା ଥିଲା ସ୍ବାଧୀନ ଭାରତର ପ୍ରଥମ ବ୍ୟକ୍ତିଗତ ଅଲିମ୍ପିକ୍‌ ପଦକ।
୧୯୫୬ରେ ମେଲ୍‌ବୋର୍ନରେ ହେଲା ଷୋଡ଼ଶ ଗ୍ରୀଷ୍ମକାଳୀନ ଅଲିମ୍ପିକ୍ସ। ଭାରତର ୫୮ ପୁରୁଷ ଓ ଜଣେ ମହିଳା କ୍ରୀଡ଼ାବିତ୍‌ ଏଥିରେ ଅଂଶଗ୍ରହଣ କଲେ। ସେତେବେଳକୁ ଭାରତଠାରୁ ଅଲଗା ହୋଇ ସ୍ବାଧୀନ ରାଷ୍ଟ୍ର ହୋଇଥିବା ପାକିସ୍ତାନ ହକିରେ ନିଜର ସ୍ଥିତି ଜାହିର କରିବାକୁ ପ୍ରୟାସ ଚଳାଇଥାଏ। ଫାଇନାଲରେ ଏକ କଡ଼ା ମୁକାବିଲାରେ ଭାରତ ୧-୦ ଗୋଲରେ ପାକିସ୍ତାନକୁ ହରାଇ କ୍ରମାଗତ ଷଷ୍ଠ ସ୍ବର୍ଣ୍ଣ ପଦକ ଲାଭକଲା। ହକିରେ ଭାରତର ଏକଚ୍ଛତ୍ର ଆଧିପତ୍ୟକୁ ଏହିଠାରୁ କଡ଼ା ଟକ୍କର ମିଳିବା ଆରମ୍ଭ ହେଲା। ରୋମ୍‌ରେ ୧୯୬୦ରେ ଆୟୋଜିତ ପରବର୍ତ୍ତୀ ଅଲିମ୍ପିକ୍ସରେ ୪୫ ଜଣିଆ ପ୍ରତିନିଧି ଦଳ ଭାରତର ପ୍ରତିନିଧିତ୍ୱ କଲେ। ଏଠାରେ ହକିରେ ୧୯୨୮ ମସିହାରୁ ଜାରି ରହିଥିବା ଭାରତର ଆଧିପତ୍ୟ ହ୍ରାସ ପାଇଲା। ଫାଇନାଲରେ ପାକିସ୍ତାନଠାରୁ ୦-୧ ଗୋଲରେ ପରାଜୟ ବରଣ କରି ଭାରତ ରୌପ୍ୟ ପଦକରେ ସନ୍ତୁଷ୍ଟ ହେଲା।
ପରବର୍ତ୍ତୀ ଅଲିମ୍ପିକ୍‌ ୧୯୬୪ରେ ଟୋକିଓରେ ହେଲା। ଭାରତର ୫୨ ପୁରୁଷ ଓ ଜଣେ ମହିଳା ଖେଳାଳି ଏଥିରେ ଅଂଶଗ୍ରହଣ କଲେ। ଭାରତ ହକିରେ ତା’ର ହୃତ୍‌ଗୌରବ ଫେରାଇ ଆଣିବାକୁ ଜୋରଦାର ପ୍ରୟାସ କରି ଫାଇନାଲରେ ପାକିସ୍ତାନକୁ ଏକମାତ୍ର ଗୋଲରେ ପରାଜିତ କରି ସ୍ବର୍ଣ୍ଣ ପଦକ ଫେରିପାଇଲା। ପାକିସ୍ତାନ ଖେଳାଳି ମୁନିର ଅହମ୍ମଦ ଦାରଙ୍କର ବିପଜ୍ଜନକ ଖେଳ ପାଇଁ ରେଫରି ଦେଇଥିବା ପେନାଲ୍‌ଟି ଶଟ୍‌କୁ ଭାରତର ମହିନ୍ଦର ଲାଲ ଗୋଲରେ ପରିଣତ କରି ଏହି ଆକାଂକ୍ଷିତ ବିଜୟ ଦେଇଥିଲେ। ଏହା ଥିଲା ଭାରତର ସପ୍ତମ ହକି ସ୍ବର୍ଣ୍ଣ ପଦକ।
୧୯୬୮ ମେକ୍ସିକୋ ସିଟି ଅଲିମ୍ପିକ୍ସ ଓ ୧୯୭୨ର ମ୍ୟୁନିକ୍‌ ଅଲିମ୍ପିକ୍ସରେ ଭାରତ ତା’ର ପୂର୍ବ ସଫଳତା ଦୋହରାଇବାରେ ସକ୍ଷମ ହୋଇପାରିଲା ନାହିଁ। ୧୯୭୬ରେ ମଣ୍ଟ୍ରିଲରେ ହୋଇଥିଲା ଏକବିଂଶତିତମ ଅଲିମ୍ପିକ କ୍ରୀଡ଼ା। ଭାରତର ୨୦ ଜଣ କ୍ରୀଡ଼ାବିତ୍‌ ଯଦିଓ ଏଠାରେ ଅଂଶ ଗ୍ରହଣ କରିଥିଲେ କିନ୍ତୁ ଭାରତ ରିକ୍ତ ହସ୍ତରେ ସ୍ବଦେଶ ଫେରିଲା। ୧୯୨୪ ପରେ ପ୍ରଥମ ଥର ପାଇଁ ଭାରତ ପଦକଶୂନ୍ୟ ରହିଲା।
୧୯୮୦ରେ ମସ୍କୋରେ ଅନୁଷ୍ଠିତ ପରବର୍ତ୍ତୀ ସଂସ୍କରଣରେ ୫୮ ଜଣ ପୁରୁଷ ଓ ୧୮ ମହିଳା କ୍ରୀଡ଼ାବିତ୍‌ ଅଂଶଗ୍ରହଣ କରିଥିଲେ। ଯୁକ୍ତରାଷ୍ଟ୍ର ଆମେରିକା ଓ ତା’ର ମିତ୍ର ରାଷ୍ଟ୍ରମାନେ ଏହି ଅଲିମ୍ପିକକୁ ବର୍ଜନ କରିବା ହେତୁ ଏହା ଚମକ ହରାଇଥିଲା। ସଂଘର୍ଷପୂର୍ଣ୍ଣ ହକି ଫାଇନାଲରେ ଭାରତ ସ୍ପେନ୍‌କୁ ୪-୩ ଗୋଲରେ ହରାଇ ଦୀର୍ଘ ୧୬ ବର୍ଷ ପରେ ପୁନର୍ବାର ସ୍ବର୍ଣ୍ଣପଦକ ହାସଲ କଲା। ଏହା ହିଁ ଆଜିପର୍ଯ୍ୟନ୍ତ ଭାରତର ଶେଷ ହକି ସ୍ବର୍ଣ୍ଣ ପଦକ। ଭାରତୀୟ ମହିଳା ହକି ଦଳ ପ୍ରଥମଥର ପାଇଁ ଅଲିମ୍ପିକ ହକିରେ ଅଂଶଗ୍ରହଣ କରି ଚତୁର୍ଥ ସ୍ଥାନରେ ରହିଥିଲା।
ଭାରତୀୟ କ୍ରୀଡ଼ାରେ ଏହାପରେ ଅବନତିର ଧାରା ଚାଲୁ ରହିଲା। ୧୯୮୪ ଲସ୍‌ ଏଞ୍ଜେଲ୍ସ, ୧୯୮୮ ସିଓଲ୍‌ ଓ ୧୯୯୨ ବାର୍ସେଲିନା ଅଲିମ୍ପିକ୍ସରେ ଭାରତର କ୍ରୀଡ଼ାବିତ୍‌ମାନେ ଗୋଟିଏ ହେଲେ ପଦକ ଜିତିବାକୁ ସକ୍ଷମ ହେଲେନାହିଁ।
୧୯୯୬ର ଆଟ୍‌ଲାଣ୍ଟା ଅଲିମ୍ପିକ୍ସରେ ଭାରତର ପୁରୁଷ ଟେନିସ୍‌ ଖେଳାଳି ଲିଆଣ୍ଡର ପେସ୍‌ ଟେନିସ୍‌ରେ ଗୋଟିଏ ବ୍ରୋଞ୍ଜ ପଦକ ହାସଲ କରି ୧୬ ବର୍ଷର ପଦକଶୂନ୍ୟ ରହିବାର ଗ୍ଳାନିକୁ କିଛିମାତ୍ରାରେ ଲାଘବ କଲେ।
