
ନୂଆଦିଲ୍ଲୀ,୨୭।୧୨: ଦୁଇ ଥର ଭାରତର ପ୍ରଧାନମନ୍ତ୍ରୀ ରହିଥିବା ମନମୋହନ ସିଂଙ୍କ ଗୁରୁବାର ପରଲୋକ ଘଟିଛି। ୯୨ ବର୍ଷ ବୟସ୍କ ମନମୋହନଙ୍କ ସ୍ବାସ୍ଥ୍ୟାବସ୍ଥା ସଂନ୍ଧ୍ୟାରେ ବିଗିଡ଼ିବା ଯୋଗୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ତେବେ ତାଙ୍କର ଅନ୍ତିମ ସଂସ୍କାର ଶନିବାର ସକାଳ ୧୧ଟା ୪୫ ମିନିଟ୍ରେ ନିଗମବୋଧ ଘାଟରେ ରାଷ୍ଟ୍ରୀୟ ସମ୍ମାନ ସହ କରାଯିବ। ଏନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ମନ୍ତ୍ରଣାଳୟ ପକ୍ଷରୁ ଜାରି ବୟାନରେ କୁହାଯାଇଛି, ସରକାର ନିଶ୍ଚିତ କରିଛନ୍ତି ଯେ ଡା.ମନମୋହନ ସିଂଙ୍କ ରାଷ୍ଟ୍ରୀୟ ସମ୍ମାନ ସହ ଅନ୍ତିମ ସଂସ୍କାର କରାଯିବ। ଏହା ୨୮ ଡିସେମ୍ବର ୨୦୨୪ ସକାଳ ୧୧ଟା ୪୫ ମିନିଟ୍ରେ ନିଗମବୋଧ ଘାଟ, ନୂଆଦିଲ୍ଲୀରେ କରାଯିବ। ପ୍ରତିରକ୍ଷା ମନ୍ତ୍ରଣାଳୟକୁ ଅନ୍ତିମ ସଂସ୍କାର ସୈନ୍ୟ ସମ୍ମାନ ସହ କରିବାକୁ ଯୋଗାଡ଼ କରିବାକୁ ଅନୁରୋଧ କରାଯାଇଥିବା ଏଥିରେ କୁହାଯାଇଛି।
ଏହାପୂର୍ବରୁ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ମୋଦିଙ୍କୁ ଚିଠି ଲେଖି ମନମୋହନଙ୍କ ଅନ୍ତିମ ସଂସ୍କାର ଏଭଳି ସ୍ଥାନରେ କରିବାକୁ କହିଥିଲେ ଯେଉଁଠି ତାଙ୍କର ସ୍ମାରକ କରାଯାଇପାରିବ। ଏନେଇ ସେ ପ୍ରଧାନମନ୍ତ୍ରୀଙ୍କ ସହ ଟେଲିଫୋନ ଯୋଗେ କଥା ମଧ୍ୟ ହୋଇଥିଲେ।