ରାଜାଙ୍କ ପୋଷାକ

ଦ୍ୱିତୀୟ ଥର ଆମେରିକା ରାଷ୍ଟ୍ରପତି ହେବା ପରେ ଡୋନାଲ୍ଡ ଟ୍ରମ୍ପ୍‌ ନେଉଥିବା ନିଷ୍ପତ୍ତି ଅନ୍ତର୍ଜାତୀୟ ସ୍ତରରେ ସମାଲୋଚନାର ଶିକାର ହେଉଥିବା ବେଳେ ଏବେ ନିଜ ଦେଶର ନାଗରିକଙ୍କ ଦ୍ୱାରା ପ୍ରତିବାଦର ସମ୍ମୁଖୀନ ହେଲେଣି। ୧୮ ଅକ୍ଟୋବରରେ ଆମେରିକାର ସମସ୍ତ ୫୦ ରାଜ୍ୟରେ ୨,୭୦୦ ସହରରେ ପ୍ରାୟ ୭ ନିୟୁତ ଲୋକ ‘ନୋ କିଙ୍ଗ୍‌ସ’ ବିକ୍ଷୋଭରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି। ନ୍ୟୁୟର୍କ ସିଟି, ଓ୍ବାଶିଂଟନ, ଶିକାଗୋ, ଲସ୍‌ ଏଞ୍ଜେଲ୍ସ ଓ ଆଟ୍‌ଲାଣ୍ଟାରେ ବଡ଼ ସମାବେଶ ହେବା ସହ ଛୋଟ ସହରରେ ମଧ୍ୟ ବିକ୍ଷୋଭ ହୋଇଛି। ବିକ୍ଷୋଭକାରୀମାନେ ପ୍ଲାକାର୍ଡ ଧରି କହୁଛନ୍ତି ଯେ, ସେମାନେ ଆମେରିକାକୁ ଭଲ ପାଉଥିବାରୁ ତାହାକୁ ପୂର୍ବ ଭଳି ଦେଖିବାକୁ ଚାହାନ୍ତି। ଟ୍ରମ୍ପ୍‌ଙ୍କ ମନମୁଖି ଶାସନକୁ ହଟାଇ ଅତି ବିଳମ୍ବ ହେବା ପୂର୍ବରୁ ଗଣତନ୍ତ୍ର ପ୍ରତିଷ୍ଠା କରିବାକୁ ଚାହାନ୍ତି ବୋଲି ବିକ୍ଷୋଭକାରୀମାନେ କହିଛନ୍ତି। ସୂଚନା ଦିଆଯାଇପାରେ ଯେ, ଜୁନ୍‌ରେ ଟ୍ରମ୍ପ୍‌ଙ୍କ ୭୯ ତମ ଜନ୍ମଦିନରେ ହୋଇଥିବା ବିକ୍ଷୋଭ ତୁଳନାରେ ଏବର ପ୍ରତିବାଦ ବିଶାଳ ରୂପ ଧାରଣ କରିଛି। ଏଠାରେ ମନେପଡ଼େ ଟ୍ରମ୍ପ୍‌ଙ୍କ ‘ମେକ୍‌ ଆମେରିକା ଗ୍ରେଟ୍‌ ଏଗେନ୍‌ ବା ମାଗା’ ସ୍ଲୋଗାନ କଥା। ‘ଆମେରିକା ଆଗ’ ଚିନ୍ତାଧାରା ରଖି ନିଜ ଦେଶକୁ ସୁଦୃଢ଼ କରିବା ଲାଗି ସେ ଆହ୍ବାନ ଦେଇଥିଲେ। ହେଲେ ବର୍ତ୍ତମାନ ସେ ଆପ୍ରବାସନ ନୀତିରେ ବ୍ୟାପକ ପରିବର୍ତ୍ତନ କରିବା ସହ ସ୍ବାସ୍ଥ୍ୟସେବାରେ ମିଳୁଥିବା ସୁବିଧାକୁ ହ୍ରାସ କରିବାରୁ ଆମେରିକୀୟ କ୍ଷୁବ୍ଧ। ଏପରିକି ସେଠାରେ ଆର୍ଥିକ ସମସ୍ୟା ଦେଖାଦେଇଥିବାରୁ ଅସଂଖ୍ୟ କର୍ମଚାରୀ ଦରମା ନ ପାଇ ଅସନ୍ତୋଷ ବ୍ୟକ୍ତ କରିବାରୁ ଅନେକ ସ୍ଥାନରେ ଶଟ୍‌ଡାଉନ ସ୍ଥିତି ଉପୁଜିଛି। ଓ୍ବାଶିଂଟନରେ ଥିବା ସରକାରୀ କାର୍ଯ୍ୟ ୧୮ ଦିନ ହେବ ବନ୍ଦ ହୋଇଥିବାରୁ ଫେଡେରାଲ କର୍ମଚାରୀମାନେ ବିକ୍ଷୋଭରେ ଯୋଗଦେବା ସେଠାରେ ସ୍ଥିତି କେଉଁସ୍ତରକୁ ଗଲାଣି ତାହା ବୁଝାପଡ଼ିଯାଉଛି। ହେଲେ ଟ୍ରମ୍ପ୍‌ ଏଭଳି ବିକ୍ଷୋଭକୁ ପ୍ରତ୍ୟାଖ୍ୟାନ କରି ସେମାନଙ୍କୁ ଉପହାସ କରିଛନ୍ତି। ତାଙ୍କ ଟ୍ରୁଥ୍‌ ସୋସିଆଲ ମିଡିଆରେ ଏଆଇ ଭିଡିଓ ପୋଷ୍ଟ କରି ସେଥିରେ ସେ ରାଜା ପୋଷାକରେ ଏକ ଜେଟ୍‌ ଉଡ଼ାଉଥିବା ଓ ‘ନୋ କିଙ୍ଗ୍‌ସ’ ବିକ୍ଷୋଭକାରୀଙ୍କ ଉପରେ ମଳ ଫୋପାଡ଼ୁଥିବା ଦେଖିବାକୁ ମିଳିଛି।
ବର୍ତ୍ତମାନ କେବଳ ଟ୍ରମ୍ପ୍‌ ନୁହନ୍ତି, ବିଶ୍ୱର ଅନେକ ଦେଶରେ ତାଙ୍କ ଭଳି ମାନସିକତା ବହନ କରୁଥିବା ଶାସକମାନେ ନିଜକୁ ରାଜା ବା ସର୍ବେସର୍ବା ବୋଲାଇ ହେଉଛନ୍ତି। ଥରେ କ୍ଷମତାକୁ ଆସିବା ପରେ ସେମାନେ ଏଭଳି ବ୍ୟବହାର ପ୍ରଦର୍ଶନ କରୁଛନ୍ତି ଯେ, ଯେପରି ସେମାନଙ୍କୁ କେହି ପ୍ରଶ୍ନ ପଚାରିପାରିବେ ନାହିଁ। ଏପରି ଶାସକଙ୍କୁ ବିରୋଧ ହେଲେ ପ୍ରତିବାଦକାରୀଙ୍କୁ କିଭଳି ଦମନ କରିହେବ ସେହି ଦିଗରେ ଚତୁରତାର ସହ ପଦକ୍ଷେପ ନିଆଯାଉଛି। କୁହାଯାଇପାରେ ଯେ, ଦୀର୍ଘ ବର୍ଷ ଶାସନରେ ରହିଯାଉଥିବା ବ୍ୟକ୍ତିମାନେ କେବେ ନା କେବେ ହାରିବେ। ଭୋଟ୍‌ରେ ନ ହେଲେ ମଧ୍ୟ ଯମଙ୍କ ନିକଟରେ ହାରିବେ। ଦୀର୍ଘ ଶାସନ ଅନେକ ନେତାଙ୍କ ପାଇଁ କାଳ ହୋଇଥିବା ଇତିହାସ ପ୍ରମାଣ ଦେଇଛି। ଏଭଳି ସ୍ଥିତିରେ ଯେଉଁମାନେ ଧରି ନେଉଛନ୍ତି ଯେ, ସେମାନଙ୍କୁ ଡରି କେହି କିଛି କହିବେ ନାହିଁ ତାହା ଭୁଲ୍‌। ସମୟକ୍ରମେ ସେମାନଙ୍କୁ ଚେତେଇ ଦେବା ପାଇଁ ସାହସ କୁଳାଇପାରୁଥିବା ପିଲାଟିଏ ମଧ୍ୟ ଯଥେଷ୍ଟ ହୋଇପାରେ। ଅନେକେ ଜାଣିଥିବା ଏକ କାହାଣୀ ମନେପଡ଼େ-‘ସମ୍ରାଟଙ୍କ ନୂଆ ପୋଷାକ’। ଜଣେ ସମ୍ରାଟ ଅତ୍ୟନ୍ତ ପୋଷାକ ପ୍ରିୟ ଥିଲେ। ତାଙ୍କ ଦେଶରେ ଥିବା ସବୁ ବୁଣାକାରଙ୍କୁ ରାଜନଅରକୁ ଡକାଇ ପଠାଇଲେ। ତାଙ୍କ ପାଇଁ ଏଭଳି ପୋଷାକ ପ୍ରସ୍ତୁତ କରାଯିବା ଦରକାର, ଯାହା ପୂର୍ବରୁ କେହି ପିନ୍ଧି ନ ଥିବେ ବୋଲି କହିଥିଲେ। ଏହା ଶୁଣି ବୁଣାକାରଙ୍କ ମଧ୍ୟରେ ଭାଳେଣି ପଡ଼ିଗଲା। ହେଲେ ଜଣେ ଯୁବ ବୁଣାକାର ସମ୍ରାଟଙ୍କ ପାଇଁ ପୋଷାକ ପ୍ରସ୍ତୁତ ହୋଇସାରିଥିବା କହି ରାଜନଅରକୁ ଗଲେ ଓ ସେଠାରେ ରାଜାଙ୍କୁ ଏକ କୋଠରିକୁ ଡାକି ପିନ୍ଧିଥିବା ପୋଷାକ ଖୋଲିଦେବାକୁ କହିଲେ। ସମ୍ରାଟ ତାହା ହିଁ କଲେ। ଏହା ପରେ ଯୁବ ବୁଣାକାର କହିଲେ ‘ସମ୍ରାଟ ଏବେ ଏହି ପୋଷାକରେ ସୁନ୍ଦର ଦେଖାଯାଉଛନ୍ତି ଓ ସେ ଶୋଭାଯାତ୍ରାରେ ଯାଇପାରନ୍ତି’। ଶୋଭାଯାତ୍ରାରେ ଗଲା ବେଳେ ସମସ୍ତେ ସମ୍ରାଟ ସୁନ୍ଦର ଦିଶୁଥିବା ନେଇ ପ୍ରଶଂସା ମଧ୍ୟ କଲେ। ହେଲେ ଭିଡ଼ ଭିତରୁ କୁନି ପିଲାଟିଏ କହିଦେଲା ଯେ ସମ୍ରାଟ ଲଙ୍ଗଳା ହୋଇଛନ୍ତି। ତେଣୁ ଯେଉଁମାନେ ଏବେ ନିଜ ଚେଲା ଚାମୁଣ୍ଡାଙ୍କ ଖୋସାମତିରେ ନିଜକୁ ଦିଗ୍‌ବିଜୟୀ ରାଜା ଭାବି ପଦକ୍ଷେପ ନେଉଛନ୍ତି ସମୟ କ୍ରମେ ସେମାନେ ଗାଦିଚ୍ୟୁତ ହେବା ଅବଶ୍ୟମ୍ଭାବୀ। କାରଣ ସେମାନେ ମଣିଷ।
ଆମେରିକା ଭଳି ଗଣତାନ୍ତ୍ରିକ ଦେଶରେ ଟ୍ରମ୍ପ୍‌ ଯେଭଳି ଭାବେ ଏକଚ୍ଛତ୍ରବାଦର ଲକ୍ଷଣ ପ୍ରଦର୍ଶନ କଲେଣି ତାହା ତାଙ୍କ ପାଇଁ ଆଗକୁ ଅସ୍ବାଭାବିକତା ଆଣିବା ସ୍ପଷ୍ଟ ଦିଶିଯାଉଛି। ନିଜ ଖିଆଲିକୁ ପୂରଣ କରିବାକୁ ଯାଇ ଯାଚ୍ଛାତା ନିଷ୍ପତ୍ତି ନେଉଥିବାରୁ ତାହା ନାଗରିକ ଓ ଦେଶ ପାଇଁ କ୍ଷତି ପହଞ୍ଚୁଛି। ଆମେରିକାରେ ଟ୍ରମ୍ପ୍‌ ବିରୋଧୀ ପ୍ରତିବାଦ ଏହାର ସଙ୍କେତ ବହନ କରୁଛି। ତେଣୁ ପ୍ରଶଂସକ ମହଲରେ ରହି ନିଜକୁ ରାଜା ଭାବୁଥିବା ଟ୍ରମ୍ପ୍‌ ବାସ୍ତବରେ କେଉଁ ପୋଷାକ ପିନ୍ଧିଛନ୍ତି, ତାହାକୁ ଥରେ ନିଜ ଆଖିରେ ଦେଖି ନେବାର ସମୟ ଆସିଲାଣି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?