୨୦୦୦ ସିଡ୍‌ନୀ ଅଲିମ୍ପିକ୍ସରେ ୪୬ ପୁରୁଷ ଓ ୧୯ ମହିଳା କ୍ରୀଡ଼ାବିତ୍‌ ଅଂଶଗ୍ରହଣ କରିଥିଲେ ମଧ୍ୟ କେବଳ କର୍ଣ୍ଣମ୍‌ ମାଲେଶ୍ୱରୀ ମହିଳା ୬୯ କିଗ୍ରା ଭାରୋତ୍ତୋଳନରେ ଭାରତ ପାଇଁ ଏକମାତ୍ର ବ୍ରୋଞ୍ଜ ପଦକ ଲାଭ କରିଥିଲେ। ଏହା ହିଁ ଥିଲା ଭାରତ ଲାଗି ଜଣେ ମହିଳା କ୍ରୀଡ଼ାବିତ୍‌ ଜିତିଥିବା ପ୍ରଥମ ଅଲିମ୍ପିକ୍‌ ପଦକ। ଏଥେନ୍ସଠାରେ ଆୟୋଜିତ ୨୦୦୪ ଅଲିମ୍ପିକ୍‌ କ୍ରୀଡ଼ାରେ ଭାରତର ଶୁଟିଂ ତାରକା ରାଜ୍ୟ ବର୍ଦ୍ଧନ ସିଂ ରାଠୋର ପୁରୁଷ ଡବଲ୍‌ ଟ୍ରାପ୍‌ ଶୁଟିଂରେ ବ୍ୟକ୍ତିଗତ ରୌପ୍ୟ ପଦକ ହାସଲ କରିଥିଲେ। ବେଜିଂରେ ହେଲା ପରବର୍ତ୍ତୀ ଅଲିମ୍ପିକ୍‌। ୧୨ ଗୋଟି କ୍ରୀଡ଼ା ଶୃଙ୍ଖଳାରେ ୩୧ ପୁରୁଷ ଓ ୨୫ ଜଣ ମହିଳା କ୍ରୀଡ଼ାବିତ୍‌ ଅଂଶଗ୍ରହଣ କରିଥିଲେ। ମାତ୍ର ପ୍ରଥମଥର ପାଇଁ ଭାରତୀୟ ହକି ଦଳ ଅଲିମ୍ପିକ୍‌ କ୍ରୀଡ଼ାରେ ଅଂଶଗ୍ରହଣ କରିବା ପାଇଁ ଯୋଗ୍ୟ ବିବେଚିତ ହୋଇପାରିଲା ନାହିଁ। କିନ୍ତୁ ଆଶ୍ୱାସନାର ବିଷୟ ହେଲା ଯେ ଏଠାରେ ଆମ ଦେଶର ଅଭିନବ ବିନ୍ଦ୍ରା ପୁରୁଷ ୧୦ ମିଟର ଏୟାର ରାଇଫଲରେ ଐତିହାସିକ ସ୍ବର୍ଣ୍ଣପଦକ ଲାଭ କରିଥିଲେ। ଏହା ହିଁ ଥିଲା ବ୍ୟକ୍ତିଗତ ସ୍ପର୍ଦ୍ଧାରେ ପ୍ରଥମ ଭାରତୀୟ ଅଲିମ୍ପିକ୍‌ ସ୍ବର୍ଣ୍ଣପଦକ। ୨୦୧୨ ଲଣ୍ଡନ ଅଲିମ୍ପିକ୍ସକୁ ଭାରତ ୬୦ ପୁରୁଷ ଓ ୨୩ ଜଣ ମହିଳା ଏପରି ମୋଟ ୮୩ ଜଣିଆ ବୃହତ୍‌ ଦଳ ପ୍ରେରଣ କଲା। ଫଳସ୍ବରୂପ ଭାରତର ପ୍ରତିଯୋଗୀମାନେ ୨ ରୌପ୍ୟ ଓ ୪ ବ୍ରୋଞ୍ଜ ଏପରି ୬ଟି ପଦକ ଲାଭ କରିଥିଲେ। ଶୁଟିଂରେ ବିଜୟ କୁମାର ଓ କୁସ୍ତିରେ ସୁଶୀଲ କୁମାର ରୌପ୍ୟ ପଦକ ଜିତିଲେ। ସୁଶୀଲ କୁମାର ହେଲେ ଅଲିମ୍ପିକ୍ସରେ ଏକାଧିକ ପଦକ ହାସଲ କରିବାରେ ସ୍ବାଧୀନ ଭାରତର ପ୍ରଥମ କ୍ରୀଡ଼ାବିତ୍‌। ବ୍ୟାଡ୍‌ମିଣ୍ଟନରେ ମହିଳା ତାରକା ସାଇନା ନେହ୍ବାଲ ବ୍ରୋଞ୍ଜ ପଦକ ଜିତି ପ୍ରଥମ ଭାରତୀୟ ବ୍ୟାଡ୍‌ମିଣ୍ଟନ ପଦକ ବିଜେତାର ମାନ୍ୟତା ପାଇଲେ। ଏମ୍‌.ସି. ମେରିକମ୍‌ ମହିଳା ଫ୍ଲାଇଓ୍ବେଟ୍‌ ବକ୍ସିଂରେ ବ୍ରୋଞ୍ଜ ପଦକ ଜିତି ପ୍ରଥମ ମହିଳା ବକ୍ସର ଭାବେ ଅଲିମ୍ପିକ୍‌ ପଦକର ଅଧିକାରୀ ହେଲେ।
୨୦୧୬ରେ ରିଓ ଡି ଜେନିରୋ ଅଲିମ୍ପିକ୍ସ ପାଇଁ ଆମ ଦେଶ ରେକର୍ଡ ସଂଖ୍ୟକ ୧୧୭ ଜଣିଆ ଦଳ ପ୍ରେରଣ କରିଥିଲା। କିନ୍ତୁ ଫଳାଫଳ ସନ୍ତୋଷଜନକ ହୋଇ ପାରିଲାନି। ୨୦୨୦ରେ ଆୟୋଜିତ ଅଲିମ୍ପିକ୍‌ କ୍ରୀଡ଼ାରେ ପୁନର୍ବାର ଭାରତର ରେକର୍ଡ ସଂଖ୍ୟକ ୧୨୪ ଜଣିଆ ଦଳ ଅଂଶଗ୍ରହଣ କରିଥିଲା ଓ ଗୋଟିଏ ସ୍ବର୍ଣ୍ଣ, ଦୁଇଟି ରୌପ୍ୟ ଓ ୪ଟି କାଂସ୍ୟ ପଦକ ସମେତ ମୋଟ ୭ ଗୋଟି ପଦକ ହାସଲ କରିଥିଲା। ଏହି ଅଲିମ୍ପିକ୍ସର ସବୁଠାରୁ ବଡ଼ ଉପଲବ୍ଧି ହେଲା, ଭାରତର ନିରଜ ଚୋପ୍ରା ଜାଭେଲିନ୍‌ ଥ୍ରୋରେ ଐତିହାସିକ ସ୍ବର୍ଣ୍ଣପଦକ ହାସଲ କରି ଆଥ୍‌ଲେଟିକ୍ସ ଇଭେଣ୍ଟରେ ଅଲିମ୍ପିକ୍ସରେ ସ୍ବର୍ଣ୍ଣପଦକ ଲାଭ କରିବାରେ ପ୍ରଥମ ଭାରତୀୟ ହେଲେ। ଏହା ବ୍ୟତୀତ ଦ୍ୱିତୀୟ ଭାରତୀୟ ଭାବେ ବ୍ୟକ୍ତିଗତ ସ୍ପର୍ଦ୍ଧାରେ ସ୍ବର୍ଣ୍ଣପଦକ ବିଜେତା ହେଲେ। ଉପରଲିଖିତ ତଥ୍ୟାବଳୀକୁ ବିଶ୍ଳେଷଣ କଲେ ଜଣାଯାଏ ଯେ, ଆଧୁନିକ ଅଲିମ୍ପିକ କ୍ରୀଡ଼ାରେ ଭାରତ ଅଦ୍ୟାବଧି ୧୦ ସ୍ବର୍ଣ୍ଣ, ୯ ରୌପ୍ୟ ଓ ୧୬ ବ୍ରୋଞ୍ଜ ଏପରି ମୋଟ ୩୫ ଗୋଟି ପଦକ ହାସଲ କରିପାରିଛି। ଜନସଂଖ୍ୟା ସ୍ଥିତିକୁ ବିଚାର କରାଗଲେ ଅନ୍ୟ ରାଷ୍ଟ୍ରମାନଙ୍କ ତୁଳନାରେ ଆମର ଉପଲବ୍ଧି ନିରୁତ୍ସାହଜନକ ରହିଛି।

ଭାରତୀ ଭୂଷଣ ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ବିଗ ବିଙ୍କ ଜନ୍ମଦିନରେ ସୋସିଆଲ ମିଡିଆରେ ଏଭଳି କହିଲେ ଐଶ୍ୱର୍ଯ୍ୟା, ଚାରିଆଡ଼େ ଚର୍ଚ୍ଚା

ମୁମ୍ବାଇ, ୧୨।୧୦: ବଲିଉଡ୍‌ର ମହାନାୟକ ଅମିତାଭ ବଚ୍ଚନଙ୍କ ଜନ୍ମଦିନ ତାଙ୍କ ପ୍ରଶଂସକଙ୍କ ପାଇଁ କୌଣସି ଉତ୍ସବଠାରୁ କମ୍ ନୁହେଁ। ପ୍ରତିବର୍ଷ ଅକ୍ଟୋବର ୧୧ ତାରିଖରେ ତାଙ୍କ ଜନ୍ମଦିନ…

ଘସିପୁରାରେ ମହିଳାଙ୍କୁ ହତ୍ୟା ଉଦ୍ୟମ : ବାପା-ପୁଅ ଗିରଫ

ହାଟଡିହୀ/ଆନନ୍ଦପୁର/ଛେନାପଦୀ,୧୨ା୧୦(ଶୁଭକାନ୍ତ ନାୟକ/ଶ୍ରୀଧର ମହାରଣା/ନିରାକାର ପରିଡା): କେନ୍ଦୁଝର ଜିଲା ଘସିପୁରା ଅଞ୍ଚଳର ଜଣେ ମହିଳାଙ୍କୁ କିଛି ଲୋକ ମିଳିମିଶି ଅଟକାଇବା, ଅଶ୍ଳୀଳ ଭାଷାରେ ଗାଳି ଦେବା ସହିତ ହତ୍ୟା…

ଖୁବ ଖୁସି ଅଛନ୍ତି ଅଧିନାୟକ ଶ୍ରେୟସ ଆୟର, ହେଲେ ଏହା ପଛର କାରଣ କ’ଣ ଜାଣନ୍ତୁ

ନୂଆଦିଲ୍ଲୀ,୧୨।୧୦: ରବିବାର ଭାରତ ୱେଷ୍ଟଇଣ୍ଡିଜକୁ ୧୪ ରନରେ ପରାସ୍ତ କରି ସିରିଜରେ ୨-୧ରେ ଅଗ୍ରଣୀ ହାସଲ କରିଛି। ଅଭିଷେକ ଶର୍ମାଙ୍କ ଅର୍ଦ୍ଧଶତକ ଏବଂ ଅନ୍ୟ ଖେଳାଳିଙ୍କ ଉପଯୋଗୀ…

ଏହି ଖେଳାଳିଙ୍କ ରେକର୍ଡ ଭାଙ୍ଗି ଇତିହାସ ରଚିଲେ ଅଭିଷେକ ଶର୍ମା,ସମସ୍ତେ କରୁଛନ୍ତି ଖୁବ ପ୍ରଶଂସା

ନୂଆଦିଲ୍ଲୀ,୧୨।୧୦: ଇନ୍ଦୋରରେ ୱେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚରେ ଅଭିଷେକ ଶର୍ମା ୫ଟି ଛକା ଓ ୬ଟି ଚୌକା ସହାୟତାରେ ୬୯ ରନର ଏକ ଚମତ୍କାର ଇନିଂସ ଖେଳିଥିଲେ। ୨୩୦ର…

ଭୁବନେଶ୍ବରରେ ଚାଞ୍ଚଲ୍ୟ! ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍‌ଦାର ଗିରଫ, ଅଭିଯୋଗ ଚାପିଥିଲା ବଡ଼ଗଡ଼ ପୋଲିସ

ଭୁବନେଶ୍ୱର,୧୨ା୧୦(ତ୍ରିନାଥ ମହାନ୍ତି): ମହିଳାଙ୍କୁ ସୁରକ୍ଷା ବଦଳରେ ଇଜ୍ଜତ ଲୁଟୁଛି ପୋଲିସ। ଖୋଦ୍‌ ଜଣେ ରାଜନେତ୍ରୀଙ୍କୁ ୬ ମାସ ହେବ ଯୌନ ନିର୍ଯାତନା ଦେଉଥିଲେ ପୋଲିସ କର୍ମଚାରୀ। ରାତି…

କେସିଙ୍ଗା ଛାତ୍ର ସଂସଦ ନିର୍ବାଚନ, ବିଜେଡି ପ୍ରାର୍ଥୀ ଅନୁଭବଙ୍କ ନାମାଙ୍କନ କାୟମ

କେସିଙ୍ଗା,୧୨ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ମହାବିଦ୍ୟାଳୟର ବିଜେଡି ସମର୍ଥିତ ଛାତ୍ର ନେତା ଅନୁଭବ ପଟ୍ଟନାୟକ ସଭାପତି ପଦ ପାଇଁ ନାମାଙ୍କନ କାୟମ୍ କଲେ ମହାବିଦ୍ୟାଳୟର ନିର୍ବାଚନ…

କମୁଛି କେନ୍ଦ୍ରୀୟ ସହାୟତା, ପୌରାଞ୍ଚଳକୁ ଟଙ୍କାଟିଏ ମିଳିନି

ଭୁବନେଶ୍ୱର,୧୨ା୧୦(ରବିନାରାୟଣ ଜେନା): କେନ୍ଦ୍ର ସରକାରଙ୍କ ପକ୍ଷରୁ କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନା(ସିଏସ୍‌ଏସ୍‌), ଷୋଡ଼ଶ ଅର୍ଥ ଆୟୋଗଙ୍କ ସୁପାରିସ ଓ ରାଜ୍ୟଗୁଡ଼ିକୁ ସ୍ବତନ୍ତ୍ର ସହାୟତା ଯୋଜନା(ଏସ୍‌ଏଏସ୍‌ସିଆଇ)ଭଳି ବିଭିନ୍ନ ପ୍ରକାରରେ ଆର୍ଥିକ…

ଏଇ ଭାରତରେ

ବିନୟ ଦାସ ଦିଲ୍ଲୀର ଓ୍ବାଜିରପୁରରେ ରହୁଥିବା ପ୍ରବାସୀ ଶ୍ରମିକଙ୍କ ପିଲାଙ୍କୁ ମାଗଣାରେ ପଢ଼ାଉଛନ୍ତି। ସେ ୨୦୧୩ରେ ପ୍ରଥମେ ତାଙ୍କ ପଡ଼ିଶା ଘର ପିଲାଙ୍କୁ ପଢ଼ାଇବା ଆରମ୍ଭ କରିଥିଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?