ବଢ଼ିଆ ଲାଗିଲା

ଦ୍ୱିତୀ ଚନ୍ଦ୍ର ସାହୁ

ଗାଇଡ … ଗାଇଡ’ – ହୁରି ଛାଡୁଥାଏ ଜଣେ। ତା’ ପାଖ ଦେଇ ଗଲାବେଳେ ଆମ ଭିତରୁ ଜଣେ କହିଲା – ‘ଗାଇଡ ନେଇଥିଲେ ଭଲ ହୁଅନ୍ତା।’ ସେଥିରୁ ତୁରନ୍ତ ଆଉ ଜଣେ ମନା କଲା । ଗାଇଡ ଜଣକ ଶୁଣି କହିଲା – ‘ନାଇ ଆଜ୍ଞା ! ଆମର ବେଶି ପଇସା ନାହିଁ। ମାତ୍ର ୧୫୦ ଟଙ୍କା। ସବୁ ବୁଝେଇବୁ। ଏକ ଘଣ୍ଟା ତମର ସହ ରହିବୁ।’ ମୁଁ କାହାର ଅନୁମତି ନ ନେଇ ହଁ ମାରିଲି। ସେଇଠୁ ଆରମ୍ଭ କଲା କଥା ଓଡ଼ିଆରେ ଏମ. ଗୋବିନ୍ଦ। ଆଦିବାସୀ ମଣିଷ ସେ। ଆମ ଟିମ୍‌ର ସମସ୍ତେ ଖୁସି ହୋଇଗଲେ ଜଣେ ଓଡ଼ିଆକୁ ପାଇ। ବାହାର ରାଇଜରେ ଓଡ଼ିଆଙ୍କ ସହ ଭେଟ ହୋଇଗଲେ ଯେଉଁ ଖୁସି ମିଳେ ଠିକ୍‌ ସେଇ ଅନୁଭବ ହେଲା। ପାଖରେ ବୋହିଯାଉଥିବା ନଈକୁ ଦେଖାଇ କହିଲା – ‘ଏଇ ହେଉଛି ଗୋସ୍ଥନି ନଦୀ।’ ଆର କଡ଼ରେ ଜଙ୍ଗଲ। ଏପଟେ ଠିଆ ହୋଇଛି ବିରାଟ ଗୁମ୍ଫା। ୬୨୫ ମିଟର ଗଭୀର ତଳକୁ। ଗୁମ୍ଫାର ଦୈର୍ଘ୍ୟ ୩୫୦ ମିଟର। ଲାଗୁଛି ଗୁମ୍ଫାଟି ଶୂନ୍ୟରେ ଝୁଲୁଛି। ବିରାଟ ଆଁ କରି ଗିଳିବାକୁ କେହି ଜଣେ ପ୍ରୟାସ କରୁଥିବା ଭଙ୍ଗୀରେ ପାଟିକୁ ମେଲା କରି ରଖିଛି। ପିମ୍ପୁଡି ଭଳି ଧାର ହୋଇ ତା’ର ଭିତରକୁ ପଶୁଛନ୍ତି ଶହ ଶହ ଦର୍ଶକ। ଗୁମ୍ଫାର ପ୍ରବେଶ ଦ୍ୱାରରେ ତଳକୁ ଲମ୍ବିଥିବା ପାହାଚ ନିକଟରେ ଠିଆ ହେଲେ ରଙ୍ଗବେରଙ୍ଗ ଆଲୁଅରେ ଝଲସୁଥିବା ଭିତରର ଗୁମ୍ଫା ଖୋଲ ଆହୁରି କମନୀୟ ହୋଇ ଆମନ୍ତ୍ରଣ କରୁଛି। ବିଦେଶୀ ଗବେଷକ ଓିଲିୟମ କିଙ୍ଗ କାଳେ ଏହାକୁ ପ୍ରଥମେ ଲୋକଲୋଚନକୁ ଆଣିଥିଲେ। କିନ୍ତୁ ଗୋବିନ୍ଦର ଦାବି ହେଲା ଆମର ଆଦିବାସୀ ଲୋକ ଏହାକୁ ପ୍ରଥମେ ଖୋଜି ବାହାର କରିଛନ୍ତି। ଦିନେ ଗୋଟେ ଗାଈ ଚରିବାକୁ ଆସି ଆଉ ଦିଶିଲାନି କାଳେ। ଖୋଜାଖୋଜି କଲାବେଳେ ଜଣାଗଲା ପାହାଡ଼ ଭିତରେ ଥିବା ଏକ ବଡ଼ ଗାତରେ ଖସିଗଲା। ଆଉ କିଛି ସମୟ ଭିତରେ ପାଖ ନଦୀରେ ବାହାରିଗଲା। ସେଇଠୁ ଏହି ଗୁମ୍ଫା ଲୋକଲୋଚନରେ ପ୍ରତିଭାତ ହେଲା। ପରେ ଜୟପୁର ରାଜା ଏହାର ସମସ୍ତ ଦାୟିତ୍ୱ ନେଇଥିଲେ। ଏହାର ଚାରିପଟେ ବସବାସ କରୁଛନ୍ତି ଜାତାପୁ, ପରଜା, କୋଣ୍ଡା ଦୋରା ଓ ନୁକାଦୋରା ଆଦିବାସୀ। ବିଶାଖାପାଟଣା ଜିଲା ପର୍ଯ୍ୟଟନ କାଉନ୍‌ସିଲ ପକ୍ଷରୁ ପର୍ଯ୍ୟଟକଙ୍କ ଉଦ୍ଦେଶ୍ୟରେ ଲଗାଯାଇଥିବା ସୂଚନା ଫଳକରେ ଉଲ୍ଲେଖ ଅଛି ବୋରାମାନେ ଓଡ଼ିଆ ଭାଷାରେ ଗାତ। ଅର୍ଥାତ୍‌ ଏହା ହେଉଛି ଗାତ ଗୁମ୍ଫା।
କ୍ୟାସଲିୟମ କାର୍ବୋନେଟ ଏବଂ ଲାଇମଷ୍ଟୋନରେ ଭରପୂର ଏଇ ଗୁମ୍ଫା ଭିତର ଦେଇ ପୂର୍ବେ ପାଖ ନଦୀର ଏକ ଶାଖା ପ୍ରବାହିତ ହୋଇଥିବାରୁ ଜଳ ସହ ରାସାୟନିକ ପ୍ରତିକ୍ରିୟାଜନିତ ଷ୍ଟେଲଗଟାଇଟ ଓ ଷ୍ଟେଲଗମାଇଟ ହୋଇ ବହୁ ଆକୃତି ସୃଷ୍ଟି କରିଛି। ଏଇ ଭୌଗୋଳିକ ବୈଚିତ୍ରତା ଓ ପୁରାତନ ଶିବ ଲିଙ୍ଗ ସମସ୍ତଙ୍କୁ ଆକର୍ଷିତ କରିଛି। ଉପରେ ହିଲ ଷ୍ଟେସନ, ସୁଉଚ୍ଚ ପାହାଡ, ଘଞ୍ଚ ବନାନୀରେ ଭରପୂର ପ୍ରାକୃତିକ ସୌନ୍ଦର୍ଯ୍ୟ ଲାଗି ଅବସର ବିନୋଦନ ପାଇଁ ତମାମ ଆନ୍ଧ୍ର ପ୍ରଦେଶ, ତେଲଙ୍ଗାନାର ପର୍ଯ୍ୟଟକଙ୍କ ଭିଡ ଏଠି। ସେଥିରେ ଓଡ଼ିଶାର ପର୍ଯ୍ୟଟକଙ୍କ ଉପସ୍ଥିତି ଅଧିକା। ପର୍ଯ୍ୟଟକଙ୍କ ଆଗ୍ରହ ଦୃଷ୍ଟିରୁ ଆନ୍ଧ୍ର ସରକାର ୧୯୯୫ରେ ଏହାର ଉନ୍ନତୀକରଣର ସମସ୍ତ ବ୍ୟବସ୍ଥା କରି ପର୍ଯ୍ୟଟକଙ୍କ ପ୍ରବେଶ ଦେୟ ଆଦାୟ କରୁଛନ୍ତି। ବାର୍ଷିକ ଏଇ ବାବଦକୁ ହାରାହାରି ୧୨ରୁ ୧୫ କୋଟି ଆଦାୟ ହେଉଛି। ତା’ ସହିତ ଆଖପାଖ ଅଞ୍ଚଳର ବହୁ ଆଦିବାସୀ ପାରମ୍ପରିକ ଜଙ୍ଗଲଜାତ ଦ୍ରବ୍ୟ, ଫଳ ଓ ବିଶେଷକରି ବାଉଁଶ ପୋଡ଼ା ମାଂସ ବିକ୍ରି କରି ଉପାର୍ଜନକ୍ଷମ ହୋଇପାରୁଛନ୍ତି। ଏସବୁ ଦେଖିଲା ପରେ ମୁଁ ଯେତିକି ଚକିତ ହେଲି ସେତିକି ଦୁଃଖରେ ଭାଙ୍ଗିି ପଡ଼ିଲି। ଏଇ ସମଗ୍ର ଅଞ୍ଚଳ ଦିନେ ଓଡ଼ିଶାର ଥିଲା। ଆନ୍ଧ୍ର ଏହାକୁ କରାୟତ କଲା। ସେମିତି କୌଣସି ଐତିହାସିକ ତଥା ପୌରାଣିକ ପୃଷ୍ଠଭୂମି ନ ଥିବା ସତ୍ତ୍ୱେ ଏହାର ବିକାଶ କଲା। ଆରକୁର ବିଶାଳ ଉପତ୍ୟକା ଓ ବୋରାକେଭ ଏବେ ଭାରତର ଅନ୍ୟତମ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ପାଲଟିଛି। ଏତେସବୁ କହିବା କଥା ହେଲା ଆମ ପଡ଼ୋଶୀ ପ୍ରଦେଶର ଆଭିମୁଖ୍ୟ। ହୁଏତ ଆରକୁ ସହ ବୋରାକେଭ ଓଡ଼ିଶାରେ ଥିଲେ ଏତିକି ପ୍ରସିଦ୍ଧି ଲାଭ କରିପାରି ନ ଥା’ନ୍ତା। ଏହାର ଉଦାହରଣ ହେଉଛି କୋଟିଆ। କୋଟିଆକୁ ନେଇ ଅଧିକା କିଛି କହିବାର ଆବଶ୍ୟକତା ନାହିଁ।
ଆରକୁ ଉପତ୍ୟକାକୁ ଦେଖିଲେ ଏହା କୋରାପୁଟ ଭୂଖଣ୍ଡଠାରୁ ଅଧିକ ସୁନ୍ଦର ହୋଇ ନ ପାରେ। କଫି ବଗିଚା ସହ ଶୈଳନିବାସର ଭ୍ରମ ସୃଷ୍ଟି କରୁଥିବା ଏହି ସ୍ଥାନଠାରୁ ଢେର ଗୁଣରେ ଅଧିକ ଆମ ଅବିଭକ୍ତ କୋରାପୁଟ ଓ କନ୍ଧମାଳର ପ୍ରକୃତି ଏବଂ ପରିବେଶ। ଓଡ଼ିଶାର ସୁଉଚ୍ଚ ଗିରିଶୃଙ୍ଗ ଦେଓମାଳିର ବର୍ତ୍ତମାନର ଅବସ୍ଥା କ’ଣ ? କେବଳ ସାଧାରଣ ଜ୍ଞାନର ଗୋଟେ ପ୍ରଶ୍ନ ହୋଇ ରହିଛି ଆମ ଓଡ଼ିଆଙ୍କ ପାଇଁ ଦେଓମାଳି ।
