ସରକାରୀ ନିୟନ୍ତ୍ରଣରୁ ମୁକ୍ତ ହେଉ ମନ୍ଦିର

ଅନିଲ କୁମାର ବିଶ୍ୱାଳ

ଦେଶରେ ଏବେ ଗୋଟିଏ ବିତର୍କ ଧୀରେଧୀରେ ଦାନା ବାନ୍ଧୁଛି। ବିଶେଷଭାବରେ ଦକ୍ଷିଣ ଭାରତର ତାମିଲନାଡୁ, କେରଳ, ଆନ୍ଧ୍ରପ୍ରଦେଶରେ ଏବେ ଦାବି ହେବାରେ ଲାଗିଲାଣି ଯେ ସରକାରଙ୍କ ନିୟନ୍ତ୍ରଣରୁ ମନ୍ଦିରକୁ ମୁକ୍ତ କରାଯାଉ। ଯଦି ମସ୍‌ଜିଦ, ଚର୍ଚ୍ଚ, ଗୁରୁଦ୍ୱାର ଭଳି ଧର୍ମାନୁଷ୍ଠାନ ସରକାରଙ୍କ ନିୟନ୍ତ୍ରଣରେ ନ ରହି ସେହି ସମ୍ପ୍ରଦାୟର ନିୟନ୍ତ୍ରଣରେ ରହୁଛି, ତା’ର ସ୍ବତନ୍ତ୍ରତା ଉପରେ ସରକାରଙ୍କର କୌଣସି ନିୟନ୍ତ୍ରଣ ନାହିଁ ତା’ହେଲେ ମନ୍ଦିର କାହିଁକି ସରକାରଙ୍କ ନିୟନ୍ତ୍ରଣରେ ରହିବ? କାହିଁକି ମନ୍ଦିରକୁ ମିଳୁଥିବା ଦାନ ସରକାରଙ୍କ ଦଖଲକୁ ଯିବ, କାହିଁକି ମନ୍ଦିରର ସୁନାକୁ ବ୍ୟାଙ୍କରେ ବନ୍ଧକ ରଖି ଋ଼ଣ ଆଣି ଅନ୍ୟ ବାଟରେ ଖର୍ଚ୍ଚ କରିବେ, କାହିଁକି ମନ୍ଦିରର ଜମିକୁ ସରକାର ଶିଳ୍ପ କାରଖାନା, ବ୍ୟବସାୟିକ ପ୍ରତିଷ୍ଠାନକୁ ବିକି ଅର୍ଥ ରୋଜଗାର କରିବେ? ଏହାକୁ ନେଇ ଆଲୋଚନା ଅନେକ ବର୍ଷ ହେଲାଣି ଚାଲିଛି। ଏବେ କିଛି ମାସ ହେଲାଣି ବିଶେଷଭାବରେ ୧୩ ଜୁଲାଇ ୨୦୨୦ରେ ଯେବେ ସୁପ୍ରିମକୋର୍ଟ ତାଙ୍କ ବିଚାରରେ ସ୍ପଷ୍ଟ କରିଦେଲେ ଯେ କେରଳର ପଦ୍ମନାଭ ମନ୍ଦିରକୁ ସରକାର ତାଙ୍କ ନିୟନ୍ତ୍ରଣରେ ରଖିପାରିବେ ନାହିଁ। ଏହା ପରଠାରୁ ଅନ୍ୟ ସମସ୍ତ ମନ୍ଦିରକୁ ସରକାରଙ୍କ କବ୍‌ଜାରୁ ମୁକ୍ତ କରିବା ଦାବି ଜୋର ହେବାରେ ଲାଗିଛି। ଦେଶରେ ଅନ୍ୟ ପ୍ରାନ୍ତ ଅପେକ୍ଷା ଓଡ଼ିଶାରେ ମନ୍ଦିରର ସଂଖ୍ୟା ଅଧିକ। ହେଲେ ଓଡ଼ିଶାରେ ଏହି ବିଷୟ ଜନମାନସରେ ଏପର୍ଯ୍ୟନ୍ତ ବିଶେଷ ଭାବରେ ଆଲୋଚନା ହୋଇନାହିଁ। କିନ୍ତୁ ଯଦିଓ ମନ୍ଦିର ପରିଚାଳନାରେ ବିଭ୍ରାଟ, ମନ୍ଦିର ସମ୍ପତ୍ତିର ଜବରଦଖଲଠାରୁ ଆରମ୍ଭ କରି ଜମି ହଡ଼ପ, ବିକ୍ରି ଆଦି ଖବର ଅନେକାଂଶରେ ଲୋକମାନଙ୍କ ମନରେ ପ୍ରତିକ୍ରିୟା ସୃଷ୍ଟି କରିଛି। ୧୮୧୭ରେ ଇଷ୍ଟ ଇଣ୍ଡିଆ କମ୍ପାନୀ ପ୍ରଥମେ ଦେଶର ସମସ୍ତ ଧର୍ମାନୁଷ୍ଠାନ ଉପରେ ବିଶେଷ ଭାବରେ ମନ୍ଦିରକୁ ନିୟନ୍ତ୍ରଣ କରିବା ଆରମ୍ଭ କରିଲେ। କିନ୍ତୁ ବ୍ରିଟିଶରେ ଚର୍ଚ୍ଚର ଅଧିକାରୀମାନେ ପ୍ରଥମେ ଏହାକୁ ବିରୋଧ କରି କହିଥିଲେ ଯେ ଆମେ କାହିଁକି ମନ୍ଦିର କଥା ବୁଝିବା? ତେଣୁ ୧୮୪୦ରେ ଅନେକ ମନ୍ଦିର ବ୍ରିଟିଶ ନିୟନ୍ତ୍ରଣରୁ ମୁକ୍ତ ହେଲା। ୧୮୮୫ରେ ପୁରୀ ଶ୍ରୀଜଗନ୍ନାଥଙ୍କ ମନ୍ଦିର ଉପରୁ ରାଜାଙ୍କର ସବୁ ଅଧିକାରକୁ ବ୍ରିଟିଶ ବିଲୋପ କରିଲା। ହେଲେ ଏହା ବିରୋଧରେ ଉତ୍କଳ ଗୌରବ ମଧୁସୂଦନ ନିଜେ ହାଇକୋର୍ଟରେ କେସ୍‌ ଲଢ଼ିଲେ। ମାମଲାରେ ଗଜପତି ରାଣୀ ସୂର୍ଯ୍ୟମଣି ପାଟ୍ଟମହାଦେଈଙ୍କର ବିଜୟ ହେଲା। ନ ହେଲେ ଆଜି ଯେଉଁ ଛେରାପହଁରା ଗଜପତି ମହାରାଜା କରୁଛନ୍ତି ତାହା ହୁଏ ତ ନ ଥା’ନ୍ତା। ୧୯୨୫ରେ ଆସିଲା ମାଡ୍ରାସ ରିଲିଜିୟସ ଚାରିଟେବଲ୍‌ ଆଣ୍ଡ ଏଣ୍ଡାଓମେଣ୍ଟ ଆକ୍ଟ। ସେତେବେଳେ ବିଭିନ୍ନ ଧର୍ମାନୁଷ୍ଠାନ ଦେଶର ସ୍ବାଧୀନତା ସଂଗ୍ରାମୀମାନଙ୍କର ଆଶ୍ରୟ, ବୈଠକ ସ୍ଥଳ ପାଲଟୁଥିଲା। ସେହି ଆକ୍ଟ ଆଣିବା ପଛରେ ମୂଳ ଉଦ୍ଦେଶ୍ୟ ଥିଲା ସେଗୁଡ଼ିକୁ ପୋଲିସର ନଜର ରଖିବା। କିନ୍ତୁ ମୁସଲମାନ ଓ ଶିଖ୍‌ମାନଙ୍କର ପ୍ରବଳ ବିରୋଧ ହେବା କାରଣରୁ ସେତେବେଳେ ସଂଖ୍ୟାଲଘୁମାନଙ୍କୁ ଏହି ଆଇନରୁ ବାଦ୍‌ ଦିଆଯାଇଥିଲା। ମୋଟାମୋଟି ଭାବରେ ସେବେଠାରୁ ମନ୍ଦିର ଉପରେ ସରକାରଙ୍କର ନିୟନ୍ତ୍ରଣ ରହିଆସିଛି।
ମନ୍ଦିରର ଗୁରୁତ୍ୱ ବିଷୟରେ ଆଲୋଚନା କରିବା ବେଳେ ଏହାର ଦୁଇଟା ଦିଗ ରହିଛି। ଭାରତର ହିନ୍ଦୁ ସନାତନି ପରମ୍ପରା ହେଉଛି ଏକମାତ୍ର ଜୀବନ୍ତ ଉପାସନା ପଦ୍ଧତି; ଯାହାର ଆୟୁ କାହିଁ କେତେ ହଜାର ବର୍ଷର। ଏହି ପରମ୍ପରାରେ ମନ୍ଦିରର ସ୍ବତନ୍ତ୍ର ଭୂମିକା ରହିଛି। ମନ୍ଦିରଗୁଡ଼ିକ ଲୋକମାନଙ୍କର ସାମାଜିକ ଜୀବନ ଚଳଣିରେ ଗୁରୁତ୍ୱ ବହନ କରେ। ସେତେବେଳେ କରୁଥିଲା ଆଜି ବି କରୁଛି। ଭାରତରେ ଥିବା ମନ୍ଦିରର ନିର୍ମାଣ ଦୃଷ୍ଟିରୁ, ପରମ୍ପରା ଦୃଷ୍ଟିରୁ ବା ଭୌଗୋଳିକ ଅବସ୍ଥିତି ଦୃଷ୍ଟିରୁ ଦେଖିଲେ ଏହା ସମ୍ପୂର୍ଣ୍ଣ ଭାବେ ବୈଜ୍ଞାନିକ ଓ ଆଧ୍ୟାତ୍ମିକ। ଆଉ ଗୋଟିଏ ହେଲା ଏହାର ଆର୍ଥତ୍କ ଦିଗ। ଗତ ୧୨୦୦ରୁ ୧୯୪୭ ମସିହା ଭିତରେ ମନ୍ଦିରଗୁଡ଼ିକରୁ ସୁନା, ରୁପା, ହୀରା ପ୍ରବଳ ମାତ୍ରାରେ ଲୁଟ୍‌ ହେବା ପରେ ଯାହା କିଛି ବଳିଛି ଓ ମନ୍ଦିରର ସ୍ଥାବର ସମ୍ପତ୍ତି ଯେପରି କି ଜମି, ବଗିଚା ଆଦି ସେସବୁର ସୁରକ୍ଷା ନିହାତି ଆବଶ୍ୟକ।
ବର୍ତ୍ତମାନର ଭାରତ ହେଉଛି ପନ୍ଥନିରପେକ୍ଷ (ସେକୁଲାର) ଦେଶ। ସେକୁଲାର ବିଚାର ଅନୁସାରେ ସରକାର କୌଣସି ଧର୍ମାନୁଷ୍ଠାନ ସହିତ ଜଡ଼ିତ ହେବେ ନାହିଁ କି କୌଣସି ଧାର୍ମିକ ପ୍ରକ୍ରିୟାରେ ଭାଗ ନେବେ ନାହିଁ। ଆମ ଦେଶରେ କେବଳ ହିନ୍ଦୁ ମନ୍ଦିରଗୁଡ଼ିକ ହେଉଛି ଏକମାତ୍ର ଧର୍ମାନୁଷ୍ଠାନ, ଯେଉଁଥିରୁ ସରକାର ଟିକସ ନିଅନ୍ତି। ସମସ୍ତ ପରମ୍ପରା, ପୂଜା, ରୀତିନୀତି ଆଦିର ପରିଚାଳନାକୁ ସରକାର ନିୟନ୍ତ୍ରଣ କରନ୍ତି। ଅନ୍ୟ କୌଣସି ଧର୍ମାନୁଷ୍ଠାନ କ୍ଷେତ୍ରରେ ଏପରି ହୁଏ ନୁହେଁ। ଭାରତରେ ପ୍ରାୟ ସମସ୍ତ ବଡ଼ ମନ୍ଦିରରେ ଭକ୍ତମାନଙ୍କର ଦାନ ସବୁ ସରକାରଙ୍କ ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ। ତାମିଲନାଡୁରେ ସରକାର ରାଜ୍ୟରେ ଥିବା ବିଭିନ୍ନ ମନ୍ଦିରଗୁଡ଼ିକର ୪ ଲକ୍ଷ ଏକର ଜମିକୁ ବିଭିନ୍ନ ବାବଦରେ ବ୍ୟବହାର କରୁଛନ୍ତି। ବଜାର ଦର ଅନୁସାରେ ଏ ବାବଦରେ ମନ୍ଦିରଗୁଡ଼ିକ ବର୍ଷକୁ ୬ ହଜାର କୋଟି ଟଙ୍କା ପାଇବା କଥା। ହେଲେ ମନ୍ଦିରଗୁଡ଼ିକ କେବଳ ମନ୍ଦିର ପରିଚାଳନା ବାବଦରେ ପାଆନ୍ତି ସମୁଦାୟ ମାତ୍ର ୫୮କୋଟି ଟଙ୍କା ବର୍ଷକୁ। ବାର୍ଷିକ ପ୍ରାପ୍ୟ ଅର୍ଥର ୧%ରୁ କମ୍‌। ପ୍ରାୟତଃ ଦେଶରେ ସବୁ ପ୍ରସିଦ୍ଧ ମନ୍ଦିର ପରିଚାଳନା କମିଟିର ଅଧ୍ୟକ୍ଷ ହେଉଛନ୍ତି ସମ୍ପୃକ୍ତ ଜିଲାର ଜିଲାପାଳ। ପଶ୍ଚିମ ବଙ୍ଗରେ ତାରକେଶ୍ୱର ମନ୍ଦିରର ପରିଚାଳନା କମିଟିର ମୁଖ୍ୟ ଜଣେ ମୁସଲମାନ ହୋଇଥିଲେ। ତାଙ୍କର କିଛି ନିଷ୍ପତ୍ତିକୁ ନେଇ ଅତୀତରେ ବିବାଦ ଦେଖାଦେଇଥିଲା। ବିହାରର ପ୍ରସିଦ୍ଧ ବୋଧ ଗୟା ମନ୍ଦିର ପରିଚାଳନା ଅଧ୍ୟକ୍ଷ ଗୟା ଜିଲାପାଳ ହେବେ ଓ ସେ ହିନ୍ଦୁ ହେବା ବାଧ୍ୟତାମୂଳକ ଥିଲା। ୨୦୧୩ରେ ଏହି ଆଇନକୁ ବଦଳାଇ ହିନ୍ଦୁ ହେବା ବାଧ୍ୟତାମୂଳକକୁ ହଟାଇ ଦିଆଗଲା। ଏହି ପରିବର୍ତ୍ତନକୁ ଅଖିଳ ଭାରତୀୟ ବୌଦ୍ଧ ଭିକ୍ଷୁ ସଂଘ ପ୍ରବଳ ମାତ୍ରାରେ ବିରୋଧ କରିଲେ ହେଲେ କିଛି ଲାଭ ହେଲା ନାହିଁ। ଆମ ରାଜ୍ୟରେ ପୁରୀ ଶ୍ରୀମନ୍ଦିର ପରିଚାଳନା ପାଇଁ ସରକାରଙ୍କ ଦ୍ୱାରା ଜଣେ ମନ୍ଦିର ମୁଖ୍ୟ ପ୍ରଶାସକ ନିଯୁକ୍ତ ହେଉଛନ୍ତି। ଏବେ ପୁରୀ ମନ୍ଦିର ପରିଚାଳନା ପାଇଁ ଯେଉଁ କମିଟି ରହିଛି ସେଥିରେ ଗଜପତି ନାମକୁ ମାତ୍ର ମୁଖ୍ୟ। ସେବକମାନେ କେବଳ ସରକାରଙ୍କର ନିଷ୍ପତ୍ତିକୁ ମାନିବେ। ସବୁ ନିଷ୍ପତ୍ତି ରହିବ ସରକାରଙ୍କ ହାତରେ। କିନ୍ତୁ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଆଇନରେ ଗୋଟିଏ ଭଲ କଥା ଅଛି। ତାହା ହେଉଛି କୌଣସି ଅଣ ହିନ୍ଦୁ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ସଦସ୍ୟ ହୋଇପାରିବେ ନାହିଁ। ଦେଶର ଅନ୍ୟ କେତେକ ମନ୍ଦିରରେ ସେହି ଆଇନ ନାହିଁ; ଯାହା ଫଳରେ ସମସ୍ୟା ଉପୁଜିଛି। ଓଡ଼ିଶା ଆନ୍ଧ୍ର ସୀମା ବିବାଦର କେନ୍ଦ୍ର କୋଟିଆରେ ଏକ ଜଗନ୍ନାଥ ମନ୍ଦିର ଅଛି। କୋଟିଆର ଲୋକମାନଙ୍କୁ ଓଡ଼ିଆ ଭାବାବେଗରେ ବାନ୍ଧି ରଖିବା ପାଇଁ ସେଠାରେ ଜଗନ୍ନାଥ ମନ୍ଦିରର ସ୍ଥାପନା କରାଯାଇଥିଲା। ସେହି ଜଗନ୍ନାଥ ମନ୍ଦିରର ପରିଚାଳନା ଭାର ରହିଛି କୋରାପୁଟ ଜିଲାପାଳଙ୍କ ଉପରେ। କିନ୍ତୁ କେହି ଧ୍ୟାନ ଦେଉ ନ ଥିବା କାରଣରୁ କୋଟିଆରେ ଥିବା ଜଗନ୍ନାଥ ମନ୍ଦିରଟି ବଡ଼ ଦୟନୀୟ ସ୍ଥିତିରେ ଆଉ ଏପଟେ କୋଟିଆରେ ଆନ୍ଧ୍ର ଜୋରଜବରଦସ୍ତ ଭାବରେ ଚର୍ଚ୍ଚ ନିର୍ମାଣ କରି ସେଥିରେ ଭୋଟ କରାଉଛି।
ସୁପ୍ରିମକୋର୍ଟ ୨୦୧୪ରେ ତାମିଲନାଡୁର ୧୫୦୦ ବର୍ଷର ପୁରୁଣା ନଟରାଜ ମନ୍ଦିର ଓ ଚିଦାମ୍ବରମ ମନ୍ଦିର ପରିଚାଳନାକୁ ତାମିଲନାଡୁ ସରକାରଙ୍କ ନିୟନ୍ତ୍ରଣରୁ ମୁକ୍ତ କରି ପୂଜକ ଓ ଭକ୍ତମାନଙ୍କର ଟ୍ରଷ୍ଟକୁ ଫେରାଇବା ନେଇ ନିର୍ଦ୍ଦେଶ ଦେଇଥିଲେ। ସେହିପରି ଏପ୍ରିଲ ୮, ୨୦୧୯ରେ ଆମ ଶ୍ରୀମନ୍ଦିର ପରିଚାଳନା ବିଭ୍ରାଟ ପ୍ରସଙ୍ଗରେ ଏକ ମାମଲାରେ ସୁପ୍ରିମକୋର୍ଟ ପ୍ରଶ୍ନ କରିଥିଲେ, ‘ସରକାର କିଏ ଧର୍ମାନୁଷ୍ଠାନ ଚଳାଇବା ପାଇଁ?’ ସେତେବେଳର ବିଚାରପତି ଏସ୍‌.ଏ.ବୋବଡେ କହିଥିଲେ, I do not know why government officers should run the temple. In Tamil Nadu, there are many cases of theft of idols. What are government officers doing. These idols, apart from the religious sentiments, are priceless. ମାମଲାର ବିଚାରବେଳେ ଆଟର୍ନି ଜେନେରାଲ କେକେ ଭେନୁଗୋପାଳ ମଧ୍ୟ କହିଥିଲେ ଯେ ଏକ ସେକୁଲାର ଦେଶରେ କେମିତି ସରକାର ଧର୍ମାନୁଷ୍ଠାନର ପରିଚାଳନା କରିପାରିବେ?
ମସ୍‌ଜିଦଗୁଡ଼ିକ ସେମାନଙ୍କୁ ମିଳୁଥିବା ଦାନାର୍ଥରେ ମଦ୍ରାସା ଚଲାନ୍ତି। ସରକାର ବି ମଦ୍ରାସାଗୁଡ଼ିକୁ ଅର୍ଥ ଦିଅନ୍ତି। ସେହିପରି ଚର୍ଚ୍ଚମାନେ ସେମାନଙ୍କୁ ମିଳୁଥିବା ଦାନ ଅର୍ଥରେ କନଭେଣ୍ଟ ସ୍କୁଲ ଚଲାନ୍ତି। ହେଲେ ହିନ୍ଦୁ ମନ୍ଦିରଗୁଡ଼ିକ ସେମାନଙ୍କୁ ମିଳୁଥିବା ଦାନାର୍ଥରେ ଗୁରୁକୁଳ ଚଳାଇ ପାରନ୍ତି ନାହିଁ। ଚର୍ଚ୍ଚର ପରିଚାଳନା କମିଟି ଖ୍ରୀଷ୍ଟିଆନମାନଙ୍କର ବ୍ୟକ୍ତିଗତ ବ୍ୟାପାର, ମସ୍‌ଜିଦର ପରିଚାଳନା ଓାକଫ ବୋର୍ଡ ହାତରେ ଅଛି; ଯାହାକୁ ସରକାର ନିୟନ୍ତ୍ରଣ କରନ୍ତି ନାହିଁ କି କରିପାରିବେ ନାହିଁ। ଧର୍ମନିରପେକ୍ଷତା ନାଁରେ ସରକାର କେବଳ ହିନ୍ଦୁ ଧର୍ମାନୁଷ୍ଠାନଗୁଡ଼ିକୁ ନିୟନ୍ତ୍ରଣ କରୁଛନ୍ତି। ମନ୍ଦିର ଜମିକୁ ସରକାର ନିଜର ସମ୍ପତ୍ତି ବୋଲି ଭାବନ୍ତି। ଧର୍ମାନୁଷ୍ଠାନକୁ ମିଳୁଥିବା ଅର୍ଥରେ ଧର୍ମର ବିକାଶ, ଧର୍ମର ପ୍ରସାର ହେବା ଦରକାର। ରାମଦେବ ବାବାଙ୍କର ପତଞ୍ଜଳି ଯୋଗସଂସ୍ଥା, ଯୋଗଗୁରୁ ସଦ୍‌ଗୁରୁଙ୍କର ଇଶା ଫାଉଣ୍ଡେଶନ, ରବିଶଙ୍କରଙ୍କର ଆର୍ଟ ଅଫ ଲିଭିଙ୍ଗ ଆଦି ବଡ ଧାର୍ମିକ ଅନୁଷ୍ଠାନଗୁଡ଼ିକ ନିଜକୁ ହିନ୍ଦୁ ଧର୍ମାନୁଷ୍ଠାନ ବୋଲି ଦର୍ଶାନ୍ତି ନାହିଁ। ଏହାର କାରଣ ହେଉଛି ଯେଉଁଦିନ ସେମାନେ ହିନ୍ଦୁ ଅନୁଷ୍ଠାନ ହୋଇଯିବେ ସେଦିନ ସେମାନେ ସରକାରଙ୍କ ନିୟନ୍ତ୍ରଣକୁ ଆସିଯିବେ। ଅତୀତରେ ରାମକୃଷ୍ଣ ମିଶନ ଭଳି ସୁନାମଧନ୍ୟ ଅନୁଷ୍ଠାନ ନିଜକୁ ହିନ୍ଦୁ ସଙ୍ଗଠନ ନୁହେଁ ବୋଲି ସତ୍ୟପାଠ ଦେଇ ଘୋଷଣା କରିବାକୁ ପଡିଥିଲା କେବଳ ଏହି କାରଣ ପାଇଁ।
ଥରେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ପୃଥ୍ବୀରାଜ ଚୌହାନ କହିଥିଲେ, ମନ୍ଦିରର ସୁନାକୁ କଢାଯାଉ, ଏହାକୁ ବିକ୍ରି କରାଯାଇ ସରକାରୀ ଯୋଜନାରେ ଖର୍ଚ୍ଚ କରାଯାଉ ବୋଲି। ତାମିଲନାଡୁ ସରକାର ମନ୍ଦିରର ପଇସାରେ ସରକାରୀ ଯୋଜନା ଚଲାନ୍ତି। ଆନ୍ଧ୍ରପ୍ରଦେଶରେ ମନ୍ଦିରର ଜମିବାଡି ବିକ୍ରି କରିବା ପାଇଁ କ୍ୟାବିନେଟ ନିଷ୍ପତ୍ତି ହୋଇଥିଲା। ସମୟ ଆସିଛି ହିନ୍ଦୁ ଧର୍ମାନୁଷ୍ଠାନଗୁଡ଼ିକୁ ସରକାରଙ୍କର ନିୟନ୍ତ୍ରଣରୁ ମୁକ୍ତ କରାଯାଉ। ଏହାର ପରିଚାଳନା ପାଇଁ ଗୋଟିଏ ସ୍ବତନ୍ତ୍ର ବୋର୍ଡ ଗଠନ କରାଯାଉ; ଯାହା ସରକାରଙ୍କ ନିୟନ୍ତ୍ରଣରେ ନ ରହି ବରଂ ଭକ୍ତ, ସେବକ, ସାଧୁସନ୍ଥଙ୍କ ସମନ୍ବୟରେ ହେଉ। ଏଥିପାଇଁ ସମ୍ବିଧାନର ସଂଶୋଧନ ଆବଶ୍ୟକତା ନାହିଁ। କେବଳ ଗୋଟିଏ ଆଇନକୁ ଠିକ ଭାବରେ କାର୍ଯ୍ୟକାରୀ କରାଯାଉ ତାହା ହେଉଛି ‘ସମସ୍ତ ଧର୍ମ ସମାନ’। ଏହି ଆଇନ କାର୍ଯ୍ୟକାରୀ ହେଲେ ବିଭିନ୍ନ ରାଜ୍ୟରେ ଥିବା ‘ହିନ୍ଦୁ ଏଣ୍ଡାଓମେଣ୍ଟ ଆକ୍ଟ’ ସ୍ବତଃ ଅକାମୀ ହୋଇଯିବ ଓ ମନ୍ଦିରଗୁଡ଼ିକ ସରକାରଙ୍କର ନିୟନ୍ତ୍ରଣରୁ ମୁକ୍ତ ହୋଇପାରିବ।
ହରିରାଜପୁର, ପୁରୀ
ମୋ- ୮୨୪୯୮୬୮୯୬୧


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନରେ ବାବୁ

ପ୍ରତି ଥର ନିର୍ବାଚନ ରଣାଙ୍ଗନରେ ହାକିମ ବାବୁମାନଙ୍କ ଗହଳି ଦେଖାଯାଏ। ରାଜନୀତିରେ ଲୋକମାନଙ୍କ ସହିତ ମିଶିବା ସହ ସାଧାରଣ ଜନତାଙ୍କୁ ପରଖି ସେମାନଙ୍କ ସେବା କରିବାର...

ଭୋଟଦାନ ପ୍ରତି ଅନାଗ୍ରହ

ସାଧାରଣତଃ ପ୍ରତି ପାଞ୍ଚବର୍ଷରେ ଥରେ ଭୋଟଦାନ ଭାରତୀୟ ସମ୍ବିଧାନ ଅନୁଯାୟୀ ସ୍ଥିରୀକୃତ ହୋଇଛି। ବେଳେବେଳେ ବିଭିନ୍ନ କାରଣରୁ ଏହି ସମୟସୀମା ହ୍ରାସ ପାଇଥାଏ। ବିରୋଧୀ ଦଳ...

ପାଶ୍ଚାତ୍ୟର ଅଧୋଗତି

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୨ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ଆକ୍ରମଣ ଆରମ୍ଭହେବା ପରଠାରୁ ପାଶ୍ଚାତ୍ୟ ଯୁଦ୍ଧ ସ୍ଥିତିରେ ନିଜର କୌଣସି କ୍ଷତି ନ...

ଏଇ ଭାରତରେ

ହାଇଦ୍ରାବାଦର ଶ୍ରୀନିବାସ ରାଓ ମାଧବରାମ ପେସାରେ ଜଣେ ଡାକ୍ତର । କିନ୍ତୁ ତାଙ୍କ ନିଶା ହେଉଛି ଡ୍ରାଗନ ଚାଷ। ତେଲଙ୍ଗାନାର ସାଙ୍ଗାରେଡିରେ ଥିବା ତାଙ୍କର ୪୭...

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri