ସାମ୍ବାଦିକତା ଓ କଳ୍ପନା ବିଳାସ

ସମ୍ପ୍ରତି ଗଣମାଧ୍ୟମ ଜନଜୀବନରେ ଏକ ପ୍ରଭାବଶାଳୀ ଭୂମିକା ଗ୍ରହଣ କରିଛି। ୧୭୮୦ରେ ଭାରତରେ ‘ବେଙ୍ଗଲ ଗେଜେଟ’ ନାମରେ ପ୍ରଥମ ମୁଦ୍ରିତ ଖବରକାଗଜ ପ୍ରକାଶ ପାଇଥିଲା। ତା’ ପୂର୍ବରୁ ୧୭୬୮ରେ ଓଡ଼ିଶାରେ ସାଧୁସୁନ୍ଦର ଦାସ ପ୍ରଥମ ଖବରକାଗଜ ‘କୁଜିବର ପତ୍ର’ ତାଳପତ୍ର ଉପରେ ହାତରେ ଲେଖି ପ୍ରସାର କରିଥିଲେ। ସମ୍ପ୍ରତି କେତେ ସୁନ୍ଦର ଭାବରେ କାଗଜ ଉପରେ ମୁଦ୍ରିତ ହୋଇ ରଙ୍ଗିନ ଫଟୋ ସହ ଅସଂଖ୍ୟ ଖବରକାଗଜ ପ୍ରକାଶ ପାଉଛି। ତା’ ସାଙ୍ଗକୁ ଟେଲିଭିଜନ ଆସିବା ପରେ ଗଣମାଧ୍ୟମ ଆହୁରି ଚିତ୍ତାକର୍ଷକ ଓ ପ୍ରଭାବଶାଳୀ ହୋଇଛି। ସାଧୁସୁନ୍ଦର ଦାସଙ୍କ ହାତଲେଖା ଖବରକାଗଜରୁ ଆରମ୍ଭ ହୋଇ ବୈଦ୍ୟୁତିକ ଗଣମାଧ୍ୟମ ପର୍ଯ୍ୟନ୍ତ ହୋଇଥିବା ବିକାଶକୁ ବିବର୍ତ୍ତନ କୁହାଯିବ କି ନା ଏହା ଆଲୋଚନା ସାପେକ୍ଷ। ବିବର୍ତ୍ତନ କହିଲେ, ଆମେ ଗୁଣାମତ୍କ ବିକାଶ ବୁଝୁ। ଆମ ଚିନ୍ତା ଓ ଜୀବନଧାରାକୁ ଯାହା ମହତ୍ତର ସୋପାନକୁ ଉନ୍ନୀତ କରେ ତାକୁ ବିବର୍ତ୍ତନ କୁହାଯାଏ। ଏହା ଅବଶ୍ୟ ସ୍ବୀକାର୍ଯ୍ୟ ଯେ ଗଣମାଧ୍ୟମର ବିକାଶ ଘଟିଛି। ରୂପ, ପ୍ରସାରଧାରା ଓ ହଟଚମକରେ ଯନ୍ତ୍ରବିଜ୍ଞାନ ଏକ ବିରାଟ ପରିବର୍ତ୍ତନ ଆଣିଛି। ଏହାକୁ ସ୍ଥୂଳ ବିବର୍ତ୍ତନ କୁହାଯାଇପାରେ। ଏବେ ଗଣମାଧ୍ୟମ ହୋଇଛି ତୀବ୍ର ଅନୁସନ୍ଧାନଧର୍ମୀ। ପୁନଶ୍ଚ ଇଲେକ୍ରୋନିକ୍ସର ଆଶୀର୍ବାଦ ଏହାକୁ ଯେଭଳି ଚିତ୍ତାକର୍ଷକ, ବହୁମୁଖୀ, କ୍ଷିପ୍ର ଓ ରସାଳ କରିଛି, ତାହା ଯୋଗୁ ଏହା ପ୍ରଭାବଶାଳୀ ହୋଇଛି। ମାତ୍ର ସଚ୍ଚା ଅର୍ଥରେ ଏହାର ଗୁଣଗତ ବିକାଶ ବିଶେଷ ହୋଇନାହିଁ। ବେଳେବେଳେ ମୁଦ୍ରିତ ବା ଉଚ୍ଚାଚିତ ଶବ୍ଦର ଦୁରୁପଯୋଗ ହେଉଛି। ସାମ୍ବାଦିକତାର ବିବର୍ତ୍ତନ କେବଳ ସ୍ଥୂଳସ୍ତରରେ ଅଟକି ଯାଇଛି।
ନିରପେକ୍ଷ ତଥ୍ୟ ପରିବେଷଣ କରିବା ଖବରକାଗଜର ଧର୍ମ। କୌଣସି ଘଟଣାକୁ ସ୍ବଚକ୍ଷୁରେ ଦେଖି ନ ଥିଲେ କେବଳ ଜନରବକୁ ଭିତ୍ତିକରି ଖବର ପରିବେଷଣ କରିବା ସାମ୍ବାଦିକତାର ଧର୍ମ ନୁହେଁ। ମାତ୍ର ସମ୍ପ୍ରତି ଖବରକାଗଜ ବାସ୍ତବବାଦୀ ନ ହୋଇ କଳ୍ପନାପ୍ରବଣତା ଦ୍ୱାରା ଆକ୍ରାନ୍ତ। ରାଜ୍ୟ ସଭାରେ ସ୍ଥାନଟିଏ ଖାଲି ହୋଇଗଲେ ସାମ୍ବାଦିକମାନଙ୍କ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଉଛି କିଏ ଆଶାୟୀ, ଦଳର ନେତା କାହାକୁ ପସନ୍ଦ କରିପାରନ୍ତି ଇତ୍ୟାଦି। କଳ୍ପନା କରିବା ଗାଳ୍ପିକ ବା ଔପନ୍ୟାସିକମାନଙ୍କ ଧର୍ମ, ମାତ୍ର ଏବେ ସାମ୍ବାଦିକମାନେ ଔପନ୍ୟାସିକ ବା ଗାଳ୍ପିକମାନଙ୍କ ଭଳି କଳ୍ପନାଭିଳାଷୀ ହୋଇପଡ଼ୁଛନ୍ତି। ଜଣେ ବିରୋଧୀ ଦଳର ନେତା କୌଣସି ବ୍ୟକ୍ତିଗତ କାମରେ ବା ବ୍ୟକ୍ତିଗତ ସମ୍ପର୍କ ହେତୁ ଯଦି ସରକାରୀ ଦଳର ନେତାଙ୍କୁ ଭେଟନ୍ତି ଅନେକ ଖବରକାଗଜରେ କଳ୍ପନାଜଳ୍ପ୍ବନା ଆରମ୍ଭ ହୋଇଯାଏ ସେ ଦଳ ପରିବର୍ତ୍ତନ କରିପାରନ୍ତି। ମନ୍ତ୍ରିମଣ୍ଡଳ ପୁନର୍ଗଠନ ହେବାକୁ ଥିଲେ ଖବର କାଗଜଗୁଡ଼ିକର କଳ୍ପନା ଆରମ୍ଭ ହୋଇଯାଏ କିଏ ମନ୍ତ୍ରୀ ହେବେ ଓ କେଉଁ ମନ୍ତ୍ରୀ ଅପସାରିତ ହେବେ। ହୁଏତ ତାହା ପରବର୍ତ୍ତୀ ସମୟରେ ସତ୍ୟ ହୋଇପାରେ, କିନ୍ତୁ ଘଟଣା ଘଟିବା ପୂର୍ବରୁ ଏପ୍ରକାର କଳ୍ପନା କରିବା ସାମ୍ବାଦିକତାର ଧର୍ମ ନୁହେଁ। ସାମ୍ବାଦିକତା କଳ୍ପନାବିଳାସ ଦ୍ୱାରା ଆକ୍ରାନ୍ତ ହେଲେ ଜନମାନସ କିଭଳି ବିଭ୍ରାନ୍ତ ହୁଏ ତା’ର ସୂଚନା ଦେଇଛନ୍ତି ବିଶିଷ୍ଟ ଲେଖକ ମନୋଜ ଦାସ ତାଙ୍କ ‘ମଧୁବନର ମେୟର’ ଗଳ୍ପରେ।
ମେୟର ପଦ ପାଇଁ ଛିଡ଼ା ହୋଇ ପରାଜିତ ହୋଇଥିବା ମଧୁବନ ପୌର ପରିଷଦର ସଦସ୍ୟ ସୁଦର୍ଶନବାବୁ ବୈଠକରେ ଏକ ଅଭିଯୋଗ ଆଣିଲେ। ମଧୁବନ ସହରରେ ଏକ ଅରଣା ଗାଈ ସର୍ବତ୍ର ସନ୍ତ୍ରାସ ସୃଷ୍ଟି କରୁଥାଏ। ଦିନେ ଗାଈଟି ସୁଦର୍ଶନ ବାବୁଙ୍କ ବିଏ ପଢ଼ୁଥିବା ନାତୁଣୀର ବାରଣ୍ଡାରେ ରଖାଯାଇଥିବା ଏକ ମୂଲ୍ୟବାନ ନୋଟ୍‌ ଖାତାକୁ ଖାଇଦେଲା। ଏହାକୁ ଉଦାହରଣ ଦେଇ ସେ ସହରର ବିପର୍ଯ୍ୟସ୍ତ ଆଇନ ବ୍ୟବସ୍ଥା ପ୍ରତି ମେୟର ଦିବ୍ୟସିଂହଙ୍କ ଦୃଷ୍ଟି ଆକର୍ଷଣ କଲେ ଓ ଲୋକଙ୍କ ଅସହାୟତା ପ୍ରକାଶ କରି କାନ୍ଦି ପକାଇଲେ। ପରଦିନ ଗୋଧୂଳି ସମୟରେ ମେୟର ଦିବ୍ୟସିଂହ ନିର୍ଜନ ନଈକୂଳରେ ବୁଲୁବୁଲୁ ନଦୀସ୍ନାନ ଉପଭୋଗ କରିବା ପାଇଁ ନିଜ ଶରୀରରୁ ସମସ୍ତ ପୋଷାକ କାଢ଼ି ପକାଇ ନଦୀ ଭିତରକୁ ଲମ୍ଫ ଦେଲେ। କ୍ରମେ ଅନ୍ଧକାର ଘନେଇ ଆସିଲା। କୂଳକୁ ଉଠିବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ହଠାତ୍‌ ଦେଖିଲେ ସେହି ଗାଈଟି ତାଙ୍କ ପୋଷାକ ସବୁକୁ ଚୋବାଇ ଚାଲିଛି। ମେୟର ଦିବ୍ୟସିଂହ ଉପରକୁ ଉଠିଆସି ପାଟି କରନ୍ତେ ଗାଈଟି ଅପସରିଗଲା, ମାତ୍ର ପରମୁହୂର୍ତ୍ତରେ ଏକ ଜିପ୍‌ ଲାଇଟ୍‌ ପକାଇ ଆଗେଇ ଆସୁଥିବାର ଦେଖି ଉଲଗ୍ନ ମେୟର ପୁଣି ଲଜ୍ଜାବଶତଃ ନଦୀ ଭିତରକୁ ଡେଇଁ ପଡ଼ିଲେ। ଜିପ୍‌ରେ ଆସିଥିଲେ ତାଙ୍କ ଅଫିସ କର୍ମଚାରୀ। ମେୟରଙ୍କ କାରଟି ନଈକୂଳରେ ଦେଖି ତାଙ୍କୁ ଖୋଜାଖୋଜି କରି ନ ପାଇ ଚାଲିଗଲେ, କାରଣ ମେୟର ନିଜକୁ ଲଜ୍ଜାରୁ ରକ୍ଷା କରିବା ପାଇଁ ଜଳ ସ୍ରୋତରେ ଜାଣିଜାଣି ଆଗକୁ ଭାସିଗଲେ। ପାଇଲେ ଗୋଟିଏ ଡଙ୍ଗା। ତା’ଭିତରେ ପଶିଯାଇ ଆଗକୁ ବଢ଼ିଲେ ଓ ଭୋର ସମୟରେ ଲାଗିଲେ ଗୋଟିଏ ବୁଦା ପାଖରେ। ଡଙ୍ଗା ଭିତରେ ଲୁଚି ସେଠି ଠିଆ ହୋଇଥିବା ଏକ ଟିକି ଧୀବର ଝିଅକୁ ମାଗିଲେ ଏକ ଲୁଗା। ଝିଅଟି ନିକଟସ୍ଥ ଘରୁ ଗାମୁଛାଟିଏ ଆଣି ତାଙ୍କୁ ଦେଲା ଓ ପରେ ଧୀବର ଜଣକ ଦେଲେ ଏକ ଧୋତି। ସେ ତାକୁ ପିନ୍ଧି ସନ୍ତର୍ପଣରେ ଫେରିଲେ ନିଜ ଘରକୁ। ତା’ ପରଦିନ ଖବରକାଗଜରେ ବଡ଼ ବଡ଼ ଅକ୍ଷରରେ ବାହାରିଲା, ‘ମେୟରଙ୍କ ରହସ୍ୟଜନକ ଅନ୍ତର୍ଦ୍ଧାନ’। ପ୍ରଥମ ପୃଷ୍ଠା ବ୍ୟାପୀ ପରିବେଷିତ ହୋଇଥିଲା ନାନାଦି ସମ୍ଭାବନାର ଖବର-ହରଣଚାଳ, ହତ୍ୟା, ଆମତ୍ହତ୍ୟା, ନାନାଦି ଷଡ଼ଯନ୍ତ୍ର ସମ୍ପର୍କିତ କଳ୍ପନାଜଳ୍ପନା। ପୁନଶ୍ଚ ଗାଈଦ୍ୱାରା ମେୟରଙ୍କ ଅର୍ଦ୍ଧଚର୍ବିତ ଟ୍ରାଉଜର ଉଦ୍ଧାର ଘଟଣାକୁ ଆହୁରି ଜଟିଳ କରିଦେଲା। ସୁଦର୍ଶନବାବୁ ବିବୃତି ଦେଲେ ସେହି ଗାଈଟି ମେୟରଙ୍କୁ ଚୋବାଇ ଖାଇ ଦେଇଥାଇପାରେ। ଏଣୁ ଗାଈକୁ ଗିରଫ କରିବା ପାଇଁ ଦାବି କରାଗଲା। ପୋଲିସ ତାକୁ ଖୋଜିବା ଆରମ୍ଭ କଲା। ଏହା ହେଉଛି କଳ୍ପନାପ୍ରବଣ ଖବରଦାତାର ପରିଣତି। ମନୋଜ ଦାସଙ୍କ ଏହି କାହାଣୀଟି ପ୍ରକାଶ ପାଇଥିଲା ୧୯୭୪ରେ।
ଆଜି ବି ସାମ୍ବାଦିକତାରେ କଳ୍ପନାବିଳାସର ଅନ୍ତ ଘଟିନାହିଁ। ଅନେକ କ୍ଷେତ୍ରରେ ସେହି କଳ୍ପିତ ତଥ୍ୟ ମିଥ୍ୟା ହୋଇଥିବାର ଉଦାହରଣ ଅଛି। ଆଜିକାଲି ଲୋକେ ଯେତିକି ଅଧିକ ମାତ୍ରାରେ ରାଜନୀତି ସଚେତନ ହେଉଛନ୍ତି ସେତିକି ଖବରକ୍ଷୁଧା ଅନୁଭବ କରୁଛନ୍ତି। ତା’ର ସୁଯୋଗ ନେଉଛନ୍ତି ଖବରକାଗଜ। ପାଠକମାନଙ୍କୁ ଚମକାଇଦେବା ଭଳି ଖବର ପରିବେଷଣ କରି ସେମାନଙ୍କୁ ତତ୍‌କ୍ଷଣିକ ଆନନ୍ଦ ଦେଉଛନ୍ତି। ମାତ୍ର ସତ୍ୟ ରହିଯାଉଛି ବହୁ ପଛରେ। ଏବେ ଖବରକାଗଜ ଯେଉଁ ତଥାକଥିତ ସତ୍ୟ ପରିବେଷଣ କରୁଛନ୍ତି ତାହା ହେଉଛି ଉତ୍ତର-ସତ୍ୟ। ଯେତେବେଳେ ବସ୍ତୁନିଷ୍ଠ ସତ୍ୟ ଜନମାନସକୁ ପ୍ରଭାବିତ କରିପାରେ ନାହିଁ, ବରଂ ଆବେଗିକ ବା ଭାବପ୍ରବଣଗତ ବିଷୟ ଜନମାନସକୁ ବେଶି ପ୍ରଭାବିତ କରେ ତାକୁ ଉତ୍ତର ସତ୍ୟ କୁହାଯାଏ। ବିଶ୍ୱାସକୁ ସତ୍ୟର ରୂପଦେଇ ତାକୁ ପ୍ରସାର କରିବା ହେଉଛି ଉତ୍ତର ସତ୍ୟ। ମାତ୍ର ବିଶ୍ୱାସ ବିଜ୍ଞାନ ଆଧାରିତ ନୁହେଁ। ଏଣୁ ଉତ୍ତର ସତ୍ୟର ଆଧାର ତଥ୍ୟଭିତ୍ତିକ ନୁହେଁ। ଆଜିର ଗଣମାଧ୍ୟମ ଉତ୍ତର ସତ୍ୟର ବିକାଶ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି ବୋଲି ସମାଜ ବିଜ୍ଞାନୀମାନେ ମତପୋଷଣ କଲେଣି।

– ଛାୟାକାନ୍ତ ଷଡ଼ଙ୍ଗୀ
ଅବସରପ୍ରାପ୍ତ କଲେଜ ଅଧ୍ୟକ୍ଷ, ଟିଟିଲାଗଡ଼
ମୋ: ୯୪୩୭୩୨୯୨୬୩


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନରେ ବାବୁ

ପ୍ରତି ଥର ନିର୍ବାଚନ ରଣାଙ୍ଗନରେ ହାକିମ ବାବୁମାନଙ୍କ ଗହଳି ଦେଖାଯାଏ। ରାଜନୀତିରେ ଲୋକମାନଙ୍କ ସହିତ ମିଶିବା ସହ ସାଧାରଣ ଜନତାଙ୍କୁ ପରଖି ସେମାନଙ୍କ ସେବା କରିବାର...

ଭୋଟଦାନ ପ୍ରତି ଅନାଗ୍ରହ

ସାଧାରଣତଃ ପ୍ରତି ପାଞ୍ଚବର୍ଷରେ ଥରେ ଭୋଟଦାନ ଭାରତୀୟ ସମ୍ବିଧାନ ଅନୁଯାୟୀ ସ୍ଥିରୀକୃତ ହୋଇଛି। ବେଳେବେଳେ ବିଭିନ୍ନ କାରଣରୁ ଏହି ସମୟସୀମା ହ୍ରାସ ପାଇଥାଏ। ବିରୋଧୀ ଦଳ...

ପାଶ୍ଚାତ୍ୟର ଅଧୋଗତି

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୨ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ଆକ୍ରମଣ ଆରମ୍ଭହେବା ପରଠାରୁ ପାଶ୍ଚାତ୍ୟ ଯୁଦ୍ଧ ସ୍ଥିତିରେ ନିଜର କୌଣସି କ୍ଷତି ନ...

ଏଇ ଭାରତରେ

ହାଇଦ୍ରାବାଦର ଶ୍ରୀନିବାସ ରାଓ ମାଧବରାମ ପେସାରେ ଜଣେ ଡାକ୍ତର । କିନ୍ତୁ ତାଙ୍କ ନିଶା ହେଉଛି ଡ୍ରାଗନ ଚାଷ। ତେଲଙ୍ଗାନାର ସାଙ୍ଗାରେଡିରେ ଥିବା ତାଙ୍କର ୪୭...

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri