ଦୀର୍ଘ ଜୀବନ ବନାମ ସୁସ୍ଥ ଜୀବନ

ଅଲେଖ ଚନ୍ଦ୍ର ମିଶ୍ର

ଦୀର୍ଘକାଳ ବଞ୍ଚିରହିବାକୁ କିଏ ବା ନ ଚାହେଁ ? ସେଥିପାଇଁ ତ ‘ଶତାୟୁ ଭବ, ଦୀର୍ଘଜୀବୀ ହୁଅ, କୋଟି ପରମାୟୁ ହେଉ, ମୋର ଆୟୁଷ ତୋତେ ଲାଗିଯାଉ’ ଇତ୍ୟାଦି ଆଶୀର୍ବଚନ ଆମ ସଂସ୍କୃତିରେ ଯୁଗଯୁଗରୁ ପ୍ରଚଳିତ ହୋଇ ଆସିଛି। ହେଲେ ମଣିଷ ଜୀବନରେ ଏମିତି ପରିସ୍ଥିତି ଆସେ ଯେତେବେଳେ ସେ ମୃତ୍ୟୁକୁ ସ୍ବାଗତ କରେ। ଶୀଘ୍ର ଚାଲିଯିବା ପାଇଁ ଈଶ୍ବରଙ୍କୁ ପ୍ରାର୍ଥନା କରେ। କେହିକେହି ସେଥିପାଇଁ ସରକାରଙ୍କ ନିକଟରେ ଗୁହାରି କରନ୍ତି। ଏହାକୁ ଇଉଥାନାସିଆ କୁହାଯାଏ। ଅତଏବ ପ୍ରଶ୍ନ ଉଠିବା ସ୍ବାଭାବିକ ଯେ ସାଧାରଣ ଅବସ୍ଥାରେ ଯେଉଁ ମଣିଷ ମୃତ୍ୟୁର କଳ୍ପନାରେ ଶିହରି ଉଠୁଥାଏ ସେ ଇଚ୍ଛାମୃତ୍ୟୁ ଲୋଡ଼େ କାହିଁକି? ଏହାର ଅନେକ କାରଣ ମଧ୍ୟରେ ସର୍ବାଗ୍ରେ ରହିଛି ଦୁରାରୋଗ୍ୟ ବ୍ୟାଧିର ପ୍ରକୋପ, ଯାହା ଶାରୀରିକ ଅସୁସ୍ଥତାର ଏକ ଗୁରୁତ୍ୱପୂର୍ଣ୍ଣ ନିଦର୍ଶନ। ଅର୍ଥାତ୍‌ ସୁସ୍ଥ ଜୀବନଯାପନ କରୁଥିବା ବ୍ୟକ୍ତି ପ୍ରାୟତଃ ମୃତ୍ୟୁକୁ ଚାହେଁନା। ସୁତରାଂ ଦୀର୍ଘ ଜୀବନ ଏବଂ ସୁସ୍ଥ ଜୀବନ ଏ ଦୁଇଟି ମଧ୍ୟରୁ ସୁସ୍ଥ ଜୀବନ ହିଁ ଅଧିକ ସ୍ପୃହଣୀୟ। ଏହି ଦୁଇଟିର ଏକତ୍ର ସଂଯୋଗ ଏକ ବିରଳ ସଂଘଟନ, ଯାହାକୁ ପାଇବା ପାଇଁ କଠୋର ସଂଯମତା ଓ ଆଚରଣ ବିଧି ପ୍ରୟୋଜନ। ଏ କ୍ଷେତ୍ରରେ ପୁରାଣ ଶାସ୍ତ୍ରଠାରୁ ଚିକିତ୍ସା ବିଜ୍ଞାନ ଯାଏ ସର୍ବତ୍ର ବିଭିନ୍ନ ପ୍ରକାର ପରାମର୍ଶ ଦିଆଯାଇଛି। ତାହା ମଧ୍ୟରୁ ଏକ କ୍ଷୁଦ୍ର ଅଥଚ ମହାନ୍‌ ଉପଚାର ହେଉଛି ବିଶ୍ରାମ। ଅଥଚ ତା’ର ମୂଲ୍ୟ ନ ବୁଝି କିଛି ଲୋକ ଆରାମ ହାରାମ ବୋଲି କହନ୍ତି ତ ଅନ୍ୟ କେହି ଏହାକୁ ବୃଥା ସମୟ ନଷ୍ଟ (ଡାଉନ ଟାଇମ) ଭାବି ଏଡ଼େଇ ଦିଅନ୍ତି। କେହି କେହି କହିବାର ଶୁଣାଯାଏ, ‘ମରିବାକୁ ତ ବେଳ ନାହିଁ, ବିଶ୍ରାମ ନେବି କ’ଣ ?’ କାର୍ଯ୍ୟ ବ୍ୟସ୍ତତାର ଅତ୍ୟଧିକ ଚାପରେ ଏମାନେ ଭୁଲିଯାଆନ୍ତି ଯେ, ଦିନଦିନ ଧରି ଅବିରତ ପରିଶ୍ରମ ଦୈହିକ ସନ୍ତୁଳନକୁ ସେମାନଙ୍କର ଅଜ୍ଞାତରେ ଏପରି ନୀରବରେ ପ୍ରତିଘାତ କରିଚାଲିଥାଏ ଯେ ତା’ର ସଂଗୃହୀତ ପରିଣାମ ଶେଷରେ ତାଙ୍କର ଦେହକୁ ଅନ୍ତଃସାରଶୂନ୍ୟ କରିଦିଏ। ତେଣୁ ସୁସ୍ଥସବଳ ରହିବା ପାଇଁ ବିଶ୍ରାମ ଅପରିହାର୍ଯ୍ୟ।
ବିଶ୍ରାମର ଅର୍ଥ କେବଳ କର୍ମରୁ ସାମୟିକ ବିରତି ନୁହେଁ। ଶରୀରର ଆବଶ୍ୟକତା ଅନୁଯାୟୀ ଏହାର ପ୍ରକାର ଭେଦ ରହିଛି ଯଥା ସ୍ଥୂଳ(ଫିଜିକାଲ), ମାନସିକ (ମେଣ୍ଟାଲ), ସ୍ନାୟବିକ (ସେନସରି), ସାମାଜିକ (ସୋସିଆଲ), ଆଧାତ୍ମିକ(ସ୍ପିରିଚୁଆଲ) ଏବଂ ଆବେଗିକ (ଇମୋଶନାଲ)। ସ୍ଥୂଳ ବିଶ୍ରାମ କହିଲେ, ଶାରୀରିକ ପରିଶ୍ରମରୁ ବିରାମକୁ ବୁଝାଇଥାଏ ଯାହା କ୍ଳାନ୍ତି ଓ ଦୁର୍ବଳତା ଦୂରକରେ। ମନକୁ କିଛି ସମୟ ପାଇଁ ଭାରମୁକ୍ତ ଓ ଫାଙ୍କା ରଖିଲେ ମାନସିକ ବିଶ୍ରାମ ମିଳେ, ଯାହା ଦୁଶ୍ଚିନ୍ତା ଦୂରକରି ତାକୁ ଅଧିକ ଗ୍ରହଣଶୀଳ କରେ। ବୈଦ୍ୟୁତିକ ସରଞ୍ଜାମ ତଥା ଅନ୍ୟାନ୍ୟ ବାହ୍ୟ ସୂତ୍ରରୁ ସୃଷ୍ଟ ଶବ୍ଦ ପ୍ରଦୂଷଣରୁ ମୁକ୍ତି ସ୍ନାୟବିକ ବିଶ୍ରାମ ଯୋଗାଇଥାଏ ଯାହାଦ୍ୱାରା ମସ୍ତିଷ୍କ ଅଧିକ କାର୍ଯ୍ୟକ୍ଷମ ହୁଏ। ପରିବାର, ପରିଜନଙ୍କ ଗହଣରେ ଖୁସିରେ କାଟୁଥିବା ସମୟ ସାମାଜିକ ବିଶ୍ରାମ ପ୍ରଦାନ କରେ, ଯାହା ମନକୁ ଓ ଦେହକୁ ପ୍ରଫୁଲ୍ଲ ଓ ସତେଜ ରଖେ। ଯୋଗ, ଧ୍ୟାନ ଓ ଏକାଗ୍ରତା ମାଧ୍ୟମରେ ମିଳୁଥିବା ବିଶ୍ରାମକୁ ଆଧ୍ୟାତ୍ମିକ ବିଶ୍ରାମ କୁହାଯାଏ, ଯାହାର ପ୍ରଭାବରେ ବୃଥାଚିନ୍ତା (ଟେନ୍‌ସନ), ଉଦ୍‌ବେଗ ଓ ଉତ୍କଣ୍ଠାରୁ ମୁକ୍ତି ମିଳେ। ସେହିପରି ଆବେଗିକ ବିଶ୍ରାମ ସାଥୀମାନଙ୍କ ସହିତ ଗୁଲିଖଟି, ହସ ଓ ବନ୍ଧୁତ୍ୱପୂର୍ଣ୍ଣ ବ୍ୟବହାରରୁ ମିଳିଥାଏ। ଏହାଦ୍ୱାରା ଦେହର ସୂକ୍ଷ୍ମ ତନ୍ତ୍ରୀଗୁଡ଼ିକ ଚଳଚଞ୍ଚଳ ହୋଇଥାଏ।
କିନ୍ତୁ ଏ ସମସ୍ତ ପ୍ରକାରର ବିଶ୍ରାମ ଅପେକ୍ଷା ଶୟନ ବା ନିଦ୍ରା ହେଉଛି ଶ୍ରେଷ୍ଠ ବିଶ୍ରାମ, ଯେଉଁଥିରେ ଉପରୋକ୍ତ ସମସ୍ତ ପ୍ରକାରର ବିଶ୍ରାମ ଏକାଧାରରେ ସନ୍ନିବିଷ୍ଟ। କାମ କରିବା ପାଇଁ ଦିନ ଏବଂ ଶୋଇବା ପାଇଁ ତ ରାତିର ସୃଷ୍ଟି। ମଣିଷ ଶରୀର ଏପରି ଭାବରେ ଗଠିତ ଯେ ଶୋଇବା ଦରକାର ପଡ଼ିଲେ ହାଇ ମାଧ୍ୟମରେ ଓ ଆଖି ମୁଦିହୋଇ ଆସିବାରେ ତାର ସଙ୍କେତ ମିଳେ। ଅଥଚ କିଛି ଲୋକ ତାକୁ ଏଡ଼େଇବା ପାଇଁ ଚା, କଫି, ଧୂମପାନ, ମଦ୍ୟ ଇତ୍ୟାଦିର ସାହାରା ନେଇଥାନ୍ତି, ଯାହା ପରିଶେଷରେ ଘାତକ ସାବ୍ୟସ୍ତ ହୁଏ। ଠିକ୍‌ ଭାବରେ ନ ଶୋଇଲେ ଇନସେମିଆ, ସ୍ଲିପ ଆପନିଆ, ଡିମେନ୍ସିଆ , ହୃଦଘାତ, ରକ୍ତଚାପ, ମେଦବୃଦ୍ଧି ଇତ୍ୟାଦି ସୃଷ୍ଟିହୁଏ ବୋଲି ଚିକିତ୍ସା ବିଜ୍ଞାନୀମାନେ କୁହନ୍ତି। ଏହାଛଡ଼ା ଶୋଇବା ଦ୍ୱାରା ଶାରୀରିକ ଓ ମାନସିକ କ୍ଳାନ୍ତି ତଥା ଅବସାଦ ଦୂର ହୁଏ, ପାଚନପ୍ରକ୍ରିୟା ତ୍ୱରାନ୍ବିତ ହୁଏ, ସ୍ମରଣଶକ୍ତି ବଢ଼େ ଏବଂ ଉଠିବା ପରେ କାମ କରିବା ପାଇଁ ଉତ୍ସାହ ମିଳେ। ଆମେରିକାସ୍ଥିତ ବିଶ୍ୱସ୍ତରୀୟ ସ୍ବାସ୍ଥ୍ୟସଂସ୍ଥା ଏନ୍‌ଆଇଏଚ୍‌ର ଏପ୍ରିଲ ୨୦୨୧ ସଂଖ୍ୟାରେ ପ୍ରକାଶିତ ବୁଲେଟିନର ତଥ୍ୟ ଅନୁସାରେ ସେମାନେ ଅନେକ ଶତାୟୁଙ୍କ ଉପରେ ଅନୁଧ୍ୟାନ କରି ଜାଣିବାକୁ ପାଇଥିଲେ ଯେ ସେମାନଙ୍କର ଦୀର୍ଘଜୀବନର ଏକ ରହସ୍ୟ ଥିଲା ରାତିରେ ଅନୂ୍ୟନ ଦଶଘଣ୍ଟା ଶୋଇବାର ଅଭ୍ୟାସ।
ଏନ୍‌ଆଇଏଚ୍‌ର ମୁଖ୍ୟ ଡ. ମାରିସ୍ଥା ବ୍ରାଉନଙ୍କ ମତରେ ଶୋଇବାର ନିର୍ଦ୍ଦିଷ୍ଟ ଶୃଙ୍ଖଳା ରହିବା ଦରକାର ଯଥା ଶୋଇବାର ଶୈଳୀ (କ୍ୱାଲିଟି), ପରିମାଣ (କ୍ବାଣ୍ଟିଟି ) ଏବଂ ନିୟମିତତା (କନ୍ସିଷ୍ଟେନ୍ସି)। ସେହିପରି ରୋଚେଷ୍ଟର୍‌ ୟୁନିଭର୍ସିଟିର ନିଦ୍ରା ବିଶାରଦ (ସ୍ଲିପ ଏକ୍ସପର୍ଟ) ଡ. ମାଇକେଲ ମେଡେଗାର୍ଡ କୁହନ୍ତି, ପ୍ରତିଦିନ ରାତିରେ ସ୍କୁଲ ବୟସର ପିଲାମାନେ ନଅଘଣ୍ଟା, କିଶୋର (ଟିନ୍‌ଏଜ)ମାନେ ଆଠରୁ ଦଶଘଣ୍ଟା, ପ୍ରୌଢ଼ମାନେ ସାତଘଣ୍ଟା ଏବଂ ବୟସ୍କମାନେ ନଅରୁ ଦଶଘଣ୍ଟା ପର୍ଯ୍ୟନ୍ତ ଶୋଇବା ଆବଶ୍ୟକ। ତାଙ୍କ ମତରେ ସର୍ବାଧିକ ଦଶଘଣ୍ଟାରୁ ଅଧିକ ଶୋଇବା ଖରାପ। ସେହିପରି ଉପଯୁକ୍ତ ନିଦ୍ରା ପରେ ବି ଯଦି ନିଦୁଆ (ଡ୍ରାଉଜି ) କିମ୍ବା ଅଳସ ଲାଗେ ତେବେ ଜାଣିବାକୁ ହେବ ଯେ ସ୍ବାସ୍ଥ୍ୟରେ କିଛି ସମସ୍ୟା ରହିଛି। ‘ଅର୍ଦ୍ଧ ରୋଗହାରୀ ନିଦ୍ରା’। ତେଣୁ ପ୍ରତ୍ୟେକ ସ୍ବାସ୍ଥ୍ୟ ସଚେତନ ବ୍ୟକ୍ତି ଯିଏ ଦୀର୍ଘାୟୁ ଏବଂ ସୁସ୍ଥ ଜୀବନ ଚାହାନ୍ତି ବିଶ୍ରାମକୁ ହେୟଜ୍ଞାନ କରିବା ଉଚିତ ନୁହେଁ।
ଶାସ୍ତ୍ରୀନଗର, ଭୁବନେଶ୍ୱର
ମୋ: ୯୪୩୮୬୭୩୮୯୮


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତରେ ଲୋପ ପାଇଯାଉଥିବା ଦେଶୀ ଗଛର ସୁରକ୍ଷା ଦିଗରେ ମହାରାଷ୍ଟ୍ରର ଅନନ୍ତ ଭିକାଜି ତୟାଡେଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୩୫୦ କିସମର ଦେଶୀ ଗଛ ପୁନରୁଦ୍ଧାର କରିପାରିଛନ୍ତି।…

ବରଫ ତଳେ ବ୍ରହ୍ମାଣ୍ଡ ରହସ୍ୟ

ଆମେ ଆକାଶକୁ ଦେଖିଲେ ଗ୍ରହ, ତାରା ଓ ତାରକାପୁଞ୍ଜ ଦେଖୁ। କିନ୍ତୁ ବ୍ରହ୍ମାଣ୍ଡରେ ଏମିତି ଅନେକ ଘଟଣା ଘଟୁଛି, ଯାହାକୁ କେବଳ ଆଖିରେ ଦେଖିବା କିମ୍ବା ସାଧାରଣ…

ଶିକ୍ଷାରେ କୋହଳ ନୀତି

ଶିକ୍ଷା ବ୍ୟବସ୍ଥାର ନୀତି ନିୟମଗୁଡ଼ିକ ଯେତେ କୋହଳ ହେଉଛି ପିଲାମାନେ ସେତିକି ପାଠରେ ଦୁର୍ବଳ ହେବାରେ ଲାଗିଛନ୍ତି। ବର୍ତ୍ତମାନର ପିଲାଟିଏ ନିଜର କୌଣସି କାମ ନିଜେ କରିପାରୁ…

ନାଟୋର ପ୍ରତିରୋଧ କ୍ଷମତା ଅଭାବ

ସେପ୍ଟେମ୍ବର ୨୩ରେ ବେଲାରୁଷରୁ ଲିଥୁଆନିଆ ଆକାଶ ମାର୍ଗରେ ପ୍ରବେଶ କରିଥିବା ଏକ ଡ୍ରୋନ୍‌କୁ ନାଟୋ ବିମାନ ଗୁଳି କରି ଖସାଇ ଦେଇଥିଲା। ଏହାର ଏକ ସପ୍ତାହ ପରେ…

ଏଇ ଭାରତରେ

ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦ୍‌ର ଗୌତମ ଯାଦବ ଜଣେ ଶ୍ରମିକ ଭାବେ ଦିନରେ କାମ କରି ପ୍ରତିଦିନ ସନ୍ଧ୍ୟାରେ ଠେଲାଗାଡ଼ିରେ ଘରକୁ ଘର ବୁଲି ବଳକା ରୁଟି…

ଅଶୀ ଦଶକର ସ୍ମୃତି

ଆଜିକାଲି ସୋସିଆଲ ମିଡିଆରେ ଅତୀତର ସ୍ମୃତି ବା ‘ନୋଷ୍ଟାଲଜିଆ’ର ଏକ ଲହରି ଖେଳିଯାଇଥିବା ପରି ମନେହୁଏ। ଅଶୀ ଦଶକର ଶୈଳୀରେ କୃତ୍ରିମ ବୁଦ୍ଧିମତ୍ତା ବା ଏଆଇ ଫଟୋ…

ଦୂର ଅତୀତର ଗାଁ ହାଟ

ହାହାଟ ବାରିଦିନ ଗାଁ ଏକ ଛୋଟକାଟର ଦିନିକିଆ ସହର ବା ବଜାରର ଭ୍ରମ ସୃଷ୍ଟି କରେ। ସହରରେ ବି ସାପ୍ତାହିକ ହାଟ ବସି ଗ୍ରାମ୍ୟ ସଂସ୍କୃତିକୁ ଉଜ୍ଜୀବିତ…

ବାଣିଜ୍ୟିକ ବିଶ୍ୱାସରେ ଖାଦ୍ୟାଭ୍ୟାସ

ଆପଣ କେବେ ଏହା ଜାଣିବାକୁ କୌତୂହଳୀ ହୋଇଛନ୍ତି କି, କାହିଁକି ଇହୁଦୀମାନେ କୋଶେର ନିୟମ ପାଳନ୍ତି, ମୁସଲମାନମାନେ ହଲାଲ ଖାଦ୍ୟ ଖାଆନ୍ତି? ଆପଣ କେବେ ଭାବିଛନ୍ତି କି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?