ଏଥିସହ ବହୁ କିମ୍ବଦନ୍ତୀମୟ ପୀଠ ଓ ପର୍ଯ୍ୟଟନ ଏବେ ବି ଜନମାନସଠାରୁ ବହୁ ଦୂରରେ । ଓଡ଼ିଶାର ୬୨ ପ୍ରକାର ଜନଜାତି ମଧ୍ୟରୁ ଅଧିକାଂଶ ଜନଜାତିଙ୍କ ଆବାସସ୍ଥଳ ହୋଇଛି କୋରାପୁଟର ବିସ୍ତୀର୍ଣ୍ଣ ମାଳ ଅଞ୍ଚଳ। ଆଦିବାସୀ ପର୍ଯ୍ୟଟନ ଦିଗରେ ଯେତିକି ବିକାଶ ହେବା କଥା ସେତିକି ବିକାଶ ହୋଇପାରିନି। ଏସବୁ ଓଡ଼ିଶା ଓ ଓଡ଼ିଆଙ୍କ ପାଇଁ ଗର୍ବ କରିବାର କାରକସମୂହ। ଅଥଚ ଆମ ଶରୀରରୁ ଅନେକ ଅଂଶ ଟାଣି ନେବାର ଉପକ୍ରମ ପରେ ବି ଆମର କୁର୍ମ ଅବତାର। ଆନ୍ଧ୍ର-ଓଡ଼ିଶା ସୀମାକୁ ଲାଗିଥିବା ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି ଏବଂ ଗଞ୍ଜାମର ବହୁ ଗ୍ରାମ ଉପରେ ଆନ୍ଧ୍ରର ଲୋଲୁପ ଦୃଷ୍ଟି। କେବଳ ଆନ୍ଧ୍ର କାହିଁକି ଓଡ଼ିଶାର ସବୁ ସୀମା ଏବେ ସୁରକ୍ଷିତ ନୁହେଁ। ଏକଥା ବିଭିନ୍ନ ଗଣମାଧ୍ୟମରେ ଆଲୋଚିତ ହେଉଛି। ଏଭଳି ପରିସ୍ଥିତିରେ ସବୁଠାରୁ ବଡ଼ କଥା ହେଲା ଜନତାଙ୍କ ବିଶ୍ୱାସ ହାସଲ। ପର୍ଯ୍ୟାୟକ୍ରମିକ ସରକାର ଆମ ରାଜ୍ୟ ଭିତରେ ଅନେକ ଐତିହ୍ୟ, ବିଭବ, କୀର୍ତ୍ତିରାଜିର ସୁରକ୍ଷା ଦିଗରେ ସେମିତି ବିଶେଷ ଦୃଷ୍ଟି ଦେଇ ନାହାନ୍ତି। ବିକାଶ ଓ ସମୃଦ୍ଧି ଦିଗରେ ଅଣଦେଖା କରି ଆସିଛନ୍ତି। ଏସବୁ ରାଇଜର ଲୋକଙ୍କ ଭିତରେ ଗୋଟେ ହତାଶାର ଭାବ ସୃଷ୍ଟି କରି ଆସିଛି।
ଓଡ଼ିଆଟିଏ ଯେବେ ପର୍ଯ୍ୟଟକ ହୋଇ ବାହାର ରାଜ୍ୟ କିମ୍ବା ଦେଶକୁ ଯାଏ ପ୍ରଥମେ ସେଠାକାର ସ୍ଥାନ ଓ ପରିବେଶକୁ ଦେଖି ଉଚ୍ଚାଟିତ ହୁଏ ସତ, କିନ୍ତୁ ବହୁଳାଂଶରେ ଦୁଃଖ ପାଏ। ତୁରନ୍ତ ଆମ ରାଜ୍ୟର କୌଣସି ପର୍ଯ୍ୟଟନସ୍ଥଳ ସହ ସେ ତୁଳନା କରି ବସେ। ଆକାଶ ପାତାଳ ପ୍ରଭେଦକୁ ଦେଖି ହାତାଶାବୋଧ କରେ। କର୍ମକୁ ନିନ୍ଦେ। ସରକାରଙ୍କୁ କୋଷେ। ଏଇ କଥାକୁ ଆସି ଘରେ ଓ ବାହାରେ ପ୍ରକାଶ କରେ। କିନ୍ତୁ ଏସବୁ ଶୁଣେ କିଏ। ତା’ର ସ୍ବର ସମୟ ସୁଅରେ ସେମିତି ଲିଭି ଯାଏ। ଏମିତି ସମସ୍ୟା ଓ ଯାତନା ଭିତରେ ସଂଘର୍ଷ କରୁଥିବା ସର୍ବ ଦୁଃଖୀ ଓଡ଼ିଆମାନେ ହୁଏତ ଅନ୍ୟ ରାଜ୍ୟ ପ୍ରତି ଆକର୍ଷିତ ହେଉଛନ୍ତି ପ୍ରକାରାନ୍ତରେ। ଏସବୁ ବନ୍ଦ ହେବା ଜରୁରୀ। ଆମେ ସମସ୍ତେ ନିଜ ନିଜ ସ୍ତରରେ ସଚେତନ ହେବା ଜରୁରୀ। ରାଜନୀତି ଅପେକ୍ଷା ମିଳିତ ରଣନୀତି ଆବଶ୍ୟକ। ତା’ ସହିତ ଆମ ରାଇଜର ବିଭବର ବିକାଶ ଅନିବାର୍ଯ୍ୟ। ଡେରିରେ ହେଉ ପଛେ ଓଡ଼ିଶା ସରକାର ଏସବୁ ଦିଗରେ ତପତ୍ର ହେବା ଶୁଭଙ୍କର। ବୋରାକେଭ ବୁଲି ଗାଇଡକୁ ପଇସା ଦେଇ ଫେରିଲୁ। ବାହାରେ ଗୋଟେ ଜନଜାତି ଲୋକଠାରୁ ଖାଇଲୁ ବାଉଁଶପୋଡ଼ା ମାଂସ। ଓଡ଼ିଆରେ ପଚାରିଲି- ‘ଓଡ଼ିଆମାନଙ୍କୁ ଦେଖି କେମିତି ଲାଗୁଛି।’ ତା’ ପାଖରେ ଥିବା ବୟସ୍କା ମଣିଷ ଖାଣ୍ଟି କୋରାପୁଟିଆ ଦେଶିଆ ଭାଷାରେ କହିଲା- ”କେନ୍ତା ଲାଗଲାନି, ଗଡ଼ିଆ ଲୋକକେ ଦେକିକରି! ନିକ ଲାଗଲାନି(ବଢ଼ିଆ ଲାଗିଲା)! ଆମ ଦେଶ ବାଟର ପାରା ଆକା ଲାଗଲାନି!“ ଏତିକି ଶୁଣି ପାଟିରେ ଦେଇଥିବା ପୋଡ଼ା ମାଂସ ଆହୁରି ସ୍ବାଦିଷ୍ଟ ଲାଗିଲା। ଲାଗିଲା ସୀମାନ୍ତର ଯୁଝୁଥିବା ସବୁ ଓଡ଼ିଆଙ୍କୁ ଏମିତି ନିକ ଲାଗିଥିଲେ ହୁଏତ ଆହୁରି ନିମାନ ହୁଅନ୍ତା! ସେ ବେଳକୁ ଅପେକ୍ଷା!
ଇନ୍ଦିରା ନଗର, ୪ର୍ଥ ଗଳି, ରାୟଗଡ଼
ମୋ-୯୫୫୬୨୮୭୭୭୫


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଶିଖିବା ଓ ସଫଳତା ପାଇବାରେ ବୟସର କୌଣସି ସୀମା ନ ଥାଏ। ଏମିତି ଜଣେ ସଫଳ ମହିଳା ହେଉଛନ୍ତି ମଣିପୁରର ଶୁଭ ଭଟନାଗର। ୬୩ ବର୍ଷୀୟା...

ପୂଜ୍ୟ ପ୍ରଣାମ

ଯେଉଁ କେତେଜଣ ଯଶସ୍ବୀ, ପୁଣ୍ୟାତ୍ମା, ସଂଗ୍ରାମୀ, କବି, ସାହିତ୍ୟିକ ଏ ଉତ୍କଳରେ ଜନ୍ମଗ୍ରହଣ କରିଥିଲେ ସେମାନଙ୍କ ମଧ୍ୟରେ ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସ, କାନ୍ତକବି ଲକ୍ଷ୍ମୀକାନ୍ତ...

ଫ୍ରିବି ମାନେ ରାଜକୋଷରେ କଳାକନା

ରାଜନୈତିକ ଦଳଗୁଡ଼ିକ ନିର୍ବାଚନ-ପ୍ରଚାର ସମୟରେ କହୁଛନ୍ତି ଆମକୁ ଭୋଟ ଦିଅ, ଆମେ ଅମୁକ ସମୁକ ସାମଗ୍ରୀ ମାଗଣା ବା ନାମମାତ୍ର ଦରରେ ଯୋଗାଇବୁ। ଯୁକ୍ତିଯୁକ୍ତ କାରଣ...

ନ୍ୟାୟିକ ବିଜୟ

ଏକ ଦଶନ୍ଧିରୁ ଅଧିକ ପୁରୁଣା ମାମଲାରେ ସୁପ୍ରିମକୋର୍ଟ ତାଙ୍କ ପୂର୍ବ ନିର୍ଦ୍ଦେଶକୁ ରଦ୍ଦକରି ଦିଲ୍ଲୀ ମେଟ୍ରୋ ରେଳ ନିଗମ (ଡିଏଏମ୍‌ଆର୍‌ସି)କୁ ଏକ ବଡ଼ ବିଜୟ ପ୍ରଦାନ...

ଧରିତ୍ରୀ କାର୍ଟୁନ – Dharitri Cartoon

ଧରିତ୍ରୀ କାର୍ଟୁନ

ପୂଜା

ନିର୍ମଳ ତା’ର ମାଆବାପାଙ୍କ ସହିତ ମନ୍ଦିରକୁ ଯାଏ। ନିୟମିତ ସ୍କୁଲ ପାଠ୍ୟକ୍ରମ କରିବା, ମାଆବାପାଙ୍କୁ ସମ୍ମାନ ଦେବା, ସହପାଠୀମାନଙ୍କୁ ଭଲ ପାଇବା, ଗୁରୁଙ୍କ ନିକଟରେ ପ୍ରଣିପାତ...

ଶୂନ୍ୟରେ ସୁଖ ଖୋଜା

ଶ୍ରୀମଦ୍‌ ଭାଗବତ ମହାପୁରାଣର କୃଷ୍ଣଲୀଳା ଉପାଖ୍ୟାନ ବଡ଼ ଚମତ୍କାର। ଏଥିରେ ଭଗବାନ ଶ୍ରୀକୃଷ୍ଣଙ୍କ ଅଲୌକିକ ଲୀଳା ସବୁର ବର୍ଣ୍ଣନା ରହିଛି। ତେବେ ଭାଗବତ ଅନୁସାରେ ଭଗବାନ...

ଏଇ ଭାରତରେ

ଏମିତି ଜାଗାକୁ ଯିବେ ଯେଉଁଠି ମାଟିଘରେ ରହି ଜୈବିକ ଚାଷ ଦେଖିବେ ଓ ଶିଖିବେ ମଧ୍ୟ। ଏଭଳି ଏକ ପରିବେଶ ପାଇବେ ରାଜସ୍ଥାନର ଖୋରା ଶ୍ୟାମଦସାସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri