ଜାପାନ ନେତ୍ରୀ

ର୍ବ ଏସିଆର ଦୀପ ଦେଶ ଜାପାନ ଗତ କିଛି ବର୍ଷ ହେବ ରାଜନୈତିକ ଅସ୍ଥିତିରତା ଦେଇ ଗତି କରୁଛି। ଶିଗେରୁ ଇଶିବା ପ୍ରଧାନମନ୍ତ୍ରୀ ପଦବୀରୁ ଇସ୍ତଫା ଦେବା ପରେ ସେଠାରେ ରାଜନୈତିକ ସଙ୍କଟ ଦେଖା ଦେଇଥିଲା। ୧୮ ସେପ୍ଟେମ୍ବର ୨୦୨୫ରେ ଶାସକ ଦଳ ଲିବେରାଲ ଡେମୋକ୍ରାଟିକ ପାର୍ଟି (ଏଲ୍‌ଡିପି)ର ସଭାପତି ପଦ ଲାଗି ରାଜନେତ୍ରୀ ସାନେ ତାକାଇଚି ତାଙ୍କ ପ୍ରାର୍ଥିତ୍ୱ ଘୋଷଣା କରିଥିଲେ। ହେଲେ ତାଙ୍କ ସହ ଲଢ଼ିବା ଲାଗି ଆଗେଇ ଆସିଥିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଜୁନିଚିରୋ କୋଇଜୁମିଙ୍କ ପୁଅ ତଥା କୃଷି ମନ୍ତ୍ରୀ ଶିଞ୍ଜିର କୋଇଜୁମି। ୪ ଅକ୍ଟୋବରରେ ନିର୍ବାଚନ ହୋଇ ଫଳାଫଳ ଆସିବା ପରେ ତାକାଇଚି ଏଲ୍‌ଡିପିର ସଭାପତି ନିର୍ବାଚିତ ହୋଇଛନ୍ତି ଓ ପ୍ରଥମ ମହିଳା ଭାବେ ଏଭଳି ପଦବୀ ପାଇ ଇତିହାସ ରଚିଛନ୍ତି। ଶାସକ ଦଳର ନେତ୍ରୀ ହେବା ପରେ ସେ ଜାପାନର ପ୍ରଧାନମନ୍ତ୍ରୀ ହେବା ଆଶାକରାଯାଉଛି। ଏଥିସହିତ ସେ ଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଥିବାରୁ ତାଙ୍କ ବ୍ୟକ୍ତିତ୍ୱ ବିଷୟରେ ଜାଣିବା ଲାଗି ଆଗ୍ରହ ରହିବା ସ୍ବାଭାବିକ।
ତାକାଇଚି ନାରା ସହରରେ ୭ ମାର୍ଚ୍ଚ ୧୯୬୧ରେ ଜନ୍ମଗ୍ରହଣ କରିଥିଲେ। ଟୟୋଟା ସହ ଅନୁବନ୍ଧିତ ଏକ ଅଟୋମୋବାଇଲ କମ୍ପାନୀରେ ତାଙ୍କ ପିତା କାର୍ଯ୍ୟ କରୁଥିଲେ ଓ ମାତା ନାରା ପ୍ରିଫେକ୍‌ଚୁରାଲ ପୋଲିସରେ ଥିଲେ ଜଣେ ଅଫିସର। ତାକାଇଚି କୋବେ ୟୁନିଭର୍ସିଟି ଅଧୀନ ଉନେବି ସିନିୟର ହାଇସ୍କୁଲରୁ ସ୍ନାତକ ଡିଗ୍ରୀ ଅର୍ଜନ କରିବା ସହ ମାତ୍‌ସୁଶିତା ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଗଭର୍ନମେଣ୍ଟ ଆଣ୍ଡ୍‌ ମ୍ୟାନେଜମେଣ୍ଟରୁ ଉଚ୍ଚ ଶିକ୍ଷା ଲାଭ କରିଥିଲେ। ୧୯୮୭ରେ ମାତ୍‌ସୁଶିତା ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଗଭର୍ନମେଣ୍ଟ ଆଣ୍ଡ୍‌ ମ୍ୟାନେଜମେଣ୍ଟ ତାଙ୍କୁ ଆମେରିକାର ଡେମୋକ୍ରାଟିକ୍‌ ପାର୍ଟିର ନେତ୍ରୀ ପାଟ୍‌ ସ୍କ୍ରେଏଡେରଙ୍କ ନିକଟରେ କାମ କରିବା ଲାଗି ପଠାଇଥିଲା। ରାଜନୀତିରେ ଅଭିଜ୍ଞତା ଅର୍ଜନ କରି ୧୯୮୯ରେ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିବା ପରେ ତାଙ୍କ ପ୍ରତିଭା ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ କରିଥିଲା। ଆମେରିକା ରାଜନୀତି ଉପରେ ଜ୍ଞାନ ହାସଲ କରି ଲେଜିସଲେଟିଭ୍‌ ଆନାଲିଷ୍ଟ ଭାବେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ। ତାଙ୍କ ଅଭିଜ୍ଞତାକୁ ନେଇ ସେ ଲେଖିଲେ ଅନେକ ପୁସ୍ତକ। ୧୯୮୯ ମାର୍ଚ୍ଚରେ ଟେଲିଭିଜନ ଉପସ୍ଥାପିକା ଭାବେ ସେ ମଧ୍ୟ ଲୋକପ୍ରିୟତା ଅର୍ଜନ କରିଥିଲେ। ଲଲାଟରେ ଷଠୀ ଯାହା ଲେଖିଦେଇଥିବେ ତାହାକୁ ଲିଭାଇବାର ବଳ କାହା ପାଖରେ ନ ଥାଏ ବୋଲି କୁହାଯାଇଥାଏ। ତାକାଇଚି ୧୯୯୩ରେ ରାଜନୀତିକୁ କ୍ୟାରିୟର କରିବାକୁ ଆଗେଇ ଆସିଲେ। ସେହି ବର୍ଷ ସେ ଜାପାନ ସାଧାରଣ ନିର୍ବାଚନରେ ଜଣେ ସ୍ବାଧୀନ ପ୍ରାର୍ଥୀ ଭାବେ ବିଜୟ ଲାଭ କରିଥିଲେ। ତା’ ପରେ ତାଙ୍କ ବିଜୟ ଜାରି ରହିଥିଲା। ୨୦୦୩ରେ ସାଧାରଣ ନିର୍ବାଚନରେ ପରାଜିତ ହେବା ପରେ ସେଠାକାର ସଂସଦ (ଡାଏଟ୍‌) ବାହାରେ ରହିଥିଲେ। ଦୃଢ଼ମନା ତାକାଇଚି ପରେ କିନ୍‌କି ବିଶ୍ୱବିଦ୍ୟାଳୟରେ ଅର୍ଥନୀତି ବିଭାଗର ଫାକଲ୍ଟି ହୋଇଥିଲେ। ସେ ପୁନଶ୍ଚ ସଂସଦକୁ ନିର୍ବାଚିତ ହୋଇ ବିଜ୍ଞାନ ଓ ପ୍ରଯୁକ୍ତି ନୀତି, ଯୁବ ବ୍ୟାପାର ଓ ଲିଙ୍ଗ ସମାନତାଠାରୁ ଆରମ୍ଭ କରି ଦୁଇଥର ଆଭ୍ୟନ୍ତରୀଣ ବ୍ୟାପାର ଓ ଯୋଗାଯୋଗ ଏବଂ ଅର୍ଥନୈତିକ ସୁରକ୍ଷା ମନ୍ତ୍ରୀ ହେବାର ଗୌରବ ଅର୍ଜନ କରିଥିଲେ। ଦକ୍ଷିଣପନ୍ଥୀ ଚିନ୍ତାଧାରା ପାଇଁ ଜଣାଶୁଣା ହେଲେ ମଧ୍ୟ ସେ ଜଣେ ଉତ୍ତମ ନୀତି ପ୍ରଣେତା ଭାବେ ପରିଚିତ। ଜାପାନର ଅର୍ଥନୀତି ଓ ପ୍ରତିରକ୍ଷା ରଣନୀତିରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି।
ତାଙ୍କର ରାଜନୈତିକ ପରିଚୟ ପାରମ୍ପରିକ ମୂଲ୍ୟବୋଧ ଏବଂ ବୈଷୟିକ ଉତ୍କର୍ଷର ଏକ ମିଶ୍ରଣ ବୋଲି କୁହାଯାଉଛି। ନିଜର ସ୍ପଷ୍ଟ ମତ ପ୍ରକାଶ କରୁଥିବାରୁ ସେ ଉଭୟ ଖାଣ୍ଟି ସମର୍ଥକ ଏବଂ ସମାଲୋଚକ ସୃଷ୍ଟି କରିଛନ୍ତି। ତାକାଇଚି ଦଶନ୍ଧି ଧରି କ୍ଷମତା ପାଇଁ ନିଜକୁ ପ୍ରସ୍ତୁତ କରିପାରିଥିବାରୁ ଆଜି ନିଜକୁ ଦକ୍ଷ ବୋଲି ପ୍ରମାଣିତ କରିଛନ୍ତି। କଠିନ ପରିଶ୍ରମ କରି ଏଲ୍‌ଡିପିରେ ସେ ଉଚ୍ଚ ପଦବୀ ଅର୍ଜନ କରିବା ସହ ପୂର୍ବତନ ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେଙ୍କର ଘନିଷ୍ଠ ସହଯୋଗୀ ହୋଇଥିଲେ। ବ୍ରିଟେନ୍‌ର ପୂର୍ବତନ ପ୍ରଧାନମନ୍ତ୍ରୀ ମାର୍ଗାରେଟ୍‌ ଥାଚରଙ୍କ ସେ ଜଣେ ପ୍ରଶଂସିକା। ସହଯୋଗୀମାନେ ତାଙ୍କ ବ୍ୟକ୍ତିତ୍ୱକୁ ବର୍ଣ୍ଣନା କରିବାକୁ ଯାଇ କହିଛନ୍ତି ଯେ, ତାକାଇଚି କୌଣସି କାର୍ଯ୍ୟ କରିବା ପୂର୍ବରୁ ପ୍ରତିଟି କାଗଜପତ୍ରକୁ ପଢ଼ିଥାଆନ୍ତି ଓ ବୈଠକରେ ଯୋଗ ଦେବା ପୂର୍ବରୁ ପୂର୍ଣ୍ଣ ତଥ୍ୟ ଧାରଣ କରି ଉପସ୍ଥିତ ହୁଅନ୍ତି। ସ୍ବୟଂ-ପ୍ରତିରକ୍ଷା ବାହିନୀର ଭୂମିକା ଓ ନାମକୁ ଶକ୍ତିଶାଳୀ କରି ଜାପାନର ଶାନ୍ତିବାଦୀ ସମ୍ବିଧାନର ଅନୁଚ୍ଛେଦ ୯କୁ ସଂଶୋଧନ କରିବା, ଗଣମାଧ୍ୟମର ନିରପେକ୍ଷତା ଉପରେ ସେ ଜୋର ଦେବା ତାଙ୍କ ଲକ୍ଷ୍ୟ ରହିଛି। ଏକ ସାକ୍ଷାତ୍‌କାରରେ ସେ ଟ୍ରମ୍ପ୍‌ ଯୁଗର ଟାରିଫ୍‌କୁ ଜାପାନ ପାଇଁ ‘ମଡର୍ନ ବ୍ଲାକ ଶିପ୍‌ ମୋମେଣ୍ଟ’ ଭାବେ ଅଭିହିତ କରି ଏଭଳି ଆର୍ଥିକ କଟକଣା ଏକ ବାହ୍ୟ ଆଘାତ ହୋଇଥିଲେ ହେଁ ଆଭ୍ୟନ୍ତରୀଣ ସଂସ୍କାରର ଅପେକ୍ଷା ରଖେ ବୋଲି କହିଛନ୍ତି। ତାକାଇଚିଙ୍କ ବ୍ୟକ୍ତିତ୍ୱକୁ ଆହୁରି ତର୍ଜମା କଲେ ସେ ଜଣେ ଦକ୍ଷ ସମ୍ପର୍କ ସ୍ଥାପନକାରୀ ହୋଇଥିବାରୁ ସୋସିଆଲ ମିଡିଆ ଓ ଏପରିକି ୟୁଟ୍ୟୁବ୍‌ ମାଧ୍ୟମରେ ଜନସାଧାରଣଙ୍କୁ ସିଧାସଳଖ ନୀତି ବିଷୟରେ ବୁଝାଇଥାନ୍ତି। ଏହାସତ୍ତ୍ୱେ ଜାପାନ ରାଜନୀତି ଏବେ ଯେଉଁ ସଙ୍କଟରେ ଛିଡ଼ା ହୋଇଛି, ତାହାକୁ ସେ କିଭଳି ପରିଚାଳନା କରିବେ ଦାୟିତ୍ୱ ନେବା ପରେ ଜଣାପଡ଼ିବ।
ତାକାଇଚିଙ୍କ ବ୍ୟକ୍ତିଗତ ଜୀବନ କହିଲେ ପ୍ରତିନିଧି ସଭାର ସଦସ୍ୟ ଥିବା ଟାକୁ ୟାମାମୋଟୋଙ୍କୁ ସେ ୨୦୦୪ରେ ବିବାହ କରିଥିଲେ। ଉଭୟଙ୍କର କୌଣସି ପିଲା ନ ଥିଲା। ତାଙ୍କ ସ୍ବାମୀଙ୍କ ପୂର୍ବ ବିବାହରୁ ଜନ୍ମିତ ୩ ସନ୍ତାନକୁ ସେ ପୌଷ୍ୟ କରି ଆଣିଥିଲେ। ୨୦୧୭ରେ ଉଭୟ ବିବାହ ବିଚ୍ଛେଦ କରିବାକୁ ରାଜି ହୋଇଥିଲେ। ରାଜନୈତିକ ମତାଦର୍ଶ ଏହି ବିଚ୍ଛେଦର କାରଣ ବୋଲି ସେ ଦର୍ଶାଇଥାଆନ୍ତି। କୌତୂହଳ କ୍ରମେ ୨୦୨୧ରେ ଉଭୟେ ପୁଣି ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

ଏଇ ଭାରତରେ

ଏମ୍‌. ନାଗରାଜୈହ ବେଙ୍ଗାଲୁରୁର ବସ୍ତିରେ ରହୁଥିବା ପିଲାଙ୍କ ଭବିଷ୍ୟତ ଗଢ଼ିବା ଲାଗି ଚେଷ୍ଟା ଜାରି ରଖିଛନ୍ତି। ସେ ଅଧାରୁ ପାଠ ଛାଡ଼ିଦେଇଥିବା ଏବଂ ଶିଶୁ ଶ୍ରମିକ ଭାବରେ…

ସିନ୍ଥେଟିକ ବୁଦ୍ଧିମତ୍ତା

ସଭ୍ୟତାକୁ ଗତିଶୀଳ କରିଥିବା ସବୁଠାରୁ ବଡ଼ ଉଦ୍ଭାବନ ହେଉଛି ଚକ। ଇତିହାସବିତ୍‌ଙ୍କ ମତରେ ଆଜି ଆମେ ଯେଉଁ ଦ୍ରୁତଗତି ସମାଜରେ ବାସ କରୁଛୁ, ତାହାର ମୂଳରେ ରହିଛି…

ବାଲ୍ୟକାଳ ବାହୁଡ଼ି ନ ଆସୁ

ସୁପ୍ରସିଦ୍ଧ ଗଜଲ ଗାୟକ ଜଗଜ୍ଜିତ ସିଂହଙ୍କର ସେଇ କାଳଜୟୀ ଗଜଲଟିର ଅନୁବାଦ ଯଦି ଆମ ଭାଷାରେ କରାଯାଏ, ତେବେ ତାହାର ଶବ୍ଦରୂପ ବୋଧହୁଏ ଏମିତି କିଛି ହେବ-…

ଅନଶନ ସହଜ ନୁହେଁ

ଏନ୍‌ଇଇଟି ପରୀକ୍ଷାରେ ଅନିୟମିତତା ଓ ଶିକ୍ଷା ବ୍ୟବସ୍ଥାରେ ଅସଙ୍ଗତି ଦେଖାଦେଇଥିବାରୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ନୂଆଦିଲ୍ଲୀର ଯନ୍ତ୍ରରମନ୍ତରରେ ୨୧ ଦିନ ଆମରଣ ଅନଶନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri