ଈଶ୍ୱରଙ୍କ ସ୍ବରୂପ

ପତଞ୍ଜଳି ଯୋଗ ଦର୍ଶନର ପ୍ରଥମ ପାଦ ସୂତ୍ର ସଂଖ୍ୟା ୨୪ରେ କୁହାଯାଇଛି, ”କ୍ଳେଶ କର୍ମ ବିପାକ ଆଶୟ ଅପରାମୃଷ୍ଟଃ ପୁରୁଷ ବିଶେଷ ଈଶ୍ୱର।“ ଏହାର ଅର୍ଥ ପଞ୍ଚକ୍ଳେଶ (ଅବିଦ୍ୟା, ଅସ୍ମିତା, ରାଗ, ଦ୍ୱେଷ, ଅଭିନିବେଶ), କର୍ମ, କର୍ମଫଳ ଓ କର୍ମ ଫଳରୁ ଉତ୍ପନ୍ନ ବାସନା ସହିତ ଅସମ୍ପୃକ୍ତ ବିଶେଷ ପୁରୁଷ ହେଉଛନ୍ତି ଈଶ୍ୱର। ବେଦ ତ୍ରୈତ୍ୟ ବିଦ୍ୟା ଉପରେ ଆଧାରିତ। ତ୍ରୈତ୍ୟ ବିଦ୍ୟା ହେଉଛି, ଈଶ୍ୱର, ଜୀବ ଓ ପ୍ରକୃତି। ଈଶ୍ୱର ହେଉଛନ୍ତି, ସତ୍‌ ଚିତ୍‌ ଓ ଆନନ୍ଦ (ସଚ୍ଚିଦାନନ୍ଦ)। ଈଶ୍ୱରଙ୍କ ମୌଳିକ ବା ଅପରିବର୍ତ୍ତନୀୟ ସତ୍ତା ହେଉଛି ସତ୍‌- ଯାହା ଅତୀତରେ ଥିଲା, ବର୍ତ୍ତମାନ ଅଛି ଓ ଭବିଷ୍ୟତରେ ମଧ୍ୟ ରହିବ। ସତ୍ୟର ଗତିଶୀଳ ଅବସ୍ଥା ହେଉଛି ଚିତ୍‌ ବା ଚେତନାଶକ୍ତି। ଚିତ୍‌ଶକ୍ତି ଚେତନାକୁ ଗତିଶୀଳ କରାଇଥାଏ। ତେଣୁ ଚିତ୍‌ ଶବ୍ଦ ଚେତନ ଓ ଶକ୍ତି ଉଭୟକୁ ବୁଝାଇଥାଏ। ଏହି ଚିତ୍‌ ସତ୍ତା ପିଣ୍ଡ ଓ ବ୍ରହ୍ମାଣ୍ଡରେ ଯଥାକ୍ରମେ ଜୀବାତ୍ମା ଓ ବିଶ୍ୱାତ୍ମା ଭାବରେ ଅଭିବ୍ୟକ୍ତ ହୋଇଥାଏ। ଚେତନାର ୪ ଗୋଟି ସ୍ତର- ଜାଗ୍ରତ, ସ୍ବପ୍ନ, ସୁଷୁପ୍ତି ଓ ତୁରୀୟ ଅବସ୍ଥା। ଏହି ଚେତନାର ସ୍ତର ପରସ୍ପରଠାରୁ ଅଲଗା ନୁହେଁ। ଏହା ସମୂହିତ ଭାବରେ ପରମେଶ୍ୱରଙ୍କଠାରେ ବିଦ୍ୟମାନ। ଈଶ୍ୱର ହେଉଛନ୍ତି ଆନନ୍ଦ ସ୍ବରୂପ। ଅନନ୍ତ ସୁଖ ହେଉଛି ଆନନ୍ଦ (ସୁଖମ୍‌ ଅନନ୍ତମ୍‌ ଆନନ୍ଦମ୍‌)। ସୁଖ ଇନ୍ଦ୍ରିୟ ଦ୍ୱାରା, ଶାନ୍ତି ମନ ଦ୍ୱାରା ଓ ଆନନ୍ଦ ଆତ୍ମା ଦ୍ୱାରା ପ୍ରକଟିତ ହୋଇଥାଏ। ଉପନିଷଦରେ ଆନନ୍ଦର ବିଭିନ୍ନ ସ୍ତର ସମ୍ବନ୍ଧରେ ବର୍ଣ୍ଣନା କରାଯାଇଛି। ମନୁଷ୍ୟର ଆନନ୍ଦକୁ ଏକ ମାପକ ଭାବରେ ଗ୍ରହଣ କରାଯାଇ ଆନନ୍ଦର ବିଭିନ୍ନ ସ୍ତର ଯଥା ଗନ୍ଧର୍ବ ଆନନ୍ଦ, ଦେବ ଆନନ୍ଦ, ପିତୃ ଆନନ୍ଦ, ବୃହସ୍ପତି ଆନନ୍ଦ, ଇନ୍ଦ୍ର ଆନନ୍ଦ ଓ ବ୍ରହ୍ମାନନ୍ଦ ଆଦିକୁ ଉନ୍ନତ ସ୍ତରର ଆନନ୍ଦ ବୋଲି ଦର୍ଶାଯାଇଛି। ଈଶ୍ୱର ଏହି ସମସ୍ତ ଆନନ୍ଦ ସ୍ତରର ଊର୍ଦ୍ଧ୍ୱରେ ଅଛନ୍ତି। ଈଶ୍ୱରଙ୍କର ଆନନ୍ଦମୟ ସତ୍ତାକୁ ବାକ୍ୟରେ ବର୍ଣ୍ଣନା କରିବା ସମ୍ଭବ ନୁହେଁ।
ଏହା ଅନିର୍ବଚନୀୟ ଯେ ଈଶ୍ୱର ସର୍ବଜ୍ଞ, ଜୀବ ଅଳ୍ପଜ୍ଞ ଓ ପ୍ରକୃତି ଅଜ୍ଞ । ଈଶ୍ୱର ହିଁ ଜୀବ ଓ ପ୍ରକୃତିର ସୃଷ୍ଟିକର୍ତ୍ତା, ପାଳନକର୍ତ୍ତା ଓ ସଂହାରକର୍ତ୍ତା। ଜୀବର ଭୋଗ୍ୟ ଓ ମୋକ୍ଷ ପାଇଁ ପ୍ରକୃତିର ସୃଷ୍ଟି। ଯୋଗ ଦର୍ଶନରେ ଦର୍ଶାଯାଇଥିବା କ୍ଳେଶ ଓ କର୍ମ ଆଦି ୪ ଗୋଟି ତତ୍ତ୍ୱ ଦେହ ବନ୍ଧନର କାରଣ, ଯାହା ଜୀବାତ୍ମା ପାଇଁ ପ୍ରଯୁଜ୍ୟ। କ୍ଳେଶର ପ୍ରଥମ କାରଣ ହେଉଛି ଅବିଦ୍ୟା। ଅବିଦ୍ୟାରୁ ଅନ୍ୟ ୪ ଗୋଟି କ୍ଳେଶ ଜନ୍ମ ନେଇଥାଏ। ଅବିଦ୍ୟା ହେଉଛି ଅଜ୍ଞାନ- ଯାହା ନିତ୍ୟକୁ ଅନିତ୍ୟ ଓ ଶୁଦ୍ଧକୁ ଅଶୁଦ୍ଧ ଭାବରେ ଗ୍ରହଣ କରିଥାଏ। ଉଦାହରଣ ସ୍ବରୂପ ଅନ୍ଧାରରେ ଦଉଡ଼ିକୁ ସାପ ବୋଲି ଭାବିବା। ଅନ୍ଧାର ହେଉଛି ଅବିଦ୍ୟା। ଆଲୋକ ଦ୍ୱାରା ଅନ୍ଧକାର ଅପସରିଯାଏ ଓ ଦଉଡ଼ି ସାପ ପରି ନ ହୋଇ ଦଉଡ଼ି ଭଳି ଦେଖାଯାଏ। ଏହି ଆଲୋକ ହେଉଛି ଜ୍ଞାନ। ବେଦାନ୍ତ ଭାଷାରେ ଏହାକୁ ୩ ସ୍ତରରେ ବର୍ଣ୍ଣନା କରାଯାଇଛି- ପ୍ରତିଭାଷିକ(ଅଜ୍ଞାନ), ବ୍ୟାବହାରିକ (ସାଧାରଣଜ୍ଞାନ) ଓ ପାରମାର୍ଥିକ(ପ୍ରଜ୍ଞାନ)। ଅସ୍ମିତା ହେଉଛି ମିଥ୍ୟା ଜ୍ଞାନ। ଅହଂକାର ଅସ୍ମିତାର ପ୍ରତୀକ। ସୁଖରୁ ଉତ୍ପନ୍ନ ହେଉଥିବା କାମନା ହେଉଛି ରାଗ (ସୁଖାନୁଶାୟୀ ରାଗ)। ଏହା ସଂସ୍କାର ଭାବର ସ୍ମୃତିରେ ଅବସ୍ଥାନ କରିଥାଏ। ସୁଖ ଭୋଗ କରିବା ପାଇଁ ବାରମ୍ବାର ତୃଷ୍ଣା ଜାଗ୍ରତ ହୁଏ। ଏହା ପୂର୍ତ୍ତି ନ ହେଲେ କଷ୍ଟ ହୁଏ। ଅନ୍ତଃକରଣରେ ସ୍ମୃତି ଭାବରେ ଅବସ୍ଥାନ କରୁଥିବା କାମନା ପୂର୍ତ୍ତି ନ ହେଲେ ଯେଉଁ କଷ୍ଟ ଅନୁଭୂତ ହୁଏ ତାହା ଦ୍ୱେଷ (ଦୁଃଖାନୁଶାୟୀ ଦ୍ୱେଷ)। ଏହା କ୍ରୋଧ, ରୋଷ ବା ଦ୍ୱେଷ ଭାବରେ ପ୍ରକଟିତ ହୋଇଥାଏ। ଇନ୍ଦ୍ରିୟ ଆସକ୍ତିରୁ କାମନା ଓ କାମନାରେ ବାଧା ଉତ୍ପନ୍ନ ହେଲେ କ୍ରୋଧ ସୃଷ୍ଟି ହୁଏ (ସଙ୍ଗାତ୍‌ ସଂଜାୟତେ କାମ, କାମାତ୍‌ କ୍ରୋଧଭିଜାୟତେ)। ମୃତ୍ୟୁର ଭୟ ହେଉଛି ଅଭିନିବେଶ। ଈଶ୍ୱର ଏହି ୫ ଗୋଟି କ୍ଳେଶରୁ ମୁକ୍ତ ।
କର୍ମ ୩ ପ୍ରକାର- ଶୁଭ, ଅଶୁଭ ଓ ମିଶ୍ରିତ। କର୍ମରୁ ସୃଷ୍ଟି ହେଉଥିବା ଫଳ ଯାହାକୁ କର୍ମଫଳ କୁହାଯାଏ ତାହା ୨ ପ୍ରକାର- ସୁଖ ଓ ଦୁଃଖ। ଆଶୟ ଅର୍ଥାତ୍‌ ବାସନା ଯାହା କର୍ମଫଳରୁ ସୃଷ୍ଟି ଓ ସ୍ମୃତି ଫଳକରେ ସଂସ୍କାର ଭାବରେ ଅବସ୍ଥାନ କରିଥାଏ। ଏହି ବାସନା ସ୍ଥାନ, କାଳ ଓ ପାତ୍ର ଅନୁସାରେ ପ୍ରକଟିତ ହୋଇ ଜୀବକୁ କର୍ମ ବନ୍ଧନରେ ବାନ୍ଧିରଖି ଜନ୍ମ-ମୃତ୍ୟୁ ଚକ୍ରରେ ଘାଣ୍ଟୁଥାଏ। ଈଶ୍ୱର ଏହି ପଞ୍ଚ କ୍ଳେଶ, ତିନି ପ୍ରକାର କର୍ମ ତଥା କର୍ମଫଳ ଓ କର୍ମଫଳରୁ ସୃଷ୍ଟି ବାସନାରୁ ଅସମ୍ପୃକ୍ତ ବା ମୁକ୍ତ । ପତଞ୍ଜଳି ଯୋଗ ଦର୍ଶନ ଅନୁସାରେ ଏହା ହେଉଛି ଈଶ୍ୱରଙ୍କର ସ୍ବରୂପ।

ଡା. ଗୋପାଳ ଚନ୍ଦ୍ର ଦାଶ
ମୋ: ୭୮୪୮୮୫୦୯୫୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଏବେ ଦେଶରେ ବର୍ଜ୍ୟ ପରିଚାଳନା ପାଇଁ ଅନେକ ବ୍ୟକ୍ତି ଓ ସଂସ୍ଥା ଚେଷ୍ଟା କରୁଛନ୍ତି। ଏହି କ୍ରମରେ ହରିୟାଣା ବୁଦ୍ଧ କଲେଜ ଫ୍ୟାଶନ ଛାତ୍ରୀଛାତ୍ରଙ୍କ ଉଦ୍ୟମ ପ୍ରଶଂସନୀୟ।…

ପୁରସ୍କାର ପସରା

ବୁଲାବିକାଳି ତା’ ପସରା ଧରି ନିତିଦିନିଆ ବେପାର କରେ ଗାଁ ଗାଁ ବୁଲି। ଯାହା ବିକ୍ରିବଟା ହୁଏ, ସେଥିରେ ଚଳେ। ପରିବାର ସଦସ୍ୟଙ୍କ ପେଟ ପୋଷେ। ବୁଲାବିକାଳିର…

ନିଃସନ୍ତାନ କର ଭଗବାନ

ମୋଟେ ସହଜ ନୁହେଁ ଭଗବାନଙ୍କୁ ଏମିତି ବର ମାଗିବା! ଶିଶୁ ସନ୍ତାନର ଓଠରୁ ଝରି ପଡୁଥିବା ‘ବାପା’ ଡାକ ଶୁଣିବାରେ ପିତୃତ୍ୱ ଯେମିତି ଅନିର୍ବଚନୀୟ ଉଲ୍ଲାସରେ ଜଡ଼ସଡ଼…

କ୍ଷଣସ୍ଥାୟୀ କରୁଛନ୍ତି କ୍ଷତି

ଭାରତ ନୂଆଦିଲ୍ଲୀଠାରେ ବ୍ରିକ୍ସ ଶିଖର ସମ୍ମିଳନୀ ଆୟୋଜନ କରି ବାହାବା ନେଲା। ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ ଓ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଗସ୍ତକୁ ବିରାଟ…

ବିଫଳତାର ସ୍ମାରକୀ

ଚଳିତ ମାସରୁ ୱାଶିଂଟନ ଡିସିରେ ଡୋନାଲ୍ଡ ଟ୍ରମ୍ପ୍‌ ଏକ ତୋରଣାକୃତି ବିଜୟ ସ୍ମାରକୀ କାମ ଆରମ୍ଭ କରିବାକୁ ଯାଉଛନ୍ତି। ପ୍ୟାରିସ୍‌ର ‘ଆର୍କ ଡି ଟ୍ରାୟୋମ୍ଫ’ ଢାଞ୍ଚାରେ ଏହାକୁ…

ଏଆଇ ସୁରକ୍ଷା ଚିନ୍ତା

ଓପନ୍‌ଏଆଇର ସିଇଓ ସାମ୍‌ ଅଲ୍ଟମ୍ୟାନ୍‌ ସ୍ପଷ୍ଟ କରିଛନ୍ତି ଯେ ସୁରକ୍ଷା ଚିନ୍ତା ଯୋଗୁ କମ୍ପାନୀ ୨୦୨୬ରେ ଏହାର ଆଇପିଓ (ପ୍ରାରମ୍ଭିକ ପବ୍ଲିକ୍‌ ଅଫରିଂ) ଲଞ୍ଚ କରିବ ନାହିଁ।…

ଗଣତନ୍ତ୍ରର ରାଜତନ୍ତ୍ରୀକରଣ

ଗତ ଜୁଲାଇରେ ବିହାର ରାଜ୍ୟ କିନ୍ନର ଜନମଙ୍ଗଳ ସମିତି ସେହି ସମାଜର ମଙ୍ଗଳ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଶେଷ ଅବଦାନକୁ ସ୍ବୀକୃତି ଦେଇ ତାଙ୍କର ଏକ…

କଠୋର ଆଭିମୁଖ୍ୟ

ସପ୍ତାହେ ମଧ୍ୟରେ ୪ଜଣ ବରିଷ୍ଠ ଅଧିକାରୀଙ୍କୁ ସେମାନଙ୍କର ମୂଳ କ୍ୟାଡରକୁ ଫେରାଇ ଦିଆଯିବା ଏକ ଉଲ୍ଲେଖନୀୟ ଘଟଣା। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଏକ ବର୍ଦ୍ଧିତ ‘କୁଲିଂ-ଅଫ୍‌’…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?