ସ୍ବଦେଶୀ ଆନ୍ଦୋଳନରେ ନେତାଜୀ

ଅସିତ ମହାନ୍ତି

ଭାରତବର୍ଷର ସ୍ବାଧୀନତା ଆନ୍ଦୋଳନରେ ନେତାଜୀଙ୍କ ଭୂମିକା ଅତୁଳନୀୟ। କିନ୍ତୁ ଦୁଃଖର କଥା ବର୍ତ୍ତମାନ ପିଢ଼ି ନେତାଜୀ ଏବଂ ତାଙ୍କର ରାଜନୈତିକ ଜୀବନ ସଂଘର୍ଷକୁ ବୁଝିବାରେ ସମର୍ଥ ହୋଇପାରିନାହାନ୍ତି। ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମ ୨୩ ଜାନୁଆରୀ ୧୮୯୭ କଟକ(ଓଡ଼ିଶା)ରେ ହୋଇଥିଲା। ଆଜି ତାଙ୍କ ଜନ୍ମଦିନରେ ଆମର ଦାୟିତ୍ୱ ଯେ ତାଙ୍କର ରାଜନୈତିକ ଜୀବନ ଏବଂ ସଂଘର୍ଷକୁ ଉପସ୍ଥାପନା କରିବା। ଭାରତୀୟ ସ୍ବାଧୀନତା ଆନ୍ଦୋଳନରେ ରାଜନୈତିକ ଧାରା ଦୁଇଟି ଥିଲା – ଗୋଟିଏ ଥିଲା ଆପୋସ ପଥରେ ସ୍ବାଧୀନତା ପ୍ରାପ୍ତି କରିବା, ଅନ୍ୟଟି ଆପୋସ ହୀନ ଧାରା, ଅର୍ଥାତ୍‌ ସଶସ୍ତ୍ର ସଂଗ୍ରାମ ଦ୍ୱାରା। ଏହି ଦୁଇଟି ଧାରା ମଧ୍ୟରେ ସ୍ବାଧୀନତା ଆନ୍ଦୋଳନରେ ବାରମ୍ବାର ୨ ନେତୃତ୍ୱ ମଧ୍ୟରେ ମତପାର୍ଥକ୍ୟ ହୋଇଛି। ଆପୋସ ଧାରାର ବାହକ ଥିଲେ ଗାନ୍ଧିଜୀ ଏବଂ ଆପୋସହୀନ ଧାରାର ବାହକ ଥିଲେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ । ଉଲ୍ଲେଖନୀୟ ତଥ୍ୟ ହେଉଛି ବିଚାର ଚିନ୍ତନ କ୍ଷେତ୍ରରେ ଘୋର ମତପାର୍ଥକ୍ୟ ଥାଇ ମଧ୍ୟ ନେତାଜୀଙ୍କର ଗାନ୍ଧିଜୀଙ୍କ ପ୍ରତି ସମ୍ମାନ କେବେ କମ୍‌ ହୋଇନାହିଁ। ଏକଥା ସତ୍ୟ ଯେ ନେତାଜୀ ରାଜନୈତିକ ମଞ୍ଚକୁ ଆସିବା ପୂର୍ବରୁ ଆମ ଦେଶରେ ସଶସ୍ତ୍ର ବିପ୍ଳବବାଦ ବିଦ୍ୟମାନ ଥିଲା, କିନ୍ତୁ ବିକ୍ଷିପ୍ତ ରୂପରେ। ନେତାଜୀ ଆସିବା ପରେ ବିକ୍ଷିପ୍ତ ଗୋଷ୍ଠୀଗୁଡ଼ିକୁ ଏକତ୍ରକରି ନେତୃତ୍ୱକୁ ଜନ୍ମଦେଲେ। ନେତାଜୀଙ୍କର ଏହି ଭୂମିକା ଐତିହାସିକ। ଏହି ସକାରାତ୍ମକ ପକ୍ଷ ନେଇ ସୁଭାଷ ବୋଷ ହରିପୁରା କଂଗ୍ରେସରେ ସଭାପତି ପଦରେ ନିର୍ବାଚିତ ହୋଇଥିଲେ। ନେତାଜୀଙ୍କ ବିରୋଧରେ ପଟ୍ଟାଭି ସୀତାରାମାୟାଙ୍କୁ ଛିଡ଼ା କରାଯାଇଥିଲା। କିନ୍ତୁ ନେତାଜୀ ବିଜୟୀ ହେଲେ। ଏହି ବିଜୟ ବିପକ୍ଷରେ ଗାନ୍ଧିଜୀଙ୍କ ବିବୃତି ଥିଲା- ”ସୀତାରାମାୟାଙ୍କ ପରାଜୟ ମୋର ପରାଜୟ।“ଏହି ବିବୃତି ଦେଇ ଗାନ୍ଧିଜୀ ନେତାଜୀଙ୍କୁ ଅଭିନନ୍ଦନ କରିଥିଲେ , ଯାହା ଏକ ଇତିହାସ ହୋଇ ରହିଯାଇଥିଲା। ଏହାପରେ ୱାର୍କିଂ କମିଟିର ସଦସ୍ୟମାନେ ଆହୁରି ନିକୃଷ୍ଟ ଷଡ଼ଯନ୍ତ୍ରରେ ଲିପ୍ତ ହେଲେ। ନେତାଜୀ ଅସୁସ୍ଥ ଅଛନ୍ତି ,ଏହା ଜାଣି ମଧ୍ୟ ତାଙ୍କର ଅନୁପସ୍ଥିତିରେ ୱାର୍କିଂ କମିଟିର ମିଟିଂ ଡାକିଲେ ଏବଂ ନେତାଜୀ ନିଜର ଅସୁସ୍ଥତା କଥା ଜଣାଇ ମିଟିଂକୁ କିଛିଦିନ ବଢ଼ାଇବା ପାଇଁ ଅନୁରୋଧ କରିବାର ପ୍ରତ୍ୟୁତ୍ତରରେ ତାଙ୍କୁ ପଦତ୍ୟାଗର ଧମକ ଦିଆଗଲା। ନେତାଜୀଙ୍କ ଅସୁସ୍ଥତାକୁ ‘ରାଜନୈତିକ ଜର’ର ଆଖ୍ୟା ଦିଆଯାଇଥିଲା।
ଯେତେବେଳେ ସଭାପତି ପଦରେ ସୁଭାଷଙ୍କ ପୁନଃ ନିର୍ବାଚନ କୌଣସିମତେ ଅଟକାଯାଇପାରିଲା ନାହିଁ, ସେତେବେଳେ ଅନ୍ୟ ଏକ କୌଶଳ ଅବଲମ୍ବନ କରାଗଲା – ସମସ୍ତ କ୍ଷମତାକୁ କମିଟି ହାତରେ ରଖି ନେତାଜୀଙ୍କୁ କେବଳ ପଦରେ ବସାଇବାକୁ ସ୍ଥିର ହେଲା, ଯାହାଫଳରେ ନେତାଜୀ ନିଜ ପଦରୁ ଇସ୍ତଫା ଦେବାପାଇଁ ବାଧ୍ୟ ହେବେ। ଗୋଟିଏ ଦିଗରେ କଂଗ୍ରେସ ସୋସାଲିଷ୍ଟ ଦଳର ନେତାମାନେ ଚରମ ବିଶ୍ୱାସଘାତକତା କରି ପନ୍ଥ ପ୍ରସ୍ତାବର ସପକ୍ଷରେ ଠିଆ ହେଲେ , ଅନ୍ୟ ଦିଗରେ ଏହି ସଙ୍କଟଜନକ ମୁହୂର୍ତ୍ତରେ ମାର୍କ୍ସବାଦୀ ବୋଲି ପରିଚିତ ବର୍ତ୍ତମାନ ସିପିଆଇ, ସିପିଏମ୍‌ରେ ବିଭକ୍ତ , ତତ୍କାଳୀନ ଅବିଭକ୍ତ ସିପିଆଇ ନେତୃତ୍ୱ ଚରମ ସୁବିଧାବାଦ ଓ ବିଶ୍ୱାସଘାତକତାର ପରିଚୟ ଦେଇ ସୁଭାଷ ବୋଷଙ୍କ ପକ୍ଷରେ ଠିଆ ନ ହୋଇ ନିରପେକ୍ଷ ରହି ଅନ୍ୟମାନଙ୍କୁ ଜୟଯୁକ୍ତ କରିବାରେ ସାହାଯ୍ୟ କରିଥିଲେ। ପନ୍ଥ ପ୍ରସ୍ତାବ ଗୃହୀତ ହେଲା, ସୁଭାଷ ବୋଷ ପରାଜିତ ହେଲେ। ତ୍ରିପୁରୀ ଅଧିବେଶନର ଏହି ଦୁଃଖଦ ଅଧ୍ୟାୟ ବିଷୟରେ ନେତାଜୀ ଦୁଃଖକରି କହିଥିଲେ , ତ୍ରିପୁରୀରେ ସତରେ ଆମର ପରାଜୟ ହେଲା, କିନ୍ତୁ ଏହା ରୋଗଶଯ୍ୟାରେ ଶାୟିତ ଜଣେ ଅସୁସ୍ଥ ମଣିଷର ଚାରୋଟି ଶକ୍ତି ବିରୋଧରେ ଲଢ଼ିବାକୁ ଯାଇ ପରାଜୟ ହେଲା।
ଗାନ୍ଧିଜୀ ବିଶ୍ୱାସ କରୁଥିଲେ ଯେ ବିପ୍ଳବ ଓ ବିପ୍ଲବୀମାନେ ଭାରତବର୍ଷ ପକ୍ଷରେ ବିପଜ୍ଜନକ। ଶାନ୍ତି ଓ ଅହିଂସା ହିଁ ଏକମାତ୍ର ସ୍ବାଧୀନତାର ପଥ। ଏଇଥିପାଇଁ ନେତାଜୀଙ୍କ ନେତୃତ୍ୱକୁ ଭିନ୍ନ ଦୃଷ୍ଟିରେ ଦେଖିଥିଲେ। ଇଂରେଜ ସାମ୍ରାଜ୍ୟବାଦୀ ଶାସନ ଯୁଗରେ ଜାତୀୟ ସ୍ବାଧୀନତା ଦାବି ଉତ୍ଥାପିତ ହେଲେ ବି ସେଦିନ ଭାରତବର୍ଷ ଶ୍ରେଣୀ ବିଭକ୍ତ ଥିଲା। ଗୋଟିଏ ଦିଗରେ ଥିଲା ଟାଟା ବିରଳା ପରି ମୁଷ୍ଟିମେୟ ମାଲିକ ଶ୍ରେଣୀ । ଅନ୍ୟ ଦିଗରେ ଥିଲା ଅଗଣିତ ଶୋଷିତ ଶ୍ରମିକ ,ଖେତ ମଜଦୁର , ଗରିବ କୃଷକ ଏବଂ ମଧ୍ୟବିତ୍ତ ଶ୍ରେଣୀ। ସ୍ବାଧୀନତା ଆନ୍ଦୋଳନର ଲକ୍ଷ୍ୟ ହିସାବରେ ଉଭୟଙ୍କ ଉଦ୍ଦେଶ୍ୟ ଏକ ନ ଥିଲା। ଏହି ଦେଶର ଜାତୀୟ ବୁର୍ଜୁଆ ଶ୍ରେଣୀର ଏକମାତ୍ର ଉଦ୍ଦେଶ୍ୟ ଥିଲା ଜନଗଣଙ୍କର ଦେଶପ୍ରେମକୁ କାମରେ ଲଗାଇ ଇଂରେଜ ସାମ୍ରାଜ୍ୟବାଦ ପରିବର୍ତ୍ତେ ଏ ଦେଶରେ ନିଜର ଶୋଷଣର ରାଜତ୍ୱ ପ୍ରତିଷ୍ଠା କରିବା। ଅନ୍ୟ ଦିଗରେ ବିଦେଶୀ ଓ ଦେଶୀ ସମସ୍ତ ପ୍ରକାର ଶୋଷଣ ଅତ୍ୟାଚାରକୁ ଉଚ୍ଛେଦକରି ଶ୍ରେଣୀ ଶୋଷଣମୁକ୍ତ ସମାଜ ପ୍ରତିଷ୍ଠା କରାଯାଇ ଶୋଷିତ ଜନଗଣଙ୍କ ଶ୍ରେଣୀ ସ୍ବାର୍ଥ ଚରିତାର୍ଥ ହୋଇପାରି ଥାଆନ୍ତା। ଏ ଦେଶର ଜାତୀୟ ବୁର୍ଜୁଆ ଶ୍ରେଣୀ ତା’ର ଶ୍ରେଣୀ ସ୍ବାର୍ଥ ପୂରଣ ଉଦ୍ଦେଶ୍ୟରେ ସଶସ୍ତ୍ର ବିଳ୍ପବ ବିରୋଧରେ ରହି ଅହଂସା ଆନ୍ଦୋଳନକୁ ସମର୍ଥନ କରୁଥିଲେ। ଏହି ପୁଞ୍ଜିପତି ଶ୍ରେଣୀ ସଶସ୍ତ୍ର ବିପ୍ଲବର ତୀବ୍ର ବିରୋଧୀ ଥିଲା,କାରଣ ସେମାନଙ୍କ ନିକଟରେ ଏଥିମଧ୍ୟରେ ରୁଷିଆରେ ପୁଞ୍ଜିବାଦକୁ ଉଚ୍ଛେଦକରି ୧୯୧୭ରେ ଶ୍ରମିକ ଶ୍ରେଣୀର ନେତୃତ୍ୱରେ ସମାଜତନ୍ତ୍ର ପ୍ରତିଷ୍ଠାର ବାର୍ତ୍ତା ପହଞ୍ଚତ୍ୟାଇଥିଲା । ଫଳରେ ସେମାନେ ଇଂରେଜ ସାମ୍ରାଜ୍ୟବାଦ ହାତରୁ କ୍ଷମତା ଦଖଲ କରିବାକୁ ଚାହିଁଲେ ମଧ୍ୟ ଶ୍ରମିକ ବିପ୍ଲବର ଭୟରେ ଆତଙ୍କିତ ହୋଇ ପଡ଼ିଥିଲେ। ସୁତରାଂ କୌଣସି ମୂଲ୍ୟରେ ସଶସ୍ତ୍ର ବିପ୍ଳବ ଘଟିବାକୁ ଦିଆଯାଇ ନ ପାରେ। ଏହା ଘଟିଲେ, ଶୋଷିତ ଜନଗଣ ଯେଉଁ ଅସ୍ତ୍ର ବ୍ୟବହାର କରିବାକୁ ଶିଖିବେ , ତାହା କେବଳ ସାମ୍ରାଜ୍ୟବାଦୀ ଶାସନର ଅବସାନ ଘଟାଇବ ନାହିଁ,ବରଂ ପୁଞ୍ଜିବାଦକୁ ମଧ୍ୟ ଉଚ୍ଛେଦ କରିବ, ଏହିଠାରେ ହିଁ ଥିଲା ପୁଞ୍ଜିବାଦୀ ଶ୍ରେଣୀର ଆତଙ୍କ। ତେଣୁ ଯେକୌଣସି ଉପାୟରେ ହେଉ ସଶସ୍ତ୍ର ବିପ୍ଳବକୁ ରୋକିବାକୁ ହେବ, ଏପରିକି ସାମ୍ରାଜ୍ୟବାଦୀ ଶାସନ ଅବସାନ ଅପେକ୍ଷା ଏହା ଆହୁରି ବେଶି ଗୁରୁତ୍ୱପୂର୍ଣ୍ଣ। ତେଣୁ ଆବେଦନ ନିବେଦନ, ଧାରଣା ଅହିଂସା ଏସବୁ ପଥରେ ଯେଉଁ ଟିକକ କ୍ଷମତା ମିଳିପାରେ ତାହା ହିଁ ଭଲ।
ଏହି କଥାକୁ ସାହିତି୍ୟକ ଶରତଚନ୍ଦ୍ର ବୁଝିବାକୁ ଭୁଲ୍‌ କରିନାହାନ୍ତି। ସେ ଏକଦା କହିଥିଲେ , ”ଗାନ୍ଧିଜୀଙ୍କୁ ଘେରି ରହିଛନ୍ତି ବଣିକମାନେ , ତାଙ୍କର ଅସଲ ଭୟ ବିପ୍ଳବକୁ , ସମାଜତନ୍ତ୍ରକୁ।“ ଏଇଥିପାଇଁ ହିଁ ପୁଞ୍ଜିବାଦର ପ୍ରୟୋଜନ ଥିଲା , ନେତାଜୀଙ୍କ କୌଣସିମତେ କଂଗ୍ରେସ ନେତୃତ୍ୱରେ ଅଧିଷ୍ଠିତ ହେବାକୁ ନ ଦେବା। ଯେକୌଣସି ଉପାୟରେ ହେଉ , ତାଙ୍କୁ ନେତୃତ୍ୱରୁ, କଂଗ୍ରେସରୁ ଅପସାରିତ କରିବା। ପୁଞ୍ଜିବାଦର ପ୍ରୟୋଜନରେ ଗୋଟାକ ପରେ ଗୋଟିଏ ଷଡ଼ଯନ୍ତ୍ର କରାଗଲା ଏବଂ ଶେଷ ପର୍ଯ୍ୟନ୍ତ ଘୃଣ୍ୟ ଉଦ୍ଦେଶ୍ୟ ହାସଲ କରାଯାଇପାରିଲା। ଏହା ହିଁ ହେଉଛି ପ୍ରକୃତ ଇତିହାସ ଯାହାକୁ ଲୋକଲୋଚନକୁ ଆସିବାକୁ ଦିଆଯାଉନାହିଁ, ଯାହାଫଳରେ ଦେଶର ଯୁବସମାଜ ଏହି ଇତିହାସଟିକୁ ଜାଣିବାରେ ଅସମର୍ଥ ହେଉଛନ୍ତି। ଏକଦା ନେତାଜୀ କହିଥିଲେ, ” ପିଲାଦିନେ ମୁଁ ଭାବୁଥିଲି ଯେ ଇଂରେଜମାନଙ୍କୁ ଦେଶରୁ ତଡ଼ିଦେବା ହିଁ ହେଉଛି ମୋର ମୁଖ୍ୟ କାର୍ଯ୍ୟ , କିନ୍ତୁ ପରବର୍ତ୍ତୀ ସମୟରେ ଯେତେବେଳେ ମୁଁ ପୁଙ୍ଖାନୁପୁଙ୍ଖ ଭାବେ ଚିନ୍ତନ ମନନ କଲି ,ମତେ ଜଣାପଡ଼ିଲା ଯେ ଆମ ଦେଶରେ ଗୋଟିଏ ସାଂସ୍କୃତିକ ବିପ୍ଲବର ନିତାନ୍ତ ଦରକାର ଅଛି। ପ୍ରକୃତରେ ଏହି ସାଂସ୍କୃତିକ କ୍ରାନ୍ତି ସଶସ୍ତ୍ର ବିପ୍ଳବ ମାଧ୍ୟମରେ ହୋଇଥାନ୍ତା , କିନ୍ତୁ ଏହା ସମ୍ଭବ ହୋଇପାରିଲା ନାହିଁ। ନେତାଜୀଙ୍କ ଅଧୁରା ସ୍ବପ୍ନକୁ ପୂରା କରିବାର ଦାୟିତ୍ୱ ଆଜି ଯୁବସମାଜ ଉପରେ। ଯଦି ଏହା ଆମେ କରିପାରିଲେ ତେବେ ନେତାଜୀଙ୍କ ପ୍ରତି ଏହା ହେବ ପ୍ରକୃତ ସମ୍ମାନ।
ସୁଜନପୁର, ଯାଜପୁର
ମୋ: ୯୩୪୮୭୬୮୮୧୨


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

ଏଇ ଭାରତରେ

ଏମ୍‌. ନାଗରାଜୈହ ବେଙ୍ଗାଲୁରୁର ବସ୍ତିରେ ରହୁଥିବା ପିଲାଙ୍କ ଭବିଷ୍ୟତ ଗଢ଼ିବା ଲାଗି ଚେଷ୍ଟା ଜାରି ରଖିଛନ୍ତି। ସେ ଅଧାରୁ ପାଠ ଛାଡ଼ିଦେଇଥିବା ଏବଂ ଶିଶୁ ଶ୍ରମିକ ଭାବରେ…

ସିନ୍ଥେଟିକ ବୁଦ୍ଧିମତ୍ତା

ସଭ୍ୟତାକୁ ଗତିଶୀଳ କରିଥିବା ସବୁଠାରୁ ବଡ଼ ଉଦ୍ଭାବନ ହେଉଛି ଚକ। ଇତିହାସବିତ୍‌ଙ୍କ ମତରେ ଆଜି ଆମେ ଯେଉଁ ଦ୍ରୁତଗତି ସମାଜରେ ବାସ କରୁଛୁ, ତାହାର ମୂଳରେ ରହିଛି…

ବାଲ୍ୟକାଳ ବାହୁଡ଼ି ନ ଆସୁ

ସୁପ୍ରସିଦ୍ଧ ଗଜଲ ଗାୟକ ଜଗଜ୍ଜିତ ସିଂହଙ୍କର ସେଇ କାଳଜୟୀ ଗଜଲଟିର ଅନୁବାଦ ଯଦି ଆମ ଭାଷାରେ କରାଯାଏ, ତେବେ ତାହାର ଶବ୍ଦରୂପ ବୋଧହୁଏ ଏମିତି କିଛି ହେବ-…

ଅନଶନ ସହଜ ନୁହେଁ

ଏନ୍‌ଇଇଟି ପରୀକ୍ଷାରେ ଅନିୟମିତତା ଓ ଶିକ୍ଷା ବ୍ୟବସ୍ଥାରେ ଅସଙ୍ଗତି ଦେଖାଦେଇଥିବାରୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ନୂଆଦିଲ୍ଲୀର ଯନ୍ତ୍ରରମନ୍ତରରେ ୨୧ ଦିନ ଆମରଣ ଅନଶନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri