ଜାପାନର ଗ୍ରାମାଭିମୁଖୀ ଯୋଜନା

ଈପ୍ସିତା ମହାନ୍ତି

 

ବିଶ୍ୱ ଆଜି ଯେଉଁସବୁ ସମସ୍ୟାର ସମ୍ମୁଖୀନ ହେଉଛି ତାହାରି ମୂଳରେ ରହିଛି ଜନସଂଖ୍ୟା ବୃଦ୍ଧି। ଗୋଟିଏ ପଟେ ବିଶ୍ୱର କିଛି ଦେଶ ଆଜି ଅତ୍ୟଧିକ ଜନସଂଖ୍ୟାର ଆହ୍ବାନ ସହ ସଂଘର୍ଷ କରୁଛନ୍ତି। ଅନ୍ୟପଟେ କ୍ରମାଗତ ଜନସଂଖ୍ୟା ହ୍ରାସ ହେତୁ (ଏକ ଦେଶର ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଜନସଂଖ୍ୟା ଘନତ୍ୱ ହ୍ରାସ ହେତୁ) କିଛି ଦେଶ ନୂତନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସାଧାରଣତଃ ମହାମାରୀ, ଦୁର୍ଭିକ୍ଷ, ଯୁଦ୍ଧ ଭଳି ଆକସ୍ମିକ ଘଟଣା ଯୋଗୁ ହେଉ ଅବା ନିମ୍ନ ପ୍ରଜନନ ବା ଜନ୍ମ ହାର, ଉଚ୍ଚ ମୃତ୍ୟୁ ହାର, ନିରନ୍ତର ସ୍ଥାନାନ୍ତରଣ ଭଳି ଅନ୍ୟାନ୍ୟ କାରଣଗୁଡିକ ପାଇଁ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଜନସଂଖ୍ୟାର ସନ୍ତୁଳନ ବ୍ୟାହତ ହେବାକୁ ଲାଗିଛି। କିଛି ବର୍ଷ ଧରି ଜାପାନ ଏଭଳି ପରିସ୍ଥିତିର ସମ୍ମୁଖୀନ ହୋଇଚାଲିଛି। ଏହାର ମୁକାବିଲା ପାଇଁ ଜାପାନ ସରକାର ଏକ ଅଭିନବ ପଦକ୍ଷେପ ନେଇଛନ୍ତି। ଏଥିରେ ସରକାର ସ୍ଥାନୀୟ ନାଗରିକଙ୍କୁ ରାଜଧାନୀ ଟୋକିଓ ନଗରୀ ଛାଡି ସୁଦୂର ଅଞ୍ଚଳରେ ବସବାସ କରିବାକୁ ପ୍ରସ୍ତାବ ଦେଇଛନ୍ତି। ନିୟମ ଅନୁଯାୟୀ ଗୋଟିଏ ପରିବାର ରାଜଧାନୀ ଟୋକିଓ ନଗରୀ ଛାଡି ଅନ୍ୟ ସହର କିମ୍ବା ଗ୍ରାମରେ ବସବାସ କଲେ ପ୍ରୋତ୍ସାହନ ସ୍ବରୂପ ସରକାର ସେହି ପରିବାରର ପ୍ରତି ପିଲାଙ୍କୁ ୭୫୦୦ ଡଲାର ଅର୍ଥାତ୍‌ ୧୦ ଲକ୍ଷ ଲେଖାଏ ୟେନ୍‌ ପ୍ରଦାନ କରିବେ।
ତଥ୍ୟ ଅନୁସାରେ ବଡ ବଡ ସହର ତଥା ମହାନଗର ନିଗମରେ ଜନସଂଖ୍ୟାର ଘନତ୍ୱ ବୃଦ୍ଧି ପାଉଥିବାବେଳେ ଛୋଟ ଛୋଟ ସହର ତଥା ଗ୍ରାମଗୁଡିକରେ ଜନସଂଖ୍ୟାର ଘନତ୍ୱ କ୍ରମାଗତ ଭାବେ ହ୍ରାସ ପାଉଛି। ଦେଶର ଜନସଂଖ୍ୟାରେ ସନ୍ତୁଳନ ରକ୍ଷା ପାଇଁ ତଥା ଏଭଳି ସମସ୍ୟାର ମୁକାବିଲା ପାଇଁ ଜାପାନ ସରକାର ଏହି ଯୋଜନା ଆରମ୍ଭ କରିଛନ୍ତି। ବିଶ୍ୱର ବୃହତ୍ତମ ମହାନଗର, ଗ୍ରେଟର୍‌ ଟୋକିଓର ଜନସଂଖ୍ୟା ପ୍ରାୟ ୩.୫ କୋଟି। ନିର୍ଜନ ଅଞ୍ଚଳକୁ ପୁନର୍ଜୀବିତ କରିବା ପାଇଁ ଏହି ପ୍ରୟାସ ଏପରି ସମୟରେ କରାଯାଉଛି, ଯେଉଁ ସମୟରେ ଜାପାନର ଜନସଂଖ୍ୟାରେ ଏକ ବଡ଼ ଧରଣର ହ୍ରାସ ଘଟିଛି। ଯୋଜନା ଆଧାରରେ ଜାପାନ ସରକାର ଏପ୍ରିଲ ୨୦୧୯ରୁ ପ୍ରୋତ୍ସାହନ ଦେବା ଆରମ୍ଭ କରିଥିଲେ। ସେତେବେଳେ ଦୁଇ ପିଲା ଥିବା ଏକ ପରିବାରକୁ ପ୍ରୋତ୍ସାହନ ରାଶି ସ୍ବରୂପ ହାରାହାରି ସର୍ବାଧିକ ୧ଲକ୍ଷ ୟେନ୍‌ ପ୍ରଦାନ ପାଇଁ ନିଷ୍ପତ୍ତି ହୋଇଥିଲା। ଗତ କିଛି ବର୍ଷ ଧରି ଟୋକିଓର ଜନସଂଖ୍ୟା ଉଲ୍ଲେଖନୀୟ ଭାବେ ହ୍ରାସ ଘଟି ଚାଲିଲା। ନୀତି ନିର୍ମାତାଙ୍କ ମତରେ ସହରର ଜନସଂଖ୍ୟା କମ୍‌ କରିବା ପାଇଁ ଅଧିକ ପ୍ରୟାସ ଜରୁରୀ। ଏଥିସକାଶେ ଦେଶର ଅଜ୍ଞାତ ସହର ଏବଂ ଗ୍ରାମରେ ବସତି ସ୍ଥାପନ ପାଇଁ ଲୋକଙ୍କୁ ଉତ୍ସାହିତ କରିବାର ଆବଶ୍ୟକତା ରହିଛି। ଯେଉଁଠାରେ ଆଜି ଜନସଂଖ୍ୟା ହ୍ରାସ ଏବଂ ସ୍ଥାନାନ୍ତରଣ ଏକ ପ୍ରମୁଖ ସମସ୍ୟା ପାଲଟିଛି, ସେଠାରେ ଏହା ଅପରିହାର୍ଯ୍ୟ। ଏଭଳି ଅଞ୍ଚଳରୁ ସ୍ଥାନାନ୍ତରିତ ହେଉଥିବା ଲୋକମାନେ ପ୍ରାୟତଃ ଓସାକା ଏବଂ ଟୋକିଓରେ ବସବାସ କରୁଛନ୍ତି, ଯଦ୍ଦ୍ବାରା ଏଠାରେ ଲୋକସଂଖ୍ୟା ବଢିଚାଲିଛି।
ଟୋକିଓ ମହାନଗରୀର ୨୩ଟି ମୁଖ୍ୟ ୱାର୍ଡ ସହ ଅନ୍ୟାନ୍ୟ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ଏହି ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି। ଯେଉଁ ପରିବାର ଟୋକିଓ ସୀମାରେ ଅବସ୍ଥିତ ପାର୍ବତ୍ୟାଞ୍ଚଳରେ ବସତି ସ୍ଥାପନ କରି ଏକ ନୂତନ ଜୀବନ ଆରମ୍ଭ କରିବାକୁ ଆଗ୍ରହ ପ୍ରକାଶ କରିବେ ସେମାନେ ମଧ୍ୟ ଏହି ଯୋଜନାର ଲାଭ ଉଠାଇ ପାରିବେ। ନିୟମ ଅନୁଯାୟୀ ଏହି ଯୋଜନାର ଲାଭ ପାଇବାକୁ ଥିବା ପରିବାରକୁ ନିଶ୍ଚିତ ରୂପେ ଅତି କମ୍‌ରେ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ନିଜର ସେହି ନୂତନ ଘରେ ରହିବାକୁ ପଡିବ। ପୁଣି ସେଠାରେ ରୋଜଗାର ପାଇଁ ପରିବାରର ଜଣେ ସଦସ୍ୟଙ୍କୁ କୌଣସି କାର୍ଯ୍ୟ ଅବା ନୂତନ ବ୍ୟବସାୟ ଆରମ୍ଭ କରିବାକୁ ପଡିବ। ଯେଉଁ ପରିବାର ୫ବର୍ଷର ଅବଧି ପୂର୍ବରୁ ସେହି ସ୍ଥାନ ଛାଡି ଅନ୍ୟ ସ୍ଥାନକୁ ଚାଲିଯିବେ ସର୍ତ୍ତ ସ୍ବରୂପ ସେମାନଙ୍କୁ ଏହି ପ୍ରୋତ୍ସାହନ ରାଶି ଫେରସ୍ତ ଦେବାକୁ ହେବ। ଜନସଂଖ୍ୟା ହ୍ରାସର ଧାରାକୁ ଲଗାମ ଦେବା ପାଇଁ ଜାପାନ ପ୍ରଥମ ଥର ପାଇଁ ଏଭଳି ପଦକ୍ଷେପ ନେଇନାହିଁ, ତିନି ବର୍ଷ ପୂର୍ବେ ଜାପାନ ସରକାର ଏହିଭଳି ଏକ ଯୋଜନା ଆରମ୍ଭ କରିଥିଲେ। ଏଥର କିନ୍ତୁ ପ୍ରୋତ୍ସାହନ ରାଶିକୁ ଯଥେଷ୍ଟ ବୃଦ୍ଧି କରାଯାଇଛି। ପୂର୍ବରୁ ଏହାର ପରିମାଣ ୧ଲକ୍ଷରୁ ୩ ଲକ୍ଷ ୟେନ୍‌କୁ ବୃଦ୍ଧି ପାଇଥିଲା। ବର୍ତ୍ତମାନ ଏହା ସନ୍ତାନ ପ୍ରତି ୧୦ଲକ୍ଷ ୟେନ୍‌ ରହିଛି। ଜାପାନ ସରକାର ଆଗକୁ ମଧ୍ୟ ଏହାର ପରିମାଣ ବଢାଇ ପାରନ୍ତି।
୨୦୨୧ରେ ଏହି ଯୋଜନାରେ ୧,୧୮୪ ପରିବାରକୁ ପ୍ରୋତ୍ସାହନ ମିଳିଥିଲା। ସେହି ବର୍ଷ ଟେଲିୱାର୍କିଂ ଅର୍ଥାତ୍‌ ରିମୋଟ ୱାର୍କିଂର ପ୍ରଚଳନ ବୃଦ୍ଧି ପାଇଥିଲା। ୨୦୧୯ରେ ଏହି ଯୋଜନାର ହିତାଧିକାରୀଙ୍କ ସଂଖ୍ୟା ଥିଲା ମାତ୍ର ୭୧ । ୨୦୨୦ରେ ଏହା ୨୯୦କୁ ବୃଦ୍ଧି ପାଇଥିଲା। ୨୦୨୭ ସୁଦ୍ଧା ପ୍ରାୟ ୧୦ହଜାର ଲୋକଙ୍କୁ ଟୋକିଓ ନଗରୀରୁ ଗ୍ରାମାଞ୍ଚଳକୁ ସ୍ଥାନାନ୍ତରିତ ପାଇଁ ଜାପାନ ସରକାର ଲକ୍ଷ୍ୟ ରଖିଛନ୍ତି। ନୂତନ ଜନବସତି ସ୍ଥାପନ ପାଇଁ ଲୋକଙ୍କୁ ଆକର୍ଷିତ ସକାଶେ ଜାପାନ ସରକାର ଦେଶର ବିଭିନ୍ନ ଜନବିରଳ ଏବଂ ଗ୍ରାମୀଣ ଅଞ୍ଚଳରେ ଶିକ୍ଷାନୁଷ୍ଠାନ, ଉନ୍ନତ ଶିଶୁ ଯତ୍ନ କେନ୍ଦ୍ର, ଚିକିତ୍ସାଳୟ, ବିଜୁଳି, ପାନୀୟଜଳ ଯୋଗାଣ, ଯୋଗାଯୋଗ, ଗମନାଗମନ ଆଦି ମୌଳିକ ସୁବିଧାର ଉପଲବ୍ଧତା ଭଳି ଗ୍ରାମୀଣ ଜୀବନର ସୁବିଧାକୁ ଆଲୋକିତ କରୁଛନ୍ତି। ୨୦୨୦-୨୧ରେ ଜାପାନର ଜନସଂଖ୍ୟାରେ ରେକର୍ଡ ସଂଖ୍ୟକ ୬,୪୪,୦୦୦ ହ୍ରାସ ଘଟିଥିଲା। ଜାନୁୟାରୀରୁ ସେପ୍ଟେମ୍ବର ୨୦୨୨ ମଧ୍ୟରେ ଜାପାନରେ କେବଳ ୫,୯୯,୬୩୬ ଶିଶୁ ଜନ୍ମ ହୋଇଛନ୍ତି। ଅଧିକାଂଶ ଜାପାନୀ ଯୁବକ ଆଜି ବିବାହ କରିବା ଏବଂ ପରିବାର ଗଢିବା ଭଳି ସାମାଜିକ କାର୍ଯ୍ୟକଳାପରୁ ନିଜକୁ ଦୂରେଇ ରଖିବାକୁ ଚାହୁଁଛନ୍ତି। ଏହାର କାରଣ ନିଯୁକ୍ତିକୁ ନେଇ ଲାଗିରହିଥିବା ଅଚଳାବସ୍ଥା, ପରିବହନ ସମ୍ବନ୍ଧୀୟ ଅସୁବିଧା ଏବଂ ଜଟିଳ କର୍ପୋରେଟ କାର୍ଯ୍ୟ ସଂସ୍କୃତି। ଏଥିଯୋଗୁ ଉଭୟ ମାତାପିତାଙ୍କୁ କାମ କରିବା କଷ୍ଟକର ହେଉଛି।
ଏହି ଯୋଜନାରେ ଜାପାନର ୮୦ ପ୍ରତିଶତ ଅର୍ଥାତ୍‌ ପ୍ରାୟ ୧୩୦୦ ନଗରପାଳିକା ଅଂଶଗ୍ରହଣ କରିଛନ୍ତି। ଜାପାନ ସରକାରଙ୍କ ଏଭଳି ଅଭିନବ ପ୍ରୟାସ ଲୋକଙ୍କ ଚିନ୍ତାଧାରାରେ ପରିବର୍ତ୍ତନ ଆଣିବ ବୋଲି ଆଶା କରାଯାଉଛି। ମହାମାରୀ ସମୟରେ ଜାପାନୀଙ୍କ ମନୋଭାବରେ ବିରାଟ ପରିବର୍ତ୍ତନ ଆସିଥିଲା। ଗ୍ରାମାଭିମୁଖୀ ହେବାକୁ ସେମାନେ ଆଗ୍ରହ ପ୍ରକାଶ କରିଥିଲେ। ଯଦିଓ ଏହା ସମୟର ବାଧ୍ୟବାଧକତା ଥିଲା, କିନ୍ତୁ ନିଜ ସରକାରଙ୍କ ଅଭିନବ ଯୋଜନା ଆଜି ଜାପାନୀମାନଙ୍କୁ ଏ ଦିଗକୁ ଟାଣି ନେଉଛି। ଏହା ସଫଳ ହେଲେ ଜାପାନର ଜନସଂଖ୍ୟାରେ ସନ୍ତୁଳନ ଆସିବ।
ବୈପାରୀଗୁଡ଼ା, କୋରାପୁଟ
ମୋ: ୬୩୭୦୬୭୯୪୦୫


Enter your email to get our daily news in your inbox.

All Right Reserved By Dharitri.Com

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

ଏଇ ଭାରତରେ

ଏମ୍‌. ନାଗରାଜୈହ ବେଙ୍ଗାଲୁରୁର ବସ୍ତିରେ ରହୁଥିବା ପିଲାଙ୍କ ଭବିଷ୍ୟତ ଗଢ଼ିବା ଲାଗି ଚେଷ୍ଟା ଜାରି ରଖିଛନ୍ତି। ସେ ଅଧାରୁ ପାଠ ଛାଡ଼ିଦେଇଥିବା ଏବଂ ଶିଶୁ ଶ୍ରମିକ ଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri