ସାମ୍ବାଦିକତା ଓ କଳ୍ପନା ବିଳାସ

ସମ୍ପ୍ରତି ଗଣମାଧ୍ୟମ ଜନଜୀବନରେ ଏକ ପ୍ରଭାବଶାଳୀ ଭୂମିକା ଗ୍ରହଣ କରିଛି। ୧୭୮୦ରେ ଭାରତରେ ‘ବେଙ୍ଗଲ ଗେଜେଟ’ ନାମରେ ପ୍ରଥମ ମୁଦ୍ରିତ ଖବରକାଗଜ ପ୍ରକାଶ ପାଇଥିଲା। ତା’ ପୂର୍ବରୁ ୧୭୬୮ରେ ଓଡ଼ିଶାରେ ସାଧୁସୁନ୍ଦର ଦାସ ପ୍ରଥମ ଖବରକାଗଜ ‘କୁଜିବର ପତ୍ର’ ତାଳପତ୍ର ଉପରେ ହାତରେ ଲେଖି ପ୍ରସାର କରିଥିଲେ। ସମ୍ପ୍ରତି କେତେ ସୁନ୍ଦର ଭାବରେ କାଗଜ ଉପରେ ମୁଦ୍ରିତ ହୋଇ ରଙ୍ଗିନ ଫଟୋ ସହ ଅସଂଖ୍ୟ ଖବରକାଗଜ ପ୍ରକାଶ ପାଉଛି। ତା’ ସାଙ୍ଗକୁ ଟେଲିଭିଜନ ଆସିବା ପରେ ଗଣମାଧ୍ୟମ ଆହୁରି ଚିତ୍ତାକର୍ଷକ ଓ ପ୍ରଭାବଶାଳୀ ହୋଇଛି। ସାଧୁସୁନ୍ଦର ଦାସଙ୍କ ହାତଲେଖା ଖବରକାଗଜରୁ ଆରମ୍ଭ ହୋଇ ବୈଦ୍ୟୁତିକ ଗଣମାଧ୍ୟମ ପର୍ଯ୍ୟନ୍ତ ହୋଇଥିବା ବିକାଶକୁ ବିବର୍ତ୍ତନ କୁହାଯିବ କି ନା ଏହା ଆଲୋଚନା ସାପେକ୍ଷ। ବିବର୍ତ୍ତନ କହିଲେ, ଆମେ ଗୁଣାମତ୍କ ବିକାଶ ବୁଝୁ। ଆମ ଚିନ୍ତା ଓ ଜୀବନଧାରାକୁ ଯାହା ମହତ୍ତର ସୋପାନକୁ ଉନ୍ନୀତ କରେ ତାକୁ ବିବର୍ତ୍ତନ କୁହାଯାଏ। ଏହା ଅବଶ୍ୟ ସ୍ବୀକାର୍ଯ୍ୟ ଯେ ଗଣମାଧ୍ୟମର ବିକାଶ ଘଟିଛି। ରୂପ, ପ୍ରସାରଧାରା ଓ ହଟଚମକରେ ଯନ୍ତ୍ରବିଜ୍ଞାନ ଏକ ବିରାଟ ପରିବର୍ତ୍ତନ ଆଣିଛି। ଏହାକୁ ସ୍ଥୂଳ ବିବର୍ତ୍ତନ କୁହାଯାଇପାରେ। ଏବେ ଗଣମାଧ୍ୟମ ହୋଇଛି ତୀବ୍ର ଅନୁସନ୍ଧାନଧର୍ମୀ। ପୁନଶ୍ଚ ଇଲେକ୍ରୋନିକ୍ସର ଆଶୀର୍ବାଦ ଏହାକୁ ଯେଭଳି ଚିତ୍ତାକର୍ଷକ, ବହୁମୁଖୀ, କ୍ଷିପ୍ର ଓ ରସାଳ କରିଛି, ତାହା ଯୋଗୁ ଏହା ପ୍ରଭାବଶାଳୀ ହୋଇଛି। ମାତ୍ର ସଚ୍ଚା ଅର୍ଥରେ ଏହାର ଗୁଣଗତ ବିକାଶ ବିଶେଷ ହୋଇନାହିଁ। ବେଳେବେଳେ ମୁଦ୍ରିତ ବା ଉଚ୍ଚାଚିତ ଶବ୍ଦର ଦୁରୁପଯୋଗ ହେଉଛି। ସାମ୍ବାଦିକତାର ବିବର୍ତ୍ତନ କେବଳ ସ୍ଥୂଳସ୍ତରରେ ଅଟକି ଯାଇଛି।
ନିରପେକ୍ଷ ତଥ୍ୟ ପରିବେଷଣ କରିବା ଖବରକାଗଜର ଧର୍ମ। କୌଣସି ଘଟଣାକୁ ସ୍ବଚକ୍ଷୁରେ ଦେଖି ନ ଥିଲେ କେବଳ ଜନରବକୁ ଭିତ୍ତିକରି ଖବର ପରିବେଷଣ କରିବା ସାମ୍ବାଦିକତାର ଧର୍ମ ନୁହେଁ। ମାତ୍ର ସମ୍ପ୍ରତି ଖବରକାଗଜ ବାସ୍ତବବାଦୀ ନ ହୋଇ କଳ୍ପନାପ୍ରବଣତା ଦ୍ୱାରା ଆକ୍ରାନ୍ତ। ରାଜ୍ୟ ସଭାରେ ସ୍ଥାନଟିଏ ଖାଲି ହୋଇଗଲେ ସାମ୍ବାଦିକମାନଙ୍କ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଉଛି କିଏ ଆଶାୟୀ, ଦଳର ନେତା କାହାକୁ ପସନ୍ଦ କରିପାରନ୍ତି ଇତ୍ୟାଦି। କଳ୍ପନା କରିବା ଗାଳ୍ପିକ ବା ଔପନ୍ୟାସିକମାନଙ୍କ ଧର୍ମ, ମାତ୍ର ଏବେ ସାମ୍ବାଦିକମାନେ ଔପନ୍ୟାସିକ ବା ଗାଳ୍ପିକମାନଙ୍କ ଭଳି କଳ୍ପନାଭିଳାଷୀ ହୋଇପଡ଼ୁଛନ୍ତି। ଜଣେ ବିରୋଧୀ ଦଳର ନେତା କୌଣସି ବ୍ୟକ୍ତିଗତ କାମରେ ବା ବ୍ୟକ୍ତିଗତ ସମ୍ପର୍କ ହେତୁ ଯଦି ସରକାରୀ ଦଳର ନେତାଙ୍କୁ ଭେଟନ୍ତି ଅନେକ ଖବରକାଗଜରେ କଳ୍ପନାଜଳ୍ପ୍ବନା ଆରମ୍ଭ ହୋଇଯାଏ ସେ ଦଳ ପରିବର୍ତ୍ତନ କରିପାରନ୍ତି। ମନ୍ତ୍ରିମଣ୍ଡଳ ପୁନର୍ଗଠନ ହେବାକୁ ଥିଲେ ଖବର କାଗଜଗୁଡ଼ିକର କଳ୍ପନା ଆରମ୍ଭ ହୋଇଯାଏ କିଏ ମନ୍ତ୍ରୀ ହେବେ ଓ କେଉଁ ମନ୍ତ୍ରୀ ଅପସାରିତ ହେବେ। ହୁଏତ ତାହା ପରବର୍ତ୍ତୀ ସମୟରେ ସତ୍ୟ ହୋଇପାରେ, କିନ୍ତୁ ଘଟଣା ଘଟିବା ପୂର୍ବରୁ ଏପ୍ରକାର କଳ୍ପନା କରିବା ସାମ୍ବାଦିକତାର ଧର୍ମ ନୁହେଁ। ସାମ୍ବାଦିକତା କଳ୍ପନାବିଳାସ ଦ୍ୱାରା ଆକ୍ରାନ୍ତ ହେଲେ ଜନମାନସ କିଭଳି ବିଭ୍ରାନ୍ତ ହୁଏ ତା’ର ସୂଚନା ଦେଇଛନ୍ତି ବିଶିଷ୍ଟ ଲେଖକ ମନୋଜ ଦାସ ତାଙ୍କ ‘ମଧୁବନର ମେୟର’ ଗଳ୍ପରେ।
ମେୟର ପଦ ପାଇଁ ଛିଡ଼ା ହୋଇ ପରାଜିତ ହୋଇଥିବା ମଧୁବନ ପୌର ପରିଷଦର ସଦସ୍ୟ ସୁଦର୍ଶନବାବୁ ବୈଠକରେ ଏକ ଅଭିଯୋଗ ଆଣିଲେ। ମଧୁବନ ସହରରେ ଏକ ଅରଣା ଗାଈ ସର୍ବତ୍ର ସନ୍ତ୍ରାସ ସୃଷ୍ଟି କରୁଥାଏ। ଦିନେ ଗାଈଟି ସୁଦର୍ଶନ ବାବୁଙ୍କ ବିଏ ପଢ଼ୁଥିବା ନାତୁଣୀର ବାରଣ୍ଡାରେ ରଖାଯାଇଥିବା ଏକ ମୂଲ୍ୟବାନ ନୋଟ୍‌ ଖାତାକୁ ଖାଇଦେଲା। ଏହାକୁ ଉଦାହରଣ ଦେଇ ସେ ସହରର ବିପର୍ଯ୍ୟସ୍ତ ଆଇନ ବ୍ୟବସ୍ଥା ପ୍ରତି ମେୟର ଦିବ୍ୟସିଂହଙ୍କ ଦୃଷ୍ଟି ଆକର୍ଷଣ କଲେ ଓ ଲୋକଙ୍କ ଅସହାୟତା ପ୍ରକାଶ କରି କାନ୍ଦି ପକାଇଲେ। ପରଦିନ ଗୋଧୂଳି ସମୟରେ ମେୟର ଦିବ୍ୟସିଂହ ନିର୍ଜନ ନଈକୂଳରେ ବୁଲୁବୁଲୁ ନଦୀସ୍ନାନ ଉପଭୋଗ କରିବା ପାଇଁ ନିଜ ଶରୀରରୁ ସମସ୍ତ ପୋଷାକ କାଢ଼ି ପକାଇ ନଦୀ ଭିତରକୁ ଲମ୍ଫ ଦେଲେ। କ୍ରମେ ଅନ୍ଧକାର ଘନେଇ ଆସିଲା। କୂଳକୁ ଉଠିବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ହଠାତ୍‌ ଦେଖିଲେ ସେହି ଗାଈଟି ତାଙ୍କ ପୋଷାକ ସବୁକୁ ଚୋବାଇ ଚାଲିଛି। ମେୟର ଦିବ୍ୟସିଂହ ଉପରକୁ ଉଠିଆସି ପାଟି କରନ୍ତେ ଗାଈଟି ଅପସରିଗଲା, ମାତ୍ର ପରମୁହୂର୍ତ୍ତରେ ଏକ ଜିପ୍‌ ଲାଇଟ୍‌ ପକାଇ ଆଗେଇ ଆସୁଥିବାର ଦେଖି ଉଲଗ୍ନ ମେୟର ପୁଣି ଲଜ୍ଜାବଶତଃ ନଦୀ ଭିତରକୁ ଡେଇଁ ପଡ଼ିଲେ। ଜିପ୍‌ରେ ଆସିଥିଲେ ତାଙ୍କ ଅଫିସ କର୍ମଚାରୀ। ମେୟରଙ୍କ କାରଟି ନଈକୂଳରେ ଦେଖି ତାଙ୍କୁ ଖୋଜାଖୋଜି କରି ନ ପାଇ ଚାଲିଗଲେ, କାରଣ ମେୟର ନିଜକୁ ଲଜ୍ଜାରୁ ରକ୍ଷା କରିବା ପାଇଁ ଜଳ ସ୍ରୋତରେ ଜାଣିଜାଣି ଆଗକୁ ଭାସିଗଲେ। ପାଇଲେ ଗୋଟିଏ ଡଙ୍ଗା। ତା’ଭିତରେ ପଶିଯାଇ ଆଗକୁ ବଢ଼ିଲେ ଓ ଭୋର ସମୟରେ ଲାଗିଲେ ଗୋଟିଏ ବୁଦା ପାଖରେ। ଡଙ୍ଗା ଭିତରେ ଲୁଚି ସେଠି ଠିଆ ହୋଇଥିବା ଏକ ଟିକି ଧୀବର ଝିଅକୁ ମାଗିଲେ ଏକ ଲୁଗା। ଝିଅଟି ନିକଟସ୍ଥ ଘରୁ ଗାମୁଛାଟିଏ ଆଣି ତାଙ୍କୁ ଦେଲା ଓ ପରେ ଧୀବର ଜଣକ ଦେଲେ ଏକ ଧୋତି। ସେ ତାକୁ ପିନ୍ଧି ସନ୍ତର୍ପଣରେ ଫେରିଲେ ନିଜ ଘରକୁ। ତା’ ପରଦିନ ଖବରକାଗଜରେ ବଡ଼ ବଡ଼ ଅକ୍ଷରରେ ବାହାରିଲା, ‘ମେୟରଙ୍କ ରହସ୍ୟଜନକ ଅନ୍ତର୍ଦ୍ଧାନ’। ପ୍ରଥମ ପୃଷ୍ଠା ବ୍ୟାପୀ ପରିବେଷିତ ହୋଇଥିଲା ନାନାଦି ସମ୍ଭାବନାର ଖବର-ହରଣଚାଳ, ହତ୍ୟା, ଆମତ୍ହତ୍ୟା, ନାନାଦି ଷଡ଼ଯନ୍ତ୍ର ସମ୍ପର୍କିତ କଳ୍ପନାଜଳ୍ପନା। ପୁନଶ୍ଚ ଗାଈଦ୍ୱାରା ମେୟରଙ୍କ ଅର୍ଦ୍ଧଚର୍ବିତ ଟ୍ରାଉଜର ଉଦ୍ଧାର ଘଟଣାକୁ ଆହୁରି ଜଟିଳ କରିଦେଲା। ସୁଦର୍ଶନବାବୁ ବିବୃତି ଦେଲେ ସେହି ଗାଈଟି ମେୟରଙ୍କୁ ଚୋବାଇ ଖାଇ ଦେଇଥାଇପାରେ। ଏଣୁ ଗାଈକୁ ଗିରଫ କରିବା ପାଇଁ ଦାବି କରାଗଲା। ପୋଲିସ ତାକୁ ଖୋଜିବା ଆରମ୍ଭ କଲା। ଏହା ହେଉଛି କଳ୍ପନାପ୍ରବଣ ଖବରଦାତାର ପରିଣତି। ମନୋଜ ଦାସଙ୍କ ଏହି କାହାଣୀଟି ପ୍ରକାଶ ପାଇଥିଲା ୧୯୭୪ରେ।
ଆଜି ବି ସାମ୍ବାଦିକତାରେ କଳ୍ପନାବିଳାସର ଅନ୍ତ ଘଟିନାହିଁ। ଅନେକ କ୍ଷେତ୍ରରେ ସେହି କଳ୍ପିତ ତଥ୍ୟ ମିଥ୍ୟା ହୋଇଥିବାର ଉଦାହରଣ ଅଛି। ଆଜିକାଲି ଲୋକେ ଯେତିକି ଅଧିକ ମାତ୍ରାରେ ରାଜନୀତି ସଚେତନ ହେଉଛନ୍ତି ସେତିକି ଖବରକ୍ଷୁଧା ଅନୁଭବ କରୁଛନ୍ତି। ତା’ର ସୁଯୋଗ ନେଉଛନ୍ତି ଖବରକାଗଜ। ପାଠକମାନଙ୍କୁ ଚମକାଇଦେବା ଭଳି ଖବର ପରିବେଷଣ କରି ସେମାନଙ୍କୁ ତତ୍‌କ୍ଷଣିକ ଆନନ୍ଦ ଦେଉଛନ୍ତି। ମାତ୍ର ସତ୍ୟ ରହିଯାଉଛି ବହୁ ପଛରେ। ଏବେ ଖବରକାଗଜ ଯେଉଁ ତଥାକଥିତ ସତ୍ୟ ପରିବେଷଣ କରୁଛନ୍ତି ତାହା ହେଉଛି ଉତ୍ତର-ସତ୍ୟ। ଯେତେବେଳେ ବସ୍ତୁନିଷ୍ଠ ସତ୍ୟ ଜନମାନସକୁ ପ୍ରଭାବିତ କରିପାରେ ନାହିଁ, ବରଂ ଆବେଗିକ ବା ଭାବପ୍ରବଣଗତ ବିଷୟ ଜନମାନସକୁ ବେଶି ପ୍ରଭାବିତ କରେ ତାକୁ ଉତ୍ତର ସତ୍ୟ କୁହାଯାଏ। ବିଶ୍ୱାସକୁ ସତ୍ୟର ରୂପଦେଇ ତାକୁ ପ୍ରସାର କରିବା ହେଉଛି ଉତ୍ତର ସତ୍ୟ। ମାତ୍ର ବିଶ୍ୱାସ ବିଜ୍ଞାନ ଆଧାରିତ ନୁହେଁ। ଏଣୁ ଉତ୍ତର ସତ୍ୟର ଆଧାର ତଥ୍ୟଭିତ୍ତିକ ନୁହେଁ। ଆଜିର ଗଣମାଧ୍ୟମ ଉତ୍ତର ସତ୍ୟର ବିକାଶ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି ବୋଲି ସମାଜ ବିଜ୍ଞାନୀମାନେ ମତପୋଷଣ କଲେଣି।

– ଛାୟାକାନ୍ତ ଷଡ଼ଙ୍ଗୀ
ଅବସରପ୍ରାପ୍ତ କଲେଜ ଅଧ୍ୟକ୍ଷ, ଟିଟିଲାଗଡ଼
ମୋ: ୯୪୩୭୩୨୯୨୬୩


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ଗଣତନ୍ତ୍ରରେ ଅଭାବୀ ବିକଳ୍ପ

ଏକ ଚା’ ଖଟିରେ ଦୁଇ ବନ୍ଧୁ ପରସ୍ପର ରାଜନୀତି ବିଷୟରେ ଚର୍ଚ୍ଚା କରୁଥିଲେ ଏବଂ ଜଣେ ବନ୍ଧୁ ଅନ୍ୟ ଜଣେ ବନ୍ଧୁଙ୍କ ସହିତ କଥୋପକଥନ ଛଳରେ କହୁଥା’ନ୍ତି-…

ପୁରୁଷ, ନାରୀ ଓ ସଭ୍ୟତା

ଓଡ଼ିଶା ଆଜି ନିଜକୁ ଉନ୍ନତି ପଥରେ ଆଗେଇ ନେବାକୁ ଦୃଢ଼ ଚେଷ୍ଟା କରୁଛି। ନୂଆ ରାସ୍ତା, ବଡ଼ ବଡ଼ କୋଠା, ଶିଳ୍ପ ପାର୍କ, ଡିଜିଟାଲ ସେବା, ସରକାରୀ…

ଚିତାରେ ସତୀ

ୟୁରୋପରେ ସଇତାନଙ୍କୁ ପୂଜା କରୁଥିବା ସନ୍ଦେହରେ ମହିଳାଙ୍କୁ ଡାହାଣୀ ଆଖ୍ୟା ଦେଇ ଖ୍ରୀଷ୍ଟିଆନ୍‌ ଧର୍ମଯାଜକମାନେ ସେମାନଙ୍କୁ ଜିଅନ୍ତା ପୋଡ଼ିଦେଉଥିଲେ। ଆରବରେ ଇସ୍‌ଲାମ ଛାଡ଼ିବାକୁ ମନା କରୁଥିବା ଲୋକଙ୍କୁ…

ଏଇ ଭାରତରେ

ଭାରତରେ ଜଳ ସଙ୍କଟ ବିଷୟ ଆଲୋଚନା କଲାବେଳେ ମହାରାଷ୍ଟ୍ର ଲାଟୁର ଜିଲା ସ୍ଥିତି ସାମ୍ନାକୁ ଆସେ। ତେବେ ଏହି ଜିଲାର ବଂଶଓ୍ବାରଗ୍ରାମର ଗ୍ରାମବାସୀ ଜଳସଙ୍କଟ ଦୂର କରିବାରେ…

ରୋଜଗାରିଆ ଝିଅ ଓ ବେକାର ପୁଅ

ପୁରୁଷ ଓ ନାରୀ ଭଗବାନଙ୍କର ଏକ ଅନବଦ୍ୟ ସୃଷ୍ଟି। ପୁରୁଷ ଜନ୍ମ ନିଏ ନାରୀଠାରୁ ପୁଣି ବିନା ପୁରୁଷରେ ନାରୀର ଜନ୍ମ ଅସମ୍ଭବ। କି ଅଦ୍ଭୁତ ସମନ୍ବୟ।…

ପରିମାଣାତ୍ମକ ନା ଗୁଣାତ୍ମକ ଶିକ୍ଷା

ଥରେ ଜଣେ ରାଜନେତାଙ୍କ ସହିତ ସାକ୍ଷାତ ହେଲା। ପୂର୍ବତନ ଲୋକ ସଭା ସାଂସଦ। ବର୍ତ୍ତମାନର ସରକାରୀ ଦଳର ସେ ଜଣେ ପ୍ରତିଷ୍ଠିତ ନେତା। ବିଭିନ୍ନ ସଭା ସମିତିରେ…

ଯେତିକି ପାରିବ ସେତିକି

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଏବେ ମଣିଷର ପ୍ରତିଟି ପଦକ୍ଷେପକୁ ପରିଚାଳନା କଲାଣି। ପରିବେଶ ପରିସଂସ୍ଥାନକୁ ଇକୋସିଷ୍ଟମ ବୋଲି କହିଥାଉ। ଏବେ ଏଆଇ ଇକୋସିଷ୍ଟମ…

ଏଇ ଭାରତରେ

ପକ୍ଷୀ ଜୀବନ ଏବେ ସଙ୍କଟରେ। ଜଳବାୟୁ ପରିବର୍ତ୍ତନ,ସହରୀକରଣରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ବଂଶବୃଦ୍ଧି ନ ହୋଇ ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତିର ଦ୍ୱାରଦେଶରେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri