ସୋସିଆଲ ମିଡିଆ ପାଇଁ ଲକ୍ଷ୍ମଣରେଖା

ବିଜନ କୁମାର ମହାପାତ୍ର

କେନ୍ଦ୍ର ସରକାର ସୋସିଆଲ ମିଡିଆ ପ୍ଲାଟଫର୍ମର ଦୁରୁପଯୋଗ ରୋକିବା ପାଇଁ ଜାରି କରିଛନ୍ତି ନୂଆ ମାର୍ଗଦର୍ଶିକା। ଫେବୃୟାରୀ ୨୫ ତାରିଖରେ ଭାରତ ସରକାର ସୂଚନା ପ୍ରଯୁକ୍ତି (ଗାଇଡଲାଇନ୍ସ ଫର୍‌ ଇଣ୍ଟରମିଡିଆରିଜ୍‌ ଓ ଡିଜିଟାଲ ମିଡିଆ ଏଥିକ୍ସ କୋଡ୍‌) ନିୟମ ୨୦୨୧ ଜାରି କରିଛନ୍ତି। ଜାନୁୟାରୀ ୨୬ ଲାଲକିଲ୍ଲା ହିଂସା ପରେ କେନ୍ଦ୍ର ସରକାର ଓ ସୋସିଆଲ ମିଡିଆ ପ୍ଲାଟଫର୍ମ ମଧ୍ୟରେ ବିବାଦ ଓ ମତଭେଦ ଦେଖାଦେଇଥିଲା। ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକ ପାଇଁ କିଛି ନୂଆ ନିୟମ ଲାଗୁ କରିବା ଲାଗି ଚିନ୍ତା କରୁଥିଲେ କେନ୍ଦ୍ର ସରକାର। ଏକ ସୁସ୍ଥ ଗଣତନ୍ତ୍ରରେ ବୈଚାରିକ ସହମତି ଓ ଅସହମତି ଅଭିବ୍ୟକ୍ତ କରିବାର ସ୍ବାଧୀନତା ନିଶ୍ଚିତ ଭାବେ ନାଗରିକର ଏକ ପ୍ରମୁଖ ଅଧିକାର। କିନ୍ତୁ ମୁକ୍ତ ଅଭିବ୍ୟକ୍ତିର ସ୍ବତନ୍ତ୍ରତା ନିରଙ୍କୁଶ ନୁହେଁ। ସୋସିଆଲ ମିଡିଆର ଲୋକପ୍ରିୟତା ବୃଦ୍ଧି ପାଇବା ସହ ନିଜ ନିଜର ମତାମତ ଜାହିର କରିବା ପାଇଁ ସମସ୍ତଙ୍କୁ ସହଜ ସୁବିଧା ଉପଲବ୍ଧ ହୋଇଛି। କିନ୍ତୁ ସୋସିଆଲ ମିଡିଆ ହିଂସା, ଦ୍ୱେଷ, ଘୃଣାକୁ ପ୍ରୋତ୍ସାହନ ଦେଉଥିବା ଅସାମାଜିକ ଲୋକଙ୍କ ପାଇଁ ସୁରକ୍ଷିତ ମାଧ୍ୟମ ପାଲଟିଛି। କିଛି ଲୋକଙ୍କ ଅସୁସ୍ଥ ଚିନ୍ତାଧାରାର ମଞ୍ଚ ବି ପାଲଟିଛି ସୋସିଆଲ ମିଡିଆ। ଭ୍ରମାତ୍ମକ ସୂଚନା, ଫେକ୍‌ ନ୍ୟୁଜ ଓ ଅର୍ଦ୍ଧସତ୍ୟ ଅବାଧ ଭାବେ ସୋସିଆଲ ମିଡିଆ ପ୍ଲାଟଫର୍ମ ଜରିଆରେ ପ୍ରସାରିତ ହେଉଛି। ଆଉ ଏହାର କୁପରିଣାମ ମଧ୍ୟ ସାମ୍‌ନାକୁ ଆସିଛି। ସୋସିଆଲ ମିଡିଆ ପାଇଁ ଏକ ଲକ୍ଷ୍ମଣରେଖା ଟାଣିବା ନେଇ ବେଶ୍‌ କିଛି ଦିନ ଧରି ଦେଶରେ ଚର୍ଚ୍ଚା ହେଉଥିଲା । ଉଭୟ ସପକ୍ଷରେ ଓ ବିପକ୍ଷରେ ମତ ପ୍ରକାଶ ପାଉଥିଲା। ଶେଷରେ କେନ୍ଦ୍ର ସରକାର ସୋସିଆଲ ମିଡିଆ ପ୍ଲାଟଫର୍ମ ପାଇଁ ମାର୍ଗଦର୍ଶିକା ଜାରି କରି ଲକ୍ଷ୍ମଣରେଖା ଟାଣିଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମର ଦୁରୁପଯୋଗ ରୋକିବା ପାଇଁ ଫେବୃୟାରୀ ୨୫ ତାରିଖରେ ଭାରତ ସରକାର ସୂଚନା ପ୍ରଯୁକ୍ତି (ଗାଇଡଲାଇନ୍ସ ଫର୍‌ ଇଣ୍ଟରମିଡିଆରିଜ୍‌ ଓ ଡିଜିଟାଲ ମିଡିଆ ଏଥିକ୍ସ କୋଡ୍‌) ନିୟମ ୨୦୨୧ ଜାରି କରିଛନ୍ତି।
କେନ୍ଦ୍ର ଦୂରସଞ୍ଚାର ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି ଯେ, ଫେକ୍‌ ନ୍ୟୁଜ ପ୍ରସାର, ସୋସିଆଲ ମିଡିଆର ଦୁରୁପଯୋଗ ନେଇ ଦେଶରେ ବାରମ୍ବାର ଚିନ୍ତା ପ୍ରକାଶ ପାଇଛି। ଏହାକୁ ଦୃଷ୍ଟିରେ ରଖି ସରକାର କିଛି ଗୁରୁତ୍ୱପୂର୍ଣ୍ଣ ମାର୍ଗଦର୍ଶିକା ପ୍ରସ୍ତୁତ କରିଛନ୍ତି। ଏବେ ସରକାର ବା କୋର୍ଟ ଯଦି ନିର୍ଦ୍ଦେଶ ଦିଅନ୍ତି, ତାହା ହେଲେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ମିଥ୍ୟା ଓ ଭ୍ରମାତ୍ମକ ସୂଚନା ପ୍ରଥମେ ପ୍ରଦାନ କରିଥିବା ବ୍ୟକ୍ତିଙ୍କ ସମ୍ପର୍କରେ ସୂଚନା ଦେବା ଅନିବାର୍ଯ୍ୟ କରାଯାଇଛି।
ସୋସିଆଲ ମିଡିଆ ଉପରେ ଅଙ୍କୁଶ ଲଗାଇବା ପାଇଁ କେନ୍ଦ୍ର ସରକାରଙ୍କ ନୂଆ ନିୟମ ଉପରେ ବିତର୍କ ତ ନିଶ୍ଚିତ ହେବ। ହେବା ବି ଜରୁରୀ। ଏହି ପଦକ୍ଷେପ ଦ୍ୱାରା ଅଭିବ୍ୟକ୍ତିର ସ୍ବତନ୍ତ୍ରତା କ୍ଷୁଣ୍ଣ ହେବ ବୋଲି ଅନେକେ କହିଲେଣି। କିନ୍ତୁ ଏଠାରେ ଗୋଟିଏ କଥା ଗମ୍ଭୀରତାର ସହ ବିଚାର କରିବା ଆବଶ୍ୟକ ଯେ, କୃଷକ ଆନ୍ଦୋଳନ ବେଳେ କୃଷକ ନରସଂହାର (ଫାର୍ମର ଜେନୋସାଇଡ୍‌) ଭଳି ହାସ୍‌ଟାଗ୍‌, ଟ୍ରେଣ୍ଡିଂ କରି ଟୁଇଟରରେ ଭାରତ ବିରୋଧୀ ଅଭିଯାନ ଚଳାଇବା, ହିଂସାକୁ ପ୍ରଶ୍ରୟ ଦେବା, ଭ୍ରମର ମାୟାଜାଲ ବୁଣି ଦେଶ ବିରୋଧରେ ବିଦ୍ୱେଷକୁ ପ୍ରୋତ୍ସାହିତ କରିବା ଅଭିଯୋଗ ଉପରେ ସରକାର ଭିନ୍ନ ବିଚାର ଉପସ୍ଥାପନ କରିଛନ୍ତି। ସୋସିଆଲ ମିଡିଆ କଟକଣା ଅନ୍ୟ ପକ୍ଷରେ ନାଗରିକ ଅଧିକାରକୁ କ୍ଷୁଣ୍ଣ କରିବା ମନେହେଉଛି। ନିକଟରେ ଘଟିଥିବା କିଛି ଘଟଣାରେ ଭାରତର ଏକତା ଓ ଅଖଣ୍ଡତା ସମ୍ପର୍କରେ ପ୍ରମୁଖ ସୋସିଆଲ ମିଡିଆ କମ୍ପାନୀଗୁଡ଼ିକର ଭୂମିକା ରହିଛି ବୋଲି ନିଶ୍ଚିତ ଭାବେ କୁହାଯାଇପାରିବ ନାହିଁ। କାରଣ ସୋସିଆଲ ମିଡିଆ କମ୍ପାନୀଗୁଡ଼ିକ ବିରୋଧରେ ଅତୀତରେ ଅନେକ ଅନୈତିକ କାର୍ଯ୍ୟକଳାପର ଅଭିଯୋଗ ଆସିଛି।
କେବଳ ସାଧାରଣ ଲୋକେ କାହିଁକି, ସୋସିଆଲ ମିଡିଆର ବ୍ୟବହାର ଛୋଟବଡ଼ ନେତା ଓ ରାଜନୈତିକ ଦଳ ବି ବହୁଳ ଭାବେ କରୁଛନ୍ତି। ସମସ୍ତେ ନିଜ ନିଜର ରାଜନୈତିକ ଏଜେଣ୍ଡାର ପ୍ରସାର ପାଇଁ ଏସବୁ ପ୍ଲାଟଫର୍ମ ବ୍ୟବହାର କରୁଛନ୍ତି। ଟୁଇଟର ତ ରାଜନୀତିଜ୍ଞଙ୍କ ଲୋକପ୍ରିୟ ମଞ୍ଚ ପାଲଟିଛି। ତେବେ ସମସ୍ୟା ସେତେବେଳେ ସୃଷ୍ଟି ହୁଏ, ଯେତେବେଳେ ସୋସିଆଲ ମିଡିଆ ପ୍ଲାଟଫର୍ମ ଲୋକଙ୍କ ଧାରଣା ଓ ମତ ବଦଳାଇବା ଏବଂ ସେମାନଙ୍କର ଜୀବନଶୈଳୀକୁ ପ୍ରଭାବିତ କରିବା ଉଦ୍ୟମ ଆରମ୍ଭ କରନ୍ତି।
ଡୋନାଲ୍ଡ ଟ୍ରମ୍ପ ୨୦୧୬ରେ ଯେତେବେଳେ ପ୍ରଥମ ଥର ପାଇଁ ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଲଢ଼ିଲେ, ସେତେବେଳେ କ୍ୟାମ୍ବ୍ରିଜ ଆନାଲିଟିକା ନାମକ ଏକ ସଂସ୍ଥା ଆମେରିକା ଲୋକଙ୍କ ଫେସ୍‌ବୁକ୍‌ ଡାଟା ଆଧାରରେ ନିର୍ବାଚନ ଅଭିଯାନରେ ସହାୟତା କରିଥିଲା ଓ ଟ୍ରମ୍ପଙ୍କ ଅପ୍ରତ୍ୟାଶିତ ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ସୋସିଆଲ ମିଡିଆ କମ୍ପାନୀଗୁଡିକର ଭାରତରେ ବି କୋଟି କୋଟି ୟୁଜର ଅଛନ୍ତି।
ଆଉ ସୋସିଆଲ ମିଡିଆଗୁଡ଼ିକ ୟୁଜରଙ୍କ ବ୍ୟକ୍ତିଗତ ସୂଚନା ଉପରେ ନିୟନ୍ତ୍ରଣ ରଖନ୍ତି। ତେଣୁ ସାମାଜିକ ଓ ରାଜନୈତିକ ପ୍ରସଙ୍ଗକୁ ସୋସିଆଲ ମିଡିଆ କମ୍ପାନୀଗୁଡିକ ପ୍ରଭାବିତ କରିବାର କ୍ଷମତା ରହିଛି। ସୋସିଆଲ ମିଡିଆରେ ଅନେକ ‘ଫେକ୍‌ ହିରୋ’ ବି ସକ୍ରିୟ ରହନ୍ତି। ସେମାନେ ଭ୍ରମାତ୍ମକ ଓ ଅର୍ଦ୍ଧସତ୍ୟ ଉପରେ ଆଧାରିତ ସୂଚନାର ପ୍ରଚାର ପ୍ରସାର କରନ୍ତି। ଆଉ ଏସବୁର ପରିଣାମ କେତେ ଭୟଙ୍କର, ତାହା ଦେଶବାସୀ ଅଙ୍ଗେ ନିଭାଇ ସାରିଛନ୍ତି। ହିଂସାକାଣ୍ଡ, ଦଙ୍ଗା ହୋଇଯାଉଛି। ଲୋକଙ୍କର ଜୀବନ ଚାଲିଯାଉଛି। କୋଟି କୋଟି ସର୍ବସାଧାରଣଙ୍କ ସମ୍ପତ୍ତି ନଷ୍ଟ ହେଉଛି। ଏସବୁ ପାଇଁ କିଏ ଦାୟୀ ରହିବ? ସୋସିଆଲ ମିଡିଆ ପ୍ଲାଟଫର୍ମରେ ଆତଙ୍କବାଦୀ ସଂଗଠନ ନିଜର ବିଷାକ୍ତ ବିଚାରଧାରା ପ୍ରସାର କରନ୍ତି। ମୌଳବାଦୀ ଚିନ୍ତାଧାରାରେ ଯୁବକଙ୍କୁ ବିପଥଗାମୀ କରନ୍ତି।
ଭାରତ ସରକାର ଏବେ ଏହି ସୋସିଆଲ ମିଡିଆ କମ୍ପାନୀଗୁଡିକୁ ସେଲ୍‌ଫ ରେଗୁଲେଶନ ବା ସ୍ବ-ନିୟନ୍ତ୍ରଣ ବ୍ୟବସ୍ଥା କରିବାକୁ ଆଗରୁ ଦୁଇ ଦୁଇ ଥର ସୁଯୋଗ ଦେଇସାରିଛନ୍ତି। କିନ୍ତୁ ସେମାନେ ଏଥିପ୍ରତି ଆଦୌ ଗୁରୁତ୍ୱ ଦେଇ ନ ଥିଲେ। ଓଟିଟି ପ୍ଲାଟଫର୍ମଗୁଡ଼ିକ ସୃଜନଶୀଳତା ନାଁରେ ଅଶ୍ଳୀଳତାକୁ ପ୍ରଶ୍ରୟ ଦେଉଛନ୍ତି । ବିଷୟବସ୍ତୁ ସହ ସମ୍ପର୍କ ନ ଥିବା ଅଶ୍ଳୀଳତାକୁ ସୃଜନଶୀଳତା ବୋଲି କହିହେବ ନାହିଁ। ଏସବୁ ରୋକିବା ପାଇଁ ସରକାର ପ୍ରସ୍ତୁତ କରିଥିବା ଗାଇଡଲାଇନରେ ସୋସିଆଲ ମିଡିଆ କମ୍ପାନୀ ବିରୋଧରେ ଆସୁଥିବା ଅଭିଯୋଗର ଶୁଣାଣି ପାଇଁ ଅଧିକାରୀଙ୍କୁ ନିଯୁକ୍ତି କରିବାକୁ କୁହାଯାଇଛି ।
ଆପତ୍ତିଜନକ ବିଷୟବସ୍ତୁକୁ ୨୪ ଘଣ୍ଟା ମଧ୍ୟରେ ହଟାଇବାକୁ ପଡ଼ିବ। ଗୁଜବ ଓ ଫେକ୍‌ ନ୍ୟୁଜ ପ୍ରଚାରପ୍ରସାର କରୁଥିବା ଲୋକଙ୍କୁ ଚିହ୍ନଟ କରି ସରକାରଙ୍କୁ ସୂଚନା ଦେବେ ସୋସିଆଲ ମିଡିଆ ପ୍ଲାଟଫର୍ମ । ଗାଇଡଲାଇନର ତିନି ମାସ ମଧ୍ୟରେ ଏକ ଆଇନ ପ୍ରଣୟନ କରାଯିବ। ସେହି ଆଇନ ଜରିଆରେ ଡିଜିଟାଲ ମିଡିଆରେ ବିଷୟବସ୍ତୁକୁ ନିୟନ୍ତ୍ରଣ କରାଯିବ।
ରାଜନୀତିରେ ମୁକ୍ତ ଓ ସୁସ୍ଥ ଆଲୋଚନା ଏବଂ ବିଚାରବିମର୍ଶ ବେଶ୍‌ ମହତ୍ତ୍ୱ ରଖେ। ତେଣୁ କେଉଁଟା ଭୁଲ୍‌ ଓ କେଉଁଟା ଠିକ୍‌, ତାହା ପରିଭାଷିତ କଲାବେଳେ ଲୋକଙ୍କ ଅଭିବ୍ୟକ୍ତିର ସ୍ବତନ୍ତ୍ରତା ଯେମିତି କ୍ଷୁଣ୍ଣ ନ ହୁଏ, ସେଥିପାଇଁ ଦୃଷ୍ଟି ଦେବାକୁ ପଡିବ। ଲକ୍ଷ୍ମଣରେଖା ଦ୍ୱାରା ଦେଶର ଗଣତନ୍ତ୍ର ପାଇଁ ଯେପରି ପ୍ରତିବନ୍ଧକ ସୃଷ୍ଟି ନ ହୁଏ,ସେଥିପ୍ରତି ବି ଧ୍ୟାନ ଦେବାକୁ ପଡ଼ିବ । ଗଣତନ୍ତ୍ରରେ ବୈଚାରିକ ମତଭେଦ, ଭିନ୍ନମତ ଓ ଅସହମତି ରହିବା ସ୍ବାଭାବିକ। କାରଣ ଏସବୁର ଅନୁପସ୍ଥିତିରେ ଗଣତନ୍ତ୍ର ନିରର୍ଥକ। ଏସବୁ ପ୍ରତି ସହନଶୀଳ ମନୋଭାବ ରହିବା ଏକାନ୍ତ ଆବଶ୍ୟକ। ବେଳେ ବେଳେ ଆବଶ୍ୟକତାଠାରୁ ଅଧିକ ନିୟନ୍ତ୍ରଣ ବା କଟକଣା ସମାଜ ଉପରେ ପ୍ରତିକୂଳ ପ୍ରଭାବ ପକାଏ। ଏଭଳି ସ୍ଥିତିରୁ ମଧ୍ୟ ଅରାଜକତା ଓ ବିଶୃଙ୍ଖଳା ସୃଷ୍ଟି ହୋଇପାରେ। ସୋସିଆଲ ମିଡିଆ ପ୍ଲାଟଫର୍ମରେ ଅସାମାଜିକଙ୍କ କାର୍ଯ୍ୟକଳାପ ଉପରେ ଅଙ୍କୁଶ ଜରୁରୀ। କିନ୍ତୁ ଏହା ଦ୍ୱାରା ଅଭିବ୍ୟକ୍ତିର ସ୍ବତନ୍ତ୍ରତା ଯେମିତି କ୍ଷୁଣ୍ଣ ନ ହୁଏ, ସେଥିପ୍ରତି ବି ଧ୍ୟାନ ଦେବା ବାଞ୍ଛନୀୟ।
ଚାଣକ୍ୟ ନଗର, ଲାଞ୍ଜିପଲ୍ଲି,
ବ୍ରହ୍ମପୁର, ମୋ- ୯୭୦୩୬୯୦୮୪୭


Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri