ଜ୍ଞାନ ଓ ଆତ୍ମବିଜ୍ଞାନ

ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ(ଆର୍‌ଏସ୍‌ଏସ୍‌) ଏହାର ଶତବାର୍ଷିକୀ ପାଳନ କରୁଛି। ସାଂସ୍କୃତିକ ବିଶେଷକରି ରାଜନୈତିକ କ୍ଷେତ୍ରରେ ଏହାର ଲମ୍ବା ସଫଳତାର ଇତିହାସ ବଖାଣୁଛି। ହିନ୍ଦୁତ୍ୱ ବିଚାରଧାରାର ସ୍ରୋତ ଭାବେ ଜଣାଶୁଣା ଏହି ସଂସ୍ଥା ବିଷୟରେ ଯେଉଁ ପାଠକେ ଜାଣନ୍ତି ସେମାନେ ଏହି ସ୍ତମ୍ଭରୁ ଜାଣିପାରିବେ ଏହାର ବିଶେଷ ଅର୍ଥ କ’ଣ ବା ଏହା କେଉଁ ସିଦ୍ଧାନ୍ତକୁ ପ୍ରତିପାଦତ କରେ। ଆର୍‌ଏସ୍‌ଏସ୍‌ରେ ସବୁଠୁ ଅଧିକ ଦିନ( ୩୩ ବର୍ଷ- ୧୯୪୦-୧୯୭୩) ସେବା ଯୋଗାଇଛନ୍ତି ଏମ୍‌ଏସ୍‌ ଗୋଲଓ୍ବାଲକର। ତାଙ୍କ ବହି ‘ବଞ୍ଚ ଅଫ୍‌ ଥଟ୍ସ’ ଏଠାରେ ଆଲୋଚନାର ବିଷୟ ଏବଂ ଦେଖିବା ଏହା କ’ଣ କହେ। ଏହା ହେଉଛି ଗୋଲ୍‌ଓ୍ବାଲକରଙ୍କ ଅଭିଭାଷଣ ଓ ସାକ୍ଷାତ୍‌କାରର ଏକ ସଙ୍କଳନ। ଏଥିରେ ଗୋଲ୍‌ଓ୍ବାଲକର କହିଛନ୍ତି, ଆର୍‌ଏସ୍‌ଏସ୍‌ ନିଜକୁ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ ବୋଲି କହେ, କିନ୍ତୁ ହିନ୍ଦୁ ସ୍ବୟଂସେବକ ନୁହେଁ; କାରଣ ବାସ୍ତବରେ ରାଷ୍ଟ୍ରୀୟ ଅର୍ଥ ହେଉଛି ହିନ୍ଦୁ। ଏଣୁ ହିନ୍ଦୁ ଶବ୍ଦ ବ୍ୟବହାର କରାଯିବାର ଆବଶ୍ୟକତା ନାହିଁ। ଆର୍‌ଏସ୍‌ଏସ୍‌ର ପ୍ରଥମ ମୁଖ୍ୟ କେଶବ ହେଡଗଓ୍ବୋର କହିଥିଲେ, ଯଦି ଆମେ ହିନ୍ଦୁ ଶବ୍ଦ ବ୍ୟବହାର କରିବା, ତେବେ ଏଥିରୁ ବୁଝାପଡ଼ିବ ଯେ, ଆମେ ଏହି ଦେଶର ଅସଂଖ୍ୟ ସମୁଦାୟରୁ ଆମକୁ କେବଳ ଗୋଟିଏ ବୋଲି ମାନୁଛୁ ଏବଂ ଦେଶର ନାଗରିକ ଭାବେ ଆମର ବାସ୍ତବ ସ୍ଥିତିକୁ ଅନୁଭବ କରୁନାହଁୁ।
ସଂଘୀୟବାଦ ଏକ ସମସ୍ୟା ଥିଲା ଏବଂ ସାହସର ସହ ସମ୍ବିଧାନ ସଂଶୋଧନ କରି ଏକକ ସରକାର ଘୋଷଣା କରିବା ଏକମାତ୍ର ବାଟ ଥିଲା ବୋଲି ପୁସ୍ତକରେ କୁହାଯାଇଛି। ଦେଶ ଏକ ଓ ଲୋକେ ଏକ ଥିବାରୁ ଭାରତରେ କେବଳ ଗୋଟିଏ ସରକାର ଏବଂ ଗୋଟିଏ ବ୍ୟବସ୍ଥାପିକା ସଭା ହେବା ଦରକାର। କାର୍ଯ୍ୟପାଳିକା କ୍ଷମତା ବଣ୍ଟନ ହୋଇପାରିବ, କିନ୍ତୁ ବୈଧାନିକ ବ୍ୟବସ୍ଥାପିକା କ୍ଷମତା ଗୋଟିଏ ହେବା ଉଚିତ ଏବଂ ତାହାକୁ ରାଜ୍ୟଗୁଡ଼ିକୁ ହସ୍ତାନ୍ତର କରାଯାଇପାରିବ ନାହିଁ। ସାରା ଦେଶ ପାଇଁ ଗୋଟିଏ କେନ୍ଦ୍ରୀୟ ବ୍ୟବସ୍ଥାପିକା ସଭା ଗଣତନ୍ତ୍ରର ଚାହିଦାକୁ ପୂରଣ କରିବା ଉଚିତ। ଭାରତ ବିଶ୍ୱରେ ସ୍ବତନ୍ତ୍ର କାରଣ ଏହା ଯାହା ଦେଇଛି ଆଉ କେହି ଦେଇପାରିନାହାନ୍ତି ଏବଂ ତାହା ହେଉଛି ହିନ୍ଦୁ ବିଚାରଧାରା। ହିନ୍ଦୁ ବିଚାରର ଉତ୍କୃଷ୍ଟତା ହେଉଛି ଏହା କେବଳ ଆତ୍ମାର ସ୍ବରୂପ ସମ୍ପର୍କରେ ଜାଣିଛି। ଗୋଲ୍‌ଓ୍ବାଲକର କହିଛନ୍ତି, ଯିଶୁ ସୈତାନଙ୍କୁ ଦେଖିଥିଲେ, ପ୍ରଫେଟ ଗାବ୍ରିଏଲଙ୍କୁ ସାକ୍ଷାତ କରିଥିଲେ। ହେଲେ କେବଳ ଭାରତରେ ଋଷିମୁନୀମାନେ ଈଶ୍ୱରଙ୍କୁ ଦେଖିଥିଲେ। ପାଶ୍ଚାତ୍ୟବାସୀ ଯେତେ ବିଜ୍ଞାନକୁ ବୁଝିଥାଆନ୍ତୁ ନା କାହିଁକି, ସେମାନେ ଆତ୍ମ ବିଜ୍ଞାନ ସମ୍ବନ୍ଧରେ ଅଜ୍ଞ। ତେବେ ଭାରତ ପ୍ରଦାନ କରିଥିବା ଏହି ଭିନ୍ନ ସିଦ୍ଧାନ୍ତ ଏବେ ସଙ୍କଟରେ, କାରଣ ହିନ୍ଦୁମାନେ ସେମାନଙ୍କ ପୁରାତନ ଜ୍ଞାନଠାରୁ ଦୂରେଇ ଯାଉଛନ୍ତି। ଭାରତରେ ଆର୍‌ଏସ୍‌ଏସ୍‌ ତାହାର ପୁନରୁଦ୍ଧାର କରିବା ସହ ହିନ୍ଦୁ ସମାଜକୁ ସଙ୍ଗଠିତ କରିବା ଉଚିତ। ବ୍ୟକ୍ତି ନିଜକୁ ବୃହତ୍‌ ରାଷ୍ଟ୍ରରେ ସାମିଲ କରିବା ଉଚିତ, ନଚେତ୍‌ ସାମାଜିକ ସମ୍ବନ୍ଧ ବା ଏକତା ନଷ୍ଟ ହୋଇଯିବ, ଯାହାକୁ ହିନ୍ଦୁ ଦର୍ଶନ ପ୍ରୋତ୍ସାହିତ କରିଥିଲା ଏବଂ ହିନ୍ଦୁମାନଙ୍କୁ ସୁଖୀ କରିଥିଲା। ସମସ୍ତ ହିନ୍ଦୁଙ୍କର ଏହି ବିଶେଷ ହିନ୍ଦୁ ଜ୍ଞାନ ନ ଥିଲା, କେବଳ କେତେଜଣଙ୍କର ଏହା ଥିଲା। ସାଧାରଣ ଲୋକଙ୍କୁ ଠିକ୍‌ ଭାବେ ଶିକ୍ଷିତ ଓ ଜ୍ଞାନୀ କରାଯିବା ଦରକାର। ସେମାନଙ୍କୁ କେବଳ ସାକ୍ଷର କଲେ ଲକ୍ଷ୍ୟ ହାସଲ ହେବ ନାହିଁ, କାରଣ ଏବେ ମଧ୍ୟ ଏହି ସ୍ବତନ୍ତ୍ର ଜ୍ଞାନର ଅଭାବ ରହିଛି। ସେ କହିଥିଲେ ଲୋକମାନଙ୍କ ଭିତରେ ମଧ୍ୟ ଅସମାନତା ଅଛି ଏବଂ ବିଶେଷଜ୍ଞ ଓ ଯୋଗ୍ୟ ରାଜନେତାଙ୍କୁ ଅଣଦେଖା କରାଯାଉଥିବାରୁ ଗଣତନ୍ତ୍ର ତ୍ରୁଟିପୂର୍ଣ୍ଣ। ସାମଗ୍ରିକ ଭାବେ ପଞ୍ଚାୟତଗୁଡ଼ିକ ଯେତେବେଳେ ଜାତି ଧାରାରେ ଚାଲୁଥିଲା ସେତେବେଳେ ସବୁଠୁ ଭଲ କାମ କରୁଥିଲା। ଏଣୁ ନିର୍ବାଚନ ପ୍ରତିଦ୍ୱନ୍ଦ୍ୱିତାମୂଳକ ନ ହୋଇ ସର୍ବସମ୍ମତ ଆଧାରିତ ହେବା ଉଚିତ।
ଭାରତ ମହାସାଗରରୁ ହିମାଳୟ ପର୍ଯ୍ୟନ୍ତ ପରିବ୍ୟାପ୍ତ। ସେଥିପାଇଁ କେବଳ ପର୍ବତର ପାଦଦେଶ ଯାଏ ନୁହେଁ, ବରଂ ତା’ ପରେ ଉତ୍ତର ପାର୍ଶ୍ୱରେ ମଧ୍ୟ ପୂର୍ବଜଙ୍କର ତୀର୍ଥସ୍ଥଳ(କୈଳାସ ମାନସରୋବର) ରହିଥିଲା। ତିବ୍ଦତ ଥିଲା ଦେବତାଙ୍କ ନିବାସ। ହିନ୍ଦୁମାନେ ଆଫଗାନିସ୍ତାନ, ବର୍ମା, ଇରାନ ଏବଂ ଲଙ୍କା ଦଖଲ କରିଥିବା ବିଷୟ ହିନ୍ଦୁ ପୁରାଣଗୁଡ଼ିରେ ବର୍ଣ୍ଣନା ରହିଛି। ଅନେକ ହଜାର ବର୍ଷ ଧରି ଭାରତ ମାତା ତାଙ୍କ ଦୁଇ ହାତ ଇରାନରୁ ସିଙ୍ଗାପୁର ଯାଏ ଦୁଇ ସାଗରରେ ବୁଡ଼ାଇ ରଖିବା ସହ ଶ୍ରୀଲଙ୍କାକୁ ଏକ ପଦ୍ମ ପାଖୁଡ଼ା ଭାବେ ତାଙ୍କ ପବିତ୍ର ପାଦରେ ଅର୍ପଣ କରାଯାଇଥିଲା। ଭୂମି ପୂଜନ କରାଯାଉଥିଲା, କାରଣ ସାରା ପୃଥିବୀ ଥିଲା ପବିତ୍ର, କିନ୍ତୁ ଭାରତମାତା ଥିଲେ ସବୁଠୁ ପବିତ୍ର। ଜ୍ଞାନ ମାଧ୍ୟମରେ ତାଙ୍କ ସହ ଜଡ଼ିତ ହେବାପାଇଁ ସେ ଚାହଁି ନ ଥିଲେ, ବରଂ ତାଙ୍କର ଦରକାର ଥିଲା ସମ୍ପୂର୍ଣ୍ଣ ସମର୍ପଣ। ବିଭାଜନ ଗ୍ରହଣୀୟ ନ ଥିଲା, କାରଣ ଏହା ଦୁଇ ଭାଇ ମଧ୍ୟରେ ସମ୍ପତ୍ତି ଭାଗ ନ ଥିଲା। ବୁଝାମଣା ଭାବେ ମା’କୁ କେହି ଭାଗ କରେ ନାହିଁ। ହିନ୍ଦୁ ରାଷ୍ଟ୍ରର ଧାରଣା କେବଳ ରାଜନୈତିକ ଓ ଆର୍ଥିକ ଅଧିକାରଗୁଡ଼ିକର ସମଷ୍ଟି ନ ଥିଲା। ରାଜନୈତିକ କିମ୍ବା ନ୍ୟାୟିକ ନୁହେଁ, ବରଂ ଏହା ଥିଲା ମୁଖ୍ୟତଃ ସାଂସ୍କୃତିକ। ଏହା ଈଶ୍ୱର ଅନୁଭବର ଇଚ୍ଛା ମାଧ୍ୟମରେ ନିଜକୁ ପରିପ୍ରକାଶ କରିଥିଲା। ଏହା ଥିଲା ଜୀବନ୍ତ ଦେବତା, କୌଣସି ମୂର୍ତ୍ତି କିମ୍ବା ଅଭୌତିକ ରୂପ ନୁହେଁ। ଆମ ଲୋକେ ହେଉଛନ୍ତି ଆମ ଦେବତା, ଯାହା ଆମ ପୂର୍ବଜ କହିଥିଲେ। କିନ୍ତୁ ସେମାନେ ଆମ ସମସ୍ତଙ୍କ କଥା ଭାବି ନ ଥିଲେ। ରାମକୃଷ୍ଣ ପରମହଂସ ଓ ବିବେକାନନ୍ଦ କହିଥିଲେ- ଲୋକଙ୍କ ସେବା କର। କିନ୍ତୁ ମାନବତା ଦୃଷ୍ଟିରୁ ମଣିଷ ଖୁବ୍‌ ବ୍ୟାପକ ଥିଲା। ନିର୍ଦ୍ଦିଷ୍ଟ ସୀମା ଭିତରେ ଏହା ସର୍ବଶକ୍ତିମାନ ହେବା ଉଚିତ। ଏଠି ମଣିଷ କହିଲେ କେବଳ ହିନ୍ଦୁ ଲୋକଙ୍କୁ ବୁଝାଏ। ପୂର୍ବଜମାନେ ହିନ୍ଦୁ ଶବ୍ଦ ବ୍ୟବହାର କରି ନ ଥିଲେ। କିନ୍ତୁ ଋଗ୍‌ବେଦରେ ସେମାନେ କହିଥିଲେ ଯେ, ସୂର୍ଯ୍ୟ ଓ ଚନ୍ଦ୍ର ହେଉଛନ୍ତି ତାଙ୍କ ଆଖି, ଆକାଶ ଓ ନକ୍ଷତ୍ର ତାଙ୍କ ନାଭିରୁ ସୃଷ୍ଟି। ବ୍ରାହ୍ମଣ ହେଉଛି ମୁଣ୍ଡ, ରାଜା ହେଉଛି ହାତ, ବୈଶ୍ୟ ହେଉଛି ଜଙ୍ଘ ଏବଂ ଶୁଦ୍ର ହେଉଛି ପାଦ। ଯେଉଁ ଲୋକଙ୍କର ଏହି ଚାରିସ୍ତର ବ୍ୟବସ୍ଥା ଥିଲା ସେମାନେ ଥିଲେ ଦେବତା। ଏଭଳି ଜାତିର ସେବା ଓ ପୂଜାକୁ ସେତେବେଳେ ସମାଜ ଈଶ୍ୱରଙ୍କ ସେବା ବୋଲି କହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଅନାଲୋ ସଜନୀ

ଜୋତା ଦୋକାନର ପିଲାଟିକୁ ମୋ ପାଇଁ ଜୋତା ଦେଖେଇବାକୁ କହିଛି କି ନାହିଁ ମତେ ସାମାନ୍ୟ ଠେଲିଦେଇ ଜଣେ ଯୁବତୀ ଏବଂ ତାଙ୍କ ମାଆ ଭିତରକୁ ପଶିଆସିଲେ।…

ଭଗବାନ୍‌ ଆମ ଅନ୍ତରରେ

ନିର୍ଜୀବରୁ ଜୀବ ସୃଷ୍ଟି – ଏ ଏକ ନିୟମ ା ମଣିଷର ଦେହକୁ ଅଣୁ ପରମାଣୁ ଭଳି ଟିକି ଟିକି କରିପାରିଲେ ଆମ ଚକ୍ଷୁରେ ସେଗୁଡିକ ନିର୍ଜୀବ…

ମହତ୍ତ୍ୱାକାଂକ୍ଷୀ ଗତିଶୀଳତା

ନିୟମିତ ଭାବେ କିଛି ବର୍ଷ ବ୍ୟବଧାନରେ ବାସ୍ତବ ସ୍ଥିତିକୁ ସ୍ବୀକାର କରି ତଦନୁଯାୟୀ କାର୍ଯ୍ୟ କରିବା ପାଇଁ ଭାରତ ଏହାର ରାଷ୍ଟ୍ରଦୂତଙ୍କୁ ଆହ୍ବାନ ଦିଏ। ସମ୍ପ୍ରତି ରାଷ୍ଟ୍ରଦୂତ…

ଏଇ ଭାରତରେ

ମହିଳା ସଶକ୍ତୀକରଣର ପ୍ରତୀକ ସାଜିଛନ୍ତି ବେଙ୍ଗାଲୁରୁର ଜାନ୍ସି ବି.ଭି.। ସେ ଏକାବେଳକେ ଜଣେ ମା’, ଅଟୋଚାଳକ ଓ ପ୍ରଶିକ୍ଷକ ଭୂମିକା ନିର୍ବାହ କରୁଛନ୍ତି। ଜାନ୍ସିଙ୍କୁ ବୟସ ଏବେ…

ଗୋଟିଏ କିଲୋର କାମ ଅନେକ

ଯକୃତ ବା ଲିଭର ଶରୀରର ସବୁଠାରୁ ବଡ଼ ଗ୍ରନ୍ଥି। ଏହା ପାଚନରେ ସହାୟକ ଏକାଧିକ ପ୍ରକାରର ରସ ସୃଷ୍ଟିକରେ ଏବଂ ଶରୀରକୁ ବିଷମୁକ୍ତ ବା ଡିଟକ୍ସିଫିକେଶନ୍‌ କରିଥାଏ।…

ଗାନ୍ଧୀ ଆଦର୍ଶର ହତ୍ୟାକାରୀ

ମଣିଷ ଇତିହାସ ସୃଷ୍ଟି କରିଥାଏ ଓ ଇତିହାସ ମଧ୍ୟ ଅନେକ ସମୟରେ ନିଷ୍ଠୁର ସତ୍ୟକୁ ପ୍ରତିପାଦନ କରିବାକୁ ଯାଇ ମଣିଷକୁ କ୍ଷମା କରି ନ ଥାଏ। ବର୍ତ୍ତମାନର…

ପିଟରଙ୍କ ନୂଆ ରଣନୀତି

ହଙ୍ଗେରୀରେ ପିଟର ମାଗୟାରଙ୍କ ବିପୁଳ ବିଜୟ ଏକ ବିଶ୍ୱସ୍ତରରେ ଆଲୋଚନାର ପ୍ରସଙ୍ଗ ପାଲଟିଛି। ହଙ୍ଗେରୀର ଅନୁଭୂତି ପ୍ରାୟତଃ ଦର୍ଶାଏ, ଜଣେ ଜିତିବାକୁ ହେଲେ ବର୍ତ୍ତମାନର ଦୁର୍ନୀତି ଉପରେ…

କର୍ମଫଳର ଜୀବନଚକ୍ର

ମଣିଷର ଭାବନା ଏବଂ ଜ୍ଞାନର ଗହନ କଥାକୁ ବୁଝାଇବା ପାଇଁ ପୁରାଣରେ ଅନେକ ଅବଧାରଣା ରହିଛି। ମଣିଷ ଚିନ୍ତାଧାରାରେ ଈଶ୍ୱର ଅଛନ୍ତି ଏବଂ ତାହାର ଧାରଣା ଅଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri