ଜମନକିରା,୩।୯(ରବିନ୍ଦ୍ର ପ୍ରସାଦ ଦାନୀ): ସମୟ ବଦଳିଲେ ମଣିଷର ଭାଗ୍ୟ ବି ବଦଳିଯାଏ। କିନ୍ତୁ କିଛି ଲୋକଙ୍କ ଜୀବନରେ ଏଭଳି ପରିସ୍ଥିତି ଆସେ, ଯେଉଁଠି ଦୁଃଖ କେବେ ସରେ ନାହିଁ। ଏମିତି ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି ସମ୍ବଲପୁର ଜିଲା ଜମନକିରା ବ୍ଲକ ଫାଶିମାଲ ପଞ୍ଚାୟତର ପୁକୁଡା ଗ୍ରାମରୁ। ଯେଉଁଠି ପରିଣତ ବୟସରେ ଜଣେ ଅସହାୟ ବୃଦ୍ଧା ପାଞ୍ଚ ନାତି ନାତୁଣୀଙ୍କ ଭାର ସମ୍ଭାଳୁଛନ୍ତି। ଖାଇବାକୁ ଦୁଇ ମୁଠା ପାଇଁ ସଂଘର୍ଷ କରୁଥିବା ବେଳେ ପିଲାମାନଙ୍କ ପାଠପଢ଼ା ଓ ପ୍ରତିପୋଷଣର ଦାୟିତ୍ୱ ତାଙ୍କ ମୁଣ୍ଡରେ।
ଖଇରୀ ଦେହୁରୀ (୬୨), ପୁକୁଡା ଗ୍ରାମର ଜଣେ ବାସିନ୍ଦା। ଦିନେ ତାଙ୍କର ଏକ ହସଖୁସିର ସଂସାର ଥିଲା। ହେଲେ ଛଅ ବର୍ଷ ତଳେ ଏକମାତ୍ର ପୁଅ ଶ୍ରୀକାନ୍ତ ଦେହୁରୀଙ୍କ ମୃତ୍ୟୁ ପରେ ତାଙ୍କ ଜୀବନର ସବୁ କିଛି ବଦଳିଗଲା। ପୁଅର ମୃତ୍ୟୁ ପରେ ବୋହୂ ସୁଭଦ୍ରା ଦେହୁରୀ ପାଞ୍ଚ ଜଣ ପୁଅଝିଅଙ୍କୁ ଛାଡ଼ି କୁଆଡ଼େ ଚାଲିଗଲେ। ଏହିଭଳି ଏକ ଅସହାୟ ଅବସ୍ଥାରେ ଗୋଟିଏ ନାତି ଓ ଚାରି ନାତୁଣୀଙ୍କ ଦାୟିତ୍ୱ ନେଇଥିଲେ ଖଇରୀ ଓ ତାଙ୍କ ସ୍ବାମୀ। ଦୁହେଁ ମୂଲ ଲାଗି ପରିବାର ଚଳାଉଥିଲେ। ହେଲେ ଦୁଃଖର ସମୟ କମି ନ ଥିଲା। କିଛି ଦିନ ପରେ ଖଇରୀଙ୍କ ସ୍ବାମୀଙ୍କର ମଧ୍ୟ ମୃତ୍ୟୁ ହୋଇଗଲା।
ଏବେ ପାଞ୍ଚ ନାତି ନାତୁଣୀଙ୍କ ସମ୍ପୂର୍ଣ୍ଣ ଦାୟିତ୍ୱ ଏକାକୀ ଖଇରୀଙ୍କ ଉପରେ। ବୟସ ବଢ଼ିବା ସହ ଶରୀର ଆଉ ସାଥ ଦେଉନାହିଁ। ମୂଲ ଲାଗିବାକୁ ଅସମର୍ଥ ଖଇରୀଙ୍କ ପାଇଁ ସରକାରଙ୍କ ପକ୍ଷରୁ ମିଳୁଥିବା ୨୫ କେଜି ଚାଉଳ ଓ ହଜାର ଟଙ୍କା ବାର୍ଦ୍ଧକ୍ୟ ଭତ୍ତା ହିଁ ଏବେ ଏକମାତ୍ର ଆଶ୍ରା। କିନ୍ତୁ ଏତିକି ସହାୟତାରେ ଏତେ ବଡ଼ ପରିବାର ଚଳାଇବା ଖଇରୀଙ୍କ ପାଇଁ କାଠିକର ପାଠ।
ପାଞ୍ଚ ଜଣ ଯାକ ପିଲା ସ୍କୁଲ ଯାଉଛନ୍ତି। ସେମାନଙ୍କ ପାଠପଢ଼ା ଖର୍ଚ୍ଚ ସହ ଖାଦ୍ୟ, ପୋଷାକ ଓ ଅନ୍ୟାନ୍ୟ ଆବଶ୍ୟକତା ପୂରଣ କରିବା ଖଇରୀଙ୍କ ପକ୍ଷେ ସମ୍ଭବ ହେଉନାହିଁ। ଅଭାବ ଅନଟନ ମଧ୍ୟରେ ପାଖ ପଡ଼ୋଶୀଙ୍କ ସହଯୋଗରେ କଷ୍ଟେମଷ୍ଟେ ପରିବାର ଚଳୁଥିବା ସେ କହିଛନ୍ତି।
ଏହା କେବଳ ଏକ ପରିବାରର ଦୁଃଖର କାହାଣୀ ନୁହେଁ, ଏହା ପାଞ୍ଚ ଜଣ ନିରୀହ ଶିଶୁଙ୍କ ଭବିଷ୍ୟତ।
ଏହି ଅସହାୟ ପରିବାର ପ୍ରତି ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା ଆବଶ୍ୟକ। ଯଦି ସେମାନଙ୍କୁ ସରକାରୀ ସହାୟତା ମିଳନ୍ତା, ତେବେ ଖଇରୀଙ୍କ ବୋଝ କମିବା ସହ ପିଲାମାନଙ୍କ ଭବିଷ୍ୟତ ବି ସୁରକ୍ଷିତ ହୋଇପାରନ୍ତା। କେବଳ ସରକାର ନୁହେଁ, ବରଂ ସମାଜର ଦାୟିତ୍ୱବାନ ନାଗରିକ ଓ ସଂଗଠନମାନେ ମଧ୍ୟ ଏହି ପରିବାରକୁ ସହାୟତା କରିବା ପାଇଁ ଆଗେଇ ଆସିବା ଉଚିତ୍। ଅସହାୟ ପରିବାର କୁ ସାହା ହେବ କିଏ, ତାହା ଏବେ ବଡ଼ ପ୍ରଶ୍ନ?
Dharitri – Odisha’s No.1 Odia Daily

