ହସ ଥେରାପି

ଜଣେ ଧନୀ ଏବଂ ପ୍ରତିଷ୍ଠିତ ବ୍ୟକ୍ତି ମାନସିକ ବିଷାଦରୁ ମୁକ୍ତି ପାଇବା ପାଇଁ ମନୋବିଶେଷଜ୍ଞଙ୍କ ସହିତ ଦେଖା କରିବାକୁ ଆବଶ୍ୟକ ମଣିଲେ। ବିଶେଷଜ୍ଞଙ୍କ ସହିତ କିଛି ସମୟର କଥୋପକଥନ ପରେ ସେ ବ୍ୟକ୍ତିଙ୍କୁ କହିଲେ ଯେ ତାଙ୍କର କିଛି ବି ହୋଇନି, ସେ ସମ୍ପୂର୍ଣ୍ଣ ସୁସ୍ଥ। ବ୍ୟସ୍ତବିବ୍ରତ ହୋଇ ବ୍ୟକ୍ତି ଜଣକ ଡାକ୍ତରଙ୍କ ପାଖରେ ନେହୁରା ହେଲେ କିଛି ଔଷଧ ଲେଖିଦେବା ପାଇଁ, ଯାହାକୁ ସେବନ କଲେ ସେ ମାନସିକ ବିଷାଦରୁ ମୁକ୍ତି ପାଇପାରିବେ। ଗତ କିଛିଦିନ ହେଲା ସେ ଭଲରେ ଶୋଇ ମଧ୍ୟ ପାରୁନାହାନ୍ତି, ଏହା ଥିଲା ତାଙ୍କର ଅଭିଯୋଗ। ଡାକ୍ତର ମହାଶୟ ସ୍ମିତ ହସଟିଏ ହସି ରାଇଟିଂ ପ୍ୟାଡ୍‌ରୁ କାଗଜଟିଏ ବାହାରକରି ଔଷଧ ନାଁ ଲେଖି ଭଦ୍ରବ୍ୟକ୍ତିଙ୍କ ଆଡକୁ ବଢ଼େଇଦେଲେ। କାଗଜ ଖଣ୍ଡକରେ ଲେଖାଥିବା ଔଷଧର ନାଁ ପଢ଼ି ବ୍ୟକ୍ତି ଖୁସି କ’ଣ ହେବେ ଆଶ୍ଚର୍ଯ୍ୟ ହେଲେ। କାଗଜରେ ଲେଖାଥିଲା, ‘ଯେତେ ଅଧିକ ପାରୁଛ ହସ’ l
‘ହସ’ ୟାକୁ ମୁଖମଣ୍ଡଳରେ ଧରି ରଖିବା ପାଇଁ ଟଙ୍କା ଗୋଟାକର ଆବଶ୍ୟକତା ହୁଏ ନାହିଁ, ହେଲେ କାହାକୁ ଦେଖି ମୁହଁରେ ହସଟିଏ ଫୁଟେଇବା ପାଇଁ ଆଜିକାଲି ସମସ୍ତେ ଭାରି କାମ୍ପି।ହସ ଏମିତି ଗୋଟିଏ ଔଷଧ ଯାହା ରାଗ, ଅଭିମାନ, ଅସନ୍ତୋଷ ଭଳି ବଡ଼ ବଡ଼ ରୋଗକୁ ସହଜରେ ଦୂର କରିବାର କ୍ଷମତା ରଖେ। ସେଥିପାଇଁ ତ ବିଖ୍ୟାତ ଲେଖକ ମାର୍କ ଟେୱନ କହିଛନ୍ତି, ‘ମାନବ ଜାତି ପାଖରେ ଗୋଟିଏ ବହୁ ପ୍ରଭାବୀ ଅସ୍ତ୍ର ରହିଛି ଏବଂ ତାହା ହଉଛି ହସ l’ କିନ୍ତୁ ବିନା ମୂଲ୍ୟର ଏହି ଔଷଧର ପ୍ରୟୋଗ ସମସ୍ତଙ୍କ କ୍ଷମତା ଭିତରର କଥା ନୁହେଁ!
ହସକୁ ମୁହଁରେ ଫୁଟେଇବା ପାଇଁ ଉଦାର ମନ ସହ ଧୈର୍ଯ୍ୟ ଓ କ୍ଷମା ଭଳି ଦୁଇଟି ବିଶେଷ ଗୁଣର ଅଧିକାରୀ ହେବା ବ୍ୟକ୍ତି ପାଇଁ ନିହାତି ଆବଶ୍ୟକ।
ହସିବା ଦ୍ୱାରା ନିଜ ମନର ଦୁଃଖ ଦୂର ହେବା ସହିତ ଆପଣଙ୍କ ସହିତ ମିଶୁଥିବା ବ୍ୟକ୍ତି ଉପରେ ଏହାର ସକାରାତ୍ମକ ପ୍ରଭାବ ପଡ଼େ। କହିବାକୁ ଗଲେ ଉଭୟ ମାନସିକ ଏବଂ ଶାରୀରିକ ଅସୁସ୍ଥତାକୁ ଦୂର କରିବା ପାଇଁ ଏହା ସବୁଠାରୁ ଶସ୍ତା, ସହଜ ଓ ସୁଲଭ ଔଷଧ। ଥରେ ମନେପକାନ୍ତୁନା, ଆମେ ପିଲାବେଳେ କେତେ ହସୁଥିଲେ! ମାତ୍ର ଏବେ, ଆମେ ସବୁ ଯେମିତି ହସିବା ଭୁଲି ଯାଇଛେ।ବୋଧହୁଏ ସେଇଟା ଆମର ଜଟିଳ ଏବଂ ସମସ୍ୟାବହୁଳ ଜୀବନ ବଞ୍ଚିବାର ମୁଖ୍ୟ କାରଣ। ପରସ୍ପର ମଧ୍ୟରେ ସୁନ୍ଦର ସମ୍ପର୍କ ଗଢି ତୋଳିବା ସକାଶେ ହସର ଗୁରୁତ୍ୱ କିଛି କମ୍‌ ନୁହେଁ l
ଅନୁଶୀଳନ କରାଯାଇଛି ଯେ, ଦିନକୁ ୧୦ – ୧୫ ମିନିଟ୍‌ ହସିବା ଦ୍ୱାରା ଶରୀରର ପ୍ରାୟ ୪o କ୍ୟାଲୋରି ହ୍ରାସ ପାଇଥାଏ। ଯାହା ଶରୀରର ଓଜନ କମେଇବା ସହିତ ଦୀର୍ଘଜୀବନ ପାଇଁ ମଧ୍ୟ ପଥ ଉନ୍ମୋଚନ କରେ। ହସିବା ଦ୍ୱାରା ଶରୀରରେ ରକ୍ତ ସଞ୍ଚାଳନ ପ୍ରକ୍ରିୟା ଉନ୍ନତ ହୁଏ, ଏଣୁ ହୃଦୟଜନିତ ରୋଗ ଏବଂ ଆକସ୍ମିକ ହୃଦ୍‌ଘାତରୁ ମଧ୍ୟ ରକ୍ଷା ମିଳିଥାଏ। ଆବେଗାତ୍ମକ ଓ ମାନସିକ ସୁସ୍ଥତା ଦୃଷ୍ଟିକୋଣରୁ ମଧ୍ୟ ହସ ମାନବ ଶରୀରକୁ ପ୍ରଭାବିତ କରେ। ଏହା ବ୍ୟତୀତ ହସ ମୃତକୋଷକୁ ଜୀବନ୍ତ କରି ନୂତନକୋଷ ଉତ୍ପନ୍ନ କରିବାରେ ସହାୟକ ହୁଏ। ସୁସ୍ଥ ବ୍ୟକ୍ତିଟିଏ ଦିନକୁ ୪oo ଥର ହସୁଥିବା ବେଳେ ଅସୁସ୍ଥ ବ୍ୟକ୍ତି ହସେ ମାତ୍ର ୧୫ ଥର।
କେବଳ ଯେ ଥଟ୍ଟାମଜା କଲେ ଏବଂ କୌତୁକିଆ କଥା କହିଲେ ହିଁ ଯେ ହସିହେବ, ତା ନୁହେଁ।ନିଜକୁ ଖୁସି ଏବଂ ଆତ୍ମତୃପ୍ତି ଦେଉଥିବା କୌଣସି କାମ କଲେ ମୁହଁରେ ସ୍ବତଃ ଧାରେ ହସ ଖେଳିଯିବ। ମଣିଷ ସୃଷ୍ଟିର ଏକମାତ୍ର ପ୍ରାଣୀ ଯେ ହସିପାରେ। ହସ ଶତ୍ରୁକୁ ମଧ୍ୟ ଆପଣାର କରିଦିଏ। ଏ ସନ୍ଦର୍ଭରେ ପ୍ରସିଦ୍ଧ ହାସ୍ୟ ଅଭିନେତା ଚାର୍ଲି ଚାପଲିନଙ୍କ ଉକ୍ତିଟିଏ ମନେପଡ଼ିଯାଏ- ‘ସେହିଦିନଟି ମୋର ମୂଲ୍ୟହୀନ ଯେଉଁଦିନ ମୁଁ ହସିନାହିଁ l’ ତେବେ ଚିନ୍ତା କରନ୍ତୁ, ଆମେ ବଞ୍ଚୁଥିବା ଜୀବନକାଳରେ କେତୋଟି ଦିନକୁ ଆମେ ମୂଲ୍ୟହୀନ କରିସାରିଛେ। କିନ୍ତୁ ଏବେ ବି ଡେରି ହୋଇନାହିଁ, ବଞ୍ଚିଥିବା ବାକି ଦିନତକ ଆମେ ମୂଲ୍ୟବାନ୍‌ କରିପାରିବା। ଆସନ୍ତୁ, ପ୍ରତିଦିନ ଖୋଲା ହସ ହସି ନିଜ ସହ ଅନ୍ୟମାନଙ୍କୁ ମଧ୍ୟ ଆନନ୍ଦିତ ହେବାର ସୁଯୋଗ ଦେବା।
ପୁଣି ପ୍ରଶ୍ନ ଉଠେ କ’ଣସବୁ କଲେ ମନକୁ ହସ ଆସିବ! ଏମିତି ବି ହୁଏ ବେଳେବେଳେ ହସିବାକୁ ଇଚ୍ଛା କରି ଆମେ ଆଦୌ ହସିପାରୁନା।ତା’ ପାଇଁ ପ୍ରଥମେ ନିଜ ଅନ୍ତରରେ ଥିବା ନକାରାତ୍ମକ ଚିନ୍ତାଗୁଡିକୁ ଭୁଲେଇଦେବାକୁ ହେବ। ତା’ ପାଇଁ ଆମେ ଜୀବନର ଭଲ ମୁହୂର୍ତ୍ତଗୁଡିକୁ ମନେପକେଇବା, ଭଲ ସାଙ୍ଗମାନଙ୍କ ସହିତ ସମୟ ବିତେଇବା, ଖୁସି ଓ ମଜା ଦେଉଥିବା କାର୍ଯ୍ୟ କରିବା। ନିଜ ଭିତରେ ଲୁଚି ରହିଥିବା ଛୋଟ ପିଲାଟିକୁ ଯଦି ପୁଣିଥରେ ଖୋଜି ଅଣାଯାଏ, ତା’ ହେଲେ ହସିବା ଆହୁରି ସହଜ ହୋଇଯିବ। ଦେଖାଯାଏ ଯେ ଆଖିରେ ଲୁହ ଖୁବ୍‌ଶୀଘ୍ର (ବେଳେ ବେଳେ ବିନା କାରଣରେ) ଜକେଇ ଆସୁଥିବା ବେଳେ ହସ ଚେଷ୍ଟା କରି ମଧ୍ୟ ଆସେ ନାହିଁ। ଏଥିରୁ ପ୍ରମାଣିତ ହୁଏ ଯେ ହସିବା ଓ ହସେଇବା ଗୋଟିଏ ଖୁବ୍‌ ସହଜ କଥା ନୁହେଁ। ବିଶିଷ୍ଟ ଆମେରିକାନ ଲେଖକ କର୍ଟ ଭୋନଗଟ କୁହନ୍ତି,‘ହସ ଓ ଲୁହ; ଉଭୟ ହିଁ ନିରାଶା ଓ ଥକ୍କାପଣର ପ୍ରତିକ୍ରିୟା, ମାତ୍ର ମୁଁ ହସିବାକୁ ପସନ୍ଦ କରେ କାରଣ ତା’ ପରେ ଚେହେରାକୁ ସଫା କରିବାର ଆବଶ୍ୟକତା ରହେ ନାହିଁ l’ କହିବାର ଅର୍ଥ କୌଣସି ପରିସ୍ଥିତିର ପ୍ରତିକ୍ରିୟା ସ୍ବରୂପ ଲୁହ ଧାରେ ବାହାରିବା ଅପେକ୍ଷା ହସଟିଏ ବାହାରିଲେ ସମସ୍ତଙ୍କ ପାଇଁ ଭଲ ଏବଂ ତାରି ଭିତରେ ନିଜକୁ ବୋଧ ଦେବା, ସଜା ନେବା, ସୁଧାରି ନେଇ ପୁଣିଥରେ ପ୍ରସ୍ତୁତ ରହିବା କଳାଟି ଆୟତ୍ତ କରିନେବା ଉଚିତ।
ପାଠକ ବନ୍ଧୁ, ହସ ବିଷୟରେ ଏତେସବୁ ଜାଣିବା ପରେ ବି ଯଦି ହସିବା ସମ୍ଭବ ହେଉନାହିଁ, ତା’ହେଲେ ଯୋଗାଭ୍ୟାସ ଓ ହସ କ୍ଲବରେ ଯୋଗଦେଇ ହସିବା ଶିଖିବାକୁ ହେବ। ବିଶ୍ୱାସ କରନ୍ତୁ ଥରେ ଏହି ‘ହସ ଥେରାପି’ କାମ କରିବା ଆରମ୍ଭ କଲେ ଆଉ କୌଣସି ପ୍ରକାର ଔଷଧର ବିଶେଷ ପ୍ରୟୋଜନ ରହିବ ନାହିଁ। ଜୀବନରେ ନିତି ଆସୁଥିବା ଦୁଃଖ, ସମସ୍ୟା ଓ ଜଟିଳତା ସବୁକୁ ଚୁଟକିରେ ଦୂର କରିଦେଇପାରିବ ଏହି ‘ହସ ଥେରାପି’!!
ମୋ: ୬୩୭୦୫୧୬୪୭୮


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?