ଚାଲ ହାରିବା ଶିଖିବା

ସୁପ୍ରଭା ବେହେରା

ଜୀବନ ଗୋଟିଏ ନଈ। ତାହା ଦେହରେ ଘଟଣାପ୍ରବାହ ସବୁ ସୁଅ ଭଳି। ବର୍ଷାରେ ନଈର ଛାତି ଫୁଲିଉଠି କେବେ ହୁଏ ଉଛୁଳା। ପୁଣି ରୌଦ୍ରଦଗ୍ଧ ହୋଇ ସେଇ ଭରା ନଈର ଉଛୁଳା ଛାତି ହୁଏ ଫୁଙ୍ଗୁଳା। ତା’ ବୋଲି ନଦୀ କ’ଣ ବୋହିବାକୁ ମନା କରିଦିଏ? ପ୍ରବହମାନତା ତ ତାହାର ଧର୍ମ। ଜୀବନ ସେମିତି କେତେ ରଙ୍ଗରେ ରଙ୍ଗିନ। ମାଟି କାନ୍ଥର ଝୋଟି ଚିତା ଭଳି ସେଠି ଲେଖାହୋଇଛି ହତାଶା, ସଫଳତା , ପ୍ରେମ, ପ୍ରତାରଣା । ଇନ୍ଦ୍ରଧନୁର ରଙ୍ଗ ଭଳି ଜୀବନ କେବେ ସଫଳତାର ଗାରିମାରେ ଗାଢ଼ା, ଆଉ କେବେ ହତାଶାରେ ଫିକା। ସବୁ ରଙ୍ଗକୁ ଅଣ୍ଟାରେ ପୂରାଇ ଆୟୁଷକୁ ଭୋଗିବା ହିଁ ଜୀବନ। ମୁହଁ ମୋଡି ଦେବା ହିଁ ହାରିଯିବା।
ହାର୍‌ ଜିତ୍‌ର ଜୀବନ। ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ୱ ଭଳି। ଜଣେ ଜିତିଲେ ଜଣେ ହାରୁଛି। ଆମେ କିନ୍ତୁ ଜିତିବାର ମହୋତ୍ସବରେ ମସ୍‌ଗୁଲ ହେବା ଶିଖିଛୁ ଓ ଶିଖାଇଛୁ। ହାରିବାକୁ ଗ୍ରହଣ କରି ଝାଡ଼ି ହୋଇ ପୁଣି ଶକ୍ତି ସଞ୍ଚୟ କରିବା ଶିଖି ନାହୁଁ। ଆବ୍ରାହାମ ଲିଙ୍କନ୍‌ ତାଙ୍କ ପୁଅର ଶିକ୍ଷକଙ୍କୁ ଲେଖିଥିବା ଚିଠିରେ ଲେଖିଥିଲେ ‘ମୋର ପୁଅକୁ ଶିଖାଇବେ ବିଫଳତା ମଧ୍ୟ ମହିମାମୟ’। ଆମେ ଅଭିଭାବକ ହିସାବରେ ପ୍ରତ୍ୟେକେ ଥରେ ଚିନ୍ତା କରିବା। ଆମେ ଆମ ପିଲାଙ୍କୁ ସବୁବେଳେ କହୁଛୁ ତୁ ଜିତିଲେ ବା ସଫଳତା ଲାଭ କଲେ, ମୁଁ ତୋତେ ଚକୋଲେଟ ଦେବି, ନୂଆ ପୋଷାକ ବା ଖେଳଣା କିଣି ଦେବି, କେବେ କେବେ ମୋଟର ଗାଡ଼ି ଦେବାକୁ ମଧ୍ୟ ପ୍ରତିଶ୍ରୁତି ଦେଇଛୁ। କିନ୍ତୁ କେତେଜଣ ହାରିବାକୁ ସ୍ବୀକାର କରି ପୁଣି ଝାଡ଼ି ହୋଇ ବାଟ ଚାଲିବାର କଳା ଶିଖାଇଛନ୍ତି ? ଗୋଟିଏ ପଦବୀ ପାଇଁ ଧରାଯାଉ ୨୦୦ଟି ସ୍ଥାନ ରହିଛି। ଆଶାୟୀ ପ୍ରାର୍ଥୀ ରହୁଛନ୍ତି ୨୦,୦୦୦। ୨୦୦ ଜଣ କୃତକାର୍ଯ୍ୟ ହେଲା ପରେ ଆଉ ବାକି ରହିଲେ ୧୯,୮୦୦। ୧୯,୮୦୦ ଜଣଙ୍କୁ ଏହି ବିଫଳତାକୁ ସାମ୍‌ନା କରିବା ପାଇଁ ମାନସିକ ପ୍ରସ୍ତୁତି ସମନ୍ଧରେ ଆମେ କେବେ ଅବଗତ କରାଇଛୁ କି? ଶୈକ୍ଷିକ ପରୀକ୍ଷା କ୍ଷେତ୍ରରେ ମଧ୍ୟ ସବୁ ପିଲା ଯେ ୧୦୦ ଶତକଡ଼ା ନମ୍ବର ଆଣିବେ ତାହା ନୁହଁ ।
କିନ୍ତୁ ଅନେକ ପିଲା ବିଫଳତା ସହ ସାଲିସ ନ କରିପାରିବା ଫଳରେ ଆତ୍ମହତ୍ୟାକୁ ଆପଣାଇ ନେଇଥାନ୍ତି। ରାଷ୍ଟ୍ରୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନ୍‌ ସି ଆର୍‌ ବି)ର ତଥ୍ୟ କହେ ୨୦୧୬ରେ ୯୪୭୮ଜଣ, ୨୦୧୯ରେ ୧୦,୩୩୫ ଜଣ ଏବଂ ୨୦୨୧ରେ ୧୩,୦୮୯ ଜଣ ଆତ୍ମହତ୍ୟା କରିବା ପଛର ମୂଳ କାରଣ ହେଲା ପରୀକ୍ଷାରେ ଅକୃତକାର୍ଯ୍ୟ ହେବା। ୨୦୨୦ରେ ଛାତ୍ର ଆତ୍ମହତ୍ୟା କ୍ଷେତ୍ରରେ ଓଡ଼ିଶା ଦେଶର ଦ୍ୱିତୀୟ ସ୍ଥାନରେ ଥିଲା। ତେବେ ଯାହା ବି ହେଉ ଏହା ରାଜ୍ୟ କିମ୍ବା ଦେଶର ନୁହଁ, ବରଂ ସମଗ୍ର ବିଶ୍ୱ ପାଇଁ ଏକ ପ୍ରମୁଖ ସମସ୍ୟା ହୋଇ ଛିଡ଼ା ହୋଇଛି। ତେଣୁ ସେମାନଙ୍କ ମନରେ ସକାରାତ୍ମକ ଚିନ୍ତାଧାରା ଆଣିବାକୁ ପଡିବ ଯେ ,ବିଫଳତା ହେଉଛି ଶିଖିବାର ପ୍ରଥମ ସୋପାନ। ଦେଖିବାକୁ ଗଲେ ବିଜୟ ଆମକୁ ବହୁତ କମ୍‌ ଶିକ୍ଷା ଦେଇଥାଏ। ଜୀବନର ଅସଲ ଶିକ୍ଷା ତ ପରାଜୟରୁ ମିଳିଥାଏ । ଜୀବନ ଜିଇବାର ଅନେକ କିଛି କଳା ମଣିଷ ହାରିବାର ଅନୁଭୂତିରୁ ରୁଣ୍ଡାଇ ଥାଏ। ଇତିହାସ ଏହାର ମୂକସାକ୍ଷୀ। ଆବ୍ରାହାମ ଲିଙ୍କନ୍‌ ୧୭ ଥର ନିର୍ବାଚନ ହାରି ଶେଷରେ ସଫଳତା ଲାଭ କରିଥିଲେ। ଥୋମାସ ଆଲ୍‌ଭା ଏଡିସନ ଗୋଟିଏ ବିଦ୍ୟୁତ୍‌ ବଲ୍‌ବ ଜଳାଇବା ପାଇଁ ୧୦,୦୦୦ ଥର ଅକୃତକାର୍ଯ୍ୟ ହୋଇଥିଲେ। ତାଙ୍କର ସହଯୋଗୀ ଜଣକ ଏଥିପାଇଁ ବିରକ୍ତି ପ୍ରକାଶ କରିବାରେ ସେ ଏହାକୁ ସକାରାତ୍ମକ ମନୋଭାବ ନେଇ କହିଥିଲେ, ଏହି ୧୦,୦୦୦ ଥରକରେ ଆମେ ଶିଖିଲେ କେଉଁ କେଉଁ ପଦାର୍ଥ ବିଦ୍ୟୁତ ବଲ୍‌ବ ଜଳିବାରେ ସାହାଯ୍ୟ କରେ ନାହିଁ। ଦେଖିବାକୁ ଗଲେ ମଣିଷ ତ ପ୍ରକୃତରେ ସେତେବେଳେ ହାରିଯାଏ ଯେତେବେଳେ ସେ ବିଫଳତାକୁ ଗ୍ରହଣ କରିନିଏ।
ଜୀବନରେ ଚାଲୁ ଚାଲୁ ଝୁଣ୍ଟି ପଡ଼ିବା ତ ସ୍ବାଭାବିକ। ତା’ ମାନେ କ’ଣ ବାଟ ଚାଲିବାକୁ ମନା କରିଦେବା? ଝାଡ଼ି ହୋଇ ପୁନଃ ରାସ୍ତା ନିର୍ଦ୍ଧାରଣ କରିବା ବୀରର ଲକ୍ଷଣ। ସଫଳତାର ମହୋତ୍ସବ ସମସ୍ତେ ପାଳନ କରିବାର କ୍ଷମତା ରଖନ୍ତି, କିନ୍ତୁ ବିଫଳତାକୁ ବରଦାସ୍ତ କରିବା ପାଇଁ ଜଣେ ମାନସିକ ସ୍ତରରେ ଶକ୍ତ ହେବା ଆବଶ୍ୟକ। ପ୍ରତିକୂଳ ପରିସ୍ଥିତିରେ ଭିନ୍ନ ଭିନ୍ନ ବସ୍ତୁର ଉଦାହରଣ ନେଇ ପରିସ୍ଥିତିକୁ ବୁଝାଯାଇପାରେ। ଧରାଯାଉ ଗରମ ପାଣି ହେଉଛି ଗୋଟିଏ ପ୍ରତିକୂଳ ପରିସ୍ଥିତି। ଅଣ୍ଡା, ଆଳୁ ଓ କଫିର ଦାନାକୁ ଗରମପାଣିର ସେଇ ସମାନ ପରିସ୍ଥିତି ଦେଇ ଗତି କରିବାକୁ ହେଲା। ଅଣ୍ଡାଟି ଗରମପାଣିରେ ପଡ଼ିବା ପରେ ଶକ୍ତ ହୋଇଗଲା। ଯେତେବେଳେ କି ଆଳୁ ଗରମ ପାଣିରେ ରହି ନରମ ହୋଇଗଲା। ଅନ୍ୟପକ୍ଷରେ କଫି ଦାନାଗୁଡ଼ିକ ଗରମ ପାଣିର ସଂସ୍ପର୍ଶରେ ଆସିବା ପରେ ଗରମ ପାଣିରେ ସେ ନିଜକୁ ମିଶାଇଦେଲା। ଆଉ କିଛି ସମୟ ପରେ ପାଣିର ସମ୍ପୂର୍ଣ୍ଣ ପରିସ୍ଥିତି ହିଁ ବଦଳିଗଲା। ଅର୍ଥାତ ଯିଏ ଯେମିତି ପ୍ରତିକ୍ରିୟା ପ୍ରକାଶ କଲା, ପରିସ୍ଥିତି ତାହା ପାଇଁ ସେମିତି ହିଁ ହେଲା। ଆମ ପିଲାମାନଙ୍କୁ ପ୍ରତିକୂଳ ପରିସ୍ଥିତିରେ କଫି ଦାନା ହେବାର କଳାଟିକୁ ଶିଖିବାକୁ ହେବ।
ବିଫଳତା ଗୋଟିଏ ଅନାଥ ପରି, ଯେତେବେଳେ କି ସଫଳତାର ଅନେକ ଜଣ ପିତା। ତେଣୁ ବିଫଳତାକୁ ଆପଣାଇବା ପାଇଁ ନିଜ ଭିତରେ ଶକ୍ତି ସଞ୍ଚୟ କରିବା ଅନିବାର୍ଯ୍ୟ। ଯେତେବେଳେ ଜଣେ ସଫଳତା ଲାଭ କରେ, ସେ ସାରା ଦୁନିଆରେ ପରିଚିତ ହୁଏ କିନ୍ତୁ ବିଫଳତା ଆମକୁ ଦୁନିଆକୁ ଚିହ୍ନିବାରେ ସାହାଯ୍ୟ କରେ। ତେଣୁ ପିଲାମାନଙ୍କୁ ବୁଝାଇବାକୁ ହେବ, ବିଫଳତା କୌଣସି ଏକ ଘଟଣା ପ୍ରବାହର ଶେଷ ସୋପାନ ନୁହଁ। ବରଂ ଅୟମାରମ୍ଭ। ରାତି ଏକ ଦିନର ଅନ୍ତ ଘଟାଇବାକୁ ଆସେ ନାହିଁ। ବରଂ ସେଇ ଗାଢ଼ ତିମିରର ବୁକୁ ଚିରି ସମ୍ଭାବନାରେ ଲସରପସର ନୂଆ ସକାଳଟିଏ ପ୍ରତ୍ୟେକ ଥର ଜନ୍ମ ନେଉଥାଏ। ଗୋଟିଏ ଫୁଲଗଛରେ ଫୁଲଟିଏ ସେତେବେଳେ ପାଖୁଡା ମେଲି ହସିଥାଏ ଯେବେ ସେ ଉଭୟ ଖରା ଓ ବର୍ଷାକୁ ଭୋଗ କରେ। ଆତ୍ମହତ୍ୟା କରି ଜୀବନକୁ ହାରିବା ଅପେକ୍ଷା, ହାରିବାକୁ ଗ୍ରହଣ କରି ଜିତିବା ପାଇଁ ଶକ୍ତି ସଞ୍ଚୟ କରିବା ଭଲ। ଚେଷ୍ଟା କଲେ ସବୁ ବିଫଳତା ରାସ୍ତାର ଶେଷ ମୁଣ୍ଡରେ ସଫଳତା ଫୁଲ ହାର ଧରି ଅପେକ୍ଷା କରିଥାଏ ସ୍ବାଗତ କରିବା ପାଇଁ।
ଭୁବନେଶ୍ବର, ମୋ: ୯୦୪୦୩୬୦୨୫୯


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଅଜିମ ପ୍ରେମଜୀ ବିଶ୍ୱବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ଏକ ଟିମର ବର୍ଜ୍ୟପରିଚାଳନା ଅତ୍ୟନ୍ତ ପ୍ରଶଂସନୀୟ। କର୍ନାଟକ ବେଙ୍ଗାଲୁରୁ ନିକଟରେ ଥିବା ବିଲାପୁରା ଗାଁକୁ ସମ୍ପୂର୍ଣ୍ଣ ବର୍ଜ୍ୟମୁକ୍ତ କରାଯାଇପାରିଛି। ଦେଖିବାକୁ ଗଲେ…

ଦୁଃଖ ଖୋଜୁଥିବା ମଣିଷ

କିଛି ଏମିତି ଅଜବ ଲୋକ ଅଛନ୍ତି, ଆପଣ ବି ଭେଟିଥିବେ କେଉଁଠି କେତେବେଳେ। ଜଞ୍ଜାଳମୁକ୍ତ ହୋଇ ପରିବାରକୁ ନେଇ ନିଜ ଭିତରେ ସୁଖୀ ଥିବା ମଣିଷଟି ସମସ୍ତଙ୍କୁ…

ଉଠିବା ଦରକାର, ଉଡ଼ିବା ପଛକଥା

ପ୍ରଥମ ବିଶ୍ୱଯୁଦ୍ଧ ସମୟର ଇଟାଲୀୟ ଆମ୍ବୁଲାନ୍ସ ଚାଳକ, ପରବର୍ତ୍ତୀ ସମୟରେ ଗୁରୁତର ଆହତ ଅର୍ନେଷ୍ଟ ହେମିଂୱେଙ୍କ କଥା ଆଜି ବି ପାସୋରି ପାରି ନାହାନ୍ତି ଅର୍ଥନୈତିକ ବିଶାରଦଗଣ।…

ଦୋଳି ଦୁର୍ଘଟଣା

ପ୍ରମୋଦ ଉଦ୍ୟାନ କିମ୍ବା ମନୋରଞ୍ଜନର ଖୋରାକ ଯୋଗାଉଥିବା କୌଣସି ମେଳାକୁ ବୁଲିଯିବା ବେଳେ ଆନନ୍ଦ ଲାଭ କରିବା ଥାଏ ମୂଳ ଲକ୍ଷ୍ୟ। କିନ୍ତୁ ତାହା ନିରାନନ୍ଦ ବା…

ଏଇ ଭାରତରେ

ଉତ୍ତରପ୍ରଦେଶର ଧୀରଜ ବର୍ମା ବିନା ମାଟି ଅର୍ଥାତ୍‌ କେବଳ ପାଣି (ହାଇଡ୍ରୋପୋନିକ୍ସ ପଦ୍ଧତି)ରେ ଚାଷକରି ପ୍ରଥମ ପର୍ଯ୍ୟାୟରେ ୫ ଟନ୍‌ ଷ୍ଟ୍ରବେରି ଉତ୍ପାଦନ କରିବାକୁ ସକ୍ଷମ ହୋଇଛନ୍ତି।…

ବିଶ୍ୱାସ ଅଛି, ଭରସା ନାହିଁ

ଆଗକୁ ଅନ୍ଧାରପକ୍ଷ ଆସୁଛି। କୁଞ୍ଜବଦଳିଆ, ଦାଆଗେଣ୍ଡାଳିଆ, ସାରସ, ପାତିହଂସ, ଜଡ଼ାହଂସ ସମସ୍ତଙ୍କ ମଧ୍ୟରେ ଭାଳେଣି, ମାଫିଆଙ୍କ ହାତରୁ ଏଥର ନିସ୍ତାର ନାହିଁ। କାକଟପୁର, ଅସ୍ତରଙ୍ଗ, ଦେବୀନଦୀ ମୁହାଣ,…

ଆତଙ୍କବାଦର ପୃଷ୍ଠପୋଷକ କିଏ

ୟୁରୋପୀୟ ପାର୍ଲାମେଣ୍ଟରେ ରୁଷିଆକୁ ‘ଆତଙ୍କବାଦ ପୃଷ୍ଠପୋଷକ ରାଷ୍ଟ୍ର’ ବୋଲି ଘୋଷଣା କରିଥିଲା ବେଳେ ଆମେରିକା ପାକିସ୍ତାନକୁ ସହଯୋଗର ହାତ ବଢ଼ାଇ ନିଜର ମିତ୍ର ରାଷ୍ଟ୍ରର ପରିଚୟ ଦେଇଥିଲା।…

ଆତ୍ମସମର୍ପଣ

ସାର୍ବଭୌମତ୍ୱ ଉଲ୍ଲଂଘନକୁ ଏକ ଦେଶର ଆଞ୍ଚଳିକ ଅଖଣ୍ଡତାର ଉଲ୍ଲଂଘନ କିମ୍ବା ସରକାରୀ କାର୍ଯ୍ୟରେ ହସ୍ତକ୍ଷେପ ବୋଲି କୁହାଯାଏ। ଜଣେ ଆତ୍ମସମର୍ପଣ କରେ ଯେତେବେଳେ ସେ ବିନା ପ୍ରତିରୋଧରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri