ଆଣ୍ଠେଇଲା ଇରାନ

ଜନଶକ୍ତି ରାଜଶକ୍ତିଠାରୁ ଅଧିକ ବଳଶାଳୀ ବୋଲି ଇତିହାସ ପ୍ରମାଣ ଦେଇଆସିଛି। ସାଧାରଣ ଲୋକଙ୍କ ଦ୍ୱାରା ହୋଇଥିବା ଆନ୍ଦୋଳନ ଯୋଗୁ ବହୁ କ୍ଷମତାସୀନ ବ୍ୟକ୍ତିଙ୍କୁ ଗାଦିଚ୍ୟୁତ କରାଯାଇପାରିଛି। ରାଜତନ୍ତ୍ର ହେଉ ବା ଗଣତନ୍ତ୍ର ସବୁଠାରେ ଶାସକଙ୍କ ଭୁଲ୍‌ କାର୍ଯ୍ୟକୁ ଯୁକ୍ତିଯୁକ୍ତ ଭାବେ ଦର୍ଶାଯାଇପାରିଲେ, ପରିବର୍ତ୍ତନ ଅବଶ୍ୟମ୍ଭାବୀ। ଏହାର ସଦ୍ୟ ଦୃଷ୍ଟାନ୍ତ ହେଉଛି ଇରାନ। ଦୁଇ ମାସ ପୂର୍ବେ ମହସା ଅମିନିଙ୍କ ମୃତ୍ୟୁରୁ ଲାଗିଥିବା ନିଆଁ ସେହି ଶକ୍ତିଶାଳୀ ଇସ୍‌ଲାମୀୟ ରାଷ୍ଟ୍ରର ବ୍ୟବସ୍ଥାକୁ ଦୋହଲାଇ ଦେଇଛି। ହିଜାବ ପିନ୍ଧିବାକୁ ଅନିଚ୍ଛୁକ ମହସାଙ୍କୁ ଇରାନର ରିଭୋଲ୍ୟୁଶନାରୀ ପୋଲିସ ଗିରଫ କରି ହାଜତରେ ମାଡ଼ ମାରିବା ଯୋଗୁ ତାଙ୍କର ମୃତ୍ୟୁ ଘଟିଥିଲା। ସେଥିରୁ ଆରମ୍ଭ ହୋଇଥିବା ଜନଅସନ୍ତୋଷ ଏବଂ ଆନ୍ଦୋଳନ ବିପ୍ଳବର ରୂପ ନେଲା। ଇରାନ ସରକାରଙ୍କ କହିବା ଅନୁଯାୟୀ ୨୦୦ ଲୋକଙ୍କ ମୃତ୍ୟୁ ଘଟିଛି। ଅଣାନୁଷ୍ଠାନିକ ଭାବେ ସେହି ସଂଖ୍ୟା କାହିଁ କେତେ ଅଧିକ ହେବ ବୋଲି ବିଭିନ୍ନ ମାନବ ଅଧିକାର ସଂଗଠନ କହିଛନ୍ତି। ଆଜି ଇରାନର ମୌଳବାଦୀ ସରକାର ଧର୍ମର ଆଢ଼ୁଆଳରେ ଅଧିକ ସମୟ ରହିପାରିବ ନାହିଁ ବୋଲି ବୁଝିବା ପରେ ଏକ ଐତିହାସିକ ପଦକ୍ଷେପ ସ୍ବରୂପ ପ୍ରଥମ ପର୍ଯ୍ୟାୟରେ ନୈତିକ ପୋଲିସକୁ ଉଚ୍ଛେଦ କରିଛି। ଆଟର୍ନି ଜେନେରାଲ ମହମ୍ମଦ ଜାଫର କହିଛନ୍ତି, ମହିଳାମାନେ ସେମାନଙ୍କ ମୁହଁକୁ ଲୁଚାଇବା ଦରକାର କି ନୁହେଁ, ତାହା ଉପରେ ସମୀକ୍ଷା ହେବ। ଅର୍ଥାତ୍‌ ହିଜାବ ସମ୍ପର୍କରେ ଇରାନ ସରକାର ପୁନର୍ବିଚାର କରିବାକୁ ମଙ୍ଗିଲେଣି। ଏହା ମୋଡ଼ ପରିବର୍ତ୍ତନର ଆଭାସ ଦେଉଛି। ପାର୍ଲାମେଣ୍ଟ ଓ ନ୍ୟାୟପାଳିକା ଏହି ପ୍ରସଙ୍ଗ ଉପରେ ଗଭୀର ଅନୁଧ୍ୟାନ କରିବା ପରେ ସରକାରୀ ସ୍ତରରେ ଏଭଳି ନିଷ୍ପତ୍ତି ନିଆଯିବା ନିଶ୍ଚିତ ଭାବେ ପ୍ରତିବାଦକାରୀଙ୍କ ବିଜୟ ବୋଲି କୁହାଯାଉଛି। ସୂଚନାଯୋଗ୍ୟ ଯେ, ୧୯୮୩ରେ ଇରାନ୍‌ରେ ହିଜାବ ବାଧ୍ୟତାମୂଳକ କରାଯାଇଥିଲା। କିନ୍ତୁ ତା’ ପୂର୍ବରୁ ମହିଳାମାନେ ସ୍ବାଧୀନ ଭାବେ ବିଚରଣ କରିବା ସହ ଜିନ୍ସ ଭଳି ପାଶ୍ଚାତ୍ୟ ପୋଷାକ ପିନ୍ଧିପାରୁଥିଲେ। ତେବେ ଇସ୍‌ଲାମୀୟ ରକ୍ଷଣଶୀଳତା ଯୋଗୁ ହିଜାବ ବ୍ୟବସ୍ଥା ପ୍ରଚଳନ ଇରାନ୍‌କୁ ଏକ ପଛୁଆ ରାଷ୍ଟ୍ର ଭାବେ ଅନ୍ତର୍ଜାତୀୟ ସ୍ତରରେ ନିନ୍ଦିତ କରିଥିଲା। ସେହି ପରିବର୍ତ୍ତନକୁ ସେଠାକାର ସ୍ବାଧୀନଚେତା ବ୍ୟକ୍ତି ବିରୋଧ କରୁଥିଲେ। ସେଥିପାଇଁ ଅନେକଙ୍କୁ ଇସ୍‌ଲାମୀୟ ଆଇନ ମାଧ୍ୟମରେ ଦଣ୍ଡିତ କରାଯାଉଥିଲା। ଏହା ସତ୍ତ୍ୱେ ସରକାରବିରୋଧୀ ଏକ ସ୍ରୋତ ଇରାନ୍‌ରେ ବୋହୁଥିଲା। ତେବେ ବିପ୍ଳବ ଲାଗି ଯେଉଁ ଏକ ତୀବ୍ର ଆହ୍ବାନର ଆବଶ୍ୟକତା ଥିଲା, ତାହା ୨୦୨୨ ସେପ୍ଟେମ୍ବରରେ ୨୨ ବର୍ଷୀୟା ମହସା ଅମିନଙ୍କ ହାଜତରେ ଘଟିଥିବା ଅସ୍ବାଭାବିକ ମୃତ୍ୟୁ ଦ୍ୱାରା ଅଧିକ ଇନ୍ଧନ ପାଇଥିଲା। ମହସା ହିଜାବକୁ ବିରୋଧ କରୁଥିବାରୁ ପୋଲିସ ତାଙ୍କୁ ଉଠାଇନେଇ ଅତ୍ୟାଚାର କରି ମାରିଦେଇଥିବା ବିଷୟ ପ୍ରଘଟ ହେବା ପରେ ଦେଶରେ ଜନଜାଗରଣ ଆରମ୍ଭ ହୋଇଥିଲା। କ୍ରମେ ଏହି ଆନ୍ଦୋଳନ କେବଳ ଇରାନ୍‌ ମଧ୍ୟରେ ସୀମିତ ନ ରହି ସମଗ୍ର ବିଶ୍ୱରେ ଗୁଞ୍ଜରଣ ସୃଷ୍ଟି କରିଥିଲା। ଫଳସ୍ବରୂପ ଆଜି ଇରାନ୍‌ ସରକାର ଜନଆନ୍ଦୋଳନ ଆଗରେ ମୁଣ୍ଡ ନୁଆଁଇବାର ସଙ୍କେତ ଦେଇଛନ୍ତି।
ଇରାନ ସରକାର ଏପରି ନିଷ୍ପତ୍ତି ନେବା ପଛରେ ନିକଟରେ ଦୁଇଟି ଘଟଣାର ପ୍ରଭାବ ରହିଥିବା ପ୍ରତୀୟମାନ ହେଉଛି। କାତାରର ଦୋହାଠାରେ ଚାଲିଥିବା ଫୁଟ୍‌ବଲ ବିଶ୍ୱକପ୍‌ ପ୍ରତିଯୋଗିତାର ୨୧ ନଭେମ୍ବରରେ ଇଂଲଣ୍ଡ ବିପକ୍ଷରେ ଇରାନ ଖେଳିବା ପୂର୍ବରୁ ଦୁଇ ଦେଶର ଜାତୀୟ ସଙ୍ଗୀତ ବଜାଯାଇଥିଲା। କିନ୍ତୁ ଇରାନୀୟ ଖେଳାଳିମାନେ ସେମାନଙ୍କ ଦେଶର ଜାତୀୟ ସଙ୍ଗୀତ ବାଜୁଥିବା ବେଳେ ନୀରବ ରହିଥିବା ଦେଖାଯାଇଥିଲା। ମହସା ଅମିନଙ୍କ ତ୍ୟାଗକୁ ସମ୍ମାନ ଦେବା ସହ ହିଜାବ ବିରୋଧୀ ଆନ୍ଦୋଳନକୁ ସମର୍ଥନ କରି ଖେଳାଳିମାନେ ନେଇଥିବା ନିଷ୍ପତ୍ତି ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚା ହୋଇଥିଲା। ଅନୁରୂପ ଭାବେ ୩ ଡିସେମ୍ବରରେ ଇରାନୀୟ ରକ୍‌ କ୍ଲାଇମ୍ବର ଇଲ୍‌ନାଜ ରେକାବିଙ୍କ ଘରକୁ ପ୍ରଶାସନ ଭାଙ୍ଗିଦେଇଥିଲା। ହିଜାବ ନ ପିନ୍ଧି ରେକାବି ପ୍ରତିଦ୍ୱନ୍ଦ୍ୱିତାରେ ଭାଗ ନେଇ ଅନ୍ତର୍ଜାତୀୟ ସ୍ତରରେ ନାମ ଅର୍ଜନ କରିଥିବାରୁ ତାହାକୁ ଇସ୍‌ଲାମୀୟ ମୌଳବାଦୀ ସହ୍ୟ କରିପାରି ନ ଥିଲେ। ଏହିଭଳି ଅନେକ ଘଟଣା ଘଟିବା ସହ ଅସଂଖ୍ୟ ଲୋକଙ୍କ ଜୀବନ ଯିବା ପରେ ସମ୍ଭବତଃ ଇବ୍ରାହିମ୍‌ ରଇସି ସରକାର ହିଜାବ ଆଇନରେ ପରିବର୍ତ୍ତନ ଆଣିବାକୁ ବାଧ୍ୟ ହୋଇଛନ୍ତି।
ଆନ୍ଦୋଳନକାରୀଙ୍କ ଆଗରେ ଇରାନ ସରକାର ମୁଣ୍ଡ ନୁଆଁଇବା କେବଳ ସେହି ଦେଶ ନୁହେଁ, ସମଗ୍ର ବିଶ୍ୱ ପାଇଁ ନୂଆ ସଙ୍କେତ ଦେଇଛି। ଏଠାରେ ଅନ୍ୟ କେତେକ ଦେଶରେ ଘଟିଥିବା ଜନଅସନ୍ତୋଷକୁ ଦେଖାଯାଇପାରେ। ଗଣତାନ୍ତ୍ରିକ ଯୁକ୍ତରାଷ୍ଟ୍ର ଆମେରିକାରେ ଗର୍ଭପାତ ବିରୋଧୀ ଗୋଷ୍ଠୀଙ୍କୁ ବିରୋଧ କରିବା ପାଇଁ ମହିଳା ଆଗେଇ ଆସିଥିଲେ। ହେଲେ ସେହି ଦେଶର ସବୁ ବର୍ଗ ଏହି ପ୍ରତିବାଦରେ ଯୋଗ ଦେଇ ନ ଥିଲେ। ଯେହେତୁ ଆମେରିକାର ଗଣତାନ୍ତ୍ରିକ ପଦ୍ଧତି ଅତ୍ୟନ୍ତ ଶକ୍ତିଶାଳୀ ସେଥିପାଇଁ ମଧ୍ୟବର୍ତ୍ତିକାଳୀନ ନିର୍ବାଚନରେ ରିପବ୍ଲିକାନ୍‌ ପ୍ରାର୍ଥୀମାନଙ୍କୁ ଯଥେଷ୍ଟ ସମର୍ଥନ ମିଳି ନ ଥିବାରୁ ଗର୍ଭପାତ ଆଇନ ସମଗ୍ର ଦେଶରେ ଲାଗୁ ହୋଇପାରିବ ନାହିଁ। ଅର୍ଥାତ୍‌ ଭୋଟ ମାଧ୍ୟମରେ ଏକ ରାଜନୈତିକ ଦଳର ନୀତିକୁ ରୋକି ଦିଆଯାଇପାରିଛି। ଅନୁରୂପ ଭାବେ ଭାରତରେ ଘଟିଥିବା କୃଷକ ଆନ୍ଦୋଳନ ସମଗ୍ର ଦେଶର କୃଷକ କିମ୍ବା ଅନ୍ୟ ବର୍ଗମାନଙ୍କୁ ଜାଗ୍ରତ କରାଇ ପାରି ନ ଥିଲା। ତଥାପି ଅଳ୍ପ କେତେକ ରାଜ୍ୟର କୃଷକଙ୍କ ଜିଦି ଯୋଗୁ କେନ୍ଦ୍ର ସରକାର ମୁଣ୍ଡ ନୁଆଁଇ ତିନୋଟି ଯାକ ବିବାଦୀୟ କୃଷି ଆଇନକୁ ଫେରାଇ ନେଇଥିଲେ। କିନ୍ତୁ ଇରାନରେ ସବୁ ବର୍ଗ ଏକଜୁଟ୍‌ ହେବା ଯୋଗୁ ଏକ ଅତ୍ୟନ୍ତ ଶକ୍ତିଶାଳୀ ତଥା ପାଶ୍ଚାତ୍ୟଗାମୀ ଚିନ୍ତାଧାରାରେ ଅନୁପ୍ରାଣିତ ସରକାର ଆଣ୍ଠେଇବାକୁ ବାଧ୍ୟ ହେଲେ। ଇରାନର ଏହି ବିପ୍ଳବ ଆଧୁନିକ ପୃଥିବୀକୁ ସୂଚାଇ ଦେଇଛି ଯେ ଅନ୍ୟାୟ ବିରୋଧରେ ଯଦି ସମସ୍ତେ ଏକଜୁଟ ହେବେ ତେବେ ନ୍ୟାୟ ଆସିବା ଡେରି ହେବ ନାହିଁ। ଏଥିସହିତ ଇରାନ ଘଟଣା ଏହା ମଧ୍ୟ ପ୍ରମାଣ କରିଦେଲା ଯେ ବୈପ୍ଳବିକ ପରିବର୍ତ୍ତନ ଆଣିବାକୁ ହେଲେ ଦେଶ ଭିତରୁ ଓ ସବୁ ବର୍ଗଙ୍କଠାରୁ ପ୍ରତିବାଦର ସ୍ବର ଉତ୍ତୋଳନ ପରିବର୍ତ୍ତନ ଆଣିବ। ଯେ ପର୍ଯ୍ୟନ୍ତ ସରକାରଙ୍କ ଦ୍ୱାରା ପ୍ରାୟୋଜିତ ‘ରାମରାଜ୍ୟ’ ପାଇଁ ଅପେକ୍ଷା କରିବା, ସେହିଦିନ ପର୍ଯ୍ୟନ୍ତ କଷ୍ଟ ଓ ଅନ୍ଧକାରରେ ବଞ୍ଚତ୍ବାକୁ ବାଧ୍ୟ ହେବା।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନର୍ସ ଭାବେ ଦୀର୍ଘ ୪୦ବର୍ଷ ଧରି ସାଇକେଲରେ ଉତ୍ତର ପଶ୍ଚିମବଙ୍ଗର ଚା’ବଗିଚା ଅଞ୍ଚଳକୁ ଯାଇ ଆଦିବାସୀଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇବା ସହ ସେଠାରେ ଅନେକ କିଛି ପରିବର୍ତ୍ତନ ଆଣିବାରେ…

କାହିଁକି ଏ ନୈରାଶ୍ୟବୋଧ

କାର୍ଯ୍ୟ ପଛରେ ନିହିତ ଥାଏ କାରଣଟିଏ। ମଣିଷ ଏହି କାରଣଟି ପାଇଁ ଧାଉଁଥାଏ କାର୍ଯ୍ୟ ପଛରେ। ଲକ୍ଷ୍ୟ ଥାଏ ସଫଳତା ପାଇଁ। ତେବେ ମଣିଷ କେବେକେବେ ସଫଳତାକୁ…

ଭାସୁକୁଟି

ସକାଳ ହେଲେ ଯେପରି କୁଆକୋଇଲି ରାବଦେଇ ଡାକନ୍ତି, ସେପରି ଭାସୁକୁଟି ମଧ୍ୟ ଆରମ୍ଭ ହୁଏ ଗାଁରେ। ନଦୀ, ପୋଖରୀ ନିକଟରେ ଅବା ପାଇପ ମୂଳରେ ପାଣି ଭରୁଥିବା…

ଇରାନ୍‌ ଯୁଦ୍ଧ ଓ ବିଶ୍ୱ ଅର୍ଥବ୍ୟବସ୍ଥା

ଇରାନ୍‌ ଉପରେ ଆମେରିକା-ଇସ୍ରାଏଲ୍‌ର ବାରମ୍ବାର ଆକ୍ରମଣ ଆର୍ଥିକ ବଜାର ଏବଂ ଅର୍ଥନୈତିକ କାର୍ଯ୍ୟକଳାପ ମଧ୍ୟରେ ଅଧିକ ଅସମାନତାକୁ ସ୍ପଷ୍ଟ କରିଛି। ଏଭଳି ସଙ୍କଟ ବିଶ୍ୱ ଅର୍ଥବ୍ୟବସ୍ଥାକୁ କିପରି…

ତାମିଲ ରାମାୟଣ

କମ୍ୱରାମାୟଣମ୍‌ (କମ୍ୱ ରାମାୟଣ) ତାମିଲ ସାହିତ୍ୟର ସବୁଠାରୁ ପ୍ରସିଦ୍ଧ ରଚନାଗୁଡ଼ିକ ମଧ୍ୟରୁ ଅନ୍ୟତମ। ନବମ ଶତାବ୍ଦୀ ପାଖାପାଖିରେ ଚୋଳ ରାଜାମାନଙ୍କ ସମୟରେ ତାମିଲନାଡୁର କବି କମ୍ୱନ ଏହାକୁ…

ଏମିତି ଏ ବଡ଼ଦାଣ୍ଡେ

ପିଲାଦିନରୁ ଶ୍ରୀଜଗନ୍ନାଥଙ୍କର ଅନେକ ଜଣାଣ ଓ ଭଜନ ମୋର ମନେରହିଛି। ସ୍କୁଲ ଓ କଲେଜରେ ପଢ଼ୁଥିଲା ବେଳେ ମୁଁ ଗୀତ ଗାଉଥିଲି। ଜଗନ୍ନାଥ ଜଣାଣ ଗାଇ ଖୁସି…

ନୀତିବିହୀନ ନିର୍ଦ୍ଧାରକ

ଭାରତରେ ଖାଦ୍ୟପଦାର୍ଥର ମୂଲ୍ୟ ବୃଦ୍ଧି ଯୋଗୁ ଗତ ଜୁନ୍‌ରେ ଖୁଚୁରା (ରିଟେଲ୍‌) ମୁଦ୍ରାସ୍ଫୀତି ୪.୩୮ ପ୍ରତିଶତରେ ପହଞ୍ଚତ୍ଛି, ଯାହା ମେ’ରେ ଥିଲା ୩.୯୩ ପ୍ରତିଶତ। ରିଜର୍ଭ ବ୍ୟାଙ୍କ…

ସମାଜ ବିଭକ୍ତୀକରଣର ଅନ୍ତୁଡ଼ିଶାଳ

ସ୍ବାଧୀନୋତ୍ତର ଭାରତର ସରକାରମାନେ ଶିକ୍ଷାର ପ୍ରସାର ଦିଗରେ କାମ କରିଚାଲିଛନ୍ତି। ବହୁ ଶିକ୍ଷା କମିଶନ ବସିଛି। ବହୁ ଆଇନ ପ୍ରଣୟନ ହୋଇଛି। ସେଥିମଧ୍ୟରୁ ବିଳମ୍ବରେ ହେଲେ ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri