Posted inଫୁରସତ

ନିଆରା ମଣିଷ

ସବୁ ମଣିଷ ସମାନ । ହେଲେ କେବେ କାହାର ନିଆରା କର୍ମ ତ କେବେ କୌଣସି ନିଆରା ସଉକ ଜଣେ ବ୍ୟକ୍ତିଙ୍କୁ ଅନ୍ୟମାନଙ୍କଠୁ ଭିନ୍ନ କରିଥାଏ । ଆଉ ଏହି ଭିନ୍ନତା ହିଁ ତାଙ୍କୁ ଦେଇଥାଏ ଏକ ସ୍ବତନ୍ତ୍ର ପରିଚୟ …

ଅଦରକାରୀ ଜିନିଷରେ ପଟଚିତ୍ର
ଭାଗ୍ୟଶ୍ରୀ ସାହୁ। ଘର ରାଉରକେଲା। ତାଙ୍କ ଆଖିରେ କୌଣସି ଜିନିଷ ଅଦରକାରୀ ନୁହେଁ। ସେ ପ୍ରତିଟି ଅଦରକାରୀ ଜିନିଷକୁ ସୁନ୍ଦର ପଟଚିତ୍ର କଳାରେ ରୂପାନ୍ତରିତ କରିଦେଇପାରନ୍ତି। ଆଉ ଏଇ ନିଶା ପାଇଁ ଏବେ ସେ ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସ୍‌ରେ ସ୍ଥାନ ବି ପାଇଛନ୍ତି। ସେ କୁହନ୍ତି, ‘୨୦୧୯, ଢେଙ୍କାନାଳ, ସରାଙ୍ଗରେ ଏମ୍‌ଟେକ୍‌ ପଢ଼ିବାବେଳେ ସେଠାରେ ପ୍ରବାହିତ ବ୍ରାହ୍ମଣୀ ନଦୀକୂଳରୁ ମୁଁ ସୁନ୍ଦର ସୁନ୍ଦର ମସୃଣ ପଥର ସଂଗ୍ରହ କରୁଥିଲି। ଆଉ ଅବସର ସମୟରେ ତା’ ଉପରେ ବିଭିନ୍ନ ପ୍ରକାରର ଚିତ୍ର କରିବା ଆରମ୍ଭ କରିଥିଲି। ସେସବୁ ମୁଁ ସଉକରେ କରୁଥିଲି। ହେଲେ ଲକ୍‌ଡାଉନ୍‌ ବେଳେ ନିଜ ସହର ରାଉରକେଲାକୁ ଚାଲି ଆସିବା ପରେ ଘରେ ବସି ବସି ମୋର ସମୟ କଟୁ ନ ଥିଲା। ଏଣେ ସରାଙ୍ଗରେ ମିଳୁଥିବା ପଥର ରାଉରକେଲାରେ ମିଳିଲା ନାହିଁ। ତେଣୁ ଘରେ ଅଦରକାରୀଭାବେ ପଡି ରହିଥିବା ଜିନଷରେ ପଟଚିତ୍ର କରିବା ଆରମ୍ଭ କଲି। ମୁଁ ପଟଚିତ୍ର କଳା ଶିଖିନି ହେଲେ ଛୋଟବେଳୁ ଚିତ୍ର କରିବାର ଆଗ୍ରହ ଥିବାରୁ ବିଭିନ୍ନ ପଟଚିତ୍ର ଦେଖି ଏହା ଉପରେ କିଛି ଧାରଣା ଆସିଯାଇଥିଲା। ତେଣୁ ଘରର ଅଦରକାରୀ ଜିନିଷ ଉପରେ ପଟଚିତ୍ର କରି ତାକୁ ନୂଆ ରୂପ ଦେବାକୁ ଚେଷ୍ଟା କଲି। ବିଶେଷ କରି ଶ୍ରୀଜଗନ୍ନାଥଙ୍କ ପଟଚିତ୍ର ମୁଁ କରିଥାଏ। ଫ୍ୟୁଜ୍‌ ହୋଇଯାଇଥିବା ବଲ୍‌୍‌ବ, ପୁରୁଣା ଲ୍ୟାମ୍ପ, ମୋବାଇଲ କଭର୍‌, କାଠର ମାଳି, ଫାଇବର ପ୍ଲେଟ୍‌, ପ୍ଲାଏ, କାଚ ବୋତଲ, ବୋତଲ ଠିପି, ଛୋଟ ଶଙ୍ଖ, ଶୁଖିଲା ପତ୍ର, ତୁଳସୀ ପତ୍ର ଆଦିରେ ମୁଁ ଜଗନ୍ନାଥଙ୍କ ପଟଚିତ୍ର କରିଛି। ଲକ୍‌ ଡାଉନ୍‌ବେଳେ ଏଭଳି ପଟଚିତ୍ର କରି ମୁଁ ମୋ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ତା’ର ଫଟୋ ଶେୟାର୍‌ ବି କରୁଥିଲି। ଲୋକେ ଏହାକୁ ଦେଖି କିଣିବାକୁ ଆଗ୍ରହ ପ୍ରକାଶ କଲେ। ଆଉ ମୋ ଆର୍ଟର ବିକ୍ରି ଆରମ୍ଭ ହେଲା। ଖାସ୍‌କରି ପେବଲ୍‌ସ ଉପରେ କରୁଥିବା ପଟଚିତ୍ରର ଅଧିକ ଚାହିଦା ରହିଛି। ଲକ୍‌ଡାଉନ୍‌ ସମୟକୁ ସଦୁପଯୋଗ କରିବା ସହ ସୋସିଆଲ ମିଡିଆରେ ମୋ କଳା ସାହାଯ୍ୟରେ ଓଡ଼ିଶାର ପଟଚିତ୍ର କଳା ଓ ଜଗନ୍ନାଥ ସଂସ୍କୃତିକୁ ପ୍ରଚାର କରୁଥିବାରୁ ୨୦୨୧, ଜାନୁୟାରୀ ୩୧ ‘ମନ୍‌ କି ବାତ୍‌’ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୋତେ ବହୁତ ପ୍ରଶଂସା କରିଥିଲେ। ଏହାପରେ ମୋର ଆଗ୍ରହ ଆହୁରି ବଢ଼ିଯାଇଥିଲା। ଆଉ ଯାହା ଜିନିଷ ମିଳିଲା ସେଥିରେ ମୁଁ ପଟଚିତ୍ର କରିଚାଲିଲି। ବିବାହ ପରେ ବି ମୁଁ ମୋ କାମ ଜାରି ରଖିଛି। ନିକଟରେ ୦.୫ ମି.ମି. କାଠର ମାଳି ଉପରେ କରିଥିବା ଜଗନ୍ନାଥ ପଟଚିତ୍ର ବହୁତ ଚର୍ଚ୍ଚିତ ହୋଇଥିଲା। ତା’ସହ ଚଳିତ ବର୍ଷ ୨ ଜୁନ୍‌ରେ ମାକ୍ସିମମ୍‌ ମିଡିୟମ୍‌ ତଥା ସର୍ବାଧିକ ମାଧ୍ୟମ(୩୫ଟି) ବ୍ୟବହାର କରି ପଟଚିତ୍ର କରିଥିବାରୁ ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସ୍‌ରେ ବି ସ୍ଥାନ ପାଇଛି।’

୩୭ ବର୍ଷ ଧରି ସଂସ୍କୃତରେ କଥା ହେଉଛନ୍ତି ସଂସ୍କୃତ ମଣିଷ
ସଂସ୍କୃତ, ଭାରତର ଏକ ବହୁ ପୁରାତନ ଭାଷା। ଏହା ଦେବନାଗରୀ ଭାଷାଭାବେ ମଧ୍ୟ ପରିଚିତ। ଏହାକୁ ବୁଝିବା କି କହିବା ଏତେଟା ସହଜ ନୁହେଁ। ହେଲେ ଏମିତି ଜଣେ ବ୍ୟକ୍ତି ଅଛନ୍ତି ଯିଏକି ସବୁସମୟରେ, ସବୁ ସ୍ଥାନରେ ଓ ସବୁ ପରିସ୍ଥିତିରେ କେବଳ ସଂସ୍କୃତ ହିଁ କହିଥାନ୍ତି। ଆଉ ଦୀର୍ଘ ୩୭ ବର୍ଷ ହେବ ସେ ଏମିତି ସଂସ୍କୃତ କହି ଆସୁଛନ୍ତି। ସଂସ୍କୃତ କହିବାକୁ ଜୀବନର ବ୍ରତ କରିଥିବା ଏହି ନିଆରା ମଣିଷ ଜଣକ ହେଉଛନ୍ତି ଡ. ପ୍ରକାଶ ଚନ୍ଦ୍ର ମିଶ୍ର। ଘର ବାଗିଶ୍ୱରପୁର, ପିପିଲି, ପୁରୀରେ। ନିଜ ଗାଁ ସହ ଆଖପାଖ ଅଞ୍ଚଳରେ ସେ ସଂସ୍କୃତ ମଣିଷ ଭାବେ ପରିଚିତ। ସଂସ୍କୃତ ତାଙ୍କୁ ଭିନ୍ନ ପରିଚୟ ଦେବା ସହ ସମ୍ମାନ ବି ଦେଇଛି। ସେ କୁହନ୍ତି,‘ ଅଷ୍ଟମ ଶ୍ରେଣୀରୁ ସଂସ୍କୃତ ପ୍ରତି ମୋର ଭଲ ପାଇବା ଆରମ୍ଭ ହୋଇଥିଲା। ଏଥିପାଇଁ କେହି ମୋତେ ପ୍ରେରଣା ଦେଇ ନ ଥିଲେ। ସଂସ୍କୃତ ପ୍ରତି ମୋର ଭଲ ପାଇବା ସ୍ବତଃ ଜାଗ୍ରତ ହୋଇଥିଲା। ତେବେ ଦଶମ ଶ୍ରେଣୀ ପରେ ୧୯୮୪ ମସିହାରେ ନୟାଗଡଡ଼ ଶରଣକୁଳର ମୋର ବନ୍ଧୁ ନରେଶ ଚନ୍ଦ୍ର ସାମନ୍ତରାୟ ମୋ ମନରେ ଥିବା ସଂସ୍କୃତ ଭାଷା ପ୍ରତି ଆଗ୍ରହ ଦେଖି ମୋତେ ପୁରୀର ଶ୍ରୀଜଗନ୍ନାଥ ବେଦକର୍ମକାଣ୍ଡ ମହାବିଦ୍ୟାଳୟରେ ନାମ ଲେଖାଇବାରେ ସାହାଯ୍ୟ କରିଥିଲେ। ଫଳରେ ସଂସ୍କୃତ ଭାଷାରେ ଅଧିକ ଜ୍ଞାନ ଆହରଣ କରିପାରିଲି। ଏହାପରେ ୧୯୮୫ରେ ଲୋକଭାଷା ପ୍ରଚାର ସମିତିର ସଂସ୍କୃତ ସମ୍ଭାଷଣ ଶିବିରରେ ପ୍ରବେଶ କରି ସଂସ୍କୃତ ଭାଷାରେ ଅଳ୍ପ ଅଳ୍ପ କଥାବାର୍ତ୍ତା ଆରମ୍ଭ କଲି। ତେବେ ୧୯୮୭ ମସିହାରୁ ମୁଁ କ୍ରମାଗତଭାବେ ସବୁସମୟରେ ସଂସ୍କୃତରେ କହିବା ଆରମ୍ଭ କଲି। ଏହାପରେ ୧୯୮୮ ମସିହାରେ ଦିଲ୍ଲୀ ମହର୍ଷି ନଗରସ୍ଥ

ମହର୍ଷି ବେଦବ୍ୟାସ ଗୁରୁକୁଳ ବିଦ୍ୟାପୀଠରେ
ଶିକ୍ଷାଦାନ କରିବା ଆରମ୍ଭ କଲି। ପରେ ଗୁରୁକୁଳ ସଂସ୍କୃତ ମହାବିଦ୍ୟାଳୟ ଚକାପାଦ, ଫୁଲବାଣୀରେ ଧର୍ମଶାସ୍ତ୍ର ଅଧ୍ୟାପକଭାବେ ନିଯୁକ୍ତି ପାଇ ସେଠାରେ ସଂସ୍କୃତ ଶିକ୍ଷାଦାନ କରିଥିଲି। ତା’ସହ ଶଙ୍କରାଚାର୍ଯ୍ୟ ସଂସ୍କୃତ କନ୍ୟାଶ୍ରମ, ଜଲେଶପଟାରେ ବି ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ନିର୍ଦ୍ଦେଶକ୍ରମେ ଶିକ୍ଷାଦାନ କରିଛି। ଏହାବାଦ ରାଜସ୍ଥାନ, ବିହାର, କୋଲକାତା, ବାଲେଶ୍ୱର, ଭଦ୍ରକ, ପୁରୀ, ଗ୍ରାମାଞ୍ଚଳ ଆଦି ସ୍ଥାନରେ ଆୟୋଜିତ ବିଭିନ୍ନ ସଂସ୍କୃତ ପ୍ରଶିକ୍ଷଣ ଶିବିରରେ ଯୋଗ ଦେଇ ସଂସ୍କୃତ ଭାଷା ଶିକ୍ଷା ଦେଇଛି। ତା’ସହ ବିଦ୍ୟାଳୟ, ମହାବିଦ୍ୟାଳୟ ଛାତ୍ରୀ ଛାତଙ୍କୁ ସଂସ୍କୃତ ଶିକ୍ଷାଦାନ କରିବା ସହ ଯୁବ ସଂଗଠନ ଓ କଣାସ, ଡେଲାଙ୍ଗ ପରି କିଛି ଗ୍ରାମରେ ବି ଆଗ୍ରହୀ ବ୍ୟକ୍ତିଙ୍କୁ ସନ୍ଧ୍ୟାକାଳୀନ ସଂସ୍କୃତ ଶିକ୍ଷା ପ୍ରଦାନ କରିଥାଏ। ବୟସ, ଜାତିଧର୍ମ ନିର୍ବିଶେଷରେ ସମସ୍ତଙ୍କୁ ମୁଁ ଶିକ୍ଷାଦାନ କରେ। ମୁଁ ବେଶ୍‌ ସରଳ ସଂସ୍କୃତରେ କଥା ହୋଇଥାଏ। ତେଣୁ ଲୋକଙ୍କର ବୁଝିବାରେ ବିଶେଷ ଅସୁବିଧା ହୁଏ ନାହିଁ। ତଥାପି ଯଦି କେହି ବୁଝି ନ ପାରନ୍ତି ମୁଁ ତାଙ୍କୁ ବାରମ୍ବାର ସରଳ ସଂସ୍କୃତ କହି ବୁଝାଇବାକୁ ଚେଷ୍ଟା କରେ। ହେଲେ ଅନ୍ୟ ଭାଷାରେ କଥା ହୁଏ ନାହିଁ। ମୋ ପରିବାରରେ ବି କେବେ ଭାଷାଗତ ସମସ୍ୟା ହୋଇନାହିଁ। ମୋ ସ୍ତ୍ରୀ ସଂସ୍କୃତରେ ଏମ୍‌ଏ କରିଛନ୍ତି। ଆଉ ବିବାହ ପୂର୍ବରୁ ସେ ଜାଣିଥିଲେ ଯେ, ମୁଁ ସଂସ୍କୃତରେ କଥା ହୁଏ। ତେଣୁ ଆମ ଭିତରେ ବୁଝାମଣାରେ କେବେ ଅସୁବିଧା ହୋଇନି। ଆଉ ପିଲାମାନେ ଛୋଟବେଳୁ ସଂସ୍କୃତରେ କହିବା ଶୁଣି ଆସିଛନ୍ତି। ତା’ଛଡା ପିଲାମାନେ ବି ସଂସ୍କୃତ ଶିକ୍ଷା ଗ୍ରହଣ କରିଛନ୍ତି। ତେଣୁ କେବେ ଅସୁବିଧା ହୋଇନି। ଅନେକେ ମୋତେ ପ୍ରଶ୍ନ କରନ୍ତି ଆପଣଙ୍କ ଗୁରୁ ତ ସଂସ୍କୃତ ବ୍ୟତୀତ ଆବଶ୍ୟକସ୍ଥଳେ ଅନ୍ୟ ଭାଷାରେ ବି କଥା ହୁଅନ୍ତି ହେଲେ ଆପଣ କାହିଁକି ସବୁ ସମୟରେ ସବୁ ପରିସ୍ଥିତିରେ ସଂସ୍କୃତ କୁହନ୍ତି? ଏହାର ଉତ୍ତରରେ ମୁଁ କହେ, ସଂସ୍କୃତ ଭାଷା କହିବା ଓ ତା’ର ପ୍ରଚାର ପ୍ରସାର କରିବା ପାଇଁ ମୁଁ ସଂକଳ୍ପବଦ୍ଧ। ଆଉ ଏହି ସଂକଳ୍ପକୁ ମୁଁ ବେଶ୍‌ ଦୃଢ଼ତାର ସହ ରକ୍ଷା କରିଆସୁଛି। ତା’ଛଡା ମୋ କହିବାଶୈଳୀ ଅନ୍ୟମାନେ ବେଶ୍‌ ଭଲଭାବେ ବୁଝିପାରନ୍ତି। ତେଣୁ ସଂସ୍କୃତରେ କହିବା ଛାଡିବି ବା କାହିଁକି। ଏହାବାଦ୍‌ ମୁଁ ସଂସ୍କୃତରେ ଅନେକ ପୁସ୍ତକ ବି ରଚନା କରିଛି। କେନ୍ଦ୍ର ସରକାରଙ୍କ ଦ୍ୱାରା ଅନୁମୋଦିତ ଓ ପ୍ରକାଶିତ ମୋର ଏକ ଗବେଷଣାତ୍ମକ ସଂସ୍କୃତ ପୁସ୍ତକ ଯାହାର ନାମ ‘ଦାୟଭାଗେ ଉତ୍ତରାଧିକାରକ୍ରମଃ’ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ଧର୍ମଶାସ୍ତ୍ର ବିଭାଗର ଛାତ୍ରୀଛାତ୍ର ପଢୁଛନ୍ତି। ତା’ସହ ଏହି ପୁସ୍ତକ ନ୍ୟାୟାଳୟରେ ବି ଆବଶ୍ୟକ ହୋଇଥାଏ। ଏହାସହ ‘ସମୟ ପ୍ରକାଶଃ’, ‘ଧର୍ମଶାସ୍ତ୍ରସ୍ୟ ସଂକ୍ଷିପ୍ତ ପରିଚୟଃ’, ‘ଶ୍ରାଦ୍ଧ ବିମର୍ଶଃ’, ‘ଗୀତଂ ଶ୍ରୀଜଗନ୍ନାଥସ୍ୟ’ ଭଳି ୯ଟି ସଂସ୍କୃତ ପୁସ୍ତକ ମୋର ପ୍ରକାଶ ପାଇଛି। ସଂସ୍କୃତରେ ନାଟକ ବି ଲେଖିଛି। ‘ପରଶୁରାମ ବିଜୟଃ’ ନାମକ ସଂସ୍କୃତ ନାଟକ ୨୦୧୭, ରବୀନ୍ଦ୍ର ମଣ୍ଡପରେ ଅଭିନେତା ଅଜିତ ଦାସଙ୍କ ନିର୍ଦ୍ଦେଶନାରେ ମଞ୍ଚସ୍ଥ ହୋଇଥିଲା। ଏଥିରେ ଅଭିନୟ କରୁଥିବା ଅଜିତ ଦାସଙ୍କ ନାଟ୍ୟ ସଂସ୍ଥାର ଛାତ୍ରଙ୍କୁ ମୁଁ ୧୦ ଦିନ ପର୍ଯ୍ୟନ୍ତ ନାଟକ ଶିକ୍ଷା ସହ ସଂସ୍କୃତ ଭାଷା ଶିକ୍ଷା ଦେଇଥିଲି। ପରେ ୨୦୧୮, ଦିଲ୍ଲୀରେ ବି ଏହି ନାଟକ ମଞ୍ଚସ୍ଥ ହୋଇଥିଲା। ସଂସ୍କୃତ ମୋ ଜୀବନ। ଆଉ ମୁଁ ଯଦି କିଛି ଲୋକଙ୍କୁ ସଂସ୍କୃତ ଭାଷା ପ୍ରତି ଆଗ୍ରହ ସୃଷ୍ଟି କରିପାରିଲି ତେବେ ମୋର ଲକ୍ଷ୍ୟ କିଛିଟା ପୂରଣ ହେଲା ବୋଲି ଭାବେ। ଏବେ ଆମ ଗ୍ରାମରେ କିଛି ଲୋକ ମୋ ପରି ସଂସ୍କୃତ କହିବାକୁ ପ୍ରୟାସ କରୁଛନ୍ତି। ଆଉ ମୋ ସହ ସଂସ୍କୃତରେ କଥା ହେଉଛନ୍ତି। ତା’ଛଡା ଢେଙ୍କାନାଳର ନୀରଦ ଚନ୍ଦ୍ର ଆର୍ଯ୍ୟ ଓ କଲିକତା ମେଦିନିପୁରରେ ଶିକ୍ଷାଦାନ କରୁଥିବା ମୋର ଜଣେ ଛାତ୍ର ସରୋଜ କୁମାର ମୁଣ୍ଡ ମୋଠାରୁ ପ୍ରେରଣା ପାଇ ସଂସ୍କୃତରେ କଥାବାର୍ତ୍ତା ହେଉଛନ୍ତି। ତା’ସହ ସଂସ୍କୃତ ଭାଷାର ପ୍ରଚାର ପ୍ରସାର ପାଇଁ ପ୍ରୟାସ ବି କରୁଛନ୍ତି, ଯାହା ମୋତେ ଆତ୍ମସନ୍ତୋଷ ପ୍ରଦାନ କରିଥାଏ। ସଂସ୍କୃତରେ କଥା ହେଉଥିବାରୁ ଅନେକେ ମୋତେ ସ୍ବତନ୍ତ୍ର ମଣନ୍ତି। ଆଉ ମୋ ସହ ସମ୍ପର୍କରେ ବି ରୁହନ୍ତି। ସଂସ୍କୃତ ଭାଷା ମୋତେ ଭିନ୍ନ ପରିଚୟ ଦେବା ସହ ସମ୍ମାନ ବି ଦେଇଛି। କେହି କେହି କୁହନ୍ତି ଓଡ଼ିଆରେ କଥା ହେଉଥିଲେ ସେମାନେ ମୋ ସହ ଅଧିକ କଥାହୋଇ ପାରିଥାନ୍ତେ। ହେଲେ ମୁଁ କହେ ସଂସ୍କୃତ କହିବା ଦ୍ୱାରା ମୋର ବାକ୍‌ ସଂଯମତା ରହୁଛି। ଅନାବଶ୍ୟକ ଓ ଅଧିକ କଥା ହୋଇ କାହା ମନରେ କେବେ ଦୁଃଖ ବି ଦେଇ ନ ଥାଏ। ତେଣୁ ସଂସ୍କୃତକୁ ମୁଁ କେବେବି ଛାଡି ପାରିବି ନାହିଁ। ଏବେ ମୁଁ ବିଭିନ୍ନ ସଂସ୍କୃତ ସମ୍ଭାଷଣ କାର୍ଯ୍ୟକ୍ରମରେ ଯୋଗ ଦେବା, ଛାତ୍ରୀଛାତ୍ରଙ୍କୁ ପାଠପଢ଼ାରେ ସାହାଯ୍ୟ କରିବା, ସେମାନଙ୍କୁ ମାର୍ଗ ଦର୍ଶନ କରିବା, ଚାଷବାସ କରିବା ସହ ହୋମ, ଯଜ୍ଞ, ଚଣ୍ଡୀପାଠ, ରୁଦ୍ରାଭିଷେକ, ବାସ୍ତୁପୂଜା, ଗୃହ ପ୍ରତିଷ୍ଠା ଭଳି ପୂଜାପାଠ କରିବାରେ ସମୟ ଅତିବାହିତ କରୁଛି।

ସରିତାଙ୍କ ମାଟିପାତ୍ରର ଦୁନିଆ
ଦିନ ଥିଲା ରୋଷେଇ କେବଳ ମାଟିପାତ୍ରରେ ହେଉଥିଲା। ହେଲେ ବିଭିନ୍ନ ପ୍ରକାର ଧାତୁର ବାସନକୁସନ ଆସିବା ପରେ ମାଟିପାତ୍ରର ଚାହିଦା ଧୀରେ ଧୀରେ କମିବାକୁ ଲାଗିଲା। କୁମ୍ଭାରମାନେ ନିଜର କୁଳବେଉସା ହରାଇବାକୁ ଲାଗିଲେ। ମାଟିପାତ୍ରରେ ପ୍ରସ୍ତୁତ ସେଇ ସୁଆଦିଆ ଓ ସ୍ବାସ୍ଥ୍ୟପ୍ରଦ ଖାଦ୍ୟ ଏବେ ସାତ ସପନ ହୋଇଗଲାଣି। ହେଲେ ମାଟିପାତ୍ରର ମହତ୍ତ୍ୱ ଯେ କେତେ ତାକୁ ବୁଝିପାରିଛନ୍ତି ବ୍ରହ୍ମପୁର ସହରର ଉତ୍କଳ ଆଶ୍ରମ ରୋଡ ନିବାସୀ ସରିତା ପଣ୍ଡା। ବୟସ ତାଙ୍କୁ ୫୨ ବର୍ଷ। ଆଜକୁ ଦୀର୍ଘ ୮ ବର୍ଷ ଧରି ସେ ମାଟି ହାଣ୍ଡିରେ ରୋଷେଇ କରୁଛନ୍ତି। ମାଟିହାଣ୍ଡିର ସ୍ବାଦିଷ୍ଟ ଓ ସ୍ବାସ୍ଥ୍ୟକର ଖାଦ୍ୟକୁ ସେ ପରିବାର ଲୋକଙ୍କୁ ଖୁଆଇବା ସହ ଅନ୍ୟକୁ ମଧ୍ୟ ଖୁଆଇଥାନ୍ତି। ଆଉ ତା’ର ଉପକାରିତା ସମ୍ପର୍କରେ ମଧ୍ୟ ଜଣାଇଥାନ୍ତି। ତାଙ୍କ ଘରେ ମାଟି ପାତ୍ରର ସମ୍ଭାର ଦେଖିବାକୁ ମିଳେ। ମାଟିର ହାଣ୍ଡିଠାରୁ ଆରମ୍ଭ କରି ଗିନା, ପ୍ଲେଟ୍‌, ତାଓ୍ବା, ଥାଳି, ଚୁଲି, ମାଟିର ଫିଲ୍ଟର ଆଦି ସେ ବ୍ୟବହାର କରନ୍ତି। ସରିତା କୁହନ୍ତି, ‘ମୋ ମା, ଜେଜେମା’ଙ୍କ ସମୟରେ ମାଟିହାଣ୍ଡିରେ ରନ୍ଧା ଯାଉଥିଲା। କିନ୍ତୁ ଆଜିର ଦିନରେ ମାଟିହାଣ୍ଡିରେ ରନ୍ଧା ଲୋପ ପାଇବାକୁ ବସିଥିବାରୁ କୁମ୍ଭକାରମାନେ ମଧ୍ୟ ସେମାନଙ୍କର କୌଳିକ ବୃତ୍ତି ହରାଇବାକୁ ବସିଲେଣି। ସେମାନଙ୍କର କେମିତି ପୁନଃ ଥଇଥାନ ହେଇପାରିବ ସେଇ ପ୍ରୟାସ ମୁଁ କରୁଛି। ଆଉ ଜଣାଇ ଦେବାକୁ ଚାହୁଁଛି ଯେ, ଗ୍ୟାସ୍‌ ଚୁଲିରେ ମାଟିହାଣ୍ଡିରେ ରନ୍ଧନ ବହୁତ ସହଜ। ଆଉ ସମୟ ସାପେକ୍ଷ ବି ନୁହେଁ। ମୁଁ ମାଟିହାଣ୍ଡିରେ ଭାତ ସାଙ୍ଗକୁ ଆମିଷ ଓ ନିରାମିଷ ଖାଦ୍ୟ ମଧ୍ୟ ପ୍ରସ୍ତୁତ କରିଥାଏ। ଏପରିକି ମାଟିପାତ୍ରରେ ଜଳଖିଆ ମଧ୍ୟ ପ୍ରସ୍ତୁତ କରେ। କେବଳ ସେତିକି ନୁହେଁ କୋଲକାତା, ସମ୍ବଲପୁର, ଜରଡା ଆଦି ଅଞ୍ଚଳର କୁମ୍ଭକାରଙ୍କ ଥଇଥାନ ନିମନ୍ତେ ସେମାନଙ୍କଠାରୁ ଛାଞ୍ଚ ନିର୍ମିତ ବିଭିନ୍ନ ଉପହାର ଦ୍ରବ୍ୟ କିଣି ତାକୁ ମୁଁ ରଙ୍ଗ ଦେଇଥାଏ। ଆଉ ତା’ଉପରେ ବିଭିନ୍ନ ନୀତିବାଣୀ, ସାମାଜିକ ଓ ନୈତିକ ବାର୍ତ୍ତା ଲେଖି ସେସବୁକୁ ସମାଜର ପ୍ରତିଷ୍ଠିତ ବ୍ୟକ୍ତିବୃନ୍ଦଙ୍କୁ ଉପହାର ସ୍ବରୂପ ପ୍ରଦାନ କରେ। ଯଦ୍ଦ୍ବାରା କି ଲୋକଙ୍କ ମନରେ ମାଟିର ସାମଗ୍ରୀ ପାଇଁ ଆଗ୍ରହ ସୃଷ୍ଟି ହେବ। ତା’ସହ କୁଶଳ ସ୍ବଦେଶ ପ୍ରତିଷ୍ଠା ଗ୍ରୁପ ଇଣ୍ଡିଆ ଟ୍ରଷ୍ଟ ଗଠନ କରି ବିଭିନ୍ନ ସେମିନାର ଆୟୋଜନ କରୁଛି। ମାଟିହାଣ୍ଡିର ଉପକାରିତା ଓ ଉପଯୋଗିତା ସମ୍ପର୍କରେ ସମସ୍ତଙ୍କୁ ଜଣାଉଛି ଏବଂ ମାଟିହାଣ୍ଡିରେ ବିଭିନ୍ନ ପାରମ୍ପରିକ ଖାଦ୍ୟ ପ୍ରସ୍ତୁତ କରି ଲୋକଙ୍କୁ ପରଷୁଛି ମଧ୍ୟ।’ ସରିତା ମାଟିହାଣ୍ଡିରେ ରୋଷେଇ କରିବା ବ୍ୟତୀତ ଜଣେ ସମାଜସେବୀ ଓ ଲେଖିକା ମଧ୍ୟ। ବିଭିନ୍ନ ପ୍ରକାରର ଆୟୁର୍ବେଦିକ ଔଷଧ ବି ପ୍ରସ୍ତୁତ କରିଥା’ନ୍ତି। ସେ ଲେଖିଥିବା ପୁସ୍ତକ ମଧ୍ୟରେ ଜୀବନ ଜ୍ୟୋତ୍ସ୍ନା, ପିଲାଙ୍କ ବିକାଶର ସୂତ୍ର, ସୌନ୍ଦର୍ଯ୍ୟ ସମାହାର, ରୋଗ ମୁକ୍ତିର ଉପାୟ ଓ ମାଟି ଆମ ପ୍ରକୃତି ଓ ବିରଜା ନାଟ୍ୟ ସଂକଳନ ଅନ୍ୟତମ। ଏହାବାଦ୍‌ ସେ ପ୍ରଗତିଶୀଳ ଉତ୍କଳ ସମାଜ, ବ୍ରାହ୍ମଣ ସମାଜ, ମାନବ ଅଧିକାର ସୁରକ୍ଷା ମଞ୍ଚ, ସ୍ବଦେଶୀ ଜାଗରଣ ମଞ୍ଚ ଓ ସଂସ୍କାରବାଦୀ ସଂଗଠନର ସଦସ୍ୟ ମଧ୍ୟ ଅଛନ୍ତି। ସରିତାଙ୍କର ଏହି ବହୁବିଧ କାର୍ଯ୍ୟ ଲାଗି ସେ ବିଭିନ୍ନ ଅନୁଷ୍ଠାନ ଓ ଅନ୍ତର୍ଜାତୀୟ ମହିଳା ଦିବସରେ ସମ୍ବର୍ଦ୍ଧିତ ମଧ୍ୟ ହୋଇଛନ୍ତି।

ଏମାନେ ନୁହନ୍ତି ଧନଶାଳୀ କି ଉଚ୍ଚପଦସ୍ତ ଅଧିକାରୀ, ହେଲେ ଏମାନଙ୍କ ଭିନ୍ନ ବ୍ୟକ୍ତିତ୍ୱ ଓ ଭିନ୍ନ ସଉକ ସେମାନଙ୍କୁ ଦେଇଛି ସମାଜରେ ଏକ ଭିନ୍ନ ତଥା ସ୍ବତନ୍ତ୍ର ସ୍ଥାନ। ଆଉ ପରିଗଣିତ ହେଉଛନ୍ତି ଜଣେ ଜଣେ ନିଆରା ମଣିଷ ଭାବେ।
ନୁହନ୍ତି ଧନଶାଳୀ କି ଉଚ୍ଚପଦସ୍ଥ ଅଧିକାରୀ, ହେଲେ ଏମାନଙ୍କ ନିଆରା ବ୍ୟକ୍ତିତ୍ୱ ଓ ଭିନ୍ନ ସଉକ ସେମାନଙ୍କୁ ଦେଇଛି ସମାଜରେ ଏକ ଭିନ୍ନ ତଥା ସ୍ବତନ୍ତ୍ର ସ୍ଥାନ। ଆଉ ପରିଗଣିତ ହେଉଛନ୍ତି ଜଣେ ଜଣେ ନିଆରା ମଣିଷ ଭାବେ।
-ଶିବାନୀ ମହାନ୍ତି
ତଥ୍ୟ ସହାୟତା- ସ୍ମୃତି ରଞ୍ଜନ ମହାଲିକ୍‌ (ବ୍ରହ୍ମପୁର)


Enter your email to get our daily news in your inbox.

All Right Reserved By Dharitri.Com

ରହସ୍ୟମୟ ମନ୍ଦିର: ଯେଉଁଠାରେ ନିଜ ପିଣ୍ଡଦାନ ନିଜେ କରଥାନ୍ତି ଲୋକ!

ଦେଶରେ ଏପରି ଏକ ମନ୍ଦିର ରହିଛି, ଯେଉଁଠାରେ ଜୀବିତ ଲୋକମାନେ ନିଜର ପିଣ୍ଡଦାନ ନିଜେ କରନ୍ତି। ଏହି ମନ୍ଦିରଟି ସମ୍ପୂର୍ଣ୍ଣ ନିଆରା ଏବଂ ଅନନ୍ୟ। ସାଧାରଣତଃ ମୃତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?