ସରକାରୀ ଶିକ୍ଷା ପ୍ରତି ଆଗ୍ରହ ବଢ଼ିଛି

ଅକ୍ଷୟ କୁମାର ମିଶ୍ର

 

ସରକାର ଅତି ଗର୍ବର ସହିତ କହୁଛନ୍ତି ସରକାରୀ ବିଦ୍ୟାଳୟରେ ନାମ ଲେଖା ବଢ଼ିଛି। ଅର୍ଥାତ୍‌ ଅଭିଭାବକମାନେ ସେମାନଙ୍କ ପିଲାମାନଙ୍କୁ ସରକାରୀ ବିଦ୍ୟାଳୟରେ ପଢାଇବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। ଏହାର ଅର୍ଥ କ’ଣ ସରକାରୀ ବିଦ୍ୟାଳୟରେ ଗୁଣାତ୍ମକ ଶିକ୍ଷାଦାନ ହେଉଛି? ଭଲ ପାଠପଢ଼ା ଦେଖି ଅଭିଭାବକମାନେ ଘରୋଇ ବିଦ୍ୟାଳୟ ଅପେକ୍ଷା ସରକାରୀ ବିଦ୍ୟାଳୟକୁ ଅଧିକ ପସନ୍ଦ କରୁଛନ୍ତି? ବିଗତ ଦୁଇ ଦଶନ୍ଧି ଧରି ପ୍ରଚାର ଚାଲିଲା ସରକାରୀ ବିଦ୍ୟାଳୟର ଶିକ୍ଷାଦାନ ମାନ ଅତ୍ୟନ୍ତ ନୈରାଶ୍ୟଜନକ। ଭିତ୍ତିଭୂମି ଦୁର୍ବଳ। ଶିକ୍ଷକ ନାହାନ୍ତି। ଅଧିକାଂଶ ଶିକ୍ଷକଙ୍କୁ ଅଣଶୈକ୍ଷିକ କାର୍ଯ୍ୟରେ ନିୟୋଜିତ କରାଯାଉଛି। ଶିକ୍ଷକଙ୍କୁ ମଧ୍ୟ ଉତ୍ତରଦାୟୀ କରାଯାଉନି। ଏସବୁ ବିଦ୍ୟାଳୟରେ ପାଠ ପଢ଼ାଇଲେ ପିଲାଙ୍କ ଭବିଷ୍ୟତ ଅନ୍ଧକାର। ଅପରପକ୍ଷେ ଘରୋଇ ବିଦ୍ୟାଳୟରେ ପ୍ରତି ୨୦ ଜଣ ଛାତ୍ରୀଛାତ୍ରଙ୍କ ପାଇଁ ଜଣେ ଶିକ୍ଷକ ବା ଶିକ୍ଷୟିତ୍ରୀ ଅଛନ୍ତି। ଏମାନଙ୍କ ଉପରେ ଶିକ୍ଷାଦାନ ବ୍ୟତୀତ ଅନ୍ୟ କୌଣସି କାମର ବୋଝ ନାହିଁ। ଘରୋଇ ଶିକ୍ଷାନୁଷ୍ଠାନଗୁଡିକର ଭିତ୍ତିଭୂମି ବେଶ୍‌ ଉନ୍ନତ। ସ୍କୁଲ ବସ୍‌ରେ ପିଲା ଘରୁ ବିଦ୍ୟାଳୟକୁ ଯାଉଛି। ପିଲାଙ୍କ ସମ୍ପୂର୍ଣ୍ଣ ଦାୟିତ୍ୱ ସେମାନଙ୍କର। ଏହି ସପକ୍ଷ ବିପକ୍ଷ ପ୍ରଚାରର ପ୍ରଭାବ ଆମ ଶିକ୍ଷା ବ୍ୟବସ୍ଥା ଉପରେ କେମିତି ପଡ଼ିଛି ଆମେ ସଭିଏ ଭଲଭାବରେ ଜାଣିଛୁ।
ଗାଁ, ସାହି, ସହର, ବସ୍ତି ସବୁଠି ଆକର୍ଷଣୀୟ ବ୍ୟାନର ଓ ବିଶାଳକାୟ ହୋର୍ଡିଂ ଦେଖି ଅଭିଭାବକମାନେ ଭଲ ବିଦ୍ୟାଳୟ ବାଛି ନିଜ ପୁଅ ଝିଅଙ୍କ ନାମ ଲେଖାଇଲେ। ସିଧା କଥାରେ କହିଲେ ସରକାରୀ ବିଦ୍ୟାଳୟର ପିଲା ସଂଖ୍ୟା କ୍ରମେ ହ୍ରାସ ପାଇବାକୁ ଲାଗିଲା। ବିଶେଷ କରି ୨୦୦୬ ରୁ ଏହାର ଲେଖଚିତ୍ର ନିମ୍ନଗାମୀ ହେବାରେ ଲାଗିଲା। ଏଏସ୍‌ଇଆର୍‌(ବାର୍ଷିକ ଶିକ୍ଷାର ପରିସଂଖ୍ୟାନ ରିପୋର୍ଟ) ସର୍ଭେରୁ ଜଣାପଡିଛି ୨୦୧୮ ବେଳକୁ ଏହା ସର୍ବନିମ୍ନ ସ୍ତରରେ ପହଞ୍ଚତ୍ଲା। ଦେଶର ମାତ୍ର ୬୫ ପ୍ରତିଶତ ପିଲା ସରକାରୀ ବିଦ୍ୟାଳୟରେ ନାମ ଲେଖାଇଲେ। ଏବେ ଏହା ବୃଦ୍ଧି ପାଇ ୭୩ ପ୍ରତିଶତରେ ପହଞ୍ଚତ୍ଛି ବୋଲି ରିପୋର୍ଟରେ କୁହାଯାଇଛି। ଏଥିରେ ସରକାର ବେଶ୍‌ ଉତ୍‌ଫୁଲ୍ଲିତ। କିନ୍ତୁ ଏହାର କାରଣ ସରକାରୀ ବିଦ୍ୟାଳୟରେ ଶିକ୍ଷାଦାନର ଗୁଣାତ୍ମକ ବୃଦ୍ଧି ନା ଆଉ କିଛି ସେ ସମ୍ପର୍କରେ ପରେ ଆଲୋଚନା ରଖିବା।
ଏଏସ୍‌ଇଆର୍‌ ଦ୍ୱାରା ଦେଶର ୮୫ ପ୍ରତିଶତ ଜିଲାର ପାଖାପାଖି ସାତ ଲକ୍ଷ ପିଲାଙ୍କୁ ନେଇ ହୋଇଥିବା ଏକ ସର୍ଭେରୁ ପ୍ରକାଶିତ ସଦ୍ୟତମ ରିପୋର୍ଟ ଅନୁଯାୟୀ ପାଠରେ ଦକ୍ଷତା ଓ ଗଣିତରେ ଛାତ୍ରୀଛାତ୍ରଙ୍କ ଜ୍ଞାନ ଅତ୍ୟନ୍ତ ହତାଶଜନକ। ଚାରୋଟି ପର୍ଯ୍ୟାୟକୁ ପରିମାପକ ରୂପେ ବିଚାର କରି ଏହି ସର୍ଭେ ହୋଇଥିବା ଜଣାପଡିଛି। ସେଗୁଡିକ ହେଲା ପ୍ରଥମେ ଅକ୍ଷର ଲେଖା, ଦ୍ୱିତୀୟରେ ଶବ୍ଦ ଲିଖନ, ତୃତୀୟରେ ବାକ୍ୟ ଲିଖନ ଓ ଚତୁର୍ଥରେ କିଛି ଜଟିଳ ଶବ୍ଦ ଥାଇ ଏକ ଅନୁଚ୍ଛେଦ ଲିଖନ। ଏହି ସର୍ଭେ କହୁଛି ତୃତୀୟ ଶ୍ରେଣୀର ୮୦ପ୍ରତିଶତ ପିଲା ବହି ପଢ଼ି ପାରୁନାହାନ୍ତି। ୨୦୧୪ର ରିପୋର୍ଟ ହେଲା ୨୩ ପ୍ରତିଶତ ପିଲା ବହି ପଢ଼ି ପାରୁଥିଲେ। ୨୦୧୮ ବେଳକୁ ଏଥିରେ ସାମାନ୍ୟ ଉନ୍ନତି ଘଟିଥିଲା। ୨୮ ଶତକଡା ପିଲା ବହି ପଢ଼ି ପାରୁଥିଲେ। ଏବେ (୨୦୨୨ ମସିହାରେ) ଦେଖାଯାଉଛି ଏହା ପୁଣି ତଳକୁ ଖସିଛି। ୧୦୦ ଜଣ ପିଲାଙ୍କ ଭିତରେ ମାତ୍ର ୨୦ ଜଣ ପିଲା ବହି ପଢ଼ି ପାରୁଛନ୍ତି। ସେମିତି ପଞ୍ଚମ ଶ୍ରେଣୀ ବେଳକୁ ଦେଖାଯାଇଛି ୨୦୧୪ରେ ୪୮ପ୍ରତିଶତ ଶିକ୍ଷାର୍ଥୀ ଦ୍ୱିତୀୟ ଶ୍ରେଣୀର ବହି ପଢ଼ି ପାରୁଥିଲେ। ୨୦୧୮ରେ ଏହା ବୃଦ୍ଧିଘଟି ୫୦ ଶତକଡାରେ ପହଞ୍ଚତ୍ଥିଲା। ମାତ୍ର ଏବେ ୪୨ ପ୍ରତିଶତ ପିଲା ମାନ ରକ୍ଷାରେ ସକ୍ଷମ। ଗଣିତ କ୍ଷେତ୍ରରେ ମଧ୍ୟ ସମାନ ସ୍ଥିତି। ୨୦୧୪ରେ ୭୫ ପ୍ରତିଶତ ପିଲା ସାଧାରଣ ବିୟୋଗ କରିବାରେ ଅସମର୍ଥ ଥିବା ବେଳେ ୨୦୧୮ରେ ୭୨ପ୍ରତିଶତ ପିଲା ଏଭଳି ଦୟନୀୟ ଅବସ୍ଥାରେ ଥିବା ଜଣାପଡିଥିଲା। ଏବେ ପୁଣି ପୂର୍ବାବସ୍ଥା। ମାତ୍ର ଶତକଡା ୨୫ ଛାତ୍ରୀଛାତ୍ର ବିୟୋଗ କରିବାରେ ସାମର୍ଥ୍ୟ ଅର୍ଜନ କରିପାରିଛନ୍ତି। ସମାନ ଦୁର୍ଦ୍ଦଶା ପଞ୍ଚମ ଶ୍ରେଣୀ ପିଲାଙ୍କ ନିକଟରେ ଦେଖିବାକୁ ମିଳୁଛି। ସରଳ ହରଣ ପ୍ରକ୍ରିୟା ସମାଧାନ କରିବାରେ ସକ୍ଷମ ନୁହନ୍ତି। ଏହି ପରିସଂଖ୍ୟାନକୁ ଅନୁଧ୍ୟାନ କଲେ ଆମେ ସିଦ୍ଧାନ୍ତରେ ଉପନୀତ ହେବା ଯେ ଗୋଟିଏ ଦଶନ୍ଧି ଭିତରେ ସେମିତି କିଛି ପରିବର୍ତ୍ତନ ଘଟିନାହିଁ। ଆମ ପିଲାଙ୍କ ଶୈଶବ ଅବସ୍ଥା ଯଦି ଏମିତି ତେବେ ଭବିଷ୍ୟତଟା କେତେ ଉଜ୍ଜ୍ୱଳ ହେବ ତାହା ଜଳଜଳ କରି ଦେଖାଯାଉଛି।
ଶିକ୍ଷା ହେଉଛି ବିକାଶର ଅସଲ ଚାବିକାଠି। ଅଥଚ ସରକାରଙ୍କ ମନୋବୃତ୍ତି କ’ଣ ପ୍ରତିବର୍ଷ ବଜେଟରେ ଶିକ୍ଷା ବାବଦକୁ ବ୍ୟୟ ବରାଦ ଦେଖିଲେ ହୃଦୟଙ୍ଗମ କରି ହୁଏ। ୨୦୨୧-୨୨ ବଜେଟରେ ଜିଡିପିର ୩.୧ ପ୍ରତିଶତ ବ୍ୟୟ ବରାଦ ହେବା ଆମ ଉଦ୍ଦେଶ୍ୟକୁ ପଦାରେ ପକାଇ ଦେଇଛି। ଆମ ରାଜ୍ୟର ସ୍ଥିତି ଯେ ଭିନ୍ନ ଏ କଥା କୁହାଯାଇ ପାରିବନାହିଁ। ୨୦୨୧-୨୨ରେ ବଜେଟରେ ୧୫.୨ ପ୍ରତିଶତ ଶିକ୍ଷା କ୍ଷେତ୍ରରେ ଖର୍ଚ୍ଚ କରିବାକୁ ବରାଦ ହୋଇଥିବା ବେଳେ ୨୦୨୨-୨୩ରେ ଏହା ହ୍ରାସ କରାଯାଇ ୧୩.୫ ପ୍ରତିଶତରେ ସୀମିତ ରଖାଯାଇଛି।
ପାଞ୍ଚ ବର୍ଷ ଭିତରେ ସରକାରୀ ବିଦ୍ୟାଳୟରେ ଯେଉଁ ସାତ ପ୍ରତିଶତ ପିଲା ଅଧିକ ନାମ ଲେଖାଇଛନ୍ତି ଏହାର କାରଣ କ’ଣ ସତରେ ସରକାରୀ ବିଦ୍ୟାଳୟରେ ଶିକ୍ଷାଦାନ ପ୍ରତି ଆକୃଷ୍ଟ ହୋଇ ? ଯଦି ହଁ, ତେବେ ଯୁକ୍ତି କ’ଣ? ବିଦ୍ୟାଳୟର ଭିତ୍ତିଭୂମିର ଉନ୍ନତି ହୋଇଛି? ଅଧିକ ଶିକ୍ଷକ ନିଯୁକ୍ତି ଦିଆଯାଇଛି? ପ୍ରତି ଶ୍ରେଣୀ ପାଇଁ ଜଣେ ଲେଖାଏ ଶିକ୍ଷକ ଅଛନ୍ତି? ଶିକ୍ଷକମାନେ ନିଜକୁ ଉତ୍ତରଦାୟୀ ମନେକରି ନିଜ କାର୍ଯ୍ୟକୁ ସୁଚାରୁରୂପେ ସମ୍ପାଦନ କରୁଛନ୍ତି? ପ୍ରାଥମିକ ବିଦ୍ୟାଳୟରେ ଯେଉଁ ମଧ୍ୟାହ୍ନ ଭୋଜନ ଦିଆଯାଉଛି ତା’ର ମାନ ବଢ଼ିଛି? ଯଦି ଏସବୁର ଉତ୍ତର ସନ୍ତୋଷଜନକ ନୁହେଁ ତେବେ ପିଲା ସଂଖ୍ୟା ବଢିବା କାରଣ କ’ଣ? କାହିଁକି ଘରୋଇ ବିଦ୍ୟାଳୟ ଛାଡି ଅଭିଭାବକମାନେ ସରକାରୀ ବିଦ୍ୟାଳୟ ଅଭିମୁଖେ? ଏହି କଥାଟି ବୁଝିବାକୁ ହେଲେ ପ୍ରଥମେ ହିସାବ ନେବାକୁ ହେବ କେତେଜଣ ସରକାରୀ କର୍ମଚାରୀ, ଶିକ୍ଷକ, ଡାକ୍ତର, ଇଞ୍ଜିନିୟର ଓକିଲ, କେତେଜଣ ଏମ୍‌ପି, ବିଧାୟକ, ମନ୍ତ୍ରୀ ଏପରିକି ସରପଞ୍ଚ, କେତେଜଣ ବଡ଼ ବ୍ୟବସାୟୀ, କେତେଜଣ ଉଦ୍ୟୋଗପତି ଘରୋଇ ବିଦ୍ୟାଳୟ ପରିବର୍ତ୍ତେ ସରକାରୀ ବିଦ୍ୟାଳୟରେ ସେମାନଙ୍କ ପୁଅ ଝିଅ, ନାତି ନାତୁଣୀଙ୍କ ନାମ ଲେଖାଇଛନ୍ତି। ମନେହୁଏ ଏହି ସଂଖ୍ୟା କୌଣସି ଗର୍ବ କଲା ଭଳି ନୁହେଁ। ଆମେ ଯଦି ଅନୁଶୀଳନ କରିବା ଏମାନଙ୍କ ମଧ୍ୟରେ ପ୍ରାୟ ସଭିଏ କୃଷକ, ଶ୍ରମିକ, ବସ୍ତି ବାସିନ୍ଦା, ରିକ୍ସା ଚାଳକ, ଉଠା ବ୍ୟବସାୟୀ ଘରର ପିଲା, ଯେଉଁମାନଙ୍କର ଆର୍ଥିକ ଅବସ୍ଥାରେ ଅବନତି ଘଟିଛି। ଫଳରେ ସରକାରୀ ବିଦ୍ୟାଳୟ ପ୍ରତି ସେମାନଙ୍କର ଆଦର ବଢ଼ିଛି। ଘରୋଇ ବିଦ୍ୟାଳୟର ମାଲିକମାନେ କୋର୍ସ ଫି’ ବଢ଼ାଇ ଦିଆଯିବାରୁ ନିମ୍ନ ମଧ୍ୟବିତ୍ତ ଶ୍ରେଣୀର କିଛି ଲୋକ ଯେଉଁମାନେ ତଥାକଥିତ ଗୁଣାତ୍ମକ ଶିକ୍ଷା ପାଇବା ଆଶାରେ ଘରୋଇ ବିଦ୍ୟାଳୟରେ ନିଜ ପିଲାଙ୍କୁ ପଠାଇବାକୁ ମନ ବଳାଇଥିଲେ ସେମାନେ ସରକାରୀ ବିଦ୍ୟାଳୟକୁ ପସନ୍ଦ କରିବାକୁ ବାଧ୍ୟ ହୋଇଛନ୍ତି।
ଆତ୍ମସନ୍ତୋଷର ଏହା ସମୟ ନୁହେଁ। ଏହି ଧାରାକୁ ବଜାୟ ରଖିବା ସହିତ ବଢ଼ାଇବାକୁ ହେବ। ନିର୍ଦ୍ଦିଷ୍ଟ ଶ୍ରେଣୀରୁ ନୁହେଁ ସମସ୍ତ ବର୍ଗର ଲୋକଙ୍କୁ ସରକାରୀ ବିଦ୍ୟାଳୟ ପ୍ରତି ଆକୃଷ୍ଟ କରିବାକୁ ପଡ଼ିବ। ଏଥିପାଇଁ ମୁଖ୍ୟ କାର୍ଯ୍ୟ ହେଲା ସରକାରୀ ବିଦ୍ୟାଳୟର ଭିତ୍ତିଭୂମିର ବିକାଶ ଓ ଗୁଣାତ୍ମକ ଶିକ୍ଷାଦାନ ପ୍ରତି ପ୍ରାଥମିକତା ଦେବା।
ପ୍ରାକ୍ତନ ଯୁଗ୍ମ ସାଧାରଣ ସମ୍ପାଦକ, ଓଷ୍ଟା
ମୋ- ୭୦୦୮୦୭୩୫୯୯


Enter your email to get our daily news in your inbox.

All Right Reserved By Dharitri.Com

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

ଏଇ ଭାରତରେ

କେରଳମର ଯୁବ ଫଟୋଗ୍ରାଫର ନନ୍ଦୁ କେ.ଏସ୍‌. କହନ୍ତି, କ୍ୟାମେରା କେବଳ ସୁନ୍ଦର ଦୃଶ୍ୟ ଉତ୍ତୋଳନ ପାଇଁ ନୁହେଁ; ବରଂ ଏହା ସ୍ବଚ୍ଛତା, ଏକତା ଆଣିପାରେ, ପଦକ୍ଷେପ ପାଇଁ…

ଏକାଧିକ ବ୍ୟାଙ୍କ ଆକାଉଣ୍ଟ ରହିଛି କି

ମୋ କଲେଜ ପଢ଼ା ସମୟର ସାଙ୍ଗ ‘ନରେନ୍ଦ୍ର’ କଥା କହୁଛି। ତାଙ୍କର ଏକ ଭଲ ଅଭ୍ୟାସ ଥିଲା ଡାକଘର ବ୍ୟତୀତ ସେ ସମୟରେ ଯେତେ ସବୁ ଛୋଟବଡ଼…

ପୁସ୍ତକରେ ବନ୍ଦୀ ଶୈଶବ

ଏକ ସମୟ ଥିଲା, ସା ହେଲେ ପିଲାଙ୍କ ଚିତ୍କାର ଓ ଦୌଡ଼ାଦୌଡ଼ିରେ ଗାଁର ଖେଳପଡ଼ିଆ ହସୁଥିଲା। ଖେଳପଡ଼ିଆରେ ସେମାନେ ଶିଖୁଥିଲେ ସହଯୋଗ, ମିତ୍ରତା, ସହନଶୀଳତା ଓ ଜୀବନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri