ଛୁରି, ଛୁଞ୍ଚି, କଇଁଚି ଉପାଖ୍ୟାନ

ତିକତା ଦୃଷ୍ଟିରୁ ଡାକ୍ତରମାନେ ସର୍ବଦା ରୋଗୀଙ୍କ ଯନ୍ତ୍ରଣା ଉପଶମ କରିବାକୁ ପ୍ରାଣପଣେ ପ୍ରୟାସ କରିଥା’ନ୍ତି। କିନ୍ତୁ ରୋଗୀମାନଙ୍କୁ ଯନ୍ତ୍ରଣା ଜର୍ଜରିତ କରିବାକୁ କଦାପି ନୁହେଁ। ସେଇଥିପାଇଁ ତ ସେମାନଙ୍କୁ ଜଣେ ଜଣେ ଦେବଦୂତ ବା ଦ୍ୱିତୀୟ ଈଶ୍ୱର ଭାବେ ବିବେଚନା କରାଯାଏ। ମାତ୍ର ବ୍ୟତିକ୍ରମ ଏବଂ ବିଷୟ ହେଉଛି ଛୁରି, ଛୁଞ୍ଚି, କଇଁଚିଙ୍କ ବଦମାସି ସ୍ବଭାବ ଯୋଗୁ ତୁଛାଟାରେ ବଦ୍‌ନାମ ହୁଅନ୍ତି ବିଚରା ଡାକ୍ତରମାନେ। ଭଗବାନ ସିନା ଆମକୁ ମନୁପୁତ୍ର ମ୍ୟାନ ବା ମଣିଷ ରୂପେ ଗଢ଼ିଛନ୍ତି। ମାତ୍ର ଆମକୁ ମ୍ୟାନରୁ ଜେଣ୍ଟଲମ୍ୟାନ ଭାବେ ଗଢ଼ିବାରେ ବିଶେଷ ଭୂମିକା ନିର୍ବାହ କରିଥା’ନ୍ତି ଛୁଞ୍ଚି ଏବଂ କଇଁଚି। ଏ ଦୁହେଁ କେବଳ ଦରଜୀ ଭାଇଙ୍କ ଦରଦୀ ବନ୍ଧୁ ନୁହନ୍ତି, ଦ୍ୱିତୀୟ ଭଗବାନଙ୍କ ଅତି ନିକଟତର ମଧ୍ୟ। ସେଥିପାଇଁ ଏ ଦୁହିଁଙ୍କ ବହପ କାହିଁରେ କେତେ। ଚଇନି ଚିକ୍କଣ ହୋଇ ଚିକିତ୍ସକମାନଙ୍କ ପାଖେ ସଦା ଚକ୍କର କାଟୁଥା’ନ୍ତି ଏମାନେ। ଏମାନେ ଯେମିତି ବୋଲକରା, ସେମିତି ଅବୋଲକରା ମଧ୍ୟ। ବୋଲକରା ଛୁଞ୍ଚି ଓ କଇଁଚିମାନେ ଡାକ୍ତରମାନଙ୍କ ଢେର ଡାକହାକ ଶୁଣନ୍ତି, ବୋଲ ମାନନ୍ତି। ରୋଗୀମାନେ ଯଦି ଡାକ୍ତରଙ୍କୁ ଖୁସି କରେଇପାରିଲେ, ତେବେ ଏମାନେ ରୋଗୀଙ୍କ ସେବାରେ ଅତି ନିଷ୍ଠାର ସହିତ ଲାଗିପଡ଼ନ୍ତି। ରୋଗୀଟି ମଧ୍ୟ ଆରୋଗ୍ୟ ଲାଭକରି ଘରକୁ ଫେରେ। ମାତ୍ର ମୁନିବଙ୍କୁ (ଡାକ୍ତରଙ୍କୁ) ଖୁସି କରେଇ ନ ପାରିଲେ ଏମାନେ ଦୟାମାୟା ଭୁଲିଯା’ନ୍ତି। ଚତୁର ଛୁଞ୍ଚିଟି ଯେମିତି ଛଳ, ଛନ୍ଦ ରଚେ ସେମିତି ବି କପଟିଆ କଇଁଚିଟି କଂସେଇ ସମ କ୍ରୂର ପାଲଟିଯାଏ। ତା’ପରେ ରୋଗୀଟି ଅଖା ଧୋଉଥାଏ, ଗୁଣ ଗାଉଥାଏ। ରୋଗୀଟି ବିଚରା କଲବଲ ହୋଇ କଦର୍ଥନ ଭୋଗିବା ସାର ହୁଏ। ଅବଶ୍ୟ ଏହି ତିନି ଯନ୍ତ୍ରର ଟିକିଏ ରସିକିଆ ସ୍ବଭାବ ରହିଥାଏ। ସୁନ୍ଦରୀମାନଙ୍କୁ ଦେଖିଦେଲେ ଏମାନଙ୍କ ରସିକିଆପଣ ଉଛୁଳି ଉଠେ। କହିବାକୁ ଗଲେ, ଡାକ୍ତରମାନଙ୍କୁ ଏମାନେ ଏକପ୍ରକାର ବାଧ୍ୟ କରିଥା’ନ୍ତି ସିଜରିଆନ ପାଇଁ। ଯେଉଁଥିପାଇଁ କି ଛୁତିକାମାନଙ୍କ ମଧ୍ୟରୁ ଆଜି ପ୍ରାୟ ୯୫ ଭାଗ ଗର୍ଭମୋଚନ ସିଜରିଆନ ପଦ୍ଧତିରେ ହେଉଛି। କହିଲେଦେଖି, ଏଥିରେ ଡାକ୍ତରଙ୍କ ଭୁଲ୍‌ ରହିଲା କେଉଁଠି? ଏମାନଙ୍କ ଯୋଗୁ ବିଚରା ନିରୀହ ଡାକ୍ତରମାନେ କେତେ ଯେ ହଟହଟା, ବଦ୍‌ନାମ ହୁଅନ୍ତି ତାହା କହିଲେ ନ ସରେ। ଗଣମାଧ୍ୟମରେ ପ୍ରକାଶ ପାଏ ଡାକ୍ତରଙ୍କ ଚିକିତ୍ସାର ଅବହେଳା/ଭୁଲ୍‌ ଯୋଗୁ ମହିଳାଙ୍କପେଟରୁ କଇଁଚି/ଛୁଞ୍ଚି ବାହାରିଲା। (ବେଳେବେଳେ ତ କଇଁଚି ଓ ଛୁଞ୍ଚି ସହିତ ଗଜକନା ବାହାରିଥାଏ)। ଗଣମାଧ୍ୟମରେ ଚର୍ଚ୍ଚିତ ଅନେକ ଘଟଣାବଳୀ ମଧ୍ୟରୁ ଦୃଷ୍ଟାନ୍ତସ୍ବରୂପ ମାତ୍ର ତିନୋଟି ରୋଚକ ଘଟଣା ନିମ୍ନମତେ। ୨୦୧୧ରେ ପୁରୀ ଜିଲାର ଭାରତୀ ବିଶ୍ୱାଳ ନାମ୍ନୀ ଜଣେ ଗର୍ଭବତୀ ଡାକ୍ତରଙ୍କ ନିକଟରେ ଚିକିତ୍ସା ହେଉଥିଲେ। ଜଟିଳ ସମସ୍ୟା ବୋଲି କହି ଡାକ୍ତର ତାଙ୍କୁ ଅସ୍ତ୍ରୋପଚାର ଜରିଆରେ ଗର୍ଭପାତ କରେଇଲେ। ପୁତ୍ର ସନ୍ତାନର ମାଆ ଜଣକ ପରବର୍ତ୍ତୀ ସମୟରେ ତଳିପେଟରେ ଭୀଷଣ ଯନ୍ତ୍ରଣା ଅନୁଭବ କଲେ। ବିଭିନ୍ନ ସମୟରେ ଡାକ୍ତରମାନେ ତାଙ୍କୁ ଯନ୍ତ୍ରଣା ନିବାରକ କିଛି ଔଷଧ (ପେନକିଲର) ସେବନ କରିବାକୁ ପରାମର୍ଶ ଦେଇଥିଲେ। ଦୀର୍ଘଦିନ ଧରି ବିଭିନ୍ନ ପ୍ରକାର ଔଷଧ ସେବନ କଲାପରେ ବି ତାଙ୍କ ସମସ୍ୟାର ସମାଧାନ ହୋଇ ନ ଥିଲା। ଶେଷରେ ଅଲ୍ଟ୍ରାସାଉଣ୍ଡ କରିବା ପରେ ଜଣାପଡ଼ିଲା ଯେ ମହିଳାଙ୍କ ତଳିପେଟରେ ଛୁଞ୍ଚି ରହିଯାଇଛି। ଥର ଥର କରି ଦୁଇଥର, ମାନେ ପ୍ରଥମେ ବିଫଳ ହେବାପରେ ଏକ ୧୫ ଜଣିଆ ଡାକ୍ତରୀଦଳ ଦ୍ୱିତୀୟ ଥର ଅସ୍ତ୍ରୋପଚାର କରି ସେହି ଛୁଞ୍ଚିକୁ ବାହାର କରିବାରେ ସକ୍ଷମ ହୋଇଥିଲେ। ଅର୍ଥାତ୍‌ ଅସ୍ତ୍ରୋପଚାର ମାଧ୍ୟମରେ ପିଲା ଜନ୍ମବେଳେ ଗୋଟିଏ ସାମାନ୍ୟ ଛୁଞ୍ଚିର ଯୋଗୁ ଜଣେ ଯୁବତୀଙ୍କୁ ଆଉ ଦୁଇଥର ପୁଣି ଅସ୍ତ୍ରୋପଚାରଜନିତ ଯନ୍ତ୍ରଣା ଭୋଗିବାକୁ ପଡ଼ିଲା। ତା’ସହିତ ଦୀର୍ଘ ୧୨ବର୍ଷ କାଳ ନାନାଦି ଯନ୍ତ୍ରଣାରେ କଲବଲ ହେଲେ ସେ ଗର୍ଭବତୀ ଏବଂ ତାଙ୍କ ପରିବାର।
ଅବଶ୍ୟ ଏଇ ନିକଟରେ (୨୦୨୪ ମସିହାରେ) ଉଚ୍ଚ ନ୍ୟାୟାଳୟ ଏହାର ଗମ୍ଭୀରତାକୁ ଉପଲବ୍ଧି କରି, ତାହାକୁ ଏକ ଗୁରୁତର ଅପରାଧ ବୋଲି ବିବେଚନା କରି ମହିଳାଙ୍କୁ କ୍ଷତିପୂରଣ ବାବଦକୁ ୫୦ହଜାର ଟଙ୍କା ପ୍ରଦାନ କରିବାପାଇଁ ପୁରୀ ସିଡିଏମ୍‌ଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଅର୍ଥାତ୍‌ ଦୀର୍ଘ ୧୨ ବର୍ଷର ଯମଯନ୍ତ୍ରଣା ଓ ନ୍ୟାୟାଳୟ ଲଢ଼େଇ, ଯାହାର ମୂଲ୍ୟ ୫୦ ହଜାର ଟଙ୍କା।
ଅନ୍ୟ ଏକ କଥନିକା, କନକନିଆ କଇଁଚିର କାରବାର ସମ୍ପର୍କରେ। ସିକ୍କିମନିବାସୀ ଜଣେ ମହିଳାଙ୍କ ତଳିପେଟରୁ ୧୨ ବର୍ଷ ପରେ କଇଁଚି ବାହାରିବା ଘଟଣା। ମହିଳାଙ୍କର ଆପେଣ୍ଡିକ୍ସ ସମସ୍ୟା ଥିବାରୁ ଗ୍ୟାଙ୍ଗ୍‌ଟକର ଜଣେ ଡାକ୍ତରଙ୍କ ନିକଟରେ ଅସ୍ତ୍ରୋପଚାର କରିଥିଲେ ୨୦୧୨ରେ। ମାତ୍ର କଇଁଚିଟା ଡାକ୍ତରଙ୍କ ହାତରୁ ଚମ୍ପଟମାରି ଚୁପଚାପ ଛପିଗଲା ମହିଳାଙ୍କ ତଳିପେଟରେ। ଦୀର୍ଘ ୧୨ ବର୍ଷ କାଳ ଅସୁମାରି ଯନ୍ତ୍ରଣାରେ ଛଟପଟ ହୋଇ ଅନେକ ଡାକ୍ତରଙ୍କ ନିକଟରୁ ଚିକିତ୍ସିତ ହେଉଥିଲେ। ଶେଷରେ ସେପ୍ଟେମ୍ବର ୨୦୨୪ରେ ଅଲ୍ଟ୍ରାସାଉଣ୍ଡ ମାଧ୍ୟମରୁ ଜଣାପଡ଼ିଲା ଯେ ମହିଳାଙ୍କ ପେଟରେ କଇଁଚିଟିଏ ଅଛି। ଅବଶ୍ୟ ସିକ୍କିମ ସରକାର ଏ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।
ରାଜ୍ୟ ଓ ଦେଶର ଗୋଟେ ଗୋଟେ ନମୁନା ପରେ ଏବେ ଆସନ୍ତୁ ଜାଣିବା ବିଦେଶ ଭୂଇଁର ଗୋଟେ ଅତି ବିରଳ ଘଟଣାଟିଏ; ଯାହା କି ଅତ୍ୟନ୍ତ ବେଦନାଦାୟକ। ବୋଷ୍ଟନର ଜଣେ ସୁନ୍ଦରୀ ମହିଳା ତାଙ୍କ ଦକ୍ଷିଣ ପାଦର ସମସ୍ୟା ପାଇଁ ଭର୍ତ୍ତି ହୁଅନ୍ତି ଏକ ହାସ୍‌ପାତାଳରେ। ଅପରେଶନ ପରେ ଯେବେ ତାଙ୍କର ଚେତା ଫେରିଲା, ଡାକ୍ତର କହିଲେ – ମାଡାମ୍‌, ଆପଣଙ୍କ ଅପରେଶନ ସକ୍ସେସଫୁଲ। ଏବେ ନିଶ୍ଚିନ୍ତରେ ଘରକୁ ଯାଇପାରନ୍ତି। ମହିଳାଜଣକ ଯେବେ ତାଙ୍କ ପାଦକୁ ଅନେଇଲେ, ସେତେବେଳେ ସେ ଚମକି ଉଠିଲେ। ଏ କ’ଣ? ଡାହାଣ ପାଦ ବଦଳରେ ତାଙ୍କ ବାମ ପାଦରେ ଯେ ପଟି ବନ୍ଧାଯାଇଛି! ସେଇଠୁ ଚିକିତ୍ସକ ଜଣକ କହିଲେ – ନିଶ୍ଚେତକ ଇଂଜେକଶନ ପରେ ଆପଣ ସଂଜ୍ଞାହୀନ ଥିଲେ। ଆମର ମନେହେଲା ଆପଣଙ୍କ ବାମପାଦରେ ସମସ୍ୟା ଅଛି ବୋଲି। ସରି ମାଡାମ୍‌। ଏକଥା ଶୁଣିଲା ପରେ ପୁଣି ଆଉଥରେ ଚେତା ହରେଇ ବସିଲେ ମହିଳା। ଧନ୍ୟ ଧନ୍ୟ ହେ ଦ୍ୱିତୀୟ ଈଶ୍ୱର! ଧନ୍ୟ ତୁମ ବିଦ୍ୟା, ବିବେକ, ବିଚାର। ଯେଉଁ ପୁରୁଷ ନିଜ ପ୍ରତିଭା ଓ ସାଧନା ବଳରେ ସଂସାରରେ ପ୍ରସିଦ୍ଧ ବା ସୁନାମୁଣ୍ଡା ଭାବେ ବିବେଚିତ ହୋଇଥାନ୍ତି, ସମାଜ ସେମାନଙ୍କୁ ଆଦର୍ଶ ଓ ଶ୍ରେଷ୍ଠ ବୋଲି ବିଚାର କରିଥାଏ। ଏଭଳି ଶ୍ରେଷ୍ଠ ପୁରୁଷଙ୍କ ପକ୍ଷରେ ଅପକୀର୍ତ୍ତି ହେଉଛି ମରଣଠାରୁ ବି ଅଧିକ ଦୁଃଖଦାୟକ (ଚାକୀତ୍ତିର୍ର୍ମରଣାଦତିରିଚ୍ୟତେ – ଗୀତା, ଦ୍ୱିତୀୟ ଅଧ୍ୟାୟ)। ଶେଷରେ ପ୍ରଖ୍ୟାତ ଆମେରିକୀୟ ଲେଖକ ମାର୍କ ଟେୱନଙ୍କ ଉଦାରଭାବଯୁକ୍ତ ଉଦରପୂର୍ତ୍ତି ଉକ୍ତିଟିଏ- ”ଦୟାଭାବ ଏଭଳି ଏକ ଭାଷା ଯାହାକୁ ବଧିର ବି ଶୁଣିପାରେ ଏବଂ ଅନ୍ଧ ବି ଦେଖିପାରେ।“
ମୋ: ୯୪୩୭୪୩୬୦୭୩


Enter your email to get our daily news in your inbox.

All Right Reserved By Dharitri.Com

ବାଲଡା ଗୁମ୍ଫା

ଓଡ଼ିଶାର କୋରାପୁଟ ଜିଲା ଅସରନ୍ତି ପ୍ରାକୃତିକ ସମ୍ପଦ ଏବଂ ନିଆରା ଆଦିବାସୀ ପରମ୍ପରା ପାଇଁ ସାରା ବିଶ୍ବରେ ଖ୍ୟାତ। ଏଠାରେ ଦେଖିବାକୁ ମିଳୁଥିବା ଆକର୍ଷଣୀୟ ସୁନ୍ଦର ସବୁଜିମା…

ଯଜ୍ଞର ଦୁଇ ରୂପ

ଆମେ ଯଜ୍ଞ କରୁ ଏବଂ ଆମ ପାଇଁ ଯଜ୍ଞହୁଏ। ଆମ ଯଜ୍ଞକୁ ଆମେ କେତେ ପ୍ରକାରେ କରିଥାଉ। ତାହା ସମ୍ପାଦନ କରିବା ପାଇଁ ଆମେ କେତେ ନିଃସ୍ବାର୍ଥପର,…

ଭାରତରେ ଇସ୍‌ଲାମ ପ୍ରବେଶ

ଆରବରେ ଇସ୍‌ଲାମ ଧର୍ମ ସପ୍ତମ ଶତାବ୍ଦୀରେ ସୃଷ୍ଟି ହୋଇ ପୃଥିବୀର ବିଭିନ୍ନ ଅଞ୍ଚଳକୁ ବ୍ୟାପିଥିଲା। ପଶ୍ଚିମରେ ଭୂମଧ୍ୟସାଗରୀୟ ଅଞ୍ଚଳ ଏବଂ ପୂର୍ବକୁ ପର୍ସିଆ ବା ପାରସ୍ୟ (ଏବକାର…

ଚାଷଜମିରେ ନଡ଼ାପୋଡ଼ି

ସମୟ ଥିଲା ନଡ଼ା ବିଭିନ୍ନ କାର୍ଯ୍ୟରେ ବ୍ୟବହାର ହେଉଥିଲା। ସମୟକ୍ରମେ ଏହା ଅଦରକାରୀ ହୋଇଗଲା ଏବଂ ଲୋକେ ନଡ଼ାପୋଡ଼ିବା ଆରମ୍ଭକଲେ। ପ୍ରଦୂଷଣର ମାୟାଜାଲରେ ନଡ଼ାପୋଡ଼ି ଏକ ପ୍ରମୁଖ…

ମଣିଷର ବିସର୍ଜନ

ତୁମେ ଭାବୁଛ ତୁମେ ଗୋଟିଏ ସ୍ବଚ୍ଛ ପରିଷ୍କୃତ ବହୁ ଉଚ୍ଚ ସ୍ତରର ସୃଷ୍ଟି।ଭୁଲିଯାଅନି ମଣିଷ ଗୋଟିଏ ଛାଞ୍ଚ ଯହିଁରେ ଅନ୍ୟତ୍ର ବର୍ଜ୍ୟ ହୋଇଥିବା ବସ୍ତୁ (ମଇଳା) ବା…

ତଥ୍ୟ ଅସୁରକ୍ଷିତ

ନାଗରିକଙ୍କ ବ୍ୟକ୍ତିଗତ ତଥ୍ୟକୁ ବାରମ୍ବାର ଅପବ୍ୟବହାର କରାଯାଉଥିବାରୁ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଅଭିଯୋଗ ହୋଇଆସୁଛି। ବିଶେଷକରି ସାମାଜିକ ଗଣମାଧ୍ୟମର ପ୍ରାବଲ୍ୟତା ବଢ଼ିଥିବାରୁ ତଥ୍ୟକୁ ନେଇ ସର୍ବଦା…

ଏଇ ଭାରତରେ

ଉତ୍ତରାଖଣ୍ଡର ଦୁର୍ଗମ ପାହାଡ଼ିଆ ଅଞ୍ଚଳର ପିଲାମାନେ ସ୍କୁଲ ଯାଉ ନ ଥିବା ଲକ୍ଷ୍ୟ କରିଥିଲେ ଶ୍ରେୟା ରାଓ୍ବତ। ସ୍କୁଲ ବେଶି ଦୂରରେ ଥିବାରୁ, ଜଳବାୟୁ ଜନିତ ବିପର୍ଯ୍ୟୟ…

ପ୍ରଶ୍ନ ଏକ, ଉତ୍ତର ଅନେକ

ରାଜ୍ୟର ରାଜା ପାତ୍ର-ମନ୍ତ୍ରୀମାନଙ୍କ ସହ ରାଜଉଆସ ପରିସରରେ ଥିବା ପୋଖରୀ କୂଳରେ ବସି ରାଜ୍ୟର ହାଲ୍‌ଚାଲ୍‌ ବିଷୟରେ ଆଲୋଚନା କରୁଥାଆନ୍ତି। ସମସ୍ତ ପଦାଧିକାରୀ ନିଜ ନିଜର ପାରିବାପଣିଆର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri