ମୂଳୁ ମାରିବା ଆସ

ଶ୍ରୁତକୀର୍ତ୍ତି ତ୍ରିପାଠୀ

 

‘ନିଶା ନିବାରଣ’ କିମ୍ବା ନିଶାକୁ ଛାଡ଼ିବା କଥା ପଡ଼ିଲାମାତ୍ରେ ଏହାଦ୍ୱାରା ଉପୁଜୁଥିବା ସୁବିଧା ଓ ଅସୁବିଧାକୁ ନେଇ ଅନେକଙ୍କ ମନରେ ଅନେକ ପ୍ରଶ୍ନ ଉଠୁଛି। ପଚରା ଯାଉଥିବା ପ୍ରଶ୍ନଗୁଡ଼ିକ ମଧ୍ୟରେ ୯o% ଲୋକଙ୍କ ପ୍ରଶ୍ନ ଏହା ଯେ, ‘ମଦର ଅପକାରିତା ବିଷୟରେ ଯାହାସବୁ ଲେଖାଯାଉଛି ବା କୁହାଯାଉଛି, ସବୁ ଠିକ୍‌, ହେଲେ ଏହାକୁ ମାନୁଛି କିଏ?
ମଦ୍ୟପାନର କୁପରିଣାମ ସତ୍ତ୍ୱେ ସରକାର ଏହା ଉପରେ ପ୍ରତିବନ୍ଧକ ନ ଲଗେଇବାର କାରଣ କଣ?’ ଏହାର ଉତ୍ତରରେ ଏତିକି କୁହାଯାଇପାରେ ଯେ, ମଦ ବିରୋଧୀ ଅଭିଯାନ ପ୍ରତ୍ୟେକ ଘରୁ ପ୍ରତ୍ୟେକ ସଦସ୍ୟଙ୍କ ଦ୍ୱାରା ଆରମ୍ଭ ହେବା ଉଚିତ, ଯାହା ଏ ପର୍ଯ୍ୟନ୍ତ ହୋଇପାରିନାହିଁ। ନିଶାର କୁପରିଣାମ କାହାରି ପାଖରେ ଅଛପା ନୁହେଁ, ତଥାପି ନିଶାଗ୍ରସ୍ତ ହୋଇ ସମାଜରେ ଅଶାନ୍ତି ଓ ଅସାମାଜିକତାକୁ ବୃଦ୍ଧି କରିବାରୁ ପ୍ରଥମେ ଲୋକ ନିବୃତ୍ତ ହୁଅନ୍ତୁ। ଏହି କ୍ଷେତ୍ରରେ ସର୍ବପ୍ରଥମେ ସରକାର ନିଶାର ପ୍ରସାର କରିବାର ଦାୟିତ୍ୱ ନ ନେବାକୁ ଅନୁରୋଧ।
କିଛି ଲୋକଙ୍କ ମନରେ ଆସୁଥିବା ଦ୍ୱନ୍ଦ୍ୱ, ଯାହା କାହାକୁ ବି କିଛି ସମୟ ପାଇଁ ଭାବିବାକୁ ବାଧ୍ୟ କରିବ,‘ସରକାରଙ୍କ ମୁଖ୍ୟ ରାଜସ୍ବର ଉତ୍ସ ହେଉଛି ମଦ, ତେଣୁ ସେ ଏହାର ବ୍ୟବହାର ଓ ବିକ୍ରି ଉପରେ କାହିଁକି ରୋକ ଲଗେଇବେ ?’ ମାତ୍ର ରାଜସ୍ବ ଆଦାୟ ଦାୟରେ ଏକ ବଳିଷ୍ଠ, ଊଚ୍ଚ ଧୀଶକ୍ତି ସମ୍ପନ୍ନ, ଉନ୍ନତ ମଣିଷ ସମାଜକୁ ବିବେକହୀନ, ନିୟନ୍ତ୍ରଣହୀନ, ସମ୍ବେଦନହୀନ ପ୍ରାଣୀରେ ପରିଣତ କରିଦେବା କେତେଦୂର ସମୀଚୀନ? ରାଜସ୍ବ ଆଦାୟର ଅନ୍ୟାନ୍ୟ ବିକଳ୍ପ ବ୍ୟବସ୍ଥା ମଧ୍ୟ ରହିଛି, ସେ ଦିଗରେ ସରକାର ଧ୍ୟାନ ଦେଲେ ଆହୁରି ଅନେକ ସମାଧାନର ପଥ ଖୋଜାଯାଇପାରିବ। ମଦରୁ ହେଉଥିବା ରାଜସ୍ବ ଆଦାୟ ୧o ଗୁଣା କ୍ଷତିର ରାସ୍ତା ପ୍ରସ୍ତୁତ କରେ। ତେଣୁ ଏ ବିଷୟରେ ଗପୁଥିବା ବ୍ୟକ୍ତିଙ୍କର ଏହା ଏକ ବାହାନା ମାତ୍ର। ପ୍ରକୃତରେ ଏହାର ଆବଶ୍ୟକତା ନାହିଁ। ଏ ଯୁକ୍ତି ମୂଲ୍ୟହୀନ।
କେତେ ଜଣଙ୍କ ପ୍ରଶ୍ନ ଏପରି ବି , ‘ଯଦି ମଦ ରହିବ ନାହିଁ,ତେବେ ଆମର ପୋଲିସ ଓ ଓକିଲମାନଙ୍କ ପାଖରେ କିଛି କାମ ହିଁ ରହିବ ନାହିଁ।
ମଦଜନିତ ଅପରାଧ ଓ ବୀଭତ୍ସ କାଣ୍ଡର ଅଭାବ ଯୋଗୁ ସେମାନଙ୍କର ରୋଜଗାର କମିଯିବ।’ ଏହି ବିଷୟରେ ଗୋଟିଏ ଛୋଟ ଉଦାହରଣ ଦେବା ଠିକ୍‌ ମନେକରୁଛି। ଶିକ୍ଷକଙ୍କ ଅନୁପସ୍ଥିତିରେ ଶ୍ରେଣୀକକ୍ଷରେ ପିଲାମାନଙ୍କ ଗତିବିଧିକୁ ଥରେ ଭାବି ଦେଖନ୍ତୁ l ଶିକ୍ଷକ ନ ଥିଲେ ସେମାନେ ବିଶୃଙ୍ଖଳିତ ହୁଅନ୍ତି, ନିଜର ମନମୁଖି କାମ ପାଇଁ ତାଙ୍କୁ ସୁଯୋଗ ମିଳିଯାଏ, ଯାହାଦ୍ୱାରା ପାଠପଢ଼ା ତ ଦୂରେ ଥାଉ ପିଲାମାନେ ଶାନ୍ତିରେ ଏକାଠି ବସିବା ବି ସମ୍ଭବ ହେବ ନାହିଁ। ଶିକ୍ଷକଙ୍କ କେବଳ ଉପସ୍ଥିତି ହିଁ ପିଲାଙ୍କ ମନରେ ଭୟ, ଅନୁଶାସନ ଓ କିଛି ଭୁଲ ନ କରିବାର ମନୋଭାବକୁ ବଳବତ୍ତର କରେ। ଠିକ୍‌ ସେହିପରି ପୋଲିସର ଉପସ୍ଥିତି ଜନସାଧାରଣଙ୍କୁ ଭୁଲ୍‌ ବାଟରେ ନ ଯିବା, ଶୃଙ୍ଖଳିତ ଏବଂ ଅନୁଶାସିତ ହୋଇ କାର୍ଯ୍ୟ କରିବା ପାଇଁ ନିତାନ୍ତ ପ୍ରୟୋଜନୀୟ l ଏମିତି ବି ନିଶାଜନିତ ଅପରାଧ ବ୍ୟତୀତ ଅନ୍ୟାନ୍ୟ ଅପରାଧ ସଂଖ୍ୟା କିଛି କମ୍‌ ନୁହେଁ ଆମ ସମାଜରେ l ତେଣୁ ବରଂ ନିଶା ଦ୍ୱାରା ଘଟୁଥିବା ବେଆଇନ କାମ କମିଗଲେ, ଆମ ରାଜ୍ୟ ତଥା ଦେଶର ପୋଲିସ ଅନ୍ୟ କାମରେ ନିଜର ପୂର୍ଣ୍ଣ ଯୋଗଦାନ ଦେବା ସମ୍ଭବ ହେବ।
ସବୁଠାରୁ ବଡ଼ ଆଶ୍ଚର୍ଯ୍ୟଜନକ ପ୍ରଶ୍ନ, ‘ମଦ ବନ୍ଦ ହେଲେ, କ’ଣ ରାଜ୍ୟରେ ମଦବିକ୍ରି ବନ୍ଦ ହୋଇଯିବ?’ ଏହି ପ୍ରଶ୍ନର ଗଭୀରତା ସତରେ ଅନେକ। ଉପର ଦେଖାଣିଆ ମଦର ବ୍ୟବହାର ଉପରେ କଟକଣା କି ରୋକ ଲଗେଇଦେଲେ, ମଦ ବିକ୍ରି ଯେ ବନ୍ଦ ହୋଇଯିବ ଏହା ଆଦୌ ସମ୍ଭବ ନୁହେଁ। ପରିଣାମ ଅପମିଶ୍ରଣ, ଚୋରାଚାଲାଣ ଏବଂ ମଦ ପ୍ରତି ଲୋକଙ୍କର ବ୍ୟାକୁଳତା ଆହୁରି ଦ୍ବିଗୁଣିତ ହୋଇଯାଇପାରେ! ଯାହା ଅପରାଧ ଓ ବେଆଇନ କାମ କରିବାକୁ ଲୋକଙ୍କୁ ପ୍ରଶ୍ରୟ ଦେଲାଭଳି ହେବ। ମଦ ବ୍ୟବହାରରେ ରୋକ ଲାଗିଲେ ବଡ଼ ବଡ଼ ହୋଟେଲରେ ବ୍ୟବସାୟ ମାନ୍ଦା ହେବା, ମଦ କାରଖାନାରେ କାର୍ଯ୍ୟରତ ଲୋକ ବେକାର ହେବା, ଏଭଳି ଅନେକ ଛୋଟ ବଡ଼ କାରଣ ବି ଲୋକଙ୍କଠାରୁ ଶୁଣିବାକୁ ମିଳେ, ହେଲେ ଉପରୋକ୍ତ ସବୁ ସମସ୍ୟା ପାଇଁ ବିକଳ୍ପ ବ୍ୟବସ୍ଥା ଯେ ଅଛି ତାହା ସେମାନେ ଜାଣିବା ଉଚିତ।
ଆମ ଦେଶରେ ମଦ ସମ୍ପର୍କିତ ରୋଜଗାରପନ୍ଥା ବ୍ୟତୀତ ଅନ୍ୟ ସମ୍ମାନଜନକ ରୋଜଗାର ବ୍ୟବସ୍ଥାର କୌଣସି ଅଭାବ ନାହିଁ। ଏହାର ସଦ୍ୟ ଉଦାହରଣ ହେଉଛି ଉତ୍ତରପ୍ରଦେଶ ସରକାର କରୋନା କାଳରେ ୫oo ପ୍ରକାର ହସ୍ତକର୍ମଜନିତ ନୂଆ କାମ ସୃଷ୍ଟି କରିଛନ୍ତି। ଏକ ପ୍ରଗତିଶୀଳ ରାଜ୍ୟ ତଥା ଦେଶରେ ସରକାରଙ୍କ ଦାୟିତ୍ୱ ହେଉଛି ଅନ୍ତେବାସୀଙ୍କୁ ନୂତନ ଏବଂ ଉନ୍ନତ କର୍ମସଂସ୍ଥାନ ଯୋଗେଇଦେବା। ସେହି କ୍ରମେ ନିଶା ଉତ୍ପାଦନ ବନ୍ଦ ହେବା ପରେ, ସେଥିରେ ନିୟୋଜିତ କର୍ମଚାରୀଙ୍କ ପାଇଁ ଅନ୍ୟାନ୍ୟ ବିକଳ୍ପ ବ୍ୟବସ୍ଥା ସୃଷ୍ଟି କରାଯାଇପାରିବ।
‘ମଦ୍ୟପାନ କରିବାରେ ଖରାପ କ’ଣ, ଶରୀର ପାଇଁ ଏହା ମଧ୍ୟରେ କିଛି ଔଷଧୀୟ ଗୁଣ ବି ଲୁଚି ରହିଛି। ପୂର୍ବେ ଯଦି ଦେବତାମାନେ ‘ସୋମରସ’ ପିଉଥିଲେ, ଏବେ ଆମେସବୁ ମଦ ପିଇଲେ କ’ଣ ଅସୁବିଧା ? ‘ଏହି ପ୍ରଶ୍ନର ଉତ୍ତରରେ ଜାଣି ରଖନ୍ତୁ’ ସୋମରସ ‘କେବେହେଲେ ମଦ ନୁହେଁ, ଏହା ଏକ ପାନୀୟ ଯାହାକୁ ‘ସୋମ’ ଅର୍ଥାତ ‘ଚନ୍ଦ୍ର’ଙ୍କ କିରଣରେ ପ୍ରସ୍ତୁତ କରାଯାଇଥାଏ। ଶୀତଳ ଚନ୍ଦ୍ର କିରଣର ପ୍ରଭାବରେ ଖିରି ଅମୃତ ତୁଲ୍ୟ ଦିବ୍ୟ ରୂପ ପାଇଥାଏ, ଯାହା ବୈଜ୍ଞାନିକ ଦୃଷ୍ଟିକୋଣରୁ ଶରୀର ପାଇଁ ହିତକାରୀ। ତେଣୁ ‘ ସୋମରସ’ କୁ ‘ମଦ’ ଭାବୁଥିବା ଲୋକେ ଏ ଭ୍ରାନ୍ତଧାରଣାରୁ ଯଥାଶୀଘ୍ର ନିଜକୁ ନିବୃତ୍ତ କରନ୍ତୁ। କେବେ କେମିତି ନିଶାର ଅଳ୍ପ ମାତ୍ରାକୁ ଔଷଧି ରୂପେ ବ୍ୟବହାର କରାଯାଏ, କିନ୍ତୁ ଏବେ ପରିସ୍ଥିତି ଏମିତି ହେଲାଣି ଅତ୍ୟଧିକ ନିଶାସେବନ ଜନିତ ଘଟଣା ଓ ଦୁର୍ଘଟଣା ସମାଜ ପାଇଁ ଏକ ଚିନ୍ତାଜନକ ବିଷୟ ସାଜି ସାରିଲାଣି।
ଜନ୍ମଦିନ, ବାହାଘର, ଯେ କୌଣସି ଉତ୍ସବ ପାଳନ ପାଇଁ ଲୋକେ ମଦର ସାହାରା ନ ନେଲେ ଏହାର ବ୍ୟବହାର ଅନେକାଂଶରେ ହ୍ରାସ ପାଇପାରିବ। ମଦର ବ୍ୟବହାର ସେତେବେଳେ ହ୍ରାସ ପାଇବ, ଯେବେ ମଦ ଉତ୍ପାଦନରେ ରୋକ ଲଗାଯାଇପାରିବ। ହେଲେ ଆଇନର ବିରୋଧ ସତ୍ତ୍ୱେ କେଉଁ ଫାଙ୍କରେ ନିଶା ପ୍ରସ୍ତୁତି, ଚାଲାଣ, ଆମଦାନୀ ଓ ରପ୍ତାନି କାରବାର ସୁରୁଖୁରୁରେ ଚାଲିଛି।
ପରିଶେଷରେ ସବୁ ଯୁକ୍ତି, ତର୍କ, ଆଲୋଚନା, ସମାଲୋଚନାର ନିର୍ଯାସ କେବଳ ଏତିକି ହୋଇପାରେ ଯେ ‘ମଦ’ କେବେ ବି ଲାଭକରୀ ନ ଥିଲା, ନା ଭବିଷ୍ୟତରେ ହୋଇପାରିବ। ମାନିବାକୁ ନ ଚାହିଁଲେ ମଧ୍ୟ ଏହାର କୁପ୍ରଭାବ ଆମ ସମାଜ, ଆମ ଆଗାମୀ ପିଢ଼ି ଉପରେ ପଡୁଛି। ଏହାକୁ ହଠାତ୍‌ ତ ଶେଷ କରିହେବ ନାହିଁ, କିନ୍ତୁ ଏହାର ଉତ୍ପାଦନରେ ରୋକ ଲଗାଯାଇ ପାରିଲେ, କ୍ରମେ ଏହାର ବ୍ୟବହାର ଉପରେ ନିୟନ୍ତ୍ରଣ ରହିବ। ‘ସମସ୍ତଙ୍କର ସାମୂହିକ ପରିଶ୍ରମ ନିଶ୍ଚୟ ଦିନେ ଆମ ରାଜ୍ୟ ତଥା ସମଗ୍ର ଦେଶକୁ ନିଶାମୁକ୍ତ କରିବ ବୋଲି ଏକ ଦୃଢ଼ ବିଶ୍ୱାସ ଆଶା କରାଯାଇପାରେ।
ମୋ-୬୩୭୦୫୧୬୪୭୮
ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚେନ୍ନାଇ ପେରୁଙ୍ଗୁଡ଼ିର ସିରାଜ ଖାନ୍‌ ଜଣେ ଶିକ୍ଷୟିତ୍ରୀ। ସେ ତାଙ୍କ କର୍ମମୟ ଜୀବନରୁ ସମୟ ବଞ୍ଚାଇ ମହିଳାମାନଙ୍କୁ ସ୍ବାବଲମ୍ବୀ କରିବାରେ ଲାଗିଛନ୍ତି। ଏହା କୌଣସି ସରକାରୀ ସହଯୋଗରେ…

ଆଧ୍ୟାତ୍ମିକ ପଥେ

ଏବେ ଚାରିଆଡେ ଆଲୋଚନା ହେଉଛି ଯେ, ଆମ ଯୁବଶକ୍ତି ଭୁଲ ଦିଗର ପଥଯାତ୍ରୀ ହେଉଛନ୍ତି, ସ୍ବାଧୀନତା ନଁାରେ ସ୍ବେଚ୍ଛାଚାରିତା ଏବଂ ଅତ୍ୟାଧୁନିକତାକୁ ଆପଣେଇ ନେଉଛନ୍ତି। ଏହି ପରିପ୍ରେକ୍ଷିରେ…

ବ୍ୟକ୍ତିଗତ ସ୍ବାଧୀନତା ଓ ପୋଲିସ କ୍ଷମତା

ଗୋଟିଏ ଗଣତାନ୍ତ୍ରିକ ଏବଂ ଆଇନ ଅନୁଶାସିତ ରାଷ୍ଟ୍ରରେ ପୋଲିସ ବ୍ୟବସ୍ଥା ହେଉଛି ସମାଜର ସୁରକ୍ଷା ଓ ଶୃଙ୍ଖଳାର ମେରୁଦଣ୍ଡ। ଅପରାଧମୁକ୍ତ ସମାଜ ଗଠନ ଏବଂ ସାଧାରଣ ନାଗରିକଙ୍କ…

ୟୁପିରେ ଅଦଳବଦଳ

ନିକଟରେ ଉତ୍ତର ପ୍ରଦେଶ(ୟୁପି)ରେ ବାବୁ ଅଦଳବଦଳ କରାଯାଇଛି। ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟରେ ୨୦୨୪ ବ୍ୟାଚ୍‌ର ୧୮ ଜଣ ଯୁବ ଆଇଏଏସ୍‌ ଅଧିକାରୀଙ୍କୁ ଆସିଷ୍ଟାଣ୍ଟ ମାଜିଷ୍ଟ୍ରେଟରୁ ଜଏଣ୍ଟ…

ଏଇ ଭାରତରେ

ଟ୍ରେନ୍‌ରେ ଏକ ଭ୍ରାମ୍ୟମାଣ ହସ୍ପିଟାଲ ବିଭିନ୍ନ ଷ୍ଟେଶନକୁ ଯାଇ ରୋଗୀଙ୍କ ଚିକିତ୍ସା କରୁଛି। ଏହା ମହାରାଷ୍ଟ୍ରର ଭୁଶାଓ୍ବାଲ ରେଲଓ୍ବେ ଡିଭିଜନର ଚେଷ୍ଟା ଯୋଗୁ ସମ୍ଭବ ହୋଇଛି। ଜାନୁଆରୀ…

ଆଚରଣ-ଉଚ୍ଚାରଣରେ ପ୍ରଭେଦ

ମାନବ ସଭ୍ୟତା ଓ ସଂସ୍କୃତିର ମୂଳଦୁଆ ହେଉଛି ନୈତିକତା, ସହନଶୀଳତା ଏବଂ ସଦ୍‌ଭାବନା। ଏକ ସୁସ୍ଥ ସମାଜ ଗଠନ ପାଇଁ ମଣିଷର କଥା ଓ କାର୍ଯ୍ୟ ମଧ୍ୟରେ…

ଦୋଷ କୁମ୍ଭାରର ନା ମାଟିର

ହଁ ହଁ ସମୁଦୀ। ଇଏ ମୋ ପୁଅ। ଏକୋଇର ବଳା ବିଶିକେଶନ। ଜନମରୁ ଗେହ୍ଲା। ଅଧିକ ସ୍ନେହ ଦେଇ ବଢ଼େଇଛି। ଦିନେ ବି ମୋ ଗାଉଁଲି ଗାଁକୁ…

ଜନସାଂଖ୍ୟିକ ପରିବର୍ତ୍ତନ ଓ ଅର୍ଥନୀତି

ହ୍ରାସ ପାଉଥିବା ଜନ୍ମହାର ଏବଂ ବୃଦ୍ଧି ପାଉଥିବା ଆୟୁଷ ଜନସାଂଖି୍ୟକ ପରିବର୍ତ୍ତନକୁ ସୂଚିତ କରିଛି। ବିଶ୍ୱସ୍ତରରେ ଗତ ଶତାବ୍ଦୀର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନଗୁଡ଼ିକ ମଧ୍ୟରୁ ଏହା ଅନ୍ୟତମ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri