ଶାସିତର ସାହିତ୍ୟ

ମାୟାଧର ନାୟକ

ଆମ ଓଡ଼ିଶାରେ ଯେଉଁ ଧରଣର ଧାରା ସାହିତ୍ୟ କ୍ଷେତ୍ରରେ ଦେଖାଦେଉଛି, ସେ ଧାରାକୁ ଆଧୁନିକ ଓ ଉତ୍ତର-ଆଧୁନିକ ବୋଲି ଡିଣ୍ଡିମ ପିଟାଯାଉଛି। ଏ ଡିଣ୍ଡିମ ପିଟୁଛନ୍ତି କେଉଁମାନେ? ବୁଦ୍ଧିଜୀବୀ ଓ ସାହିତ୍ୟର ସମୀକ୍ଷକ ବୋଲାଉଥିବା ଦଳେ ଦାୟିତ୍ୱହୀନ ବ୍ୟକ୍ତି। ହୁଏତ ସେମାନଙ୍କ ମଧ୍ୟରୁ ଶତକଡ଼ା ୭୦ ଶିକ୍ଷା ବିଭାଗ କର୍ମଚାରୀ, ବାକି ୩୦ ଅନ୍ୟାନ୍ୟ ସରକାରୀ ଚାକିରିଆ। ଯେଉଁ ଧାରାର ସାହିତ୍ୟ ସମ୍ପର୍କରେ ଓଡ଼ିଶାରେ ଏତେ ତୁମ୍ବିତୋଫାନ୍‌ ସୃଷ୍ଟି କରାଯାଇ ଆସୁଛି, ସେ ସାହିତ୍ୟ ବି ଲେଖନ୍ତି କେଉଁମାନେ? ହଁ, ଏଇ ଧରଣର ପ୍ରଚାରିତ ସାହିତ୍ୟର ସୃଷ୍ଟିକର୍ତ୍ତାମାନେ ମୁଖ୍ୟତଃ ସରକାରୀ କଳର ବିଭିନ୍ନ ପଦାଧିକାରୀ ବ୍ୟକ୍ତି। ଏଇ ପଦାଧିକାର ବଳରେ ସେମାନେ ନିଜ ସୃଷ୍ଟି ସପକ୍ଷରେ ଉପରୋକ୍ତ ବୁଦ୍ଧିଜୀବୀ ଓ ସମୀକ୍ଷକବର୍ଗଙ୍କ ନିକଟରୁ ଆଦାୟ କରି ନେଇଥାନ୍ତି ଅପରିମିତ ସ୍ବୀକୃତି ଓ ସମର୍ଥନ। ଯେଉଁ ଅଳ୍ପ କେତେଜଣ ପ୍ରକୃତ ପ୍ରତିଭାସମ୍ପନ୍ନ ସାହିତ୍ୟକାର ବିନା ସ୍ବୀକୃତି ଓ ପୁରସ୍କାରରେ ଅମର ସାହିତ୍ୟ ସୃଷ୍ଟି କରିବାରେ ତପସ୍ୟାରତ, ସେମାନେ ଦୀର୍ଘକାଳ ରହିଯା’ନ୍ତି ଲୋକଲୋଚନର ଅଗୋଚରରେ। ଏଇ ଅଳ୍ପ କେତେଜଣ ସାହିତ୍ୟକାର ବିନା ଗୋଷ୍ଠୀ, ବିନା ଚର୍ଚ୍ଚା, ବିନା ଭାଟବନ୍ଦନା ମଧ୍ୟରେ ନିଜର ବିଶ୍ୱାସକୁ ନେଇ ବଞ୍ଚି ରହନ୍ତି କେବଳ। ସେମାନଙ୍କ ମୃତ୍ୟୁ ପରେ ଏ ସମାଜ କାନ୍ଦେ, ଏ ବ୍ୟବସ୍ଥା ଦାବି କରେ ଶହେ ତୋପର ସଲାମି ! ଏଇ ତ ଅବସ୍ଥା।
ବର୍ତ୍ତମାନର ସାହିତ୍ୟ କ’ଣ ସତରେ ଆଧୁନିକ ସାହିତ୍ୟ? ଆଧୁନିକ ସାହିତ୍ୟ ନ କହି ଏ ସାହିତ୍ୟକୁ ବରଂ ଶାସିତର ସାହିତ୍ୟ କହିଲେ ଅଧିକ ଯଥାର୍ଥ ହେବ। ଶାସିତର ସାହିତ୍ୟ ଏଇଥିପାଇଁ ଯେ ସେଥିରେ ଆଧୁନିକତାର କୌଣସି ଚିହ୍ନବର୍ଣ୍ଣ ନାହିଁ ା ଜୀବନ ଆଗେଇ ଚାଲିବ, ପୃଥିବୀ କେତେ ପରିବର୍ତ୍ତନ ସାମ୍ନା କରୁଚି, ସମାଜରେ ନାନା ସଂଶୟ ଓ ସଂଘାତ ଉପୁଜୁଚି, ବ୍ୟକ୍ତି କେତେ ଜଟିଳତାରେ ଜର୍ଜରିତ ହେଉଚି, ମଣିଷ ଜାତିର ଭବିଷ୍ୟତକୁ ନେଇ କେତେ କ’ଣ ଖେଳ ଆରମ୍ଭ ହୋଇସାରିଚି ସବୁଠି ଆଶଙ୍କା, ଆତଙ୍କ, ଆପଦର ଆବର୍ତ୍ତ- ଅଥଚ ଚାରି କାନ୍ଥର ଚୌହଦି ମଧ୍ୟରେ ସାହିତ୍ୟ ନାମରେ ଚାଲିଚି ସୌଖୀନ ସର୍ଜନା! ବୁଦ୍ଧି ଅଛି, ବିବେକ ନାହିଁ… ମସ୍ତିଷ୍କ ଅଛି, ହୃଦୟ ନାହିଁ… ପ୍ରଚାର ଅଛି, ପ୍ରାଣ ନାହିଁ ଏମିତି ଏକ ଅନ୍ଧମୁହାଣିରେ ଓଡ଼ିଶାର ସାହିତ୍ୟ ଆଜି କେବଳ ଭୁଆଁ ବୁଲୁଛି। ସାହିତ୍ୟ ଲେଖୁଛନ୍ତି ବୋଲି ଧରାଯାଉଥିବା ବହୁ ଧୁରୀଣ ବ୍ୟକ୍ତି ନିଜ ନିଜକୁ ଲେଖକ ରୂପରେ ଚିହ୍ନଟ କରାଉଛନ୍ତି ସିନା, ମାତ୍ର ପ୍ରକୃତରେ ସେମାନେ କ’ଣ ଲେଖକ ପଦବାଚ୍ୟ? ବରଂ ଲେଖକ ନ କହି ସେମାନଙ୍କୁ ଲେଖାଳି କହିଲେ ଠିକ୍‌ ହେବ। ସେମାନେ ଲେଖାଳି କାହିଁକି ନା ସେମାନଙ୍କର ସାହିତ୍ୟ ଚିନ୍ତନ ମୌଳିକତାହୀନ, ସାହିତ୍ୟଦୃଷ୍ଟି ମନନଶୂନ୍ୟ। ନିଜ ମାଟି ପାଣି ପବନର ରୂପ-ରସ-ଗନ୍ଧ ସେମାନଙ୍କ ସାହିତ୍ୟରେ ନାହିଁ। ଏକ ପ୍ରକାର ଔପନିବେଶିକ ଅନୁଶାସନକୁ ଅକ୍ଷରେ ଅକ୍ଷରେ ମାନିନେଇ ସେମାନେ ଆଧୁନିକ ସାହିତ୍ୟ ଲେଖନ୍ତି ବୋଲି ପ୍ରଚାରିତ ହୋଇ ଆସୁଛନ୍ତି ମାତ୍ର। ନ ହେଲେ ମାଟି ଆଉ ମଣିଷର ମର୍ମକଥା, ସମକାଳୀନ ପ୍ରଜନ୍ମର ପ୍ରାଣପୀଡ଼ା, ନିଜ ସମୟର ଅନ୍ତଃସ୍ବରରୁ ସେମାନଙ୍କ ସାହିତ୍ୟ ବଞ୍ଚିତ।
ବର୍ତ୍ତମାନର ସାହିତ୍ୟ କିତାବୀ ସାହିତ୍ୟ। ଓଡ଼ିଆ ଭାଷାରେ ଏଇ କୋଡ଼ିଏ ତିରିଶ ବର୍ଷ ଧରି ସାହିତ୍ୟ ଆଳରେ କେବଳ ଏକ ଅଭ୍ୟାସକୁ ଅକ୍ଷର ରୂପ ଦିଆଯାଇ ଆସୁଛି। ମହାଭାରତରେ କୋକୁଆ ମାତିବା ପରି ଏବର ସାହିତ୍ୟରେ ସେମିତି ଅବକ୍ଷୟର ଅଣଚାଶ ମାଡ଼ି ଆସିଚି। ଯେଉଁଠି ଦେଖ କେବଳ ଶୂନ୍ୟତାର ସ୍ବର, ହତାଶାର ହାହାକାର, ବିଚିତ୍ର ବିକଳପଣର ବିଜ୍ଞପ୍ତି। ସାହିତ୍ୟରେ ଦେଖାଦେଇଛି ବିଷୟବସ୍ତୁର ସଙ୍କଟ। ଶୈଳୀସର୍ବସ୍ବ ଆଭିମୁଖ୍ୟ ଆଜି ସାହିତ୍ୟର ଧେୟ ଓ ଶ୍ରେୟ। ଆମର ଅଧିକାଂଶ ଲେଖକ କେତେଦୂର ଗାଁ ଗହଳର ଗହନ ଚିତ୍ରକୁ ରଙ୍ଗାଇ ପାରନ୍ତି ? ସେମାନେ କ’ଣ ସାଧାରଣ ମଣିଷର କଥା ଓ ବ୍ୟଥାକୁ ନିଜ ସାହିତ୍ୟର ସରହଦକୁ ପାଛୋଟି ଆଣିଛନ୍ତି? ବର୍ତ୍ତମାନର ସାହିତ୍ୟରେ ବର୍ତ୍ତମାନର ଜୀବନ ନାହିଁ, ସ୍ପର୍ଶ ନାହିଁ, ସଂଘର୍ଷ ନାହିଁ- ପରିବର୍ତ୍ତନ ଓ ବିବର୍ତ୍ତନର ପ୍ରମାଣପତ୍ର ନାହିଁ। ସୁତରାଂ ସାଂପ୍ରତିକ ସାହିତ୍ୟ ସମାଜ ଜୀବନଠାରୁ ସୁଦୂରବର୍ତ୍ତୀ ହୋଇଉଠିବା ଫଳରେ ପାଠକୀୟତା ହରାଇ ବସୁଛି। ହଁ, ଆଜି ଓଡ଼ିଆ ସାହିତ୍ୟରେ ଶହଶହ ଲେଖକଙ୍କ ଥାଟପଟାଳି, ମାତ୍ର ପାଠକ ଶହେରେ ସାତଜଣ ବାହାରିବେ କି ନାହିଁ ସନ୍ଦେହ! ଏପରି କି ଯେଉଁମାନେ ତିରିଶ ଚାଳିଶବର୍ଷ ହେଲା ଲେଖାଲେଖି କରି ଆସୁଛନ୍ତି ସେମାନେ ନିଜ ଲେଖା ଛଡ଼ା ଅନ୍ୟ ଲେଖକମାନଙ୍କୁ ପଢ଼ିଥାନ୍ତି କି ଆନ୍ତରିକତାର ସହିତ? ବରଂ ଓଡ଼ିଆ ଭାଷାର ଲେଖକ ତା’ ନିଜ ଭାଷାର ବହି ନ କିଣି କିଣିଥାଏ ବିଦେଶୀ ଭାଷାର ବହି। ସଦ୍ୟ ବିଦେଶୀ ଲେଖକମାନଙ୍କ ସବୁ ଖବର ତା’ ନଖଦର୍ପଣରେ!
ମଁୁ କହୁନାହିଁ ଯେ ବିଦେଶୀ ଲେଖକଙ୍କ ବହିକୁ ବର୍ଜନ କରାଯାଉ କାହିଁକି ନା ସାହିତ୍ୟରେ ଏ ପ୍ରକାର ସ୍ବଦେଶୀ ଆନ୍ଦୋଳନର କୌଣସି ସ୍ଲୋଗାନ୍‌ ବେଶିଦିନ ଚାଲିପାରେନା। କହିବାର କଥା ହେଉଚି- ନିଜ ଭାଷା, ନିଜ ସାହିତ୍ୟ ପ୍ରତି ଆମ ତଥାକଥିତ ଲେଖକମାନଙ୍କର ଏ ଧାରାବାହିକ ହୀନମନ୍ୟତାକୁ ଆମେ ବରଦାସ୍ତ କରି ଚାଲିଥିବା ଆଉ କେତେଦିନ?
ଏବେ ଆଉ ଏକ ଦୁଃଖଦାୟକ ଦିଗ ଉପରେ ଆଲୋକପାତ କରାଯାଉ। ଆଜି ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ଲେଖକମାନଙ୍କ ଗହଳଚହଳ ଯେତେ ନଜରକୁ ଆସୁଛି, ସେ ଗହଳି ଭିତରେ ଆମେ କୌଣସି ବ୍ୟକ୍ତିତ୍ୱଗତ ବିଶାଳତା କି ବ୍ୟାପକତା ଲକ୍ଷ୍ୟ କରିପାରୁଛୁ କି ? ଏଇ କିଛିବର୍ଷ ତଳେ ଆମେ ଦେଖୁଥିଲୁ ମହାନ୍‌ ସାହିତ୍ୟକର୍ମା ସେଇ ବିରଳ ବ୍ୟକ୍ତିତ୍ୱମାନଙ୍କୁ, ଯେଉଁଦିନ ପ୍ରତିଭାତ ହେଉଥିଲେ ଗୋଟିଏ ଗୋଟିଏ ଅନବଦ୍ୟ ନକ୍ଷତ୍ର ଭଳି। ମଁୁ ନିଜେ ଲକ୍ଷ୍ୟ କରିଚି, ସାହିତ୍ୟଦୃଷ୍ଟି ଓ ଦର୍ଶନକୁ ନେଇ ସେମାନେ ମଞ୍ଚରେ ବିତର୍କ ସୃଷ୍ଟି କରିଥାନ୍ତି ସିନା ହେଲେ ବ୍ୟକ୍ତିଗତ ସମ୍ପର୍କରେ ସେମାନେ ବରାବର ବନ୍ଧା ଥିଲେ ପରମ ସୌହାର୍ଦ୍ଦ୍ୟର ସୂତ୍ରରେ। ଆଜିର ଓଡ଼ିଆ ସାହିତ୍ୟରେ ବ୍ୟକ୍ତିତ୍ୱର ସଙ୍କଟ ଏକ ଦୁଃଖଦ ସତ୍ୟ। ଇତିହାସରେ ଡାଇନୋସର୍‌ମାନଙ୍କ ଯୁଗ ସରିଯାଇଥିବା ପରି ସାହିତ୍ୟରେ ମଧ୍ୟ ସଂପ୍ରତି ବ୍ୟକ୍ତିତ୍ୱର ସ୍ବର ନିଶ୍ଚିହ୍ନ। ପୁରସ୍କାର ନ ପାଇଥିବା ବହୁ ବ୍ୟକ୍ତିତ୍ୱଶାଳୀ ସାହିତି୍ୟକଙ୍କ ସିଂହାସନ ଥିଲା ସେତେବେଳେ ପାଠକର ହୃଦୟ!
ଏ ସୌଭାଗ୍ୟ କିନ୍ତୁ ଆଜିର ବହୁ ନାମୀଦାମୀ ପୁରସ୍କାରପ୍ରାପ୍ତ ଲେଖକଙ୍କ କପାଳରେ ଜୁଟିପାରିଛି କି?
ଶାସିତର ସାହିତ୍ୟ ଏ ଆଜିର ସାହିତ୍ୟ। ସାଧାରଣ ମଣିଷର ଅନୁପ୍ରବେଶ ଏ ସାହିତ୍ୟରେ କାହିଁ? ଶାସନର ବରାଦୀ ବ୍ୟବସ୍ଥା ଭିତରେ, ପ୍ରଶାସନର ପ୍ରହେଳିକା ମଧ୍ୟରେ ସାହିତ୍ୟ ଦ୍ୱାହିରେ ସୃଷ୍ଟି ହେଉଛି ପ୍ରବଞ୍ଚନାର ପ୍ରସାରିତ ପରମ୍ପରା। ବିବେକବୋଧ ନୁହେଁ, ବିଚାରବୋଧ ନୁହେଁ ବିଶ୍ୱାସଘାତକତା ହିଁ ହୋଇପଡ଼ିଛି ଓଡ଼ିଆ ସାହିତ୍ୟର ମୁଖ୍ୟ ବିଷୟବସ୍ତୁ। ଆଜିର ସାହିତ୍ୟ ପ୍ରକୃତରେ ବିଶ୍ୱାସଘାତକତା କରିଚାଲିଚି ଚାରିପଟର ଛିନ୍ନବିଚ୍ଛିନ୍ନ ସମାଜଜୀବନ ପ୍ରତି ଏବଂ ଆଜିର ଲେଖକ ମଧ୍ୟ ନିଜ ପ୍ରତି।
ଆଜି ଓଡ଼ିଆ ସାହିତ୍ୟ ଏଇ ବିଶ୍ୱାସକୁ ଫେରାଇ ଆଣିବା ଦରକାର – ଯାହା ଏ ଆଧୁନିକ ସାହିତ୍ୟର ସାମର୍ଥ୍ୟ ବାହାରେ ା ଆଧୁନିକ ସାହିତ୍ୟର ମୁଖାପିନ୍ଧା ଏକ ବିଶ୍ୱାସଘାତକ ପରମ୍ପରାର ପୂର୍ଣ୍ଣଚ୍ଛେଦ ନ ପଡ଼ିଲେ, ପ୍ରକୃତ ସାହିତ୍ୟ ପାଇଁ ସମ୍ଭାବନା ସୃଷ୍ଟି ହେବ କିପରି ।
ଯାଜପୁର ରୋଡ୍‌, ଯାଜପୁର
ମୋ : ୯୮୬୧୦୩୪୧୬୩


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପୋଲିସ ଚାକିରି କରି ସମାଜ ସେବାରେ ସମୟ ଦେଉଛନ୍ତି ପି. କାର୍ତ୍ତିକ। ତାମିଲନାଡୁର ଛେଙ୍ଗଲାପେଟ ଟାଉନ ଥାନାର କନ୍‌ଷ୍ଟେବଲ ଭାବେ ଦାୟିତ୍ୱ ନିର୍ବାହ କରିବା ସହ ସେ…

ଯୁଦ୍ଧ ଓ ପରିବେଶ

ବର୍ତ୍ତମାନ ପୃଥିବୀରେ ଏକ ପକ୍ଷରେ ଯୁକ୍ତରାଷ୍ଟ୍ର ଆମେରିକା ଓ ଇସ୍ରାଏଲ ଏବଂ ଅନ୍ୟପକ୍ଷରେ ଇରାନ ଯୁଦ୍ଧରେ ବ୍ୟସ୍ତ। ଅନେକ କୋଠା ଧ୍ୱଂସ ପାଉଛି ଏବଂ ଅନେକ ଲୋକ…

ଭିଡ଼ହିଂସା: କାର୍ଯ୍ୟାନୁଷ୍ଠାନ ଜରୁରୀ

ଚଳିତ ମାସରେ ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଥାନା ଇଲାକାରେ ଭିଡ଼ ହଂସାର ଏକ ବୀଭତ୍ସ ଘଟଣା ସାମ୍ନାକୁ ଆସିଛି। ରାସ୍ତାରେ ବାଇକ୍‌ ଯୋଗେ ଯାଉଥିବା ବେଳେ ସ୍କୁଟି…

ସମସ୍ତେ ବେଜିଂ ମୁହାଁ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ୧୫ ମେ’ରେ ଚାଇନା ପ୍ରତିପକ୍ଷ ଶି ଜିନ୍‌ପିଙ୍ଗଙ୍କ ସହ ଦୁଇ ଦିନିଆ ଆଲୋଚନା ଶେଷ କରି ଫେରିଛନ୍ତି। ଦୁଇ ନେତାଙ୍କ ମଧ୍ୟରେ…

ତାମିଲନାଡୁର ରାଜତାରକା

ଭାରତସାରା ଚର୍ଚ୍ଚା ହେଉଛି ଯେ ଦୁଇବର୍ଷ ତଳେ ରାଜନୈତିକ ଦଳ ତାମିଲାଗା ଭେଟ୍ରି କାଜାଗମ୍‌ (ଟିଭିକେ) ଗଢ଼ି ଅଭିନେତାରୁ ରାଜନେତା ପାଲଟିଥିବା ଚନ୍ଦ୍ରଶେଖରନ୍‌ ଯୋଶେଫ୍‌ ବିଜୟ ଗ୍ରୀନ୍‌…

ନିର୍ବାଚନ ପ୍ରକ୍ରିୟାରେ ଭୋଟର

”ଆଜିକାଲି ଜଣେ ଗୃହହୀନ ବ୍ୟକ୍ତିଙ୍କ ବାସସ୍ଥାନର ଆବଶ୍ୟକତା ପୂରଣ କରିବାକୁ ହେଲେ ବିଏଲ୍‌ଓ (ବୁଥ ସ୍ତରୀୟ ଅଧିକାରୀ) ରାତିରେ ଯାଇ ସେହି ବ୍ୟକ୍ତି ପ୍ରକୃତରେ ତାଙ୍କ ପ୍ରଦତ୍ତ…

ଆମ ବ୍ୟବସ୍ଥା ଓ ସାଧାରଣ ଜନତା

କେନ୍ଦୁଝରର ଜିତୁ ମୁଣ୍ଡା ଏବେ ସାରା ଭାରତ ଓ ବିଶ୍ୱରେ ଚର୍ଚ୍ଚିତ ହୋଇଛନ୍ତି। ନିଜ ମୃତ ଭଉଣୀଙ୍କ ନାମରେ ବ୍ୟାଙ୍କରେ ଥିବା ଟଙ୍କାକୁ ଉଠେଇବାକୁ ଯାଇ ବାରମ୍ବାର…

ପିଇବା ପାଣିର ବଜାରୀକରଣ

ବିଗତ ସତୁରି ଅଶୀ ଦଶକର କଥା। ବିନା ଦ୍ୱନ୍ଦ୍ୱରେ କୂଅ ଓ ନଳକୂଅରୁ ସିଧା ସଳଖ ଆମେ ପାଣି ପିଇ ଦେଉଥିଲୁ। ଏ କଥା ଏବେ ଭାବିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri