ମୁକ୍ତ ଅଭିବ୍ୟକ୍ତି ପାଇଁ ନ୍ୟାୟପାଳିକା

ଛୋଟମୋଟ ଘଟଣାରେ ନାଗରିକର ବାକ୍‌ ସ୍ବାଧୀନତା ଦଳି ଦିଆଯାଇପାରିବ ନାହିଁ ବୋଲି ନିକଟରେ ଗୁଜରାଟ କଂଗ୍ରେସ ସାଂସଦ ଇମ୍ରାନ ପ୍ରତାପଗ୍ରହୀଙ୍କ ବିରୋଧରେ ପୋଲିସ ଦାୟର କରିଥିବା ଫୌଜଦାରି ମାମଲାକୁ ରଦ୍ଦ କରିବା ଅବସରରେ ସୁପ୍ରିମକୋର୍ଟ କହିଛନ୍ତି। କଂଗ୍ରେସ ସାଂସଦଙ୍କ ଏକ କବିତାକୁ ନେଇ ପୋଲିସ ଏହି ମାମଲା ଦାୟର କରିଥିଲା। ସୁପ୍ରିମକୋର୍ଟ ବିଚାରପତି ଅଭୟ ଏସ୍‌ ଓକ୍କା ଓ ଉଜ୍ଜ୍ୱଳ ଭୂୟାଁ ମାମଲା ରଦ୍ଦ କରିବା ଅବସରରେ କହିଛନ୍ତି ଯେ, ଶାସନ କଳ ଅନ୍ଧ ଭାବେ ଏଫ୍‌ଆଇଆର୍‌ ଦାୟର କରିବା ଉଚିତ ନୁହେଁ। ସ୍ବାଧୀନ ଅଭିବ୍ୟକ୍ତି ସମ୍ବିଧାନ ପ୍ରଦତ୍ତ ନାଗରିକର ମୌଳିକ ଅଧିକାର। ଦେଶରେ ସମ୍ବିଧାନ ପ୍ରଣୟନର ୭୫ ବର୍ଷ ପରେ ମଧ୍ୟ ଗୁଜରାଟ ପୋଲିସ ମୌଳିକ ଅଧିକାର ସମ୍ପର୍କରେ ଅଜ୍ଞ, ଅଥବା ଏହାକୁ ଖାତିର କରୁନାହିଁ ବୋଲି ଅଦାଲତ ଅତ୍ୟନ୍ତ କଡ଼ା ଭାଷାରେ ମନ୍ତବ୍ୟ ଦେଇଛନ୍ତି। ଏହି ଅବସରରେ ଅଦାଲତ କହିଥିଲେ ଯେ, ଚଳଚ୍ଚିତ୍ର, ନାଟକ, ସାହିତ୍ୟ, କବିତା, ବ୍ୟଙ୍ଗ, ହାସ୍ୟ ଅଭିନୟ, ଚିତ୍ରକଳା ମଣିଷ ଜୀବନକୁ ଅଧିକ ଫଳପ୍ରଦ କରିଥାଏ। କାହାରିକୁ ଭଲ ନ ଲାଗିଲେ ସୁଦ୍ଧା ଏଥିରେ ଥିବା ସ୍ବାଧୀନ ଅଭିବ୍ୟକ୍ତିକୁ ସମ୍ମାନ ଜଣାଇବାକୁ ପଡ଼ିବ। ସେହିପରି ଅନ୍ୟ ଏକ ଘଟଣାରେ ବ୍ୟଙ୍ଗକାର କୁନାଲ କାମରାଙ୍କ ବିରୋଧରେ ମୁମ୍ବାଇ ପୋଲିସ ଦାୟର କରିଥିବା ଏଫ୍‌ଆଇର ପରିପ୍ରେକ୍ଷୀରେ ମାଡ଼୍ରାସ ହାଇକୋର୍ଟ କୁନାଲଙ୍କୁ ଆଗୁଆ ଜାମିନ ପ୍ରଦାନ କରିଛନ୍ତି। ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେଙ୍କ ପ୍ରତି ସେ ବ୍ୟଙ୍ଗ କରିଥିବା ଅଭିଯୋଗରେ ମାମଲା ଦାୟର ହୋଇଛି। ଉଭୟ ଘଟଣାରେ ନାଗରିକର ମୌଳିକ ଅଧିକାର ସୁରକ୍ଷିତ ରଖିବା ପାଇଁ ନ୍ୟାୟପାଳିକା ଚାହିଁଥିବା ମନେ ହେଉଛି। ଏହା ଗଣତାନ୍ତ୍ରିକ ବ୍ୟବସ୍ଥା ପାଇଁ ହିତ।
ଭାରତର ସମ୍ବିଧାନ ଦେଶବାସୀଙ୍କ ନାମରେ ଲେଖାଯାଇଛି। କିନ୍ତୁ ଦେଖାଯାଉଛି ସମ୍ବିଧାନରେ ଥିବା ମୌଳିକ ଅଧିକାର ସୁରକ୍ଷିତ ରଖିବାର ମାନସିକତା ଅବସ୍ଥାରେ ଶାସକ ଶ୍ରେଣୀ ନାହାନ୍ତି। ସରକାରଙ୍କୁ ନ ସୁହାଇବା ପରି ମତପ୍ରକାଶକୁ ଦେଶଦ୍ରୋହ ଭାବେ ବିବେଚନା କରାଯାଇ ମାମଲା ଦାୟର କରାଗଲା। ଏପ୍ରକାର କାର୍ଯ୍ୟ ବ୍ୟକ୍ତି ଅଭିବ୍ୟକ୍ତିର ସ୍ବାଧୀନତାକୁ କ୍ଷୁଣ୍ଣ କରୁଛି ବୋଲି କୁହାଯାଇପାରେ। ସତେଯେପରି ଗଣତନ୍ତ୍ରରେ ଭିନ୍ନମତର ସ୍ଥାନ ନାହିଁ। ୨୦୧୬-୨୦୧୮ମସିହା ମଧ୍ୟରେ ଦେଶରେ ୧୫୬ଟି ଦେଶଦ୍ରୋହ ମାମଲା ଦାୟର ହୋଇଥିବାବେଳେ ୨୦୧୯ ଡିସେମ୍ବରରୁ ୨୦୨୦ ଫେବୃୟାରୀ ମଧ୍ୟରେ ୧୯୪ଟି ଦେଶଦ୍ରୋହ ମାମଲା ଦାୟର ହୋଇଥିଲା। ଏହି ଆଇନରେ ଗୋଟିଏ ରାଜ୍ୟର ପୋଲିସ ଅନ୍ୟ ରାଜ୍ୟକୁ ଆସି ଅଭିଯୁକ୍ତଙ୍କୁ ବାନ୍ଧି ନେବାର ଦେଖାଗଲା। ଦେଶଦ୍ରୋହ ମାମଲା ଯୋଗୁ ନାଗରିକର ସାମ୍ବିଧାନିକ ଅଧିକାର କ୍ଷୁଣ୍ଣ ହେଉଥିବା ପରିପ୍ରେକ୍ଷୀରେ ୨୦୨୨ରେ ଭାରତୀୟ ପିଙ୍ଗଳ କୋଡ୍‌ର ଧାରା ୧୨୪-ଏ ଶୀର୍ଷ ଅଦାଲତ ବାତିଲ କରିଥିଲେ। ଇତିମଧ୍ୟରେ ଦେଶରେ ଭାରତୀୟ ନ୍ୟାୟ ସଂହିତା ଲାଗୁ ହୋଇଛି।
କୋଭିଡ଼ ପରିଚାଳନାକୁ ନେଇ ସାମାଜିକ ଗଣମାଧ୍ୟମରେ ପଶ୍ଚିମବଙ୍ଗ ସରକାରଙ୍କ ପ୍ରତି ଏକ ମନ୍ତବ୍ୟକୁ ନେଇ ଦିଲ୍ଲୀର ଜଣେ ମହିଳାଙ୍କୁ କୋଲକାତା ପୋଲିସର ଡକରା ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ସ୍ବାଧୀନ ମତବ୍ୟକ୍ତର ପ୍ରସଙ୍ଗ ଉଠିଥିଲା। ଏହି ଘଟଣାରେ କୋଲକାତା ପୋଲିସର ଆଚରଣ ପ୍ରତି ଦେଶର ଶୀର୍ଷ ଅଦାଲତ କଡ଼ା ଆଭିମୁଖ୍ୟ ଗ୍ରହଣ କରି ସମ୍ବିଧାନର ଧାରା ୧୯(୧)(କ)ରେ ନାଗରିକଙ୍କୁ ପ୍ରଦାନ କରାଯାଇଥିବା ସ୍ବାଧୀନ ଅଭିବ୍ୟକ୍ତିର ଅଧିକାର ସୁରକ୍ଷିତ କରିବାର ଦାୟିତ୍ୱ ନ୍ୟାୟପାଳିକାର ରହିଛି ବୋଲି କହିଥିଲେ। ଅର୍ଥାତ ସଂପୃକ୍ତ ମହିଳାଙ୍କ ମନ୍ତବ୍ୟ ତାଙ୍କ ଅଧିକାର ସୀମା ମଧ୍ୟରେ ରହୁଛି ବୋଲି ଅଦାଲତଙ୍କ ବକ୍ତବ୍ୟରୁ ଜଣାପଡ଼ୁଛି। ଏହି ମନ୍ତବ୍ୟ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ପ୍ରତି ଅସୂୟା ଭାବନା ଉଦ୍ରେକ ପାଇଁ ଅଭିପ୍ରେତ ବୋଲି ଦର୍ଶାଇ କୋଲକାତା ପୋଲିସ ମାମଲା ଦାୟର କରିଥିଲା। ସମାଲୋଚନା ଓ ଭିନ୍ନ ମତ ପ୍ରତି ସହନଶୀଳ ହେବା ପାଇଁ ଏହି ଅବସରରେ ସୁପ୍ରିମକୋର୍ଟ ଭାରତୀୟ ଶାସନ ବ୍ୟବସ୍ଥାକୁ ପରାମର୍ଶ ଦେଇଥିଲେ।
ମୌଳିକ ଅଧିକାର ସତ୍ତ୍ୱେ ଭାରତବର୍ଷରେ ବାକ୍‌ ସ୍ବାଧୀନତା ବା ଅଭିବ୍ୟକ୍ତିର ଅଧିକାର ସର୍ବଦା ଏକ ବିବାଦୀୟ ତଥା ବିତର୍କିତ ବିଷୟ ଭାବେ ରହିଆସିଛି। ବାକ୍‌ ସ୍ବାଧୀନତା ନିରଙ୍କୁଶ ନୁହେଁ ବୋଲି ଦେଶର ସର୍ବୋଚ୍ଚ ଅଦାଲତ କେତେକ ମାମଲାରେ ମତବ୍ୟକ୍ତ କରିଛନ୍ତି। ୧୯୯୪ ମସିହାରେ ଅଖିଳ ଭାରତ ବ୍ୟାଙ୍କ କର୍ମଚାରୀ ମହାସଂଘର ମୁଖପତ୍ର ‘ବୁଲେଟିନ’ରେ ଏକ କବିତା ପ୍ରକାଶ ପାଇଥିଲା। ଏହି କବିତାରେ ମହାତ୍ମା ଗାନ୍ଧୀଙ୍କୁ ଅରୁଚିକର ଭାବେ ଉପସ୍ଥାପିତ କରାଯାଇଥିଲା। ପ୍ରକାଶିତ ଏହି କବିତାକୁ ନେଇ ମହାରାଷ୍ଟ୍ର ସରକାର ଏହାର ମୁଖ୍ୟ ସମ୍ପାଦକ ଦେବୀଦାଶ ରାମଚନ୍ଦ୍ର ତୁଲଜାପୁରକରଙ୍କ ନାମରେ ଭାରତୀୟ ପିଙ୍ଗଳ କୋଡ୍‌ର ଧାରା ୨୯୨ରେ ମାମଲା ଦାୟର କରିଥିଲେ। ସୁପ୍ରିମକୋର୍ଟରେ ଏହି ମାମଲାର ଶୁଣାଣି ୨୦୧୫ମସିହାରେ ହୋଇଥିଲା। ଶୁଣାଣି ଅବସରରେ ଜଷ୍ଟିସ ଦୀପକ ମିଶ୍ର ଓ ଜଷ୍ଟିସ ପ୍ରଫୁଲ୍ଲ ପନ୍ଥ ଦର୍ଶାଇଥିଲେ ଯେ, ସମ୍ବିଧାନର ଧାରା ୧୯(୧) ନିରଙ୍କୁଶ ନୁହେଁ। ଏଥିରେ କିଛି ସାମ୍ବିଧାନିକ ସୀମାରେଖା ରହିଛି। ଲେଖକୀୟ ଭାବନା ଅଭିବ୍ୟକ୍ତ କରିବାକୁ ଯାଇ ଅନ୍ୟ କାହାରି ଭାବନାକୁ ଆଘାତ ଦିଆଯାଇପାରିବ ନାହିଁ ବୋଲି ଅଦାଲତ କହିଥିଲେ।
ମହାରାଷ୍ଟ୍ରରେ କୋଭିଡ଼ ପରିଚାଳନାକୁ ନେଇ ସେତେବେଳର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଓ ତାଙ୍କ ପୁତ୍ର ତଥା ମନ୍ତ୍ରୀ ଆଦିତ୍ୟ ଠାକ୍‌ରେଙ୍କ ପ୍ରତି ଜଣେ ମହିଳା କିଛି ବିଦ୍ରୁପାତ୍ମକ ମନ୍ତବ୍ୟ ସାମାଜିକ ଗଣମାଧ୍ୟମରେ ପ୍ରକାଶ କରିଥିଲେ। ସଂପୃକ୍ତ ମହିଳାଙ୍କ ବିରୋଧରେ ମହାରାଷ୍ଟ୍ର ସରକାର ଫୌଜଦାରି ମାମଲା ରୁଜୁ କଲେ। ଏହି ଘଟଣାରେ ସ୍ବାଧୀନ ମତ ପ୍ରକାଶର କିଛି ସୀମାରେଖା ରହିଛି, ଏହା ନିରଙ୍କୁଶ ନୁହେଁ ବୋଲି ଅଦାଲତ ମତ ଦେଇଥିଲେ। ଏହା ସମ୍ପୃକ୍ତ ମହିଳାଙ୍କୁ ଚେତାଇବା ଉଦ୍ଦେଶ୍ୟରେ ଥିଲା। ଏଥିସହ ସମ୍ପୃକ୍ତ ମହିଳାଙ୍କ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ଉପରେ ଅଦାଲତ ଅଙ୍କୁଶ ଲଗାଇଥିଲେ।
ସ୍ବାଧୀନ ଅଭିବ୍ୟକ୍ତିର ଅଧିକାରକୁ ନେଇ ଭିନ୍ନଭିନ୍ନ ମାମଲାରେ ଅଦାଲତର ମତ ଭିନ୍ନ ରହୁଥିବା ଦେଖାଯାଉଛି। ଏହାର କାରଣ ହେଲା କେତେକ କ୍ଷେତ୍ରରେ ସ୍ବାଧୀନ ମତବ୍ୟକ୍ତ ପାଇଁ ସମ୍ବିଧାନ ଏକ ଲକ୍ଷ୍ମଣରେଖା ଟାଣିଛି। ଏହି କ୍ଷେତ୍ରଗୁଡ଼ିକ ହେଲା ବିଦେଶୀ ରାଷ୍ଟ୍ର ସହ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ, ରାଷ୍ଟ୍ରର ନିରାପତ୍ତା, ସାର୍ବଜନୀନ ଆଇନ ଶୃଙ୍ଖଳା, ସାର୍ବଭୌମ ଓ ଏକତା ନଷ୍ଟ ହେବା ପରି ଅଭିବ୍ୟକ୍ତି ଉପରେ ଅଙ୍କୁଶ ରହିଛି। ଏଥିସହ ଅଶୋଭନୀୟତା ବା ଅରୁଚିକର ମତବ୍ୟକ୍ତକୁ ମଧ୍ୟ ସଂକୁଚିତ କରାଯାଇଛି। ସାମାଜିକ ଗଣମାଧ୍ୟମ ଆଗମନ ପରେ ଅଧିକରୁ ଅଧିକ ନାଗରିକ ବିଭିନ୍ନ ପ୍ରସଙ୍ଗରେ ମତପ୍ରକାଶ ପାଇଁ ଆଗେଇ ଆସୁଛନ୍ତି। ଏହାଦ୍ୱାରା ଅଭିବ୍ୟକ୍ତି ପ୍ରକାଶରେ ନାଗରିକ ଅଧିକ ସଶକ୍ତୀକରଣ ହୋଇଥିବା ମନେହୁଏ। କିନ୍ତୁ ଭାବନାର ପରିପ୍ରକାଶ ସମୟରେ ଏ ଦିଗରେ ଥିବା ସୀମାରେଖା ପ୍ରତି ନାଗରିକ ସଚେତନ ରହୁନାହାନ୍ତି। ଅନ୍ୟପକ୍ଷରେ ମତାମତ ସୁହାଉ ନ ଥିବାରୁ ରାଷ୍ଟ୍ର ମଧ୍ୟ ଆଇନ ଆଳରେ ଅଭିବ୍ୟକ୍ତିକୁ ସମ୍ପୂର୍ଣ୍ଣ ନୀରବ କରିଦେବା ପାଇଁ ଚେଷ୍ଟିତ। ଏଥିପାଇଁ ଅଦାଲତରେ ମାମଲା ମଧ୍ୟ ବଢ଼ୁଛି। ମାମଲା ଭିତ୍ତିରେ ନ୍ୟାୟପାଳିକାକୁ ବାକ୍‌ ସ୍ବାଧୀନତାର ସଂଜ୍ଞା ନିରୂପଣ କରିବା ପାଇଁ ପଡ଼ୁଛି।
ଭାରତ ବିଶ୍ୱର ବୃହତ ଗଣତାନ୍ତ୍ରିକ ରାଷ୍ଟ୍ର। ଏହାର ସମ୍ବିଧାନ ପରିପକ୍ୱ ହେଲାଣି। କିନ୍ତୁ ରାଜନୈତିକ ନେତାମାନେ ସହିଷ୍ଣୁ କି ଧୈର୍ଯ୍ୟବାନ ହୋଇପାରିନଥିବା ମନେ ହେଉଛି। ଶାସନ କଳକୁ ହାତବାରିସି କରି ନାଗରିକ ଅଧିକାର ସଂକୁଚିତ କରିବାକୁ ଊଦ୍ୟମ କରୁଛନ୍ତି। ଏହା ଏକ ନକାରାତ୍ମକ ମାନସିକତା।

ସୌଭାଗ୍ୟ ସୁନ୍ଦରରାୟ
ମୋ: ୯୪୩୭୨୨୯୨୩୩


Enter your email to get our daily news in your inbox.

All Right Reserved By Dharitri.Com

ଗୁରୁଦିବସରେ ଶିକ୍ଷା,ଶିକ୍ଷକ ଓ ଶିକ୍ଷାୟତନ

ଦିଗପହଣ୍ଡି,୫|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ସ୍ଥିତ ନନ୍ଦିଘୋଷ କଲ୍ୟାଣ ମଣ୍ଡପ ସଭାଗୃହରେ ସ୍ଥାନୀୟ ଗଣ ଅଧିକାର ଓ ଆଇନ ସୁରକ୍ଷା ମଞ୍ଚ…

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

‘ଝିଅଙ୍କୁ ସ୍କର୍ଟ ପିନ୍ଧାଇ ସ୍କୁଲ ଛାଡନ୍ତୁନି’… ସ୍ୱାସ୍ଥ୍ୟମନ୍ତ୍ରୀ ଦେଲେ ଏମିତି ବୟାନ, ହେଉଛି ଚର୍ଚ୍ଚା

କୋଲକାତା,୫।୯: ପଶ୍ଚିମବଙ୍ଗର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ଶରଦ୍ୱତ ମୁଖାର୍ଜୀ ରାଜ୍ୟର ସମସ୍ତ ସ୍କୁଲକୁ ପରାମର୍ଶ ଦେଇଛନ୍ତି ଯେ, ଡେଙ୍ଗୁ ଋତୁରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ହାତ-ଗୋଡ଼ ସମ୍ପୂର୍ଣ୍ଣ ଘୋଡ଼ାଇ ହୋଇ…

ବଞ୍ଜାରା ଗ୍ୟାଙ୍ଗର ୫ ମହିଳାଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୫।୯: ନୟାପଲ୍ଲୀ ପୋଲିସ ଶନିବାର ବଞ୍ଜାରା ଲୁଟେରା ଗ୍ୟାଙ୍ଗର ୫ଜଣ ମହିଳାଙ୍କୁ ଧରିବାରେ ସକ୍ଷମ ହୋଇଛି। ଗରଫ ସମସ୍ତ ମହିଳା ମହାରାଷ୍ଟ୍ରର ବୋଲି ସୂଚନା ମିଳିଛି। ପୋଲିସ…

୫ ଦିନ ହେଲା ‘ଆଜି ନୁହେଁ, କାଲି ଦେବୁ’ କହି ଭଣ୍ଡାଉଛନ୍ତି ଗ୍ୟାସ ବିତରକ: ସିଲିଣ୍ଡର ରଖି ଗ୍ରାହକଙ୍କ ରାସ୍ତାରୋକ

ରାଜନଗର, ୫।୯(ଭାସ୍କର ରାଉତରାୟ): ଦୀର୍ଘଦିନ ଧରି ରାଜନଗର ଅଞ୍ଚଳରେ ଗ୍ୟାସ ଯୋଗାଣକୁ ନେଇ ଗ୍ରାହକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଗ୍ୟାସ ବିତରକମାନେ ବିଭିନ୍ନ…

ଭୟଙ୍କର! ଏଭରେଷ୍ଟକୁ ତରଳାଉଛି ମଣିଷ ପରିସ୍ରା? ୩୨ ବର୍ଷର ଭାଙ୍ଗିଲା ରେକର୍ଡ, ଦୁଇ ଗୁଣା ସ୍ପିଡ୍‌ରେ ତରଳୁଛି ବରଫ

ନୂଆଦିଲ୍ଲୀ,୫।୯: ମାଉଣ୍ଟ ଏଭରେଷ୍ଟକୁ ନଷ୍ଟ କରୁଛି ମଣିଷର ପରିସ୍ରା! ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ହିଁ ସବୁଠାରୁ ବଡ଼ ସତ… ଯେଉଁ ଏଭରେଷ୍ଟକୁ ଜିତିବା ପାଇଁ…

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

ନେପାଳ ବନ୍ୟା: ୧୧ ଦିନ ପରେ ଚମତ୍କାର: ପଙ୍କ କାଦୁଅ ଭିତରୁ ଜୀବିତ ଉଦ୍ଧାର ହେଲେ ମହିଳା

କାଠମାଣ୍ଡୁ,୫।୯: ନେପାଳର ନୂଆକୋଟ ଜିଲାର ବେତ୍ରାବତୀ ଅଞ୍ଚଳରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ସମୟରେ ଏକ ଉଲ୍ଲେଖନୀୟ ଘଟଣା ସାମ୍ନାକୁ ଆସିଛି। ତ୍ରିଶୂଳୀ ନଦୀ ଅଞ୍ଚଳରେ ପ୍ରବଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri