ଜାନକୀଙ୍କ କାହାଣୀକାର

ଆଲ୍ଲାହାବାଦର ହିନ୍ଦୁସ୍ଥାନୀ ଗାୟିକା ଜାନକୀ ବାଈ ବିଂଶଶତାବ୍ଦୀର ଦ୍ୱିତୀୟ ଦଶନ୍ଧିରେ ଗ୍ରାମୋଫୋନ୍‌ କମ୍ପାନୀ ମାନ୍ୟତାପ୍ରାପ୍ତ ଉଚ୍ଚକୋଟୀର କଳାକାର ଥିଲେ। ତାଙ୍କ ସଙ୍ଗୀତ ଯାତ୍ରାର କାହାଣୀ ଶୁଣିଲେ ଆଶ୍ଚର୍ଯ୍ୟ ହେବାକୁ ପଡ଼େ। ୧୮୮୦ରେ ଜନ୍ମିତ ଜାନକୀ ପିଲାବେଳୁ ପିତାଙ୍କ ସ୍ନେହ ପାଇ ନ ଥିଲେ। ତାଙ୍କୁ ଓ ମାତାଙ୍କୁ ଛାଡ଼ି ପିତା ଅନ୍ୟତ୍ର ଚାଲିଯିବା ପରେ ଦୁହେଁ ସାହସ ହରାଇ ନ ଥିଲେ। ମାତା ମାନ୍‌କୀ ଝିଅକୁ ସମାଜରେ ପ୍ରତିଷ୍ଠିତ କରିବାକୁ ଲାଗି ପଡ଼ିଲେ। ଜାନକୀଙ୍କ କଣ୍ଠସ୍ବର ଅତି ସୁନ୍ଦର ଥିବାରୁ ସେ ତାଙ୍କୁ ବିଭିନ୍ନ ମଞ୍ଚରେ ନେଇ ପହଞ୍ଚାଉଥିଲେ। ପାଠପଢ଼ା ସହ ତାଙ୍କ ସଙ୍ଗୀତ ପ୍ରତିଭା ଦିଗବିଦିଗ ହେଲା। ୧୯୦୭ରେ ତାଙ୍କ ଗୀତର ରେକର୍ଡିଂ ଆରମ୍ଭ ହେଲା। ପ୍ରଥମେ ୨୦ଟି ଗୀତ ପାଇଁ ତାଙ୍କୁ ୨୫୦ ଟଙ୍କା ମିଳୁଥିଲା। କିନ୍ତୁ ପରବର୍ତ୍ତୀ ବର୍ଷ ୨୪ଟି ଗୀତ ଗାଇ ସେ ୯୦୦ ଟଙ୍କା ରୋଜଗାର କରିଥିଲେ। ତାଙ୍କ ସ୍ବର ଗ୍ରାମୋଫୋନ୍‌ କମ୍ପାନୀ ପାଖରେ ପହଞ୍ଚିଲା ପରେ ସେ ସେଲିବ୍ରିଟି ମାନ୍ୟତା ପାଇଗଲେ। ୧୯୧୩ରେ ବାଇଗଣୀ ରଙ୍ଗର ଗ୍ରାମୋଫୋନ୍‌ କନ୍‌ସର୍ଟ ରେକର୍ଡ ତାଙ୍କ ନାମରେ ମୁକ୍ତିଲାଭ କଲା। ଉଲ୍ଲେଖଯୋଗ୍ୟ, ଭାଓଲେଟ୍‌ କଲର୍‌ କନସର୍ଟ ରେକର୍ଡ ଗ୍ରାମୋଫୋନ୍‌ କମ୍ପାନୀ କେବଳ ନିର୍ଦ୍ଦିଷ୍ଟ କଳାକାରଙ୍କ ପାଇଁ ସର୍ବୋଚ୍ଚ ମାନ୍ୟତା ଦେଇ ପ୍ରସ୍ତୁତ କରିଥାଏ। ଗୀତ ଗାଇବା ସହ ନୃତ୍ୟରେ ମଧ୍ୟ ଜାନକୀ ପାରଙ୍ଗମ ଥିଲେ। ଏଥିସହିତ ଇଂଲିଶ, ସଂସ୍କୃତ ଓ ପାର୍ସୀ ଭାଷାରେ ଦକ୍ଷତା ଅର୍ଜନ କରିଥିଲେ। ବିଭିନ୍ନ ଗଜଲ ଗାଇଲା ବେଳେ ଉର୍ଦ୍ଦୁ ଭାଷାର ପ୍ରକୃତ ଉଚ୍ଚାରଣ ତାଙ୍କ ସ୍ବରରୁ ସ୍ପଷ୍ଟ ବାରିହୋଇପଡ଼ୁଥିଲା। ‘ରୁମ୍‌ଝୁମ୍‌ ବଦର୍ଭା ବର୍‌ସେ’ ତାଙ୍କୁ ଲୋକପ୍ରିୟତା ଆଣିଦେଇଥିଲା। ସଙ୍ଗୀତଭିତ୍ତିକ କାର୍ଯ୍ୟକ୍ରମରେ ‘ମେରା ନାମ୍‌ ଜାନକୀ ବାଈ ଆଲ୍ଲାହାବାଦ’ ଭାବେ ତାଙ୍କୁ ନିଆରା ଢଙ୍ଗରେ ଉପସ୍ଥାପିତ କରାଯାଉଥିଲା।
ପିତା ଅସହାୟ ଅବସ୍ଥାରେ ଛାଡ଼ିଦେବାର ଦୁଃଖ ସହ ଆଉ ଏକ ଯନ୍ତ୍ରଣା ଜାନକୀଙ୍କୁ ଦୁଃଖୀ କରାଇ ଦେଇଥିଲା। ଶୁଣିବାକୁ ମିଳେ ଜଣେ ବ୍ୟକ୍ତି ତାଙ୍କୁ ନିଜର କରିବାକୁ ପ୍ରସ୍ତାବ ଦେଇଥିଲେ ହେଁ ସେ ତାହାକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ। ପ୍ରତିଶୋଧ ପରାୟଣ ହୋଇ ସମ୍ପୃକ୍ତ ବ୍ୟକ୍ତି ଜାନକୀଙ୍କୁ ୫୬ ଥର ଛୁରିରେ ଭୁସିିଥିଲେ, ଯେଉଁଥିରେ ତାଙ୍କ ସୁନ୍ଦର ମୁହଁ ବିକୃତ ହୋଇଯାଇଥିଲା। ଆଉ ଏକ କାହାଣୀ କହେ ତାଙ୍କ ସାବତ ମା’ ଓ ତାଙ୍କ ପ୍ରେମିକ ଆପତ୍ତିଜନକ ଅବସ୍ଥାରେ ଥିବା ଜାନକୀ ଦେଖିଦେବା ପରେ ସେମାନେ ତାଙ୍କୁ ୫୬ ଥର ଛୁରି ଭୁସିିଥିଲେ। ହେଲେ ଏହି ଯନ୍ତ୍ରଣା ତାଙ୍କ ସଙ୍ଗୀତ ଯାତ୍ରାକୁ ପ୍ରଭାବିତ କରିପାରି ନ ଥିଲା। ପୁଣି ଜାନକୀଙ୍କ ବ୍ୟକ୍ତିଗତ ଜୀବନ ମଧ୍ୟ ଭଲ ନ ଥିଲା। ସେ ଆଲ୍ଲାହାବାଦର ଓକିଲ ଶେଖ ଅବଦୁଲ ହକ୍‌ଙ୍କୁ ବିବାହ କରିଥିଲେ। ହେଲେ ସେ ତାଙ୍କୁ ଠକି ଦେଇ ଚାଲିଯାଇଥିଲେ। ଏହିଭଳି ଅନେକ ସମସ୍ୟା ତାଙ୍କୁ ମାନସିକ ଯନ୍ତ୍ରଣା ଦେଇଥିଲା। ତଥାପି ଦୃଢ଼ମନା ହୋଇ ସେ ଗୀତରେ ମନ ଦେଇଥିଲେ। ସମୟ ଏମିତି ଆସିଥିଲା, ଯେତେବେଳେ ତାଙ୍କ ଗୀତର ରେକର୍ଡ ୨୫ ହଜାର କପି ବିକ୍ରି ହୋଇ ସମସାମୟିକ ଗାୟିକାଙ୍କୁ ପଛରେ ପକାଇ ଦେଇଥିଲା। ଶେଷରେ ବସ୍ତୁବାଦୀ ଦୁନିଆରୁ ମୁହଁ ଫେରାଇ ଆଲ୍ଲାହାବାଦଠାରେ ସେ ଦାତବ୍ୟ ଅନୁଷ୍ଠାନ ଗଢ଼ିଲେ; ଯାହା ମାଧ୍ୟମରେ ଗରିବ ପିଲାଙ୍କୁ ପାଠ ପଢ଼ିବା ଲାଗି ଆର୍ଥିକ ସହାୟତା ଦେବା, ଅସହାୟଙ୍କୁ କମ୍ବଳ ବଣ୍ଟନ, ମନ୍ଦିର ଓ ମସ୍‌ଜିଦ୍‌କୁ ଦାନ ଏବଂ ବିନା ମୂଲ୍ୟରେ ଖାଦ୍ୟ ଯୋଗାଇଦେବାର ବ୍ୟବସ୍ଥା କରାଇଥିଲେ। ୧୮ ମେ ୧୯୩୪ରେ ଜାନକୀଙ୍କର ଆଲ୍ଲାହାବାଦଠାରେ ମୃତ୍ୟୁ ଘଟିଥିଲା।
ଉପରଲିଖିତ ଜାନକୀଙ୍କ ଜୀବନଯାତ୍ରା ବିଷୟରେ କ୍ୱଚିତ ଜାଣିଥିବେ। ତେବେ ଏହି ବିଷୟକୁ ସୂକ୍ଷ୍ମ ଭାବେ ନିଜ ଉପନ୍ୟାସ ‘ରେକିଏମ୍‌ ଇନ୍‌ ରାଗ ଜାନ୍‌କୀ’ରେ ସ୍ଥାନ ଦେଇ ଇଂଲିଶ ଭାଷାର ଭାରତୀୟ ଔପନ୍ୟାସିକା ନିଲୁମ ସରନ୍‌ ଗୌର ଚଳିତବର୍ଷର କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବେ ବୋଲି ମନୋନୀତ ହୋଇଛନ୍ତି। ଶତାବ୍ଦୀ ପୂର୍ବର ଏକ ବାସ୍ତବ କାହାଣୀକୁ ନିଲୁମ ଯେଭଳି ଭାବେ ପୁସ୍ତକରେ ସ୍ଥାନ ଦେଇଛନ୍ତି, ତାହା ଏବେ ପରୋକ୍ଷରେ ଔପନ୍ୟାସିକାଙ୍କ ବ୍ୟକ୍ତିତ୍ୱକୁ ଚର୍ଚ୍ଚାକୁ ଆଣିଛି।
ନିଲୁମ ଉତ୍ତର ପ୍ରଦେଶର ଆଲ୍ଳାହାବାଦଠାରେ ୧୨ ଅକ୍ଟୋବର ୧୯୫୫ରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ମା’ ବଙ୍ଗଳାର ଥିବା ବେଳେ ପିତା ହିନ୍ଦୀଭାଷୀ। ଫଳରେ ତାଙ୍କ ଉପରେ ପିଲାଦିନୁ ବହୁବିଧ ଭାଷା ଓ ସଂସ୍କୃତିର ପ୍ରଭାବ ପଡ଼ିଥିଲା। ରୋମାନ୍‌ କାଥ୍‌ଲିକ୍‌ ନନ୍‌ମାନଙ୍କ ଦ୍ୱାରା ପରିଚାଳିତ ସେଣ୍ଟ ମେରୀ କନ୍‌ଭେଣ୍ଟ ଇଣ୍ଟର କଲେଜରୁ ପଢ଼ା ଶେଷ କରିବା ପରେ ନିଲୁମ ଆଲ୍ଲାହାବାଦ ବିଶ୍ୱବିଦ୍ୟାଳୟରେ ଇତିହାସ, ଦର୍ଶନଶାସ୍ତ୍ର ଓ ଇଂଲିଶ ଭାଷା ପଢ଼ିଥିଲେ। ୧୯୭୭ରେ ସେ ଆଲ୍ଲାହାବାଦ ବିଶ୍ୱବିଦ୍ୟାଳୟର ଇଂଲିଶ ବିଭାଗରେ ଅଧ୍ୟାପିକା ଭାବେ ନିଯୁକ୍ତ ହୋଇଥିଲେ। ଭାରତୀୟ ସାହିତ୍ୟ ପତ୍ରିକାରେ ନିଲୁମଙ୍କ କ୍ଷୁଦ୍ରଗଳ୍ପ କ୍ରମାଗତ ପ୍ରକାଶ ପାଇ ପାଠକୀୟ ଆଦୃତିଲାଭ କରିଥିଲା। ଲେଖିକାଙ୍କ ଗଳ୍ପ ପଢ଼ିବା ପରେ ‘ପେଙ୍ଗୁଇନ୍‌ ଇଣ୍ଡିଆ’ର ପରିଚାଳନା ନିର୍ଦ୍ଦେଶକ ଡାଭିଡ୍‌ ଡାଭିଡର ତାଙ୍କୁ ଏକ ପୁସ୍ତକ ପ୍ରକାଶ କରିବାକୁ ପ୍ରସ୍ତାବ ଦେଇଥିଲେ। ଫଳରେ ୧୯୯୩ରେ ପେଙ୍ଗୁଇନ୍‌ ଇଣ୍ଡିଆ ନିଲୁମଙ୍କ ପ୍ରଥମ ପୁସ୍ତକ ‘ଗ୍ରେ ପିଜିଅନ୍‌ ଆଣ୍ଡ୍‌ ଅଦର ଷ୍ଟୋରିଜ୍‌’ ପ୍ରକାଶ କରିଥିଲା। ଏହା ପରେ ସେ ଚାର୍ଲସ୍‌ ଇଣ୍ଡିଆ ତରଫରୁ ବ୍ରିଟେନ୍‌ର ରାଇଟର୍ସ ଫେଲୋଶିପ୍‌ ପାଇଥିଲେ। ୧୯୯୫ରେ ପେଙ୍ଗୁଇନ୍‌ ତାଙ୍କ ପରବର୍ତ୍ତୀ ପୁସ୍ତକ ‘ସ୍ପିକିଂ ଅଫ୍‌ ୬୨’ ଉପନ୍ୟାସ ପ୍ରକାଶ କରିଥିଲା। ୫ ଉପନ୍ୟାସ, ୪ କ୍ଷୁଦ୍ରଗଳ୍ପ ସଙ୍କଳନ ଓ ଗୋଟିଏ ତଥ୍ୟାତ୍ମକ ବା ବାସ୍ତବଧର୍ମୀ (ନନ୍‌ଫିକ୍ସନ) ସାହିତ୍ୟ ପୁସ୍ତକ ରଚନା କରି ନିଲୁମ ଭାରତୀୟ ଇଂଲିଶ ସାହିତ୍ୟରେ ନିଜ ସ୍ବତନ୍ତ୍ର ସ୍ଥାନ ବଜାୟ ରଖିଛନ୍ତି। ଏଥିସହିତ ବିଭିନ୍ନ ଚୟନିକାରେ ତାଙ୍କ ଅନେକ ସନ୍ଦର୍ଭ ପ୍ରକାଶ ପାଇଛି। ନିଲୁମଙ୍କ ଅନେକ ଲେଖାରେ ଆଲ୍ଲାହାବାଦ ଗୁରୁତ୍ୱ ବହନ କରିଆସିଛି। ଏପରି କି ‘ଦି ହିନ୍ଦୁସ୍ତାନ ଟାଇମ୍ସ’ର ଆଲ୍ଲାହାବାଦ ପେଜ୍‌ରେ ହାସ୍ୟରସାତ୍ମକ ସ୍ତମ୍ଭ ଲେଖି ସେ ବେଶ୍‌ ଆଦୃତ ହୋଇଛନ୍ତି। ସାହିତ୍ୟ ଏକାଡେମୀ ପକ୍ଷରୁ ‘ସୃଜନାତ୍ମକ ଲେଖା କର୍ମଶାଳା’କୁ ସେ ସୁଚାରୁରୂପେ ପରିଚାଳନା କରିଛନ୍ତି। ବିବିସି ଟେଲିଭିଜନ ଧାରାବାହିକୀ ‘ହୁ ଡୁ ୟୁ ଥିଙ୍କ୍‌ ୟୁ ଆର୍‌’ ପାଇଁ ମଧ୍ୟ ସେ କାମ କରିଛନ୍ତି। ତାଙ୍କ ଉପନ୍ୟାସ ‘ସିକନ୍ଦର ଚୌକ ପାର୍କ’ ଚେକ୍‌ ରିପବ୍ଲିକ୍‌ର ଚାର୍ଲସ ୟୁନିଭର୍ସିଟି ପ୍ରାଗ୍‌ରେ ସ୍ନାତକୋତ୍ତର ପାଠ୍ୟକ୍ରମରେ ପଢ଼ିବାର ସୁଯୋଗ ସୃଷ୍ଟି କରାଯାଇଛି। ଅନୁରୂପ ଭାବେ ଏଠାରେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି)ର ପାଠଶାଳା ପ୍ରୋଜେକ୍ଟରେ ତାଙ୍କ ଗଳ୍ପ ‘ଏ ଲେନ୍‌ ଇନ୍‌ ଲକ୍ଷ୍ନୌ’ ସ୍ଥାନ ପାଇଛି।
– ଜିତେନ୍ଦ୍ର କୁମାର ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri