କୁଆଁରମୁଣ୍ଡା,୨୫।୭(ମହେନ୍ଦ୍ର କୁମାର ସାହୁ): କୁଆଁରମୁଣ୍ଡା-ପଦମପୁର ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡିଛି। ରାସ୍ତାରେ ସୃଷ୍ଟି ହୋଇଥିବା ଖାଲଖମାରେ ବର୍ଷା ପାଣି ଜମି ଯାତାୟାତରେ ବାଧାସୃଷ୍ଟି ହୋଇଛି। ଏପରି କି ଉକ୍ତ ରାସ୍ତାରେ କାରଖାନାର ହାଇୱା ଚଳାଚଳ କରୁଥିବାରୁ ରାସ୍ତା ଅବସ୍ଥା ଆହୁରି ବେହାଲ ହୋଇପଡିଛି।
ଅନ୍ୟପକ୍ଷେ ରାସ୍ତା ସମସ୍ୟାର ସାମାଧାନ ଦାବିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ପୂର୍ବତନ କୁଆଁରମୁଣ୍ଡା ଜିଲା ପରିଷଦ ସଭ୍ୟ ତିନ୍ତୁସ କେରକେଟା। ସେ ଶନିବାର ସ୍ଥାନୀୟ ପଦମପୁର ଗ୍ରାମବାସୀଙ୍କ ସହ ରାସ୍ତାକୁ ଆସି ପ୍ରତିବାଦ କରିଛନ୍ତି। ଏପରିକି ସେ କାଦୁଅ ଉପରେ ଗଡି ରାସ୍ତା ରୋକୋ କରିବା ସହ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି।
ଶନିବାର ଛୁଟି ଥିବାରୁ ଘଟଣାସ୍ଥଳରେ କୌଣସି ଅଧିକାରୀ ପହଞ୍ଚି ପାରି ନ ଥିବା ବେଳେ କେବଳ କୁଆଁରମୁଣ୍ଡା ଫାଣ୍ଡି ପୋଲିସ ପହଞ୍ଚି ପୂର୍ବତନ ଜିଲା ପରିଷଦ ସଭ୍ୟ ତିନ୍ତୁସଙ୍କୁ ବୁଝାଶୁଝା କରି ରାସ୍ତା ଅବରୋଧ ହଟାଇଛି। ହେଲେ ସେ ପ୍ରଶାସନକୁ ୪ ଦିନ ସମୟ ଦେଇଛନ୍ତି। ଏହାରି ଭିତରେ ଯଦି ରାସ୍ତା ମରାମତି ନ ହୁଏ ତେବେ ସେ ଗାଁ ଲୋକଙ୍କୁ ନେଇ ଆସନ୍ତା ବୁଧବାର ଦିନ ପୁଣି ରାସ୍ତା ରୋକୋ କରିବେ ବୋଲି ଚେତାବନୀ ଦେଇଛନ୍ତି।
ସ୍ଥାନୀୟ ଏକ କାରଖାନା ଏବଂ ବାଲିଘାଟରେ ଲାଗୁଥିବା ବଡ଼ ବଡ଼ ଭାରିଯାନ ଚଳାଚଳ ଯୋଗୁ ରାସ୍ତା ଫାଟି ନଷ୍ଟ ହୋଇଗଲା ବୋଲି ତିନ୍ତୁଶ ଅଭିଯୋଗ କରିଛନ୍ତି। ଏହି ରାସ୍ତା ଦେଇ କୁଆଁରମୁଣ୍ଡା, ପଦମପୁର, ଡୁମେରଯୋର ଇତ୍ୟାଦି ପଞ୍ଚାୟତବାସୀ ଦୈନନ୍ଦିନ ଯାତାୟାତ କରିଥାନ୍ତି।

