କୋଲକାତା,୧।୯: ପଶ୍ଚିମବଙ୍ଗର ଟିଏମସି ସୁପ୍ରିମୋ ମମତା ବାନାର୍ଜୀଙ୍କ ଝିଆରୀଙ୍କ ଆତ୍ମହତ୍ୟା। ତାଙ୍କର ମୃତଦେହ ମଙ୍ଗଳବାର ବୀରଭୂମ ଜିଲାର ରାମପୁରହାଟରେ ରହସ୍ୟଜନକ ପରିସ୍ଥିତିରେ ଉଦ୍ଧାର ହୋଇଥିବା ପୋଲିସ କହିଛି। ମୃତକଙ୍କ ପରିଚୟ ବୃଷ୍ଟି ମୁଖାର୍ଜୀ ଘଟକ ଭାବେ ଜଣାପଡ଼ିଛି। ତାଙ୍କ ମୃତ୍ୟୁର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।
ରାମପୁରହାଟ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ଏବଂ ମୃତଦେହ ବ୍ୟବଚ୍ଛେଦ (ପୋଷ୍ଟମର୍ଟମ) ପାଇଁ ମୃତଦେହକୁ ରାମପୁରହାଟ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲକୁ ପଠାଇଛି। ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ମୃତ୍ୟୁ ପୂର୍ୱରୁ ବୃଷ୍ଟିଙ୍କର ତାଙ୍କ ସ୍ୱାମୀଙ୍କ ସହ ଛାଡ଼ପତ୍ର ପ୍ରକ୍ରିୟା ଚାଲିଥିଲା। ଏହା ପୂର୍ୱରୁ ପ୍ରାଥମିକ ଶିକ୍ଷକ ନିଯୁକ୍ତି ମାମଲାରେ ସେ ବେଆଇନ ଭାବେ ଚାକିରି ପାଇଥିବା ଅଭିଯୋଗକୁ ନେଇ ମଧ୍ୟ ବିବାଦରେ ଛନ୍ଦି ହୋଇଥିଲେ। ପୋଲିସ ତାଙ୍କ ମୃତ୍ୟୁ ସମ୍ପର୍କିତ ପରିସ୍ଥିତିର ତଦନ୍ତ କରୁଛି। ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ଅଧିକ ତଥ୍ୟ ମିଳିବ ବୋଲି ଆଶା କରାଯାଉଛି।

