ବଲାଙ୍ଗୀର, ୧୪।୯ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପୁଇଁତଲା ଥାନା ଅନ୍ତର୍ଗତ କୁଲୁଥିପାଲି ଗାଁ ନିକଟ ରାସ୍ତାରେ ସୋମବାର ସକାଳେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଘରୋଇ ସ୍କୁଲ ବସ୍ ଧକ୍କାରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି।
ସୂଚନା ଅନୁଯାୟୀ, ବଲାଙ୍ଗୀର କୁଇନ୍ ଇଣ୍ଟରନ୍ୟାଶନାଲ ସ୍କୁଲର ଏକ ବସ୍ ଗଣେଶ ପୂଜା ପାଇଁ ସ୍କୁଲର ଛାତ୍ରୀଛାତ୍ରଙ୍କୁ ଆଣିବାକୁ ଯାଉଥିଲା। ଏହି ସମୟରେ ବସ୍ଟି ଦ୍ରୁତ ଗତିରେ ଯାଉଥିବାବେଳେ ରାସ୍ତାରେ ଯାଉଥିବା ଏକ ବାଇକ୍କୁ ପଛପଟୁ ଧକ୍କା ଦେଇଥିଲା। ଧକ୍କା ଯୋଗୁ ବାଇକ୍ରେ ଥିବା ଦୁଇ ଜଣଙ୍କ ମଧ୍ୟରୁ ଘନଶ୍ୟାମ ପ୍ରଧାନ (୫୨)ଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଅନ୍ୟ ଜଣେ ରବି ଚନ୍ଦ୍ର ପ୍ରଧାନ (୫୦) ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା କରାଯାଉଥିବା ଜଣାପଡ଼ିଛି। ଉଭୟ ମୃତକ ଓ ଆହତ କୁଲୁଥିପାଲି ଗ୍ରାମର ବୋଲି ସୂଚନା ମିଳିଛି।
ଅନ୍ୟପକ୍ଷରେ, ଧକ୍କା ଦେବା ପରେ ବସ୍ ଡ୍ରାଇଭର ଭାରସାମ୍ୟ ହରାଇବାରୁ ବସ୍ଟି ରାସ୍ତାରେ ଓଲଟି ପଡ଼ିଥିଲା। ତେବେ ଦୁର୍ଘଟଣା ସମୟରେ ବସ୍ରେ କୌଣସି ସ୍କୁଲ ଛାତ୍ରୀଛାତ୍ର ନ ଥିବାରୁ ଏକ ବଡ଼ ଅଘଟଣରୁ ସେମାନେ ବର୍ତ୍ତି ଯାଇଥିବା ସ୍ଥାନୀୟ ଲୋକେ କହିଛନ୍ତି।
ଦୁର୍ଘଟଣା ଖବର ପାଇ ପୁଇଁତଲା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ଦୁର୍ଘଟଣା ଘଟାଇଥିବା ସ୍କୁଲ ବସ୍ ଡ୍ରାଇଭରଙ୍କୁ ପୋଲିସ ଥାନାକୁ ଆଣି ଅଟକ ରଖିବା ସହ ଘଟଣା ସମ୍ପର୍କରେ ପଚରାଉଚରା କରୁଥିବା ଜଣାପଡ଼ିଛି।

