ଥୁଆମୂଳ ରାମପୁର,୨୬।୯(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁରର ପ୍ରସିଦ୍ଧ ଆଧ୍ୟାତ୍ମିକ ପୀଠ ଶ୍ରୀ ଶ୍ରୀ ଇଷ୍ଟଦେବୀ ମା’ ମାଣିକେଶ୍ୱରୀ ଓ ବାବା ଭୈରବ ଦେବଙ୍କ ପବିତ୍ର ବାଲିଯାତ୍ରା ଏବେ ଉତ୍ସବମୁଖର ହୋଇଉଠିଛି। ବିଭିନ୍ନ ପାରମ୍ପରିକ ନୀତିକାନ୍ତି ମଧ୍ୟରେ ଚଳିତ ବର୍ଷର ଯାତ୍ରା ଜାରି ରହିଥିବା ବେଳେ ଆଗାମୀ ଦିନରେ ‘କଣ୍ଟା ଗାଦିଆ’ ବସା ଓ ନୂତନ କାଳିସୀଙ୍କ ଅଗ୍ନିପରୀକ୍ଷାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଉତ୍ସାହ ବଢ଼ିଛି।
ଗତ ୨୩ ତାରିଖ ବୁଧବାର ଦ୍ୱାଦଶୀ ତିଥିରେ ବାବା ଭୈରବ ଦେବଙ୍କ ଅଳଙ୍କାର ଧାରଣ, ଝାମୁଯାତ୍ରା ଆରମ୍ଭ ସହ ମା’ ମାଣିକେଶ୍ୱରୀ ଓ ବାବା ଭୈରବ ଦେବଙ୍କ ଷୋଡ଼ଶ ଉପଚାର ପୂଜା ଏବଂ ‘ବାଲି କଢ଼ା’ ନୀତି ସମ୍ପନ୍ନ ହୋଇଛି। ଏହି କ୍ରମରେ ଆସନ୍ତା ୨୭ ତାରିଖ ରବିବାର ସନ୍ଧ୍ୟାରେ ମା’ ମାଣିକେଶ୍ୱରୀ ଓ ବାବା ଭୈରବ ଦେବଙ୍କ ସ୍ବତନ୍ତ୍ର ‘କଣ୍ଟା ଗାଦିଆ’ ବସା ଉତ୍ସବ ଅନୁଷ୍ଠିତ ହେବ। ଏହି ପାରମ୍ପରିକ ନୀତିକୁ ନେଇ ମନ୍ଦିର ପରିସରରେ ଭକ୍ତଙ୍କ ଭିଡ଼ ଜମିବା ଆଶା କରାଯାଉଛି। ଆସନ୍ତା ଅକ୍ଟୋବର ୧ ତାରିଖ ଗୁରୁବାର ମୁଖ୍ୟ ବାଲିଯାତ୍ରା ଅନୁଷ୍ଠିତ ହେବ। ଚଳିତ ବର୍ଷର ଯାତ୍ରାର ଅନ୍ୟତମ ମୁଖ୍ୟ ଆକର୍ଷଣ ହେବ ନୂତନ କାଳିସୀଙ୍କ ଅଗ୍ନିପରୀକ୍ଷା।
ଚଳିତ ବର୍ଷ ବାବା ଭୈରବ ଦେବଙ୍କ ନୂତନ କାଳିସୀ ଭାବେ କଶ୍ୟପ କୁମାର ମୁଣ୍ଡଛିନ୍ନା ଅଗ୍ନିପରୀକ୍ଷା ଦେବେ ଏବଂ ଭକ୍ତଙ୍କୁ ଦର୍ଶନ ଦେବେ। ଏହି ନୂତନ ପରମ୍ପରାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖାଦେଇଛି। ପୂର୍ବରୁ ବାବା ଭୈରବଙ୍କ ପୂଜାରୀ ଭାବେ ପ୍ରଥମେ ସୋମନାଥ ମୁଣ୍ଡଛିନ୍ନା, ତାଙ୍କ ପରେ ଉମାକାନ୍ତ ମୁଣ୍ଡଛିନ୍ନା ଏବଂ ପରବର୍ତ୍ତୀ ସମୟରେ ଲାଲ ପରିଚ୍ଛା ଦୀର୍ଘ ୧୫ ବର୍ଷ ଧରି ନିଷ୍ଠାର ସହ ସେବା ସମ୍ପାଦନ କରିବା ସହ ଅଗ୍ନିପରୀକ୍ଷା ଦେଇଆସୁଥିଲେ।
ଏବେ ନୂତନ ଭାବେ କଶ୍ୟପ କୁମାର ମୁଣ୍ଡଛିନ୍ନାଙ୍କ ଶରୀରରେ ବାବା ଭୈରବ ଦେବଙ୍କ ଆର୍ବିଭାବ ହୋଇଥିବା ବିଶ୍ୱାସ କରାଯାଉଥିବାରୁ ଚଳିତ ବର୍ଷ ସେ ଅଗ୍ନିପରୀକ୍ଷା ଦେବେ। ଏହାକୁ ନେଇ ଭକ୍ତ ଓ ଅଞ୍ଚଳବାସୀଙ୍କ ମଧ୍ୟରେ ବିଶେଷ ଉତ୍ସାହ ରହିଛି। ବାଲିଯାତ୍ରାକୁ ସୁରୁଖୁରୁରେ ଏବଂ ଶାନ୍ତିଶୃଙ୍ଖଳାର ସହ ସମ୍ପାଦନ କରିବା ପାଇଁ ମନ୍ଦିର ପ୍ରାଙ୍ଗଣରେ ପୂଜା କମିଟି ଓ ଗ୍ରାମବାସୀଙ୍କ ଏକ ଚୂଡ଼ାନ୍ତ ବୈଠକ ଅନୁଷ୍ଠିତ ହୋଇଛି।
ବୈଠକରେ ପୂଜା କମିଟି ସଭାପତି ଆଶ୍ୱିନ କୁମାର ନାଏକ, ଉପସଭାପତି ହେମନ୍ତ ନାଏକ, ସମ୍ପାଦକ ଲାଲକୃଷ୍ଣ ଧଙ୍ଗଡ଼ା ମାଝୀ, ସହ-ସମ୍ପାଦକ ସୁବାସ ନାଏକ, କୋଷାଧ୍ୟକ୍ଷ ବିଘ୍ନ ପାତ୍ରଙ୍କ ସମେତ ଦେବୋତ୍ତର ବିଭାଗର ସଦସ୍ୟ ଓ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ।
ମାଣିକ୍ୟ ଚନ୍ଦ୍ର ନାଏକ, ସତ୍ୟନାରାୟଣ ମୁଣ୍ଡଛିନ୍ନା, ପ୍ରଫୁଲ୍ଲ ମୁଣ୍ଡଛିନ୍ନା, କୈଳାଶ ପରିଚ୍ଛା, କୃଷ୍ଣଚନ୍ଦ୍ର ପରିଚ୍ଛା, ନିତ୍ୟାନନ୍ଦ ପରିଚ୍ଛା, ବିପିନ ବିହାରୀ ନାଏକ, କୃଷ୍ଣଚନ୍ଦ୍ର ନାଏକ, ଦେବୀଚରଣ ଭାଟି, ଆଲୋକରଞ୍ଜନ ମୁଣ୍ଡ, ଦୁର୍ଯୋଧନ ନାଏକ, ଗୁଣେଶ୍ୱର ନାଏକ, ଗୁଣାଧୀନି ନାଏକ ଓ ମନୋରଞ୍ଜନ ନାଏକଙ୍କ ସମେତ ବହୁ ସଂଖ୍ୟାରେ ମହିଳା ଓ ଯୁବକ ମଧ୍ୟ ବୈଠକରେ ସାମିଲ ହୋଇଥିଲେ। ବୈଠକରେ ଆଗାମୀ ଉତ୍ସବର ପୂଜାବିଧି, ଭକ୍ତଙ୍କ ସୁବିଧା ଏବଂ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା।

