ଦୀପ ତଳ ଅନ୍ଧାର

ଶ୍ୱେତପଦ୍ମାସିନୀ ମହାନ୍ତି

ଏତେ ବଡ଼ ଦେଶରେ ପ୍ରତ୍ୟହ କିଛି ନା କିଛି ଘଟଣା, ଦୁର୍ଘଟଣା ଘଟିବ ନିଶ୍ଚୟ। ଏମିତିରେ ଯଦି କେଉଁଠି ବମ୍‌ଟିଏ ଫୁଟିଗଲା ଏବଂ ସେଥିରୁ ରାଜନୈତିକ ଗନ୍ଧ ବାହାରିଲା, ତେବେ ଆମ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଆସି ପହଞ୍ଚତ୍ଗଲା ବୋଲି ଜାଣ। ଚାହୁଁ ଚାହୁଁ ଅସଂଖ୍ୟ କଣ୍ଠରେ ଉଠିବ ପ୍ରଶ୍ନ- କେଉଁଠି ହେଲା, କେମିତି ହେଲା, କେଉଁ ରାଜନୈତିକ ଦଳର ଏଥିରେ ହାତ ଅଛି ଇତ୍ୟାଦି ଇତ୍ୟାଦି। ତା’ପରେ ଯିଏ ଯାହା ବାଟରେ ଅନୁସନ୍ଧାନ କରେ। ଗଣମାଧ୍ୟମ ସରଗରମ ହୁଏ, ଆକାଶରୁ ତୋଳା ହେଲା ଭଳି କଥା ସବୁ ଶୁଣାଯାଏ, ସାଧାରଣ ଜନତା ଉଚ୍ଚକିତ ହୁଅନ୍ତି, ଜବାବ ସୁଆଲରେ ରାଜନୀତି ତତ୍ପର ହୁଏ ଏବଂ ଶେଷକୁ ଦେଶ ବା ରାଜ୍ୟ ଏହି ଚକ୍ରବାତ କବଳରେ ପଡ଼ିଯାଏ। ସମସ୍ତେ ଆଶା କରନ୍ତି ଦୋଷ ସାବ୍ୟସ୍ତ ହେଉ, ଦୋଷୀ ଦଣ୍ଡ ପାଉ, ପ୍ରଭାବିତକୁ ନ୍ୟାୟ ମିଳୁ। କିନ୍ତୁ ଦେଖାଯାଏ ଯେ, ଆମେ ହିଁ ଦୋଷୀକୁ ଚିହ୍ନଟ କରି ପକାଉ, ଆଇନକାନୁନକୁ ଅପାରଗ ଭାବି ଦଣ୍ଡ ଶୁଣେଇଦେଉ। ହେଲେ ଏମିତି ତ ହୁଏ ନାହିଁ। ଘଟଣାର ଅନୁସନ୍ଧାନ ପାଇଁ କ୍ଷମତା, ଦାୟିତ୍ୱ ଯାହାର ଅଛି ସେଇମାନେ ହିଁ କରିବେ, ଆମ ପରି ସାଧାରଣ ଲୋକ କ’ଣ କରିିପାରିବ?
କିନ୍ତୁ ଦେଖାଯାଏ ଯେ, କୌଣସି ନା କୌଣସି ଦଳର ଦ୍ୱାହି ଦେଇ ଆମେ ରାଜରାସ୍ତାକୁ ଓହ୍ଲାଇ ଆସି ଯାବତୀୟ ବିପତ୍ାତ କରୁ। ରାଜନୈତିକ ସମର୍ଥନ ଆମର ବଳ ବଢ଼ାଏ। ଏମିତି କାର୍ଯ୍ୟକଳାପ ସତ୍ୟକୁ ବାଟବଣା କରାଏ, କ୍ଷତିଗ୍ରସ୍ତର ଯନ୍ତ୍ରଣା ବଢ଼ାଏ, ମାନସିକ ଚାପଗ୍ରସ୍ତ କରେ ଏବଂ ନ୍ୟାୟର ପରିଚାଳନା କ୍ଷେତ୍ରରେ ବିଭ୍ରମ ତଥା ବିଭ୍ରାଟ ସୃଷ୍ଟି କରେ। ନ୍ୟାୟ ମାଗିବା ନଁାରେ ଆମେ ଉତ୍ତେଜିତ, ଉତ୍ତ୍ୟକ୍ତ ହୋଇ ରାସ୍ତା ବନ୍ଦ, ସହର ବନ୍ଦ, ଭଙ୍ଗାରୁଜା, ପୋଲିସ ସହ ଧସ୍ତାଧସ୍ତି ଆଦି ଅସୌଜନ୍ୟ ଘଟଣା ଘଟାଇବାରେ ଲିପ୍ତ ହୋଇଯାଉ। ଗଣମାଧ୍ୟମରେ ଏଭଳି ଦୃଶ୍ୟ ଦେଖିବାକୁ ଓ ପଢ଼ିବାକୁ ମିଳେ। ଆମ ଦେଶର ସମ୍ପଦ ସ୍ବରୂପ ଯୁବ ଗୋଷ୍ଠୀ ହଁି ବିଶେଷ ସଂଖ୍ୟାରେ ଏଥିରେ ସାମିଲ ହୋଇଯାଆନ୍ତି। ସତରେ କ’ଣ ଆମ ହୃଦୟରେ ପୀଡ଼ିତ ପାଇଁ ଏତେ ସମବେଦନା କି ଦରଦ ଥାଏ? ଏବେ ତ ନାରୀମାନେ, ଛାତ୍ରମାନେ ମଧ୍ୟ ସ୍ଥିରତା ଦେବା ବଦଳରେ ଅସ୍ଥିରତାକୁ ପ୍ରୋତ୍ସାହନ ଦେବାକୁ ଆଗେଇ ଆସିଲେଣି। ଆମ ଦେଶ ପାଇଁ ଏହା ଶୁଭଙ୍କର ନୁହେଁ। ଶେଷରେ ପରିଣତି ନ୍ୟାୟ ଦେବୀଙ୍କ କୃପା ନିକଟରେ ସମର୍ପଣ କରି ସମସ୍ତେ ନୀରବି ଯାଆନ୍ତି।
ଏବେ ଭାବିବା ଆମ ନିଜ କଥା। ଏତେ ଦରଦ, ସହାନୁଭୂତି, ସମବେଦନା ଥିବା ଆମ ହୃଦୟ, ନିଜକୁ ପ୍ରକାଶ କରିବା ପାଇଁ, କ’ଣ ଦୁର୍ଘଟଣାଟିଏ ଘଟିବାର ଅପେକ୍ଷାରେ ଥାଏ। ତା’ ବ୍ୟତୀତ କ’ଣ କିଛି ସମସ୍ୟା ଆମର ନାହିଁ, ଯାହା ଉପରେ ଚିନ୍ତା କରିବା ଆମର ନିହାତି ଦରକାର। ଆମ ଚାରିପଟେ ଘଟଣାର ଅଭାବ ନାହିଁ, ଦୁଃଖ ଯନ୍ତ୍ରଣାର ବିକଳ ଚିତ୍ର ପ୍ରତ୍ୟହ ଆମେ ସାମ୍ନା କରୁ। ଆମ ଗଁା ଦାଣ୍ଡରୁ ଧୂଳି ଖେଳୁଥିତ୍ବା ପିଲା ନିଖୋଜ ହୁଅନ୍ତି, ପଡ଼ିଶା ଘର ଲୋକେ ଉପାସରେ ଦିନ କାଟନ୍ତି। ଛପର ନ ଥିବା ଭଙ୍ଗା ଘରେ ଆକାଶକୁ ଅନାଇ ଅସହାୟ ମଣିଷମାନଙ୍କ ଆଖିରେ ନିଦ ନ ଥାଏ, ଅର୍ଥାଭାବରୁ ଅସାଧ୍ୟ ରୋଗରେ ପୀଡ଼ିତ ମଣିଷର ମୁହଁକୁ ଚାହିଁ ପରିବାର ଲୋକ ଲୁହ ଗଡ଼ାନ୍ତି, ପାରିବାରିକ ହିଂସାରୁ ଆମତ୍ହତ୍ୟା, ହଣାକଟା ହୋଇଯାଏ। ନିଶା କବଳରେ ପଡ଼ି ଯୁବଗୋଷ୍ଠୀ ବିପଥଗାମୀ ହୁଅନ୍ତି, ପେଟ ପାଇଁ ସନ୍ତାନ ବିକ୍ରି ହୋଇଯାଏ। ରାସ୍ତାଘାଟ, ବିଜୁଳି, ପିଇବା ପାଣି, ସ୍କୁଲ, ଡାକ୍ତରଖାନା, ଏମିତି କେତେ ଯେ କେତେ ସମସ୍ୟା ଆମକୁ ଅତିଷ୍ଠ କରେ। କିନ୍ତୁ ‘ଦୀପ ତଳ ଅନ୍ଧାର’ ଭଳି ଏ ସମସ୍ୟାର ଗୁରୁତ୍ୱ ଆମକୁ ବ୍ୟଥିତ କରେ ନାହିଁ। ଅଭୁକ୍ତକୁ ଖାଦ୍ୟ, ଭଙ୍ଗାଘରକୁ ଠିଆ କରିଦେବା, ପଡ଼ିଯାଇଥିବା ଲୋକକୁ ତୋଳି ଧରିବା ପାଇଁ ଆମ ହାତ ବଢ଼େ ନାହିଁ। ଆମ ଭାବୁ ଏହା ସରକାରଙ୍କ ଦାୟିତ୍ୱ।
କିନ୍ତୁ ଯଦି ଏମିତି ଭାବିବା ଯେ, ସରକାରଙ୍କ ସହ ଆମର ବି ସମପରିମାଣରେ ଦାୟିତ୍ୱ ରହିଛି, ତା’ହେଲେ ଅନେକ ସମସ୍ୟାର ସମାଧାନ ପଥ ନିଶ୍ଚୟ ସୁଗମ ହୋଇପାରନ୍ତା। ଆମେ ପରା ସରକାରଙ୍କ ଜନମଙ୍ଗଳକାରୀ ଯୋଜନାରୁ ଲାଭ ଉଠାଇବା ଲୋକ। ଉପରୁ ତଳଯାଏ ଏତେ ଦୁର୍ନୀତି ଚେର ଲମ୍ବିଥାଏ ଯେ, ଯୋଜନା ଲୋକଙ୍କ ପାଖରେ ପହଞ୍ଚତ୍ବାବେଳକୁ ତା’ର ଅନ୍ତଃସାର ନିଃଶେଷ ହୋଇ ଯାଇଥାଏ। ତେଣୁ କୌଣସି ସମସ୍ୟାର ପୂର୍ଣ୍ଣାଙ୍ଗ ସମାଧାନ ହୋଇ ପାରି ନ ଥାଏ। ସରକାରୀ ସ୍ତରରୁ ଆମ ପର୍ଯ୍ୟନ୍ତ ଯଦି କାହାଠାରେ ସାଧୁତା, ନିଷ୍ଠା, ବିବେକ, ସହୃଦୟତା ନ ଥିବ, ତେବେ ଦୁଃଖ ଦୂର ହେବ କେମିତି, ବିକାଶ ହେବ କେମିତି? ଲଜ୍ଜାଜନକ ଭାବେ ବରିଷ୍ଠ ସ୍ତରରେ ଥାଇବି ଆମେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା, ଯୋଜନାର କାର୍ଯ୍ୟ ନିର୍ବାହ କରିବା ଦାୟିତ୍ୱରେ ଥିବା ଲୋକେ ଅର୍ଥ ହେରଫେର କରିବା, ତା’ ତଳ ଲୋକ ଦୀପ ତେଜି ହାତ ଚିକ୍କଣ କରିବା ନୀତିରେ ଅର୍ଥ ଆତ୍ମସାତ୍‌ କରିବା ଏବଂ ସର୍ବଶେଷରେ ଆମ ଅଞ୍ଚଳରେ ଯଦି କିଛି ଉନ୍ନତିମୂଳକ କାର୍ଯ୍ୟ ସୌଭାଗ୍ୟକୁ ଆରମ୍ଭ ହୋଇଗଲା, ତେବେ ଆମେ ସେଥିରୁ ଟିକିଏ ଟିକିଏ ବାଣ୍ଟି ଖାଇବା, ସବୁ ଅନ୍ୟାୟ ଆମେ କରିବା, ଅଥଚ ସୁଯୋଗ ମିଳିଲେ ନିଜକୁ ନ୍ୟାୟବାନ୍‌ ବୋଲି ଦେଖେଇ ହେବାକୁ ରାଜରାସ୍ତାରେ ଠିଆ ହୋଇଯିବା।
ସତରେ ଯଦି ଆମେ ଦୁର୍ନୀତି, ଦୁଷ୍କର୍ମମୁକ୍ତ ଏକ ସୁସ୍ଥ ସମାଜ ଚାହୁଁ, ତେବେ ନିଜ ସ୍ଖଳିତ ଚରିତ୍ରକୁ ସଜାଡ଼ିବାକୁ ହେବ। ନିଜ ଆଖପାଖର ଲୋକଙ୍କ ଦୁଃଖ ନିଜ ସାଧ୍ୟମତେ ଅବା ସାମୂହିକ ସହଯୋଗରେ ଦୂର କରିବାକୁ ଉଦ୍ୟମ କରିବାକୁ ହେବ। ଆମେ ପ୍ରଥମେ ଦୃଢ଼ ମନରେ ଆରମ୍ଭ କଲେ ଆଗକୁ ସରକାରୀ, ବେସରକାରୀ ସାହାଯ୍ୟ ସହଯୋଗ ନିଶ୍ଚୟ ମିଳିବ। ଏଭଳି କାର୍ଯ୍ୟ କରିଥିବା ଅସଂଖ୍ୟ ବ୍ୟକ୍ତିଙ୍କ ଉଦାହରଣ ଆମ ଆଖି ଆଗରେ ଅଛି। ସେମାନେ ସାଧନ ନ ଥାଇ ସାଧନା ବଳରେ ଅସାଧ୍ୟ ସାଧନ କରିଛନ୍ତି। ନିଜ ଚାରିପଟର ଅନ୍ଧାର ଦୂର ନ ହେଲେ ଆଲୋକର ପ୍ରକୃତ ଆନନ୍ଦ ଆମେ ଉପଲବ୍ଧି କରିପାରିବା ନାହିଁ। ଆମର ଚିନ୍ତା ଓ ଚେତନା ବିକାଶ ଅଭିମୁଖୀ ହେଉ, ଏତିକି ହିଁ ଭଗବାନ୍‌ଙ୍କ ନିକଟରେ ପ୍ରାର୍ଥନା। ଦେଶ ଆମର ଏକ ସମ୍ବେଦନଶୀଳ ମୋଡ଼ ଦେଇ ଗତି କରୁଛି। ଏହି ସ୍ଥିତିରେ ଶାନ୍ତି, ଧୈର୍ଯ୍ୟ, ଏକତା, ରକ୍ଷା କରିବା ଆମର କର୍ତ୍ତବ୍ୟ।
ଗୁରୁଜଙ୍ଗ, ଖୋର୍ଦ୍ଧା
ମୋ:୯୪୩୯୬୧୮୬୨୫


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri