
ଲାଞ୍ଜିଗଡ଼, ୨୫ା୬ (ରମେଶ ଚନ୍ଦ୍ର ନାୟକ):କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଚମ୍ପାଦେଈପୁର ପଞ୍ଚାୟତ ହରିହରପୁର ଗାଁର ଦୁଷ୍ମନ୍ତ ଜାଲ (୩୦) ପରିବାର ପ୍ରତିପୋଷଣ ପାଇଁ କେରଳ ଦାଦନ ଖଟିବାକୁ ଯାଇ ପଙ୍ଗୁ ହୋଇ ଘରକୁ ଫେରିଥିବା ବେଳେ ସହାୟତା ପାଇଁ ଜିଲା ଶ୍ରମ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସୂଚନା ଅନୁସାରେ ଦୁଷ୍ମନ୍ତ ଗତ ଏପ୍ରିଲ ୩୦ରେ କେରଳ ରାଜ୍ୟ ମଙ୍ଗନୋର ଜିଲାର ଏକ ପଥର କୁଆଁରୀରେ ବ୍ଲାଷ୍ଟିଂ କାମରେ ନିୟୋଜିତ ଥିଲେ। ଜୁନ ୭ରେ କାମ ଶେଷ ହେବା ସମୟରେ ତାଙ୍କ ହାତରେ ବ୍ଲାଷ୍ଟିଂ ହୋଇଯାଇଥିଲା। ଫଳରେ ଦୁଷ୍ମନ୍ତଙ୍କ ଡାହାଣ ହାତର ଦୁଇ ଗୋଟି ଅଙ୍ଗୁଠି କଟିଯାଇଥିବା ବେଳେ ଛାତି, ବାମ ଗୋଡରେ ଭୀଷଣ ଆଘାତ ଲାଗି ଗୁରୁତର ହୋଇପଡ଼ିଥିଲେ। ପଥର କୁଆଁରୀ ମାଲିକ ପୋଲିସ ଭୟରେ ନିକଟସ୍ଥ ଡାକ୍ତରଖାନାନ ନେଇ ୬୦ କିମି ଦୂରରେ ଥୂବା ଏକ ବେସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଦୁଷ୍ମନ୍ତଙ୍କୁ ଏକମାସ ଡାକ୍ତରଖାନାରେ ରହିବାକୁ କହିଥିଲେ। କଣ୍ଟ୍ରାକ୍ଟର ଜୁନ ୭ ତାରିଖରେ ଭର୍ତ୍ତି କରି ୧୪ରେ ଡାକ୍ତରଙ୍କ ସହ କଥାବାର୍ତ୍ତା କରି ଦୁଷ୍ମନ୍ତ ମନା କରିବା ସତ୍ତ୍ବେ ଡିସ୍ଚାର୍ଜ କରିଦେଇଥିଲେ। ପରେ ସବୁ ଖର୍ଚ୍ଚ ବହନ କରିବି କହି ୧୫ ତାରିଖରେ ଟ୍ରେନ୍ରେ ବସାଇ ଘରକୁ ପଠାଇଦେଇଥିଲେ। ଦୁଷ୍ମନ୍ତ ନିଜ ପାରିଶ୍ରମିକ ୧୭ ହଜାର ୫ ଶହ ଟଙ୍କା ମଧ୍ୟ ପାଇ ନ ଥିବା ପ୍ରକାଶ କରିଛନ୍ତି। ୧୬ ତାରିଖରେ ଦୁଷ୍ମନ୍ତ ଘରେ ପହଞ୍ଚିବା ପରେ ଜୁନ ୨୦ରେ ଲାଞ୍ଜିଗଡ ବ୍ଲକ ଆଦିବାସୀ ସଂଘ ସଭାପତି ଶୁକ୍ରୁ ମାଝୀ, ତୁଲେଶ୍ବର ଜାଲଙ୍କ ସହ ମିଶି ଜିଲା ଶ୍ରମ ଅଧିକାରୀ ସୁବାସ ଚନ୍ଦ୍ର ମଣ୍ଡଳଙ୍କ ଦ୍ବାରସ୍ଥ ହୋଇଥିବା କହିଛନ୍ତି। ଜିଲା ଶ୍ରମ ଅଧିକାରୀ ଏନେଇ ଏକ ଇସି ମାମଲା ରୁଜୁ କରି କ୍ରଶର ମାଲିକଙ୍କୁ ଡକାଇ କ୍ଷତିପୂରଣ ଦେବାପାଇଁ ବ୍ୟବସ୍ଥା କରିବାକୁ ଦୁଷ୍ମନ୍ତକୁ କହିଥିବା ସେ ପ୍ରକାଶ କରିଛନ୍ତି। ଏ ନେଇ ଅତିରିକ୍ତ ଜିଲା ଶ୍ରମ ଅଧିକାରୀ ଜିତମ ମାଝୀଙ୍କୁ ପଚାରିବାରୁ ସେମାନେ ଆସି ମଣ୍ଡଳ ସାରଙ୍କୁ ଭେଟିଥିଲେ ଏବଂ ସରକାରୀ ନିୟମ ଅନୁଯାୟୀ କାର୍ଯ୍ୟ କରାଯିବ ବୋଲି ପ୍ରକାଶ କରିଥିଲେ। ଦୁଷ୍ମନ୍ତଙ୍କ ବାପା ଟିକେରାମ ଜାଲ ୨୦୧୫ ମସିହାରେ ମୃତ୍ୟୁବରଣ କରିଥିବା ବେଳେ ବିଧବା ମା’ ଯଶୋଦାଙ୍କ ସହ ସ୍ତ୍ରୀ ଓ ତିନି ଶିଶୁ କନ୍ୟା ଅଛନ୍ତି। ସରକାରୀ ସହାୟତା ଯୋଗାଇଦେବା ପାଇଁ ସେ ପ୍ରଶାସନ ନିକଟରେ ଆକୁଳ ନିବେଦନ କରିଛନ୍ତି।