
କେସିଙ୍ଗା,୩୦।୬(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧିନସ୍ଥ କସୃପଡା ଗ୍ରାମ ପଞ୍ଚାୟତସ୍ଥିତ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ଗୋଚର ଓ ଜଳଚର ଜମି ଉଚ୍ଛେଦ ପାଇଁ ଚାଷୀମାନେ ଗାଈଗୋରୁ ରଖି ସୋମବାର ସକାଳ ୮ଟାରୁ ଅନିର୍ଦ୍ଦିଷ୍ଟ କାଳ ଯାଏ ଗଣଧାରଣା ଦେଇଛନ୍ତି। ଏହି ଗ୍ରାମ ପଞ୍ଚାୟତର ସୁକୁନାଭଟା ଗ୍ରାମର ଲଳିତ ଭୋଇ, ଗିରିଧାରୀ ମାଝୀ, ସୁନିଲ ଭୋଇ, ଡମ୍ବରୁ ଧର ନାଗ, ଶ୍ୟାମ ସୁନ୍ଦର ଭୋଇଙ୍କ ସମେତ ୩୦ ଜଣ ଚାଷୀଙ୍କ ପାୟ ଦେଢ଼ ଶହରୁ ଉଦ୍ଧର୍ବ ଗାଈଗୋରୁଙ୍କୁ ଚରାଇବାରେ ଘୋର ଅସୁବିଧା ହେଉଥିଲା। ବର୍ତ୍ତମାନ ସମଗ୍ର ଅଞ୍ଚଳରେ ଲଗାଣ ମୌସୁମୀ ବର୍ଷା ହେଉଛି।
ଗାଈଗୋରୁ ଚାରିବା ପାଇଁ ଜାଗା ନ ଥିବାରୁ ଚାଷୀମାନେ ଜିଲାପାଳ, କେସିଙ୍ଗା ତହସିଲଦାରଙ୍କୁ ଲିଖିତ ଅଭିଯୋଗ କରିଥିଲେ। ଜିଲାପାଳ ନିର୍ଦ୍ଦେଶକ୍ରମେ ଗତ ୪ ମାସ ତଳେ କେସିଙ୍ଗା ତହସିଲଦାରଙ୍କ ଆଦେଶ ମତେ ସୁକୁନାଭଟା ଗ୍ରାମରେ ରାଜସ୍ବ ନିରୀକ୍ଷକଙ୍କୁ ପଠାଇ ଡିମାର କେସନ କରି ୫୨.୩୩ ଏକ ଗୋଚର ଓ ୪୦ ଏକର ଜଳଚର ଜମି ଚିହ୍ନଟ କରି ଜବର ଦଖଲକାରୀଙ୍କଠାରୁ ଉଚ୍ଛେଦ କରି ଗ୍ରାମବାସୀଙ୍କୁ ଗାଈଗୋରୁ ଚରାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ।
ଯଦି ପ୍ରଶାସନିକଙ୍କ ଆଦେଶ କୁଜବର ଦଖଲକାରୀମାନେ ଅବମାନନା କରୁଛନ୍ତି। ତେବେ ଆସନ୍ତା ନଭେମ୍ବର ଓ ଡିସେମ୍ବର ମାସରେ ଯେଉଁମାନେ ଜବରଦଖଲ କରି ଚାଷ କରୁଥିବେ। ସେମାନଙ୍କ ନାମରେ ନୋଟିସ ଦେଇ କେସ କରାଯିବ ବୋଲି ପୂର୍ବତନ ରାଜସ୍ବ ନିରୀକ୍ଷକ ଡିଙ୍ଗର ପୁଟେଲ ପ୍ରକାଶ କରିଥିଲେ। ଏ ସଂକ୍ରାନ୍ତରେ ନୂତନ ଭାବେ ଯୋଗଦେଇଥିଲା କସୃପଡା ରାଜସ୍ବ ନିରୀକ୍ଷକ କୌଶଲ୍ୟା ବାଗଙ୍କୁ ପଚାରିବାରୁ ମୁଁ ନୂତନ ଭାବେ ଯୋଗଦେଇଛି କିଛି ଜାଣି ନାହିଁ। ତହସିଲଦାର ସହ ଆଲୋଚନାକରି କାର୍ଯ୍ୟାନୁଷ୍ଠାନ ନେବାପାଇଁ ପଦକ୍ଷେପ ନିଆଯିବ ବୋଲି ପ୍ରକାଶ କରିଥିଲେ।