ଆୟୁଷ ଆମ ହାତରେ

ଆଜିକାଲି ପୁରାତନ ବନ୍ଧୁ ସାଙ୍ଗସାଥୀ, ପରିଚିତ, ସମ ବୟସର ବୟସ୍କ ଲୋକ ପରସ୍ପର ଭେଟ ହୋଇଗଲେ ଆଗ ପଚାରୁଛନ୍ତି, ଦେହପା କେମିତି ଅଛି? ବିପି? ସୁଗାର୍‌? ଜଏଣ୍ଟ ପେନ୍‌? ଏହାର ଅର୍ଥ ଆଜିକାଲି ଏଭଳି ରୋଗ ହେବା ସାଭାବିକ ବୋଲି ଧରି ନିଆଗଲାଣି। କିନ୍ତୁ କେଇ ବର୍ଷ ତଳେ ଏପରି ସ୍ବାଗତ ସମ୍ଭାଷଣ ନ ଥିଲା; ସେତେବେଳେ ଏ ସବୁ ରୋଗ ସାଧାରଣ ଲୋକଙ୍କୁ ଅଜଣା ଥିଲା। ବର୍ଷ କେଇଟା ଭିତରେ ଏ ଯେଉଁ ପରିବର୍ତ୍ତନ ଘଟିଛି ତା’ର ଅନେକ କାରଣ ମଧ୍ୟରୁ ପ୍ରଥମ ହେଲା ଶରୀରରେ ରୋଗ ପ୍ରତିଷେଧକ ଶକ୍ତିର ହ୍ରାସ, ଯାହା ବିଭିନ୍ନ ପ୍ରକାର ରୋଗ ସୃଷ୍ଟି କରୁଛି। ଆଗେ ଲୋକେ ସ୍ବାସ୍ଥ୍ୟ ଉପଯୋଗୀ ଖାଦ୍ୟ ଖାଉଥିଲେ ଏବଂ ସେଥିପାଇଁ ଉଦ୍ଦିଷ୍ଟ ନୀତି ନିୟମ ପାଳନ କରୁଥିଲେ। ଆଗେ ନିରାମିଷ ତଥା ପୋଷକ ଭୋଜନକୁ ପ୍ରାଧାନ୍ୟ ଦିଆଯାଉଥିଲା । ଏବେ ଶତ ପ୍ରତିଶତ ଖାଦ୍ୟସାମଗ୍ରୀ ଭେଜାଲ, ନକଲି କିମ୍ବା ଅପମିଶ୍ରିତ। ଖାଣ୍ଟି ଜିନିଷ ମିଳିବା ସପ୍ନ।
ଏ ସମସ୍ୟା ସାରା ପୃଥିବୀକୁ ଗ୍ରାସ କରି ଚାଲିଛି; ଯେଉଁଥିରୁ ମୁକ୍ତି ପାଇଁ ଅନ୍ତର୍ଜାତୀୟ ସ୍ତରରେ ପ୍ରଚେଷ୍ଟା ଜାରି ରହିଛି। ଏ କ୍ଷେତ୍ରରେ ଦୀର୍ଘ ଛଅ ବର୍ଷ ଧରି ଗବେଷଣା ପରେ ସେଣ୍ଟର୍‌ ଫର୍‌ ଡିଜିଜ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନ୍‌ସନ ୨୦୨୧ରେ ପ୍ରକାଶିତ ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି ଯେ ଭରପୂର ଖାଦ୍ୟ, ଧୂମ୍ର ପାନ ବର୍ଜନ ଓ ନିୟମିତ ବ୍ୟାୟାମ ୮୭ ପ୍ରତିଶତ ମୃତ୍ୟୁ ଆଶଙ୍କା କମେଇ ଥାଏ। ଉକ୍ତ ସଂସ୍ଥାନ ଦ୍ୱାରା ପ୍ରଦତ୍ତ ପରାମର୍ଶଗୁଡ଼ିକ ହେଲା ଶୀଘ୍ର ବୃଦ୍ଧ ଓ ରୋଗଗ୍ରସ୍ତ ହେବାର କାରଣ ଶରୀର ଅକ୍ସିଡାଇଜ ହେବା। ସେଥିରୁ ରକ୍ଷା ପାଇବା ପାଇଁ ଆଣ୍ଟି ଅକ୍ସିଡାଣ୍ଟ ଖାଦ୍ୟ ଖାଇବା ନିହାତି ଜରୁରୀ। ସଜ ଫଳମୂଳ ଓ ତଟକା ପନିପରିବାରେ ମାଂସ ଅପେକ୍ଷା ୬୪ ଗୁଣ ଅଧିକ ଆଣ୍ଟି ଅକ୍ସିଡାଣ୍ଟ ଥାଏ। ସୁତରାଂ ମାଂସ ଆହାର ଛାଡ଼ି ଶାକାହାରୀ ହୁଅ। ସେହିପରି ୟୁନିଭର୍ସିଟି ଅଫ୍‌ ଚିକାଗୋ ମେଡିସିନ ବିଭାଗର ଏକ ଅନୁଧ୍ୟାନରୁ ଜଣାପଡ଼ିଛି ଯେ ଧୂମ୍ରପାନ ମଣିଷର ଡି.ଏନ୍‌.ଏ.କୁ କ୍ଷତାକ୍ତ କରି ଜୀବନୀଶକ୍ତିକୁ ହ୍ରାସ କରାଏ।
ଦୀର୍ଘ ଜୀବନ କଥା ଉଠିଲେ ଜାପାନକୁ ପଥ ପ୍ରଦର୍ଶକ ଭାବରେ ଗ୍ରହଣ କରାଯାଇପାରେ। କାରଣ ସାରା ପୃଥିବୀରେ ଜାପାନୀମାନେ ସର୍ବାଧିକ ବର୍ଷ ବଞ୍ଚିଥାନ୍ତି। ୨୦୨୦-୨୧ରେ ବିଶ୍ୱର ୧୯୩ଟି ଦେଶକୁ ନେଇ ସର୍ବେକ୍ଷଣ କରାଯାଇଥିବା ତଥ୍ୟରୁ ଜଣାପଡ଼େ ଜାପାନୀମାନଙ୍କର ଜୀବନକାଳ(ଲଞ୍ଜିଭିଟି) ସର୍ବାଧିକ ୮୫.୦୩ ହୋଇଥିବା ବେଳେ ମାକାଓ ୮୪.୬୮ ଏବଂ ସିଙ୍ଗାପୁର ୮୪.୦୭ ସହିତ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି। ସେହିପରି କେନ୍ଦ୍ରୀୟ ଆଫ୍ରିକୀୟ ଗଣତନ୍ତ୍ର ଅନ୍ତର୍ଗତ ଚାଦ (୫୪.୪୫) ଏବଂ ନାଇଜେରିଆ(୫୪.୮)ସର୍ବନିମ୍ନ ସ୍ଥାନରେ ଅଛନ୍ତି। ସର୍ବେକ୍ଷିତ ୧୯୩ଟି ଦେଶ ମଧ୍ୟରେ ଭାରତ ୭୦.୪୨ ସହିତ ୧୩୬ ସ୍ଥାନରେ ରହିଛି। ଜାପାନୀମାନଙ୍କର ଦୀର୍ଘ ଜୀବନର ରହସ୍ୟ ହେଲା, ସେମାନେ ଦୀର୍ଘ ଜୀବନ ଅପେକ୍ଷା ସୁସ୍ଥ ଜୀବନକୁ ଅଧିକ ପସନ୍ଦ କରନ୍ତି। ସେଥିପାଇଁ ବିଦେଶୀ ଖାଦ୍ୟ ନ ଖାଇ ନିଜର ପାରମ୍ପରିକ ଖାଦ୍ୟ ଖାଆନ୍ତି, ଫ୍ରିଜ ପାଣି ନ ପିଇ ଉଷୁମ ପାଣି ପିଅନ୍ତି। ଏପରି କି ବନ୍ଧୁ ବାନ୍ଧବଙ୍କ ଘରେ, ହୋଟେଲରେ ଏବଂ ଭୋଜିଭାତରେ ଉଷୁମ ପାଣି ପରଷା ଯାଏ।
ଆଞ୍ଚଳିକ ସ୍ତରରେ ଦେଖିଲେ ଏମିତି ସହର ଅଛି, ଯାହାର ଅଧିକାଂଶ ଅଧିବାସୀଙ୍କର ବୟସ ୯୦ ବର୍ଷରୁ ଅଧିକ। ତାହା ହେଉଛି ଚାଇନା ଦେଶର ସୁଲେ କାଉଣ୍ଟି ଅନ୍ତର୍ଗତ କୋମୋସ୍କେରିକ ସହର। ଏହି ସହରର ବାସିନ୍ଦା ଚାଇନାର ସବୁଠାରୁ ବୟସ୍କ ବ୍ୟକ୍ତି ୧୩୫ ବର୍ଷ ବୟସ୍କା(୨୫ା୬ା୧୮୮୬-୧୮ା୧୨ା୨୧) ଆଲି ମିହାନ ସେଇଟି କୁହନ୍ତି, ସେ ଠିକ୍‌ ସମୟରେ ଖାଆନ୍ତି ଏବଂ ନିତି ଖରା ପୁଅନ୍ତି। ବ୍ୟକ୍ତିଗତ ଦୃଷ୍ଟିରୁ ଦେଖିଲେ ପୃଥିବୀରେ ସବୁଠାରୁ ବେଶି ବର୍ଷ ବଞ୍ଚିଥିବା କେନ୍ଦ୍ରୀୟ ଜାଭାର ସ୍ନୋଜେନ ନିବାସୀ ଏମ ବାହ ଗୋଠୋ (୧୪୬ବର୍ଷ-୩୧ା୧୨ା୧୮୭୦-୩୦ା୪ା୨୦୧୭)ଙ୍କର ଦୀର୍ଘ ଜୀବନର ରହସ୍ୟ ଥିଲା ନିୟମିତ ଓ ସନ୍ତୁଳିତ ଖାଦ୍ୟ। ଜାଣିଲେ ଆଶ୍ଚର୍ଯ୍ୟ ହେବାକୁ ପଡ଼େ ଯେ ଏ ସମସ୍ତ ଉପଦେଶ, ପରାମର୍ଶ ଓ ଆଦର୍ଶର ଉତ୍ପତ୍ତି ସ୍ଥଳ ଆମରି ଦେଶ। ଅଥଚ ନିଜ ଗର୍ଭରେ ଥିବା କସ୍ତୁରୀର ସୁଗନ୍ଧରେ ମୁଗ୍ଧ କସ୍ତୁରୀ ମୃଗ ତା’ର ସନ୍ଧାନରେ ଇତସ୍ତତଃ ଧାଉଁଥିବା ଭଳି ଆମେ ତା’ର ମୂଲ୍ୟ ନ ବୁଝି ଅନ୍ୟର ଅନ୍ଧାନୁକରଣରେ ବ୍ୟସ୍ତ। ଏ ବିଷୟରେ ଆମର ବିଭିନ୍ନ ପୁରାଣ ଶାସ୍ତ୍ରରେ ସନ୍ନିବିଷ୍ଟ ଉପଦେଶ ମଧ୍ୟରୁ କେତୋଟି ନିମ୍ନରେ ପ୍ରଦତ୍ତ ହେଲା। ନାସ୍ତି ମୂଳ ସମୌଷଧିଂ(ଏପରି ପନିପରିବା ନାହିଁ, ଯାହାର ଔଷଧୀୟ ଗୁଣ ନାହିଁ), ଶତ ବିହାୟ ଭୋଜନମ୍‌ (ଶହେ କାମ ଛାଡି ଠିକ ସମୟରେ ଖାଇବା), ଜଠରମ ପୁରୟେଦର୍ଦ୍ଧ ମନ୍ନେନ(ଅଧା ପେଟ ଖାଦ୍ୟ, ଚାରିଭାଗ ପାଣି, ଚାରିଭାଗ ଖାଲି), ଭୋଜନେ ଭୋଜନଂ ବିଷଂ(ସମ୍ପୂର୍ଣ୍ଣ ହଜମ ହେଲା ପରେ ହିଁ ଖାଇବ)ଇତ୍ୟାଦି। ଶରୀରର ବିଭିନ୍ନ ଆବଶ୍ୟକତା ଅନୁଯାୟୀ ଆମର ଷଡ଼ ରସ (ଲୁଣ, ମିଠା, ପିତା, କଷା, ଖଟା,ରାଗ) ଯୁକ୍ତ ଖାଦ୍ୟର ବ୍ୟବସ୍ଥା ରହିଛି। ଆମର ଦୁଇ ମହାପୁରାଣ (ରାମାୟଣ ଓ ମହାଭାରତ)ରେ ବି ଏହାର ସଂକେତ ଦିଆଯାଇଛି। ମଦ୍ୟ ମାଂସର ନିତ୍ୟାହାରୀ ରାବଣକୁ ବଧ କରିବା ପାଇଁ ପ୍ରଭୁ ଶ୍ରୀରାମଙ୍କର ପ୍ରସ୍ତୁତି ପର୍ବରେ ସାମିଲ ଥିଲା ଚଉଦ ବର୍ଷ କାଳ ଫଳ ମୂଳ ଓ ଶାକାହାର। କଂସକୁ ନିଧନ କରିବା ପାଇଁ ପ୍ରଭୁ ଶ୍ରୀକୃଷ୍ଣ ଓ ବଳରାମଙ୍କୁ ଗୋପରେ ଦୁଗ୍ଧ ଓ ଦୁଗ୍ଧଜାତ ଖାଦ୍ୟ ଖାଇ ବଢ଼ିବାକୁ ପଡ଼ିଥିଲା। ଅତଏବ ଦୀର୍ଘ ଓ ସୁସ୍ଥ ଜୀବନ ତ ଆମ ହାତ ପାଆନ୍ତାରେ। ଦରକାର ଖାଲି ହାତ ବଢ଼େଇବା।

– ଅଲେଖ ଚନ୍ଦ୍ର ମିଶ୍ର
ଶାସ୍ତ୍ରୀନଗର, ଭୁବନେଶ୍ୱର
ମୋ:୯୪୩୮୬୭୩୮୯୮


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥା ଓ ପରମ୍ପରା

ବିଶ୍ୱର ସାମାଜିକ ଚଳଣିରେ ଅନେକ ପ୍ରଥା ଓ ପରମ୍ପରା ସନ୍ନିବେସିତ, ଯାହା ମଣିଷକୁ ଏକ ଅନୁଶାସନରେ ରହି ଶୃଙ୍ଖଳିତ ଜୀବନଯାପନ କରିବାକୁ ପ୍ରେରଣା ଦେଇଥାଏ। ବିଶ୍ୱ ସାମାଜିକ…

ଓଡ଼ିଶାରେ ସମବାୟ

୧୮୯୭ ମସିହାରେ ଉତ୍କଳ ଗୌରବ ମଧୁସୂଦନ ଦାସ ୟୁରୋପ ଦେଶଗୁଡ଼ିକୁ ଭ୍ରମଣ କାଳରେ ସେଠାରେ ଦେଖାଦେଇଥିବା ଶିଳ୍ପ ବିପ୍ଳବର ମୁକାବିଲା ପାଇଁ ସମବାୟଭିତ୍ତିକ ଅନୁଷ୍ଠାନଗୁଡ଼ିକ ସଫଳତାର ସହିତ…

ଫୁଟ୍‌ବଲରେ ଟ୍ରମ୍ପ୍‌ କାର୍ଡ

ବିଶ୍ୱକପ୍‌ ଫୁଟ୍‌ବଲ ୨୦୨୬ କ୍ରୀଡ଼ାପ୍ରେମୀଙ୍କୁ ଆବୋରି ରଖିଛି। ଏହି ସମୟରେ ଗୋଟେ ମିମ୍‌ ସୋସିଆଲ ମିଡିଆରେ ବେଶି ଘୂରି ବୁଲୁଥିବା ଦେଖାଯାଉଛି। ଆମେରିକା ଫୁଟ୍‌ବଲ ଦଳର ଷ୍ଟ୍ରାଇକର୍‌ଙ୍କୁ…

ହାତରୁ ଖସୁଛି ସୁରକ୍ଷା

ଭାରତରେ ହାତଟଣା ରିକ୍ସା ଓ ସାଇକେଲ-ରିକ୍ସା ସ୍ବଳ୍ପ ବାଟ ଯିବା ଆସିବାରେ ବହୁଳ ବ୍ୟବହୃତ ହେଉଥତ୍ଲା। ରିକ୍ସା ଚାଳକ ଉପରେ ଶାରୀରିକ କଷ୍ଟ, ଧତ୍ମା ଗତି ଓ…

ଏଇ ଭାରତରେ

ଅବସର ଜୀବନ ଶେଷ ନୁହେଁ। ଏହାପରେ ନିଜେ ଭଲ ପାଉଥିବା ଯେକୌଣସି ବୃତ୍ତିକୁ ଆପଣାଇ ପୁନର୍ବାର ରୋଜଗାର କରିବା ସହ ଏକ ସୁସ୍ଥ ଓ ଚଳଚଞ୍ଚଳ ଜୀବନ…

ମଣିଷକୃତ ବିପର୍ଯ୍ୟୟ

ପର୍ଯ୍ୟାୟକ୍ରମେ ଘଟୁନଥିବା ବିପଦକୁ ବିପର୍ଯ୍ୟୟ କୁହାଯାଏ। ଆଗକାଳରେ ଆଗରୁ ତାହା ଜାଣିହେଉନଥିଲା ବୋଲି ପର୍ଯ୍ୟାୟ-ହୀନ ବା ବିପର୍ଯ୍ୟୟ କୁହାଯାଉଛି। ତାହା ଯଦି ଭୌଗୋଳିକ କାରଣରୁ ଘଟିଥାଏ, ତାକୁ…

ଚାକିରିଆ ମାନସିକତା

ମୁଁ ପାଠ ପଢ଼ିବି। ବଡ଼ ମଣିଷ ହେବି। ବଡ଼ ଚାକିରି କରିବି। ବେସରକାରୀ ଚାକିରି ନୁହେଁ, କେବଳ ସରକାରୀ ଚାକିରି। ସମସ୍ତଙ୍କ ମୁହଁରେ ଏଇ ଗୋଟିଏ କଥା।…

ଏଇ ଭାରତରେ

ରକ୍ତଦାନ ମହାପୁଣ୍ୟ, ଏହି ଉକ୍ତିର ଯଥାର୍ଥତା ପ୍ରତିପାଦନ କରିଛନ୍ତି ତେଲଙ୍ଗାନାର ଭି. ରାମକୃଷ୍ଣ ରେଡ୍ଡୀ। ସେ ୩୦ ବର୍ଷ ଧରି ରକ୍ତଦାନ କାର୍ଯ୍ୟକ୍ରମକୁ ସଫଳତାର ସହ ସଞ୍ଚାଳନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri