Posted inଜାତୀୟ

ମାଓବାଦୀ କହି ୧୨ ନିରୀହଙ୍କୁ ହତ୍ୟା

ରାୟପୁର,୧୫ା୫:ଦେଶରେ ଲୋକ ସଭା ଏବଂ ଓଡ଼ିଶା ସମେତ ୪ ରାଜ୍ୟ ବିଧାନସଭା ନିର୍ବାଚନ ଚାଲିଥିବାବେଳେ ଭାଜପା ଶାସିତ ଛତିଶଗଡ଼ ସରକାରର ବଡ଼ ଚାଲବାଜି ଧରାପଡ଼ିଛି। ଓଡ଼ିଶାରେ ସୋମବାର (ମେ’ ୧୩ରେ) କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ସଂସଦୀୟ ଆସନ ସହ ଏହା ଅଧୀନ ୨୮ ବିଧାନସଭା ନିର୍ବାଚନମଣ୍ଡଳୀରେ ଭୋଟ ଗ୍ରହଣ କରାଯାଇଛି। ଏହାର ୩ ଦିନ ପୂର୍ବରୁ ଅର୍ଥାତ୍‌ ଶୁକ୍ରବାର ମାଓବାଦୀମାନେ ଓଡ଼ିଶାର ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ ଭଣ୍ଡୁର ପାଇଁ ଯୋଜନା କରୁଥିବାବେଳେ ସେମାନଙ୍କୁ ଏନ୍‌କାଉଣ୍ଟରରେ ନିପାତ କରାଯାଇଥିବା ଛତିଶଗଡ଼ର ବିଜାପୁର ପୋଲିସ ଦାବି କରିଥିଲା। ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାୟ ଏହାକୁ ଏକ ବଡ଼ ସଫଳତା ଦର୍ଶାଇ ରାଜ୍ୟ ପୋଲିସ ଓ କେନ୍ଦ୍ରୀୟ ସୁରକ୍ଷା ବଳକୁ ପ୍ରଶଂସାରେ ପୋତି ଦେଇଥିଲେ। ଗତବର୍ଷ ଡିସେମ୍ବରରେ ରାଜ୍ୟରେ ଭାଜପା କ୍ଷମତାସୀନ ହେବା ପରଠୁ ଅଦ୍ୟାବଧି ୧୦୪ ମାଓବାଦୀ ନିହତ ହୋଇଥିବା ବିଷ୍ଣୁଦେଓ କହିଥିଲେ। ତେବେ ପୋଲିସ ଗୁଳିରେ ଶୁକ୍ରବାର ପ୍ରାଣ ହରାଇଥିବା ୧୨ ଜଣ ମାଓବାଦୀ ନୁହନ୍ତି, ବରଂ ନିରୀହ କେନ୍ଦୁପତ୍ର ତୋଳାଳି ବୋଲି ବର୍ତ୍ତମାନ ଜଣାପଡ଼ିଛି। କେନ୍ଦ୍ରରେ କ୍ଷମତାସୀନ ଭାଜପା ସରକାରର ‘୪୦୦ ପାର୍‌’ ଲକ୍ଷ୍ୟ ପୂରଣରେ ସହାୟକ ହେବା ପାଇଁ ଛତିଶଗଡ଼ ସରକାର ମିଛ ଏନ୍‌କାଉଣ୍ଟର କରାଇବା ସହ ବଣଜଙ୍ଗଲର ଆଦିବାସୀମାନଙ୍କୁ ମାଓବାଦୀ ଦର୍ଶାଇ ଆମତ୍ସମର୍ପଣ କରାଉଛି ବୋଲି ବିରୋଧୀ ନେତା ଓ ସାମାଜିକ କର୍ମୀମାନେ ଅଭିଯୋଗ ଆଣିଛନ୍ତି। ଏଥିସହ ଏନ୍‌କାଉଣ୍ଟରରେ ନିହତ ୧୦୪ ଜଣଙ୍କ ମଧ୍ୟରୁ କେତେଜଣ ନିରୀହ ଲୋକ ଥିଲେ, ଏହାର ନ୍ୟାୟିକ ତଦନ୍ତ ପାଇଁ ଦାବି କରିଛନ୍ତି।
୫ ମାସ ହେଲା ଛତିଶଗଡ଼ ପୋଲିସ ହଠାତ୍‌ ଅତ୍ୟଧିକ ତତ୍ପରତା ଦେଖାଉଛି। କେତେବେଳେ ଦାନ୍ତଓ୍ବୋଡା, ସୁକ୍‌ମା ତ କେବେ ନାରାୟଣପୁର, ପୁଣି କେତେବେଳେ ବିଜାପୁର। ଏହି ଅଞ୍ଚଳଗୁଡ଼ିକର ପୋଲିସ ରାଜ୍ୟବାସୀଙ୍କୁ ସୁରକ୍ଷା ଦେବା ନାମରେ ମାଓବାଦୀଙ୍କୁ ହତ୍ୟା କରୁଥିବା କହୁଛି। ଅନେକ ସମୟରେ ପୋଲିସ ଖବରଦାତା ସମ୍ମିଳନୀ ଡକାଇ ଫଟୋ ଉଠାଇ କାହାଣୀ ଶୁଣାଉଛି। ଏତେ ମାଓବାଦୀଙ୍କୁ ଧରିଲୁ, ଏତେଜଣ ଆତ୍ମସମର୍ପଣ କଲେ। ସେମାନେ ହିଂସା ମାର୍ଗ ପରିତ୍ୟାଗ କରି ସମାଜର ମୁଖ୍ୟସ୍ରୋତକୁ ଫେରିଆସିଲେ। ଛତିଶଗଡ଼ ପୋଲିସ ଦାବି ମୁତାବକ ଏଭଳି ଆତ୍ମସମର୍ପଣକାରୀ ମାଓବାଦୀଙ୍କ ସଂଖ୍ୟା ପ୍ରାୟ ୩୦୦ ହେବ। ନିହତଙ୍କ ସଂଖ୍ୟା ଶତାଧିକ। ଏହିକ୍ରମରେ ଗତ ୧୦ ତାରିଖରେ ବିଜାପୁର ପୋଲିସ କହିଥିଲା, ଏହି ଜିଲା ଅଧୀନ ଗାଙ୍ଗାଲୁର ଥାନା ଅନ୍ତର୍ଗତ ପିଡ଼ିଆ ଅଞ୍ଚଳର ଏକ ଜଙ୍ଗଲରେ ହାର୍ଡକୋର ମାଓବାଦୀ ପାପା ରାଓ ଶତାଧିକ ସମର୍ଥକଙ୍କ ସହ ବୈଠକ କରୁଥିଲେ। ଓଡ଼ିଶାର ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ ମାଓବାଦୀମାନେ ଭଣ୍ଡୁର କରିବା ପାଇଁ ରଣନୀତି ପ୍ରସ୍ତୁତ କରୁଥିବା ଗୋଇନ୍ଦା ସୂଚନା ମିଳିଥିଲା। ଏହାକୁ ଭିତ୍ତିକରି ବିଜାପୁର ଜିଲାର ୩୫୦ରୁ ଊର୍ଦ୍ଧ୍ୱ ସୁରକ୍ଷା କର୍ମୀ ଉକ୍ତ ଅଞ୍ଚଳରେ କୋମ୍ବିଂ ଅପରେଶନ ଆରମ୍ଭ କରିଥିଲେ। ପୋଲିସକୁ ଦେଖି ମାଓବାଦୀମାନେ ଗୁଳି ଚଳାଇଥିଲେ। ପୋଲିସ ଏହାର ପାଲଟା ଜବାବ ଦେଇଥିଲା। ଉଭୟ ପକ୍ଷଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଗୁଳି ବିନିମୟ ଜାରି ରହିଥିଲା। ଶେଷରେ ମାଓବାଦୀମାନେ ଛତ୍ରଭଙ୍ଗ ଦେଇ ଜଙ୍ଗଲ ଭିତରକୁ ଚାଲିଯାଇଥିଲେ। ପରେ ତଲାସି ବେଳେ ପୋଲିସ ୧୨ ଜଣ ମାଓବାଦୀଙ୍କ ମୃତଦେହ ଠାବ କରିଥିଲା। ସମ୍ପୃକ୍ତ ଅଞ୍ଚଳରେ ପୋଲିସ ମାଓବାଦୀ କ୍ୟାମ୍ପକୁ ଘେରି ତଲାସି ଅଭିଯାନ ଜାରି ରଖିଥିବା ବିଜାପୁର ପୋଲିସ ଦାବି କରିଥିଲା।
ଏହାର ୩ ଦିନ ପରେ ଉକ୍ତ ଏନ୍‌କାଉଣ୍ଟରର ସତ ପଦାକୁ ଆସିଛି। ବସ୍ତର ଅଧୀନ ବିଜାପୁର ଅଞ୍ଚଳର ବହୁସଂଖ୍ୟକ ଲୋକ (ଅଧିକାଂଶ ମହିଳା) ୪୦ କି.ମି. ପର୍ଯ୍ୟନ୍ତ ଚାଲି ଚାଲି ଜିଲା ସଦର ମହକୁମାକୁ ଯାଇ ଜିଲାପାଳ ଏବଂ ଏସ୍‌ପି ଅଫିସ ଘେରାଉ କରିଛନ୍ତି। ମୃତକଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଶନିବାରଠାରୁ ସେଠାରେ ଧାରଣା ଦେଇଛନ୍ତି। ସେମାନେ ଅଭିଯୋଗ ଆଣିଛନ୍ତି ଯେ, ଜଙ୍ଗଲରେ କେନ୍ଦୁପତ୍ର ତୋଳୁଥିବା ପିଡ଼ିଆ ଓ ଇଟାଓ୍ବର ଗ୍ରାମର ୧୨ ଜଣ ନିରୀହ ଶ୍ରମିକଙ୍କୁ ପୋଲିସ ଗୁଳିକରି ହତ୍ୟା କରିଛି। ବିକ୍ଷୋଭକାରୀଙ୍କ ମଧ୍ୟରୁ ଜଣେ ଅଭଲାମ୍‌ ବୁଦ୍ରି କହିଛନ୍ତି, ଏନ୍‌କାଉଣ୍ଟର ଦିନ ତାଙ୍କ ସ୍ବାମୀ କେନ୍ଦୁପତ୍ର ତୋଳୁଥିବାବେଳେ ପୋଲିସ ତାଙ୍କୁ ଉଠାଇନେଇଛି। ପୋଲିସ ଗୁଳିମାଡ଼ରେ ଆଉ କେତେଜଣ ତୋଳାଳି ଆହତ ହୋଇଥିବା ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି। ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ଭୂପେଶ ବଘେଲ ସାମାଜିକ ଗଣମାଧ୍ୟମ ଏକ୍ସ’ରେ କହିଛନ୍ତି, ସୁରକ୍ଷା ବଳ ସମ୍ବିଧାନ ପ୍ରତି ନିଜ ପ୍ରତିଶ୍ରୁତିବଦ୍ଧତା ପାଇଁ କାର୍ଯ୍ୟ କରିବା କଥା। କିନ୍ତୁ ସେମାନେ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳ ପାଇଁ କାମ କଲେ ମାଓବାଦୀ ସମସ୍ୟାର ସମାଧାନ ହୋଇପାରିବ ନାହିଁ। ଏପରି କି ମାଓବାଦୀଙ୍କ ବସ୍ତର ଡିଭିଜନ୍‌ କମିଟି ମଧ୍ୟ ମୃତକମାନେ ମାଓବାଦୀ ନ ଥିଲେ ବୋଲି ସ୍ପଷ୍ଟ କରିଛି। ଏହି ଗଣହତ୍ୟାରେ ୧,୨୦୦ ସୁରକ୍ଷା ବଳ ନିୟୋଜିତ ହୋଇଥିବା କହି ଏହାର ନ୍ୟାୟିକ ତଦନ୍ତ ଦାବି କରିଛି। ଆଦିବାସୀ ଅଧିକାର କର୍ମୀ ସୋନି ସୋରି ଏଭଳି ସମସ୍ତ ଗଣହତ୍ୟା ବିରୋଧରେ ହାଇକୋର୍ଟଙ୍କ ଆଶ୍ରୟ ନେବାକୁ ବାହାରିଛନ୍ତି।
ଅନ୍ୟପକ୍ଷେ ପୋଲିସ ଡିଆଇଜି (ଦକ୍ଷିଣ ବସ୍ତର) କମଳଲୋଚନ କାସ୍ୟପ କହିଛନ୍ତି, ସମସ୍ତ ମୃତକ ମାଓବାଦୀ ଥିଲେ। ସେମାନଙ୍କୁ ଧରାଇଦେଲେ ପୁରସ୍କାର ଦିଆଯିବ ବୋଲି ପୂର୍ବରୁ ଘୋଷଣା କରାଯାଇଥିଲା। ଘଟଣା ଦିନ ପୋଲିସ ଆସୁଥିବା ଖବର ପାଇ ସେମାନେ ୟୁନିଫର୍ମ ବଦଳାଇ ଗ୍ରାମବାସୀଙ୍କ ବେଶ ଧାରଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସାମ୍ନାକୁ ଆସିଲା ବଡ଼ ଘୋଟାଲା, କମିଶନ୍‌ ନେଇ ୨୦୦ କୋଟିର ନକଲି ବିଲ୍‌ ପାସ୍‌

ନୂଆଦିଲ୍ଲୀ, ୨୬।୦୭: କରୋନା ସମୟରେ ୨୦୦ କୋଟି ଟଙ୍କାର ଏକ ବଡ ଦୁର୍ନୀତିର ଖୁଲାସା କରିଛି ଦୁର୍ନୀତି ନିବାରଣ ବ୍ୟୁରୋ ବା ଏସିବି । ଏହି...

ପ୍ରକାଶ ପାଇଲା ନିଟ୍‌ର ସଂଶୋଧିତ ତାଲିକା, ୬୭ରୁ ୧୭କୁ ଖସିଲେ ଟପ୍ପର

ନୂଆଦିଲ୍ଲୀ, ୨୬।୦୭: ଗତ କିଛିଦିନ ଧରି ବିବାଦରେ ରହିଥିବା ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ବା ଏନ୍‌ଟିଏ ମେଡିକାଲ୍‌ ପ୍ରବେଶିକା ପରୀକ୍ଷା ନିଟ୍‌-ୟୁଜିର ଫାଇନାଲ୍‌ ରେଜଲ୍ଟ ପ୍ରକାଶ...

୯୯ରେ ସାପ କାମୁଡ଼େ, କଂଗ୍ରେସକୁ ଏମିତି କହିଦେଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ, ୨୬।୦୭: ବରିଷ୍ଠ ଜନତା ଦଳ ୟୁନାଇଟେଡ (ଜେଡିୟୁ) ନେତା ତଥା କେନ୍ଦ୍ର ମନ୍ତ୍ରୀ ରାଜୀବ ରଂଜନ (ଲଲନ ସିଂ) ଶୁକ୍ରବାର ଦିନ କଂଗ୍ରେସକୁ ଟାର୍ଗେଟ୍‌...

ମନୀଷ ସିସୋଦିଆଙ୍କୁ ପୁଣି କୋର୍ଟ ଝଟ୍‌କା, ବଢ଼ିଲା ନ୍ୟାୟିକ ହେପାଜତ ଅବଧି

ନୂଆଦିଲ୍ଲୀ, ୨୬।୦୭: ଦିଲ୍ଲୀ ମଦ ଦୁର୍ନୀତି ସହ ଜଡ଼ିତ ସିବିଆଇ ମାମଲାରେ ଆଜି ପୁଣିଥରେ କୋର୍ଟ ଶୁଣାଣି କରିଛନ୍ତି । ରାଉଜ ଆଭେନ୍ୟୁ କୋର୍ଟ ଦିଲ୍ଲୀର...

‘ଦିଲ୍ଲୀରୁ ଗୋଟିଚାଳନା ସରିଛି, ଉତ୍ତରପ୍ରଦେଶରେ କିଛି ବଡ଼ ହେବାକୁ ଯାଉଛି’

ନୂଆଦିଲ୍ଲୀ,୨୬।୭: ଆମ ଆଦମୀ ପାର୍ଟି(ଏଏପି)ର ଏମ୍‌ପି ସଞ୍ଜୟ ସିଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ନେଇ ଏକ ବଡ଼ ଦାବି କରିଛନ୍ତି। ସଞ୍ଜୟ ଶୁକ୍ରବାର କହିଛନ୍ତି...

ରାହୁଲ ଗାନ୍ଧୀଙ୍କ ନୂଆ ଠିକଣା: ବଙ୍ଗଳା ନମ୍ବର-୫, ସୁନ୍‌ହେରୀ ବାଗ୍‌ ରୋଡ…

ନୂଆଦିଲ୍ଲୀ,୨୬।୭: କଂଗ୍ରେସ ନେତା ଏବଂ ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଠିକଣା ବଦଳିବାକୁ ଯାଉଛି। ସୁନ୍‌ହରୀ ବାଗ୍‌ ରୋଡ୍‌, ବଙ୍ଗଳା ନମ୍ବର-୫...

ଗୁଗୁଲ ସିଇଓ ସୁନ୍ଦର ପିଚାଇଙ୍କୁ ଭାରତରୁ ମିଳିଲା ବଡ଼ ଉପାଧି, କହିଲେ…

ନୂଆଦିଲ୍ଲୀ, ୨୬।୦୭: ଲୋକପ୍ରିୟ ସର୍ଚ୍ଚ ଇଞ୍ଜିନ୍‌ ଗୁଗୁଲର ସିଇଓ ସୁନ୍ଦର ପିଚାଇଙ୍କୁ ନିଜେ ପଢ଼ୁଥିବା ଅନୁଷ୍ଠାନରୁ ବଡ଼ ଉପାଧି ମିଳିଛି । ଆଇଆଇଟି ଖଡ଼ଗପୁରରୁ ସେ...

ଫିଟିଗଲା ଗୁମର, କଂଗ୍ରେସ ସହ ହୋଇଛି ଭିତିରି ମେଣ୍ଟ!

ନୂଆଦିଲ୍ଲୀ,୨୬।୭:ନିର୍ବାଚନରେ ହାରିବା ଏବଂ ମୁଖ୍ୟମନ୍ତ୍ରୀ ପଦ ହରାଇବା ପରେ ଜଗନମୋହନ ରେଡ୍ଡୀଙ୍କ ଅଡୁଆ ବଢିବାରେ ଲାଗିଛି। ଚନ୍ଦ୍ରବାବୁ ନାଇଡୁ ଆନ୍ଧ୍ରପ୍ରଦେଶର ସିଏମ ହୋଇଛନ୍ତି ଏବଂ ଦାୟିତ୍ୱ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri