ଭବାନୀପାଟଣା,୧୫।୭(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଜଳସେଚନ ବିଭାଗରେ କୋଟି କୋଟି ଟଙ୍କାର ମେଗା ଟେଣ୍ଡରକୁ ନେଇ ଆସିଛି ସଙ୍ଗିନ ଅଭିଯୋଗ। ଜଣେ ଠିକାଦାରଙ୍କ ନାମରେ ଜାଲ୍ ଦସ୍ତଖତ କରି ଟେଣ୍ଡର ଫିକ୍ସିଂ କରାଯାଇଥିବା ଦାବି କରିଛି କଳାହାଣ୍ଡି ଠିକାଦାର ସଂଘ। ଠିକାଦାର ସଂଘର ଅଭିଯୋଗ ଅନୁଯାୟୀ, ଟେଣ୍ଡର ନୋଟିସ ନମ୍ବର ଇକେଏଲ୍ଡି-୦୧/୨୦୨୬-୨୭ରେ ଅଂଶଗ୍ରହଣ କରିଥିବା ଠିକାଦାର ଗଣେଶ ନାଏକଙ୍କ ନାମରେ ଜାଲ୍ ଦସ୍ତଖତ କରାଯାଇଛି। ପଞ୍ଜୀକରଣ ପ୍ରମାଣପତ୍ର ଓ ଆଫିଡାଭିଟରେ ଥିବା ଦସ୍ତଖତ ଜାଲ୍ ବୋଲି ଅଭିଯୋଗ କରିଛି ସଂଘ। ଏହି ଦସ୍ତଖତର ଫୋରେନ୍ସିକ ଯାଞ୍ଚ କରାଯାଉ ବୋଲି ସଂଘ ଦାବି କରିଛି। ଏ ନେଇ ଜଳସେଚନ ବିଭାଗ ମୁଖ୍ୟ ଯନ୍ତ୍ରୀଙ୍କ ନିକଟରେ ଲିଖିତ ଅଭିଯୋଗ ମଧ୍ୟ କରାଯାଇଛି। ସେହିପରି ଏହି ଦାବିକୁ ସମର୍ଥନ କରିଛନ୍ତି ଅନୁସୂଚିତ ଜାତି ଓ ଜନଜାତି ସଂଘ କର୍ମକର୍ତ୍ତା। ପୂର୍ବତନ ବିଧାୟକ ଗୋବର୍ଦ୍ଧନ ଦାଶ ମଧ୍ୟ ଚିଠି ଲେଖି ଏହାର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି। ଅନ୍ୟପଟେ ଏହି ଅଭିଯୋଗକୁ ସିଧାସଳଖ ଖଣ୍ଡନ କରିଛନ୍ତି ଠିକାଦାର ଗଣେଶ ନାଏକଙ୍କ ବାପା ଉପେନ୍ଦ୍ର। ତାଙ୍କ କହିବା କଥା, ସମସ୍ତ ଅଭିଯୋଗ ମିଥ୍ୟା। ତଥାପି ଯଦି କେହି ଅଭିଯୋଗ କରୁଛନ୍ତି, ତେବେ ନିରପେକ୍ଷ ତଦନ୍ତ ହେଉ। ଠିକାଦାର ସଂଘ ତାଙ୍କୁ କାମ ମାଗୁଥିବା ମଧ୍ୟ ଅଭିଯୋଗ କରିଛନ୍ତି ଉପେନ୍ଦ୍ର। ଏପଟେ ଅଭିଯୋଗ ଆସିବା ପରେ ବିଭାଗର ମୁଖ୍ୟ ଯନ୍ତ୍ରୀଙ୍କୁ ଚିଠି କରାଯାଇଛି। ମୁଖ୍ୟ ଯନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ ଆଗାମୀ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ବିଭାଗୀୟ ଅଧୀକ୍ଷଣ ଯନ୍ତ୍ରୀ ଅନନ୍ତ ନାଏକ। ଏ ନେଇ ପୂର୍ବତନ ବିଧାୟକ ଗୋବର୍ଦ୍ଧନ ଦାଶ କହିଛନ୍ତି, ଇରିଗେଶନ ବିଭାଗର ଗୋଟିଏ ଟେଣ୍ଡର ହୋଇଥିଲା। ଗଣେଶ ନାଏକ ଓ ଅନ୍ୟ ଜଣେ ପୁରନ୍ଦର ଦୁର୍ଗାଙ୍କ ଲାଇସେନ୍ସରେ ଗୋଟିଏ ଦସ୍ତଖତ ରହିଛି। ହେଲେ ଅନ୍ୟ କାଗଜପତ୍ରରେ ଅଲଗା ଦସ୍ତଖତ ରହିଛି। ଏହାକୁ ନେଇ ଠିକାଦାର ସଂଘ ମୋତେ ଜଣାଇଥିଲା ଓ ଅଫିସକୁ ଯାଇ ଅଭିଯୋଗ କରିଥିଲା। ସେମାନେ ଅଭିଯୋଗ କରିଥିଲେ ଯେ, ଲାଇସେନ୍ସ ହୋଲ୍ଡର ସେ ଟେଣ୍ଡର ପକାଇନାହାନ୍ତି। ଅନ୍ୟ ଜଣେ ଲାଇସେନ୍ସର ଅପବ୍ୟବହାର କରି ଟେଣ୍ଡର ପକାଇଛନ୍ତି। ତେଣୁ ସଂଘର ଦାବି ହେଉଛି, ଏହି ଦସ୍ତଖତକୁ ଫୋରେ୍ନସିକ ଲାବରେଟୋରିକୁ ପଠାଇ ଯାଞ୍ଚ କରାଯାଉ। ଏ ନେଇ କଳାହାଣ୍ଡି ଜିଲା ଠିକାଦାର ସଂଘ ସଭାପତି ଜଗଦୀଶ ମଣ୍ଡଳ କହିଛନ୍ତି, ଯେତେବେଳେ ଆମର ଟେଣ୍ଡର ପକାଯାଏ ସମସ୍ତେ ସମସ୍ତଙ୍କର ତଥ୍ୟ ଦେଖନ୍ତି ଓ ଅଫିସ ମଧ୍ୟ ସବୁ କାଗଜପତ୍ର ଯାଞ୍ଚ କରିଥାଏ। ସେହି ସମୟରେ ଜଣାପଡ଼ିଲା ଯେ ଗଣେଶ ନାଏକ ତାଙ୍କ ଲାଇସେନ୍ସ ଓ ଆଫିଡାଭିଟ ଯାହା ଦେଇଛନ୍ତି, ସେଥିରେ ଦସ୍ତଖତ ସମାନ ନାହିଁ। ତେଣୁ ଏହାର ନିରପେକ୍ଷ ତଦନ୍ତ ହେଉ ବୋଲି ଆମେ ଦାବି କରୁଛୁ। ଯଦି ଦସ୍ତଖତ ତାଙ୍କର ତେବେ ତାଙ୍କୁ କାମ ଦିଆଗଲେ ଆମର କୌଣସି ଆପତ୍ତି ନାହିଁ।
ଅଧୀକ୍ଷଣ ଯନ୍ତ୍ରୀ ନାଏକ କହିଛନ୍ତି, ଠିକାଦାର ସଂଘ ପକ୍ଷରୁ ଏକ ଅଭିଯୋଗ ଆସିଛି। ସେମାନେ ଅଭିଯୋଗ କରିଛନ୍ତି, ଲାଇସେନ୍ସ ଆଉ ଆଫିଡାଭିଟ୍ରେ ଦସ୍ତଖତ ମେଳ ଖାଉନାହିଁ। ସେହିପରି ଏସ୍ସି/ଏସ୍ଟି କଣ୍ଟ୍ରାକ୍ଟର ଆସୋସିଏଶନ ଆଉ ଗୋଟେ ଅଭିଯୋଗ କରିଛି ଯେ, ଗଣେଶ ନାଏକ ଓ ଆଉ ଜଣେ ବ୍ୟକ୍ତି ପୁରନ୍ଦର ଦୁର୍ଗାଙ୍କର ଦସ୍ତଖତ ମିସ୍ମ୍ୟାଚ୍ ହେଉଛି। ଉପରିସ୍ଥ ଅଧିକାରୀଙ୍କ ସହ ଆଲୋଚନା ପରେ ଫୋରେନ୍ସିକ ଲାବ୍କୁ ପଠେଇବୁ। ରିପୋର୍ଟ ଆସିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ପ୍ରକାଶ କରିଛନ୍ତି।
Dharitri – Odisha’s No.1 Odia Daily

