ହାଟଡିହୀ,୩୧ା୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଡଅଁର ପଞ୍ଚାୟତରେ ୩୦ରୁ ଊର୍ଦ୍ଧ୍ୱ ମୃତ ବ୍ୟକ୍ତିଙ୍କ ନାଁରେ (ଭୂତ ଟିପ ମାରି) ଭତ୍ତା ଉଠାଯାଇଥିବା ଅଭିଯୋଗ ଘଟଣାରେ ଶନିବାର ତଦନ୍ତ ଆରମ୍ଭ ହୋଇଛି। ବ୍ଲକର ବିଡିଓଙ୍କ ଦ୍ୱାରା ଗଠିତ ଏକ ତଦନ୍ତକାରୀ ଦଳ ଡଅଁର ପଞ୍ଚାୟତରେ ପହଞ୍ଚି ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛନ୍ତି।
ଏହି ତଦନ୍ତକାରୀ ଦଳରେ ଏବିଡିଓ ରଶ୍ମୀରେଖା ନାଏକ, ସାମାଜିକ ସୁରକ୍ଷା ଅଧିକାରୀ ସ୍ବାତୀ ସିଂହ, ଜିପିଡିଓ ଦିବ୍ୟଜ୍ୟୋତି ଦାଶ, ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ) ଶରତ କୁମାର ବେଜ ଏବଂ ପଙ୍କଜ କୁମାର ସାହୁ ପ୍ରମୁଖ ସାମିଲ ଅଛନ୍ତି। ଦଳର ସଦସ୍ୟମାନେ ଡଅଁର ଗ୍ରାମରେ ଘରକୁ ଘର ବୁଲି ମୃତ ହିତାଧିକାରୀଙ୍କ ପରିବାରବର୍ଗଙ୍କୁ ଭେଟିବା ସହ ସେମାନଙ୍କ ବୟାନ ରେକର୍ଡ କରିଛନ୍ତି।
ତେବେ ପ୍ରଥମ ଦିନରେ ମାତ୍ର ୮ ଜଣ ମୃତ ହିତାଧିକାରୀଙ୍କ ସମ୍ପର୍କରେ ତଦନ୍ତ କରାଯାଇଥିବା ବେଳେ ସନ୍ଧ୍ୟା ହୋଇଯିବାରୁ ତଦନ୍ତକାରୀ ଦଳ ଫେରିଆସିଥିଲେ। ଖୁବ୍ଶୀଘ୍ର ସମସ୍ତ ତଦନ୍ତ ପ୍ରକ୍ରିୟା ଶେଷ କରି ବିଡିଓଙ୍କୁ ଚୂଡ଼ାନ୍ତ ରିପୋର୍ଟ ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି।

