ଲେଖକ ସୃଷ୍ଟି ପାଇଁ ସାହିତ୍ୟ କର୍ମଶାଳା

ଡ. ଛାୟାକାନ୍ତ ଷଡ଼ଙ୍ଗୀ

 

କିଛିଦିନ ତଳେ ଖବରକାଗଜରେ ପ୍ରକାଶିତ ଏକ ଖବର ‘ବିଦ୍ୟାଳୟରୁ ସୃଷ୍ଟି ହେବେ ଲେଖକ’ ମୋତେ ବିସ୍ମିତ କରିଥିଲା। ଖବର ଅନୁସାରେ ଓଡ଼ିଶା ସାହିତ୍ୟ ଏକାଡେମୀ ତରଫରୁ ‘ମୁଁ ବି ଲେଖକ ହେବି’ ନାମରେ ଏକ କାର୍ଯ୍ୟକ୍ରମ ଆୟୋଜନ ହେବ। ଗଳ୍ପ, କବିତା, ଉପନ୍ୟାସ ଇତ୍ୟାଦି କିପରି ଲେଖାହେବ, ସେ ସମ୍ପର୍କରେ ତାଲିମ ଦେବା ପାଇଁ କର୍ମଶାଳା ଅନୁଷ୍ଠିତ ହେବ। ପୁରସ୍କାରପ୍ରାପ୍ତ ଲେଖକମାନେ ଏହି କର୍ମଶାଳାରେ ପ୍ରଶିକ୍ଷଣ ଦେବେ। ଏହି ଖବରଟି ମୋତେ ମନେପକାଇ ଦେଇଥିଲା ବିଶିଷ୍ଟ ସ୍ତମ୍ଭକାର ମନୋରଞ୍ଜନ ମହାନ୍ତିଙ୍କ ପ୍ରବନ୍ଧ ”ସାହିତ୍ୟରେ କର୍ମଶାଳା“। ସେ ସ୍ପଷ୍ଟ ଭାବରେ କହିଥିଲେ, ଜୀବନକୁ ଅନ୍ତରଙ୍ଗ ଭାବରେ ଅନୁଶୀଳନ କରି ନ ଥିଲେ ଓ ନିଜର ଅନ୍ତର୍ଦୃଷ୍ଟି ନ ଥିଲେ ଚାପ ପକାଇ ବା ତାଲିମ ଦେଇ କବି ବା ଲେଖକ ସୃଷ୍ଟି କରିବା ସମ୍ଭବ ନୁହେଁ। ଲେଖକ ହେବାପାଇଁ ସ୍ବତଃସ୍ଫୂର୍ତ୍ତତା ଓ ଅଭିବ୍ୟକ୍ତି ପାଇଁ ଆବେଗ ଥିବା ଦରକାର। ଅଭିମନ୍ୟୁ ସାମନ୍ତସିଂହାର ପିଲାଥିଲାବେଳେ ଗୋଟିଏ କରମଙ୍ଗା ଗଛତଳେ ବସି ଲେଖିଥିଲେ ‘କରମଙ୍ଗା ଗଛର ଛାଇ ଗୋ, କରମ ଯାହାର ସଫଳ ହୋଇବ, କୃଷ୍ଣଙ୍କୁ ପାଇବ ସେହି ଗୋ’। ଏହି ଆବେଗ ପରବର୍ତ୍ତୀ ସମୟରେ ତାଙ୍କ ଲେଖନୀ ମୁନରୁ ସୃଷ୍ଟି କଲା ‘ବିଦ୍‌ଗଧ ଚିନ୍ତାମଣି’ ଓ ‘ପ୍ରେମ ଚିନ୍ତାମଣି’ ଭଳି ଦୁଇଟି ରସମୟ କାବ୍ୟ। ଇଂରେଜ କବି ଆଲେକ୍‌ଜାଣ୍ଡାର ପୋପ୍‌ ପିଲାଦିନେ କବିତା ଲେଖୁଥିଲେ ବୋଲି ତାଙ୍କ ବାପା ତାଙ୍କୁ ମାଡ଼ ମାରିଥିଲେ। ସେ ମାଡ଼ ଖାଇବାବେଳେ କହିଥିଲେ, ”ପାପା ପାପା ପିଟି ଟେକ୍‌, ଭର୍ସେସ ସାଲ୍‌ ଆଇ ନେଭର ମେକ୍‌“। ତାଙ୍କର ଏହି ଉତ୍ତର ବାହାରି ଆସିଥିଲା କବିତା ଭାବରେ। ପରବର୍ତ୍ତୀ ସମୟରେ ସେ ହେଲେ ଅଷ୍ଟାଦଶ ଶତାବ୍ଦୀର ପ୍ରଭାବଶାଳୀ କବି। ଏମାନେ କେହି କେବେ କୌଣସି କର୍ମଶାଳାରେ ଲେଖିବା କଳା ସମ୍ପର୍କରେ ପ୍ରଶିକ୍ଷଣ ନେଇନଥିଲେ। ସେକ୍ସପିଅର, ମିଲ୍‌ଟନ୍‌, ୱାଡ୍ସୱର୍ଥ, କାଳିଦାସ, ଭବଭୂତି, ଫକୀର ମୋହନ ସେନାପତି, ରାଧାନାଥ, ଗଙ୍ଗାଧର ପ୍ରମୁଖ ପ୍ରତିଷ୍ଠିତ କବି ଓ ଲେଖକ କେହି ଲେଖିବା କଳା ଶିଖିବା ପାଇଁ ତାଲିମ ନେଇ ନ ଥିଲେ। ଲେଖକ ହେବା ପାଇଁ ଆବଶ୍ୟକ ଜୀବନର ଅନୁଶୀଳନ ଓ ଅଭିବ୍ୟକ୍ତି ପାଇଁ ଆବେଗ। ତା’ ସାଙ୍ଗକୁ ଅନ୍ୟମାନଙ୍କ ପ୍ରେରଣା ଓ ପୃଷ୍ଠପୋଷକତା ଲେଖକ ସୃଷ୍ଟି କରିବାରେ ସାହାଯ୍ୟ କରିପାରେ। ବିଶିଷ୍ଟ ବଙ୍ଗଳା ଲେଖକ ମନୋରଞ୍ଜନ ବ୍ୟାପାରୀଙ୍କ ସାହିତି୍ୟକ ଜୀବନ ଏହି ପ୍ରସଙ୍ଗରେ ଏକ ଦୃଷ୍ଟାନ୍ତ।
ମନୋରଞ୍ଜନ ବ୍ୟାପାରୀ କେବେ ସ୍କୁଲରେ ପାଦ ଦେଇନାହାନ୍ତି। ମାତ୍ର ତାଙ୍କର ଉପନ୍ୟାସ ଓ ଗଳ୍ପ ସଂକଳନ ଏତେ ପ୍ରଭାବଶାଳୀ ଯେ, ତାହା ଇଂଲିଶ୍‌ ଭାଷା ସହିତ ବିଭିନ୍ନ ଭାରତୀୟ ଭାଷାରେ ଅନୂଦିତ ହୋଇ ବହୁ ଲୋକପ୍ରିୟତା ହାସଲ କରିଛି। ସେ ଥିଲେ ଜଣେ ସାଧାରଣ ରିକ୍ସାଚାଳକ। ଭାରତ ସ୍ବାଧୀନ ହେଲା, ମାତ୍ର ବିଭାଜିତ ହେଲା। ପୂର୍ବବଙ୍ଗରୁ ଶହ ଶହ ପରିବାର ନିଜ ମାତୃଭୂମି ମୋହ ଛାଡ଼ି ଆଶ୍ରୟ ନେଲେ ଭାରତର ଶରଣାର୍ଥୀ ଶିବିରଗୁଡ଼ିକରେ। ସେତେବେଳେ ମନୋରଞ୍ଜନ ବ୍ୟାପାରୀଙ୍କୁ ମାତ୍ର ତିନି ବର୍ଷ। ତାଙ୍କୁ ପାଞ୍ଚବର୍ଷ ହେଲାବେଳକୁ କ୍ଷୁଧା ମେଣ୍ଟାଇବା ପାଇଁ ସେ ଜଣେ ଭଦ୍ରଲୋକଙ୍କ ଗୋରୁ ଚରାଇବା କାର୍ଯ୍ୟରେ ନିଯୁକ୍ତ ହେଲେ। ପରବର୍ତ୍ତୀ ସମୟରେ ସେ ହୋଟେଲରେ କପ୍‌ପ୍ଲେଟ ଧୋଇଲେ ଓ ଜଣେ କନଷ୍ଟେବଳଙ୍କ ଘରେ ରୋଷେଇଆ କାମ କଲେ। କେବଳ ସେତିକି ନୁହେଁ, ସେ ପେଟ ପୋଷିବା ପାଇଁ ଟ୍ରକରେ ଖଲାସି କାମ ଓ ଯାଦବପୁର ଷ୍ଟେଶନରେ କୁଲି କାମ ବି କଲେ। ପରେ ନକ୍ସଲ ଆନ୍ଦୋଳନରେ ଯୋଗ ଦେଇ ଗିରଫ ହେଲେ। ଜେଲ ଭିତରେ ଥିବାବେଳେ ଜଣେ ଉଚ୍ଚଶିକ୍ଷିତ ବନ୍ଦୀଙ୍କ ସଂସ୍ପର୍ଶରେ ଆସି ତାଙ୍କଠାରୁ ଲେଖିବା ଓ ପଢ଼ିବା ଶିଖିଲେ। ଜେଲରୁ ମୁକ୍ତ ହେବାପରେ ସେ ରିକ୍ସା ଚଳାଇ ଜୀବିକା ନିର୍ବାହ କଲେ। ଏହାରି ମଧ୍ୟରେ ସେ ପାଲଟି ଯାଇଥିଲେ ଜଣେ ପଠନପ୍ରିୟ ବ୍ୟକ୍ତି।
ଦିନେ ସେ ଜ୍ୟୋତିଷ ରାୟ କଲେଜ ବାହାରେ ଅପେକ୍ଷାରେ ଥାଆନ୍ତି। ସମୟ କାଟିବା ପାଇଁ ପଢ଼ୁଥାନ୍ତି ଗୋଟିଏ ବହି। ସେହି ବହିଟି ଥିଲା ‘ଅଗ୍ନିଗର୍ଭ’। ଏହି ସମୟରେ ଜଣେ ଭଦ୍ର ମହିଳା ତାଙ୍କ ରିକ୍ସରେ ଆସନ୍ତି ବସ୍‌ଷ୍ଟେଶନ ପର୍ଯ୍ୟନ୍ତ। ରାସ୍ତାରେ ଯିବାବେଳେ ସେ ଭଦ୍ର ମହିଳାଙ୍କୁ ପଚାରିଲେ, ‘ଦିଦି! ଆପଣଙ୍କ ପାଖରୁ ମୁଁ ଗୋଟିଏ କଥା ଜାଣିବାକୁ ଚାହୁଁଛିା ଜିଜୀବିଷାର ଅର୍ଥ କ’ଣ?’ ଭଦ୍ରମହିଳା କହିଲେ, ‘ବଞ୍ଚତ୍ବାର ଇଚ୍ଛା। ମାତ୍ର ତୁମେ ଏହି ଶବ୍ଦଟି ପାଇଲ କେଉଁଠୁ?’ ମନୋରଞ୍ଜନ କହିଲେ, ‘ବହିରୁ’। ତୁମେ କେତେ ପାଠ ପଢ଼ିଛ ପ୍ରଶ୍ନର ଉତ୍ତରରେ ସେ ପୁଣି କହିଲେ, ‘ମୁଁ ସ୍କୁଲ ଯାଇନାହିଁ। ମାତ୍ର ଜେଲରେ ଥିବାବେଳେ ଜଣେ ଶିକ୍ଷିତ ବନ୍ଦୀଙ୍କଠାରୁ ଲେଖିବା ପଢ଼ିବା ଶିଖିଛି।’ ଭଦ୍ରମହିଳା ପଚାରିଲେ, ‘ତୁମେ କ’ଣ ସବୁ ବହି ପଢ଼ିଛ?’ ମନୋରଞ୍ଜନ ପ୍ରାୟ କୋଡ଼ିଏ ଖଣ୍ଡ ବହିର ନାମ କହି ଦିଅନ୍ତେ ସେହି ଭଦ୍ରମହିଳା ବିସ୍ମିତ ହେଲେ। ସେ ଥିଲେ ‘ଅଗ୍ନିଗର୍ଭ’ ଉପନ୍ୟାସର ଲେଖିକା ମହାଶ୍ୱେତା ଦେବୀ। ସେ ସେହି ରିକ୍ସାଚାଳକ ମନୋରଞ୍ଜନକୁ ନିଜର ଠିକଣା ଦେଇ ତାଙ୍କ ଘରକୁ ଆମନ୍ତ୍ରଣ କଲେ। ମହାଶ୍ୱେତା ଦେବୀ କହିଲେ, ‘ତୁମେ ତୁମର ଜୀବନ କାହାଣୀକୁ ନିଜ ଭାଷାରେ ଲେଖି ମୋତେ ଦିଅ।’ ସେ ଲେଖିଲେ ଓ ତାହା ନିୟମିତ ଭାବରେ ମହାଶ୍ୱେତା ଦେବୀଙ୍କ ଦ୍ୱାରା ସଂପାଦିତ ‘ବର୍ତ୍ତିକା’ ପତ୍ରିକାରେ ପ୍ରକାଶ ପାଇଲା। ପରବର୍ତ୍ତୀ ସମୟରେ ତାଙ୍କର ଆମତ୍ଜୀବନୀ ‘ଇତିବୃତ୍ତେ ଚଣ୍ଡାଳ ଜୀବନ’ ସାହିତ୍ୟ ଏକାଡେମୀ ପୁରସ୍କାର ଲାଭକଲା। ସେ ଏବେ ଅନୂ୍ୟନ କୋଡ଼ିଏ ଖଣ୍ଡ ବହିର ଜନାଦୃତ ଲେଖକ। ପଶ୍ଚିମବଙ୍ଗ ସରକାର ତାଙ୍କୁ ଦଳିତ ସାହିତ୍ୟ ଏକାଡେମୀର ସଭାପତି ଭାବରେ ନିଯୁକ୍ତ କରି ସମ୍ବର୍ଦ୍ଧିତ କରିଛନ୍ତି। ପୁନଶ୍ଚ ସେ ଏବେ ବିଧାୟକ ଭାବରେ ନିର୍ବାଚିତ ହୋଇଛନ୍ତି। ଏହି ବିଶିଷ୍ଟ ଲେଖକ ମନୋରଞ୍ଜନ ବ୍ୟାପାରୀ କୌଣସି ପ୍ରତିଷ୍ଠିତ ଲେଖକଙ୍କ ପାଖରୁ ସାହିତ୍ୟ ସୃଷ୍ଟି କରିବାର କଳା ଶିକ୍ଷା କରିବାର ତାଲିମ ନେଇନାହାନ୍ତି। ମାତ୍ର ସେ ଆଜି ଜଣେ ପ୍ରତିଷ୍ଠିତ ପ୍ରଭାବଶାଳୀ ଲେଖକ। ତାଙ୍କର ଥିଲା ଜୀବନକୁ ଅନୁଶୀଳନ କରିବାରେ ଜିଜ୍ଞାସା ଓ ଅଭିବ୍ୟକ୍ତି ପାଇଁ ଆବେଗ, ଯାହାକୁ ପ୍ରେରିତ କରିଥିଲେ ବିଶିଷ୍ଟ ଲେଖିକା ମହାଶ୍ୱେତା ଦେବୀ। ସେଥିପାଇଁ ଲୋଡ଼ା ନ ଥିଲା କୌଣସି କର୍ମଶାଳା ବା ତାଲିମ କେନ୍ଦ୍ର।
ସାହିତ୍ୟ କର୍ମଶାଳା ଆୟୋଜନ କରି ତାଲିମ ଦେଇ ଲେଖକ ସୃଷ୍ଟି କରିବା ଏକ ବ୍ୟର୍ଥାଭିମୁଖୀ ପ୍ରୟାସ ଭଳି ମନେହୁଏ। କୌଣସି ଜଣେ ଲେଖକକୁ ଅନୁକରଣ କରି କେହି କେବେ ସଫଳ ଲେଖକ ହେବା ସମ୍ଭବ ନୁହେଁ। ଥିଲେ ଜଣେ ନିଃସନ୍ତାନ ମହିଳା। ସନ୍ତାନ କାମନା କରି ସେ ପହଞ୍ଚତ୍ଲେ ଜଣେ ମହାପୁରୁଷଙ୍କ ପାଖରେ। ଲୋଡ଼ିଲେ ତାଙ୍କର ଆଶୀର୍ବାଦ। ମହାପୁରୁଷ କହିଲେ, ”ମୋ ମାଆ ବି ଦିନେ ନିଃସନ୍ତାନ ଥିଲେ। ସେ ଏକ ସନ୍ତାନ ଆଶାରେ ତାଙ୍କ ଗୁରୁଙ୍କ ଆଶୀର୍ବାଦ ଲୋଡ଼ିଲେ। ଗୁରୁ କହିଲେ, ‘ତୁମେ ଏକ ରୁପାମୁଦ୍ରା ଧରି ଆସ ଓ ମୋତେ ଦେଖାକର। ମୋ ମାଆ ଗରିବ ଥିବାରୁ ରୁପାମୁଦ୍ରାଟିଏ ଯୋଗାଡ଼ କରିବାକୁ ତାଙ୍କୁ ଅନେକ ଦିନ ଲାଗିଗଲା। ତା’ରି ଭିତରେ ଗୁରୁ ଶହେ କୋଶ ଦୂରବର୍ତ୍ତୀ ଏକ ସ୍ଥାନକୁ ଚାଲିଯାଇଥିଲେ। ମୋ ମାଆ ଚାଲି ଚାଲି ସେ ସ୍ଥାନରେ ପହଞ୍ଚତ୍ବା ବେଳକୁ ଗୁରୁ ସେହି ସ୍ଥାନ ପରିତ୍ୟାଗ କରି ଆହୁରି ପଚାଶ କୋଶ ଦୂରରେ ତାଙ୍କ ତମ୍ବୁ ପକାଇଥିଲେ। ମୋ ମାଆ ସନ୍ତାନ ପ୍ରାପ୍ତି ପାଇଁ ଏତେ ବିକଳ ଥିଲେ ଯେ ସେ ପୁଣି ପଚାଶ କୋଶ ପାଦରେ ଅତିକ୍ରମ କରି ସେହି ସ୍ଥାନରେ ପହଞ୍ଚିଲେ। ଗୁରୁଙ୍କୁ ରୌପ୍ୟମୁଦ୍ରାଟି ଦେଇ ସେ ତାଙ୍କ ଆଶୀର୍ବାଦ ଭିକ୍ଷା କଲେ। ଗୁରୁ ପ୍ରୀତ ହେଲେ ଓ ଆଶୀର୍ବାଦ ଦେଲେ। ଯଥା ସମୟରେ ମୁଁ ଜନ୍ମ ହେଲି।’ ଏହା ଶୁଣି ପୂର୍ବୋକ୍ତ ସନ୍ତାନକାମୀ ମହିଳା କହିଲେ, ‘ମହାଭାଗ! ମୁଁ ବି ଆପଣଙ୍କ ମା’ ପରି ଗୋଟିଏ ରୁପାମୁଦ୍ରା ସଂଗ୍ରହ କରି ଆଣିବି। ଆପଣ ଯେତେ ଦୂରକୁ ଚାଲିଯାଇଥିଲେ ବି ମୁଁ ସେଠାରେ ପହଞ୍ଚତ୍ବି ଓ ଆପଣଙ୍କୁ ରୁପାମୁଦ୍ରାଟିଏ ଦେବି। ଆପଣ ମୋତେ ଆଶୀର୍ବାଦ ଦେବେ।’ ସେହି ମହାପୁରୁଷ କହିଲେ, ‘ଦେଖ! ମୋ ମାଆ ପାଖରେ କୌଣସି ଦୃଷ୍ଟାନ୍ତ ନଥିଲା। ସେ ଥିଲେ ସ୍ବତଃସ୍ଫୂର୍ତ୍ତ ପ୍ରେରଣା ଚାଳିତ ମାତ୍ର ତୁମେ ଦୃଷ୍ଟାନ୍ତ ଚାଳିତ। ଅନତିକ୍ରମ୍ୟ ଏ ପାର୍ଥକ୍ୟ।’ ବିଶିଷ୍ଟ ଲେଖକ ମନୋଜ ଦାସଙ୍କ ଦ୍ୱାରା କଥିତ ଏହି କାହାଣୀର ତାତ୍ପର୍ଯ୍ୟ ହେଲା, ପ୍ରେରଣା ଚାଳିତ ସାହିତ୍ୟରେ ଯେଉଁ ମୌଳିକତା ଥାଏ, ଅନୁକୃତ ସାହିତ୍ୟରେ ତାହା ନ ଥାଏ। ଏଣୁ ଲେଖକକୁ ଅନ୍ତଃପ୍ରେରଣା ଚାଳିତ ହେବାକୁ ଦିଆଯାଉ ଓ ସେହି ଅନ୍ତଃପ୍ରେରଣାରୁ ସୃଷ୍ଟି ହେଉ ସାହିତ୍ୟ। ସରକାର ବା ସାହିତ୍ୟ ଏକାଡେମୀ ଲେଖକ ସୃଷ୍ଟି କରିବା ପାଇଁ ତାଲିମ ଦେବା ଲାଗି କର୍ମଶାଳା ଆୟୋଜନ ନ କରି ସେହି ପ୍ରେରଣା ଚାଳିତ ସାହିତି୍ୟକମାନଙ୍କୁ ଖୋଜି ତାଙ୍କର ପୃଷ୍ଠପୋଷକତା କଲେ ସେମାନେ ଉତ୍ସାହିତ ହୋଇ ଲେଖନୀ ଚାଳନା କରିବେ ଓ ସାହିତ୍ୟଜଗତ ସେମାନଙ୍କ କୃତିରେ ସମୃଦ୍ଧ ହେବ।
ପ୍ରାକ୍ତନ କଲେଜ ଅଧ୍ୟକ୍ଷ, ଟିଟିଲାଗଡ଼
ମୋ: ୯୪୩୭୩୨୯୨୬୩


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?