ଅସୁରକ୍ଷିତ ଡାକ୍ତର, ଉନ୍ମତ୍ତ ନିଶା

ଅଭାବନୀୟ ଘଟଣାଟିଏ ଦେଖିବାକୁ ମିଳିଛି କେରଳରେ, ଯାହା ପୁଣି ସାବ୍ୟସ୍ତ କରିଦେଲା ଯେ ଡାକ୍ତରମାନଙ୍କ ଜୀବନ ଓ ଜୀବିକା ଉଭୟ ଅସୁରକ୍ଷିତ ଅବସ୍ଥାରେ ଅଛି। ରୋଗୀମାନଙ୍କ ପ୍ରତି ଚିକିତ୍ସାରେ ହେଉ କି ବ୍ୟବହାରରେ ହେଉ ଏତେ ଟିକିଏ ବ୍ୟତିକ୍ରମ ହେଲେ ଡାକ୍ତରମାନଙ୍କୁ ଆକ୍ରମଣ ଦୃଷ୍ଟାନ୍ତ ଅନେକ ରହିଛି। ରୋଗୀଟିଏ ଯଦି ମୃତ୍ୟୁବରଣ କରେ ଓ ଏଥିରେ ଡାକ୍ତରମାନଙ୍କ ଅବହେଳା ଯୋଗୁ ଘଟିଥିବା ସନ୍ଦେହ କରାଯାଏ ତେବେ ବିଚରା ଡାକ୍ତରଙ୍କୁ ତ ଯାହା ଶାରୀରିକ ନିର୍ଯାତନା ଦିଆଯାଇ ଥାଏ ତାଙ୍କୁ କୋର୍ଟ କଚେରି ପର୍ଯ୍ୟନ୍ତ ମଧ୍ୟ ଲୋକେ ଟାଣିନେଇ ଥାଆନ୍ତି। ବିପଦ ବେଳେ ଦ୍ୱିତୀୟ ଈଶ୍ୱର ବୋଲି ମାନୁଥିବା ଡାକ୍ତରମାନଙ୍କ ଉପରେ ସମସ୍ତେ ଦାଉ ସାଧୁଛନ୍ତି। ଅନେକ ଦିନ ହେଲା ଡାକ୍ତରଖାନା ପରିସରରେ ସୁରକ୍ଷା ପାଇଁ ପୋଲିସ ମୁତୟନ ନିମନ୍ତେ ଡାକ୍ତରମାନଙ୍କ ଦାବିକୁ ଗୁରୁତ୍ୱ ଦିଆଯାଉ ନାହିଁ।
କେବଳ ଜନସାଧାରଣ ନୁହନ୍ତି, ରୋଗୀମାନେ ମଧ୍ୟ ଡାକ୍ତରମାନଙ୍କ ପ୍ରତି ଅଶାଳୀନ ବ୍ୟବହାର କରିବାର ଦୃଷ୍ଟାନ୍ତ ରହିଛି। କରୋନା ବିପତ୍ତି କାଳରେ କ୍ୱାରାଣ୍ଟାଇନ ସେଣ୍ଟରରେ କର୍ତ୍ତବ୍ୟରତ ସେବିକା ଓ ମହିଳା କର୍ମଚାରୀମାନଙ୍କ ଆଗରେ ରୋଗୀମାନେ ଉଲଗ୍ନ ହୋଇ ନୃତ୍ୟ କରିବା ପରି ଅଶୋଭନୀୟ ଆଚରଣମାନ ପ୍ରଦର୍ଶନ କରିବା ଖବର ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା। କିନ୍ତୁ ରୋଗୀଟିଏ ହାତରେ ଡାକ୍ତରଙ୍କ ଜୀବନ ଗଲା ପରି ଘଟଣା କେବେ ଘଟି ନ ଥିଲା। ମାନସିକ ରୋଗୀଟିର ସେବା କରୁଥିବା ଡାକ୍ତରଙ୍କ ପ୍ରେମରେ ରୋଗୀଟି ପଡ଼ିଯିବା ଦୃଷ୍ଟାନ୍ତ ରହିଛି। ଏହାକୁ ନେଇ ଗଳ୍ପ, ଉପନ୍ୟାସ, କବିତା ଆଦି ଲେଖାଯାଇଛି। ହିନ୍ଦୀ ଓ ଅନ୍ୟାନ୍ୟ ଭାରତୀୟ ଭାଷାରେ ଏହି ପ୍ରସଙ୍ଗ ଆଧାରିତ ଚଳଚ୍ଚିତ୍ର ମଧ୍ୟ ରହିଛି। କିନ୍ତୁ ରୋଗୀଟିଏ ହାତରେ ଏମିତି ଅମାନୁଷିକ ଭାବରେ ଡାକ୍ତରଙ୍କ ଜୀବନ ଯିବାର ଦୃଷ୍ଟାନ୍ତ ନ ଥିଲା। ରୋଗୀଟି ପାଗଳ ଥିଲା ସତ, କିନ୍ତୁ ଏମିତି ପାଗଳ ନ ଥିଲା ଯାହା ପ୍ରତି ଅନ୍ୟମାନଙ୍କ ମନରେ ସମବେଦନା ସୃଷ୍ଟି ହେବ। ଅତିଶୟ ଡ୍ରଗ୍ସ ସେବନଜନିତ ଉଦ୍‌ଭ୍ରାନ୍ତ ଯୁବକଟିଏ ସେ ଥିଲା। ଘର ପରିବାରର ସଦସ୍ୟମାନେ ତା’ ଦୌରାତ୍ମ୍ୟରେ ଅତିଷ୍ଠ ହୋଇଯାଇଥିଲେ। ଶେଷରେ ନିରୁପାୟ ହୋଇ ସେମାନେ ତାକୁ କାବୁକରି ଥାନାରେ ଦେଇଥିଲେ। ସେହି ଧସ୍ତାଧସ୍ତି ଭିତରେ ଯୁବକଟିର ଗୋଡ଼ରେ ଗଭୀର ଆଘାତ ହୋଇଥିଲା। କ୍ଷତର ଚିକିତ୍ସା ପାଇଁ ମେଡିକାଲକୁ ନିଆଯାଇଥିବା ବେଳେ ଜୁନିୟର ଡାକ୍ତର ବନ୍ଦନା ଦାସ ତା’ର ଅପରେଶନ କରୁଥିଲେ। ପାଗଳ ଜଣକ ହଠାତ୍‌ ତାଙ୍କ ହାତରୁ କଇଞ୍ଚି ଛଡ଼ାଇନେଇ ତାଙ୍କୁ ଆକ୍ରମଣ କରିଥିଲା। ସେହି ଆକ୍ରମଣରେ ପ୍ରାଣ ହରାଇଥିଲେ ପଚିଶ ବର୍ଷର ଯୁବ ଡାକ୍ତର ବନ୍ଦନା। ଏଥିସହ ଆଉ କେତେଜଣ ଡାକ୍ତରଖାନାର କର୍ମଚାରୀ ମଧ୍ୟ ଗୁରୁତର ହେବା ଅତ୍ୟନ୍ତ ମର୍ମଦାହି ଖବର। ସବୁଠାରୁ କ୍ଷୋଭର ବିଷୟ ଚିକିତ୍ସା ପାଇଁ ଅଣାଯାଇଥିବା ଏପରି ଉନ୍ମତ୍ତ ରୋଗୀଟି ହାତରେ ହାତକଡ଼ି ନ ଥିଲା କି ପାଖରେ ପୋଲିସ ମଧ୍ୟ ନ ଥିଲା।
ଏହି ଘଟଣା ଆମକୁ ସାମ୍ପ୍ରତିକ ସମାଜର ଦୁଇଟି ସମସ୍ୟା ଉପରେ ଗଭୀର ଭାବରେ ଚିନ୍ତା କରିବାର ଅବସର ଦେଇଛି। ଡାକ୍ତରଖାନା ପରିସରରେ ଡାକ୍ତରମାନଙ୍କ ସୁରକ୍ଷା ପାଇଁ ସ୍ଥାୟୀ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରିବା। ଡାକ୍ତରଙ୍କ ଜୀବନ ଏବେ ଅସୁରକ୍ଷିତ। ଅପରପକ୍ଷେ ଯୁବପିଢ଼ିକୁ କ୍ରମେ କବଳିତ କରୁଥିବା ନିଶା ରାକ୍ଷସ। କେବଳ ଅଫିମ, ଗଞ୍ଜେଇ, ମଦ ଭିତରେ ନିଶା ସୀମିତ ହୋଇ ରହିନାହିଁ। ବ୍ୟାପିଗଲାଣି ହେରୋଇନ, ଚରସ, ମାରିଜୁଆନା ପରି ବିଭିନ୍ନ ପ୍ରାଣଘାତକ ବିଷ। ସେହି ବିଷ ବଳୟ ଏବେ ଆମ ବର୍ତ୍ତମାନ ଓ ଭବିଷ୍ୟତକୁ ସନ୍ତ୍ରସ୍ତ କରି ରଖିଛି। ଆମ ଅର୍ଦ୍ଧାଧିକ ଯୁବଶକ୍ତି ଆତ୍ମପ୍ରତ୍ୟୟ ହୀନ ହୋଇ ଅବସାଦ ଜୀବନ ବଞ୍ଚୁଥିବା ବେଳେ ଆଉ କେହି ନିଶାଗ୍ରସ୍ତ ହୋଇ ରହୁଛନ୍ତି। କେହି କେହି ଆତ୍ମହତ୍ୟା ପଥ ବାଛିନେଉଛନ୍ତିି। ଯେଉଁମାନେ ନିଶାଗ୍ରସ୍ତ ହୋଇ ରହୁଛନ୍ତି ସେମାନେ କେବଳ ନିଜ ପାଇଁ ଦୁର୍ଭୋଗ ଆହ୍ବାନ କରୁନାହାନ୍ତି ସମାଜ ପାଇଁ ଅଭିଶାପ ପାଲଟିଯାଉଛନ୍ତି। ଲୋକଲଜ୍ଜା ଭୟରେ ନାନାଦି ମନସ୍ତାପ ଭିତରେ କାଳାତିପାତ କରୁଥାନ୍ତି। ପରିବାରର ଆର୍ଥିକ ମାନଦଣ୍ଡ ଭୁଶୁଡ଼ି ପଡ଼ୁଛି। ସ୍କୁଲ କଲେଜ କାର୍ଯ୍ୟାଳୟଗୁଡ଼ିକରେ ଯେତେସବୁ ଯୌନ ନିର୍ଯାତନା ଅଭିଯୋଗ ଆସେ ତାହା ପ୍ରାୟତଃ ନିଶାଗ୍ରସ୍ତମାନଙ୍କ ଦ୍ୱାରା ହୋଇଥାଏ। ରାସ୍ତା ଦୁର୍ଘଟଣା ତ ନବେ ପ୍ରତିଶତ ନିଶାଗ୍ରସ୍ତମାନଙ୍କ ଦ୍ୱାରା ହୋଇଥାଏ।
ଏବେ ଆମ ଆଗରେ ସବୁଠାରୁ ବଡ଼ ସମସ୍ୟା ହୋଇଛି ନିଶାପାନଜନିତ ମାନସିକ ବିକୃତି। ଏହି ଅବସ୍ଥାରେ ସେମାନେ ଯେକୌଣସି ଅପରାଧ କରିବା ପାଇଁ ପଛଘୁଞ୍ଚା ଦେଉନାହାନ୍ତି। ଏବେ ସହରଠାରୁ ଆରମ୍ଭକରି ମଫସଲ ପଲ୍ଲୀ ପର୍ଯ୍ୟନ୍ତ ସବୁଠାରେ ଡ୍ରଗ୍ସ ନିଶା ବ୍ୟାପିଗଲାଣି। ଏହି ବିଷ ଶାରୀରିକ ଓ ମାନସିକ ଉଭୟ ସ୍ତରରେ ସେମାନଙ୍କୁ ନିର୍ବେଦ ନିଷ୍କ୍ରିୟ କରିଦିଏ। ଅନ୍ତିମ ପରିଣତି ମାନସିକ ଭାରସାମ୍ୟ ନଷ୍ଟ। ମାନସିକ ଚିକିତ୍ସାଳୟକୁ ଯେତେ ରୋଗୀ ଆସୁଛନ୍ତି ସେମାନଙ୍କ ମଧ୍ୟରେ ଅଧିକାଂଶ ଡ୍ରଗ୍ସଗ୍ରସ୍ତ ଯୁବକ। ଅସହାୟ ଅଭିଭାବକମାନଙ୍କର ଶେଷ ଆଶା ଭରସାର ସ୍ଥଳ ଏବେ ପାଗଳଖାନା।
ତେବେ ଏଇଠି ପ୍ରଶ୍ନ ଉଠେ ଏଥିପାଇଁ ଆମେ କାହାକୁ ଦାୟୀ କରିବା? ଆମେ ଅଭିଭାବକମାନେ ପିଲାମାନଙ୍କଠାରୁ ଏତେ ବେଶି ପ୍ରତ୍ୟାଶା ରଖୁଛୁ ଯେ ତାହା ସେମାନଙ୍କୁ ଚାପଗ୍ରସ୍ତକରି ରଖୁଛି। ତା’ର ପ୍ରତିକାର ସ୍ବରୂପ ସେମାନେ ଡ୍ରଗ୍ସର ଆଶ୍ର୍ରୟ ନେଉଛନ୍ତି। ପିଲାଙ୍କୁ ଗଢ଼ିବା ବେଳେ ସ୍ନେହ,ପ୍ରେମ, ଆଦର ପରିବର୍ତ୍ତେ ଟଙ୍କା ପଇସାରେ ଗଢୁଛୁ। ସେମାନେ ଯେତେବେଳେ ଆମ ସାନ୍ନିଧ୍ୟ ଚାହୁଁଥିଲେ ଆମେ ତାଙ୍କୁ ଆୟା ପାଖରେ ଛାଡ଼ି ଅର୍ଥ ରୋଜଗାର କରିବା ପାଇଁ ଧାଇଁଲୁ। ସେମାନଙ୍କ ନିଃସଙ୍ଗ ଜୀବନ ଯେତେବେଳେ କୁସଙ୍ଗରେ ପଡ଼ି ନଷ୍ଟ ହେଉଥିଲା ଆମେ ଅଣଦେଖା କରୁଥିଲୁ। ଏବେ ନେଡ଼ିଗୁଡ଼ କହୁଣିକୁ ବୋହିଗଲା ପରେ ସୋରିଷ ପରି ସମସ୍ୟା ଆମ ଆଗରେ ପର୍ବତ ଆକୃତିରେ ଆଗୋଳି ବସିଛି। ଏଥିରୁ ନିଷ୍କ୍ରାନ୍ତ ହେବା ପାଇଁ ସର୍ବସ୍ତରୀୟ ପ୍ରଚେଷ୍ଟା ଆବଶ୍ୟକ।

– ଡ. ବାସନ୍ତୀ ମହାନ୍ତି
ମୋ -୯୪୩୭୦୩୩୦୭୪


Enter your email to get our daily news in your inbox.

All Right Reserved By Dharitri.Com

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

ଏଇ ଭାରତରେ

କେରଳମର ଯୁବ ଫଟୋଗ୍ରାଫର ନନ୍ଦୁ କେ.ଏସ୍‌. କହନ୍ତି, କ୍ୟାମେରା କେବଳ ସୁନ୍ଦର ଦୃଶ୍ୟ ଉତ୍ତୋଳନ ପାଇଁ ନୁହେଁ; ବରଂ ଏହା ସ୍ବଚ୍ଛତା, ଏକତା ଆଣିପାରେ, ପଦକ୍ଷେପ ପାଇଁ…

ଏକାଧିକ ବ୍ୟାଙ୍କ ଆକାଉଣ୍ଟ ରହିଛି କି

ମୋ କଲେଜ ପଢ଼ା ସମୟର ସାଙ୍ଗ ‘ନରେନ୍ଦ୍ର’ କଥା କହୁଛି। ତାଙ୍କର ଏକ ଭଲ ଅଭ୍ୟାସ ଥିଲା ଡାକଘର ବ୍ୟତୀତ ସେ ସମୟରେ ଯେତେ ସବୁ ଛୋଟବଡ଼…

ପୁସ୍ତକରେ ବନ୍ଦୀ ଶୈଶବ

ଏକ ସମୟ ଥିଲା, ସା ହେଲେ ପିଲାଙ୍କ ଚିତ୍କାର ଓ ଦୌଡ଼ାଦୌଡ଼ିରେ ଗାଁର ଖେଳପଡ଼ିଆ ହସୁଥିଲା। ଖେଳପଡ଼ିଆରେ ସେମାନେ ଶିଖୁଥିଲେ ସହଯୋଗ, ମିତ୍ରତା, ସହନଶୀଳତା ଓ ଜୀବନର…

ଦୁଇ ଆଞ୍ଚଳିକ ପ୍ରତିଦ୍ୱନ୍ଦ୍ୱୀ

ନିକଟରେ ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ ଭାରତ ଗସ୍ତରେ ଆସିଥିଲେ। ସେତେବେଳେ ସେ କହିଥିଲେ, ଭାରତ ହେଉଛି ଆମେରିକାର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ରଣନୈତିକ ଭାଗୀଦାରି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri