Posted inଫୁରସତ

ନିଶାର ଖେଳ

ଗଲାକାଲି ରାତିରେ ସପନରେ ଦେଖିଲି ପୁଲିସବାବୁ ଦୋଷୀ ଭାବି ଜଣକୁ ଧରିକି ଜେରା କରୁଛନ୍ତି । ଭୟ ଦେଖେଇ ପିଟି ପିଟି ପଚାରୁଛନ୍ତି… ସତ କହ, କିଏ ମହାପ୍ରଭୁଙ୍କର ଏତେଗୁଡ଼େ ଚୁଲା ଭାଙ୍ଗିଲା? ତୁ ଭାଙ୍ଗିଛୁ । ତୋ ଛଡ଼ା ଆଉ କାହାକୁ ସେଠି ବୁଲିବାର ମୁଁ ଦେଖିନି ।

ପୁଲିସିଆ ଠେଙ୍ଗେଣି ନାଲି ଆଖି ସାଙ୍ଗକୁ ନିଶୁଆ ମୁହଁର ଗର୍ଜନରେ ବିଚରା ଲୋକଟା, ”ସାରେ! ଏତେ ଚୁଲା ସେଇ ଭାଙ୍ଗିଛନ୍ତି, ଯିଏ ଦିନେ ମା’ ଲକ୍ଷ୍ମୀଙ୍କ ଆଦେଶ ପାଳି ସମସ୍ତେ ଶୟନରତ ଥିଲାବେଳେ ସଭିଙ୍କ ଅଗୋଚରରେ ଅନ୍ଧାରି ବିଜେକରି ଆମ ମହାପୁରୁ ଦି’ ଜଣଙ୍କୁ ଦଉଡ଼ିଆ ଖଟିଆରେ ଗଡ଼େଇ ପଲଙ୍କ ଓ଼ଗେର ବୋହିନେଇ ରୋଷେଇଶାଳରେ ପଶି ସବୁ ଖାଇ ହାଣ୍ଡିକୁଣ୍ଡେଇ ଭାଙ୍ଗି ପଳେଇଥିଲେ । ସେତେବେଳେ ଏମିତି ନାରଖାରିଆ କାମ କିଏ କଲା ବୋଲି ମହାପ୍ରଭୁ କ’ଣ କୋଉ ଥାନାରେ ଯାଇ ଏତେଲା ଦେଇଥିଲେ? ନା କୋଉ ଦୋଷୀ ଧରାପଡ଼ି ଜେଲ ଜରିମାନା ଦଣ୍ଡ ପାଇଲେ? କିଛି ନାହିଁ l ବରଂ ମହାପ୍ରଭୁ ଚୁପ୍‌ ରହି ଢେର ଦିନ ଏଣେ ତେଣେ ଭୋକ ଉପାସରେ ବୁଲି ଭାରି କଲବଲ ହେଲେ। “

ଆପଣ ସେମିତି ମତେ ଏତେ ଜେରା ନ କରି ଚୁପ୍‌ ରୁହନ୍ତୁ । ଆପଣ ମତେ କାହିଁ ଧରୁଛନ୍ତି? ବରଂ ଏସବୁ କିଏ କେମିତି କେତେବେଳେ କଲା ଆପଣ ସବୁ ଠିକ ଜାଣିଛନ୍ତି l ସେତେବେଳେ ସିନା ଠୋସ ପ୍ରମାଣ ନ ଥିଲା, ହେଲେ ଏବେପରା ସିସି କ୍ୟାମେରା ସବୁ ଦେଖୁଚି.. ସତ କହୁଛି । ଅଯଥାରେ ମତେ ଧରି କାହିଁ କଲବଲ କରୁଛନ୍ତି କହିଲେ?

ଭଲ କି ଆଉ ଦି’ ପାହାରେ ଖୁଆଇ ପୁଲିସି କହିଲେ ମତେ ଆଉ ସେ ଦିବ୍ୟଜ୍ଞାନ ନ ଦେଇ ଅଧିକ ପାଠ ନ ପଢ଼େଇ ସିଧା ସିଧା ମାନିଯା । ନ ହେଲ ଏ ରୁଲ୍‌ ବାଡ଼ିରେ ବାଡ଼େଇ ଭୀମସେନ ଦୁର୍ଯ୍ୟୋଧନର ଜାନୁ ଭଗ୍ନ କଲାଭଳି କରିଦେବି । ତତେ ନାକରୁ ଅଦାରସ ନିଗାଡ଼ି ହାଜତ ଭିତରେ ପୂରେଇଦେବି । ତୋ ଇଜ୍ଜତ ମହତ ସାରିଦେବି । ବୁଝିଲୁ?

ବିଚରା ଲୋକଟା କହିଲା ସାରେ! ସତ କହୁଛି ମୁଁ ଏସବୁ କରିନି । ଭାବୁଛି ସେଇ ‘ବେତାଳ’ ସବୁ କରିଛି । ପୁଲିସି ପୁଣି ପିଟି କହିଲା ତୁ କ’ଣ ମତେ ବୋକା ଭାବିଛୁ? ହଇରେ! କୋଉ ବେତାଳ?

ଲୋକଟା ଥରି ଥରି କହିଲା -ଯାହାର ତାଳ ନାହିଁ ସେଇ ବେତାଳ; ଯାହାକୁ ଆମେ ନିଶା କହୁ । ସେଇ ନିଶା ବେତାଳ ଯାହାଠି ପଶିଲା,.ତା’ର ସବୁ ତାଳଗୁଡ଼ାକ ବେତାଳିଆ ହୋଇଯାଏ । କଥା, କାମ, ଚାଲି ବୋଲି ସବୁ ବେତାଳ । ଯେମିତି ଅର୍ଥ ନିଶାରେ ଡାକ୍ତର ଗରଭିଣୀର ଗର୍ଭ ଭାଙ୍ଗନ୍ତି, କଣ୍ଟ୍ରାକ୍ଟର ଖଇଚା କାମକରି ରାସ୍ତା ପୋଲ ଭାଙ୍ଗନ୍ତି, ତ କିଏ କ୍ଷମତା ନିଶାରେ ଦଳ ଭାଙ୍ଗନ୍ତି ତ କିଏ ଦେଶ ଭାଙ୍ଗନ୍ତି । କିଏ ବାହାଦୁରି ନିଶାରେ ଐତିହ୍ୟ ପରମ୍ପରା ଭାଙ୍ଗନ୍ତି ତ କିଏ ଅହଂକାର ନିଶାରେ ପ୍ରେମ ସମ୍ପର୍କ ଭାଙ୍ଗନ୍ତି । କୋଉଠି ସ୍ଥିର ମନକୁ ଥରୁଥିବା ମନଥରା -ମନ୍ଥରା ପର ଘର ଭାଙ୍ଗନ୍ତି ତ କୋଉଠି ମାତାଲିଆ ନିଶା ପେଟରେ ପଶି ଘରଣୀ ହାତର ଚୁଡ଼ି ଭାଙ୍ଗୁଛନ୍ତି । ଏମିତି କି ଉତ୍ତରପ୍ରଦେଶରେ ବୁଲଡୋଜର ମାଫିଆଙ୍କ ବଡ଼ ବଡ଼ କୋଠା ଭାଙ୍ଗୁଛି ତ ବଡ଼ପଣ କ୍ଷମତା ନିଶା ଆଫ୍‌ଗାନରେ ତାଲିବାନ ଅବା ଯୁକ୍ରେନରେ ରୁଷିଆ ସବୁ ଭାଙ୍ଗିପକଉଛି । ପୁଣି ଆନ୍ଧ୍ରା ଆସି ଓଡ଼ିଶା ସୀମାରେ ପଶି କୁଟୁ କୁଟୁ କରି କୁଟିଆକୁ ଭାଙ୍ଗି ତା’ ରାଇଜରେ ମିଶେଇ ନୂଆ ଜିଲା କରିବାର ବାହାଦୁରି ନେଉଛି ତ ଚାଇନା ପଡ଼ୋଶୀ ଦେଶକୁ ଭାଙ୍ଗିଦବ ବୋଲି ଧମକ ଦଉଛି । ଏମିତି ନିଶା ବେତାଳ ସବୁଆଡ଼େ ଭଙ୍ଗା ଭଙ୍ଗି କାମ ଚଳେଇଛି ।

ସାରେ! ମୁଁ ସାଧାରଣ ମାଙ୍କଡପରି ମଣିଷଟେ । ମୁଁ କୋଉ ହନୁମାନ ପରି ବଳବାନ ହେଇଛି ଯେ ଲଙ୍କା ଛାରଖାର କଲା ବାଗିଆ ରାତାରାତି ଏଡ଼େ ବଡ଼ ଦେଉଳ ଭିତରେ ପଶି ଏଡ଼େବଡ଼ ଠାକୁରଙ୍କର ଏଡ଼େବଡ଼ ତାଲା ଭାଙ୍ଗି ଏତେଗୁଡ଼ାଏ ଚୁଲା ଭାଙ୍ଗିପାରିବି… କହିଲେ?

ଏସବୁ ନିଶା ବେତାଳ କରାମତି / ସବୁ ଅସମ୍ଭବକୁ ସମ୍ଭବ କରାନ୍ତି l ସିଏ ଯାହା ଭିତରେ ପଶେ / ଖାଲି ଚୁଲା ନୁହଁ ସାରା ସଂସାରକୁ ନାଶେ । ସେ ଚଉକି ନିଶା ହଉ କି ଅର୍ଥ ଅହଂକାର ନିଶା ହେଉ… ଖାଣ୍ଟି ମଣିଷ ନିଶା ଠୁ ଦୂରେଇ ରହୁ l ହେଇ ସିଆଡ଼କୁ ଅନାନ୍ତୁ – ସବୁ ଭାଙ୍ଗି ଭୁଙ୍ଗି ପକେଇବାକୁ କେମିତି ମହାପ୍ରଳୟ ମାଡିଆସୁଛି ।
ପୁଲିସି ବାବୁ ସେପଟକୁ ଚାହୁଁ ଚାହୁଁ ଲୋକଟା ଏକବାରେ ଛୁ…

ସକାଳୁ ନିଦ ମଳମଳ ଆଖିରେ ବାହାରେ ଶବ୍ଦ ଶୁଣି ଆସି ଦେଖିଲି ନଟିଆ କବାଡିଆ କିଛି ଭଙ୍ଗା ଟିଣ ଆଉ ବୋତଲ ଭାଙ୍ଗୁଛି । ପଚାରିବାରୁ କହିଲା.. ଏଇ ନିଶା ବୋତଲ ଆଉ ଭଙ୍ଗା ଜିନିଷ ବିକି ମୁଁ ମୋ ଭୋକିଲା ପିଲାଙ୍କ ପେଟ ପୋଷୁଛି…. । -ମଙ୍ଗରାଜପୁର, ପୁରୀ, ମୋ: ୭୦୦୮୧୮୮୮୪୭


Enter your email to get our daily news in your inbox.

All Right Reserved By Dharitri.Com

ବ୍ରେକ୍‌ଅପ୍‌ ପରେ ପ୍ରେମିକଙ୍କ ଉପରେ ଅଜବ ପ୍ରତିଶୋଧ ନେଲେ ପ୍ରେମିକା: ଘରର ତାପମାତ୍ରା ବଢ଼ାଇ ଭାଙ୍ଗିଦେଲେ…

ଯେତେବେଳେ ହୃଦୟ ଭାଙ୍ଗିଯାଏ ବା କେହି ବିଶ୍ୱାସଘାତକତା କରି ଆଗକୁ ବଢ଼ିଯାଏ, ସେତେବେଳେ ବ୍ୟକ୍ତି ପ୍ରତିଶୋଧ ନେବା ପାଇଁ ଅଜବ ଅଜବ ଉପାୟ ସବୁ ଆପଣାଇଥାଏ। ବ୍ରିଟେନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?