ଜାକର୍ତ୍ତା,୭ା୯: ଇଣ୍ଡୋନେସିଆର ଅନକ କ୍ରକାତାଉ ଆଗ୍ନେୟଗିରିରୁ ରବିବାର ଭୋର ସମୟରେ ଲାଭା ଉଦ୍ଗିରଣ ହୋଇଛି। ଲାଭା ପାଉଁଶ ପଶ୍ଚିମ ଇଣ୍ଡୋସେନିଆ ଆକାଶକୁ ଛାଇଯାଇଥିବାରୁ ଜାକର୍ତ୍ତାର ସୁକର୍ଣ୍ଣୋ-ହାଟ୍ଟା ଅନ୍ତର୍ଜାତୀୟ ବିମାନବନ୍ଦରରୁ ସମସ୍ତ ବିମାନ ଉଡ଼ାଣକୁ ବାତିଲ କରିଦିଆଯାଇଛି।
ଆଗ୍ନେୟଗିରି ଦ୍ୱୀପଟି ଇଣ୍ଡୋନେସିଆର ଜାଭା ଓ ସୁମାତ୍ରା ଦ୍ୱୀପ ମଧ୍ୟଭାଗରେ ଥିବା ସୁଣ୍ଡା ଷ୍ଟ୍ରେଟ୍ରେ ରହିଛି। ଗତ ଫେବୃଆରୀରୁ ଉକ୍ତ ଆଗ୍ନେୟଗିରି ସକ୍ରିୟ ରହିଥିବାବେଳେ ରବିବାର ଭୋର ୩ଟା ୫୩ ମିନିଟ୍ ସମୟରେ ୩୦ ସେକେଣ୍ଡ ପାଇଁ ଲାଭା ଉଦ୍ଗିରଣ ହୋଇଥିଲା। ସେଠାରେ ଜିଓଲୋଜିକାଲ ଏଜେନ୍ସି ଲଗାଇଥିବା କ୍ଲୋଜ୍ ସର୍କିଟ୍ କ୍ୟାମେରାରେ ଲାଭା ଉଦ୍ଗିରଣ ସମୟର ଦୃଶ୍ୟ ଦେଖାଯାଇଛି। ଏଥିରେ କେହି ମୃତାହତ ହୋଇନାହାନ୍ତି ଏବଂ ଲୋକଙ୍କୁ ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇନାହିଁ। କାରଣ ଲାଭା ଉଦ୍ଗିରଣ ଅଞ୍ଚଳଠାରୁ ୧୬ କି.ମି.ଦୂରରେ ଜନବସତି ରହିଛି। ତେବେ ଆଗ୍ନେୟଗିରିର ସକ୍ରିୟ ଗର୍ତ୍ତଠାରୁ ଅନୂ୍ୟନ ୩ କି.ମି. ଦୂରରେ ରହିବାକୁ ସ୍ଥାନୀୟ ଲୋକ ଓ ପର୍ଯ୍ୟଟକମାନଙ୍କୁ ସତର୍କ କରିଦିଆଯାଇଛି।
ଲାଭା ଉଦ୍ଗିରଣ ପରେ ପାଉଁଶ ରାଜଧାନୀ ଜାକର୍ତ୍ତା ଏବଂ ସୁମାଦ୍ରା ଦ୍ୱୀପର ଲାମ୍ବୁଙ୍ଗ ପ୍ରଦେଶକୁ ବ୍ୟାପିଯାଇଛି। ପାଉଁଶ ଏବଂ ଉତ୍ତାପ ଯୋଗୁ ସକାଳ ୫ଟା ୩୦ରୁ ୯ଟା ୩୦ ପର୍ଯ୍ୟନ୍ତ ଜାକର୍ତ୍ତା ବିମାନବନ୍ଦରରେ ବିମାନ ଚଳାଚଳ ବନ୍ଦ ରଖାଯାଇଥିଲା